ମାଟି କୁଡ଼ୁଆରେ ମହାପ୍ରସାଦ

ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ଗଣଦେବତା। ସେ ମାନବବାଦ ଓ ପ୍ରକୃତିବାଦର ସମନ୍ବିତ ପ୍ରତିଭୂ। ତେଣୁ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନଚର୍ଯ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ ରୀତି ନୀତି ଯେତିକି ଆଚାରସିଦ୍ଧ, ସେତିକି ବିଜ୍ଞାନମୟ। ପୃଥିବୀର ଅଧିଷ୍ଠିତ ସବୁ ଦେବଦେବୀଙ୍କ ବିଗ୍ରହ ପ୍ରାୟତଃ ପ୍ରସ୍ତର କିମ୍ବା ଧାତୁରେ ଗଢ଼ା ହୋଇଥିବା ସ୍ଥଳେ ମହାପ୍ରଭୁ ଦାରୁଦେବତା ହେବା ଅନ୍ତରାଳରେ ରହିଛି ଆଦି ମାନବର ବୃକ୍ଷ ଉପାସନା। ନିମ୍ବବୃକ୍ଷର ଆୟୁର୍ବେଦୀୟ ଦ୍ରବ୍ୟଗୁଣ ସିଦ୍ଧାନ୍ତ ତଥା ସ୍ଥାୟିତ୍ୱ ହିଁ ଆଧ୍ୟାତ୍ମିକତା, ପ୍ରକୃତି ତତ୍ତ୍ୱ ଓ ବିଜ୍ଞାନର ଏକ ସୁନ୍ଦର ସମୀକରଣ, ଯାହା ଆମ ପୂର୍ବଜଙ୍କ ଜ୍ଞାନଗର୍ଭା ଚିନ୍ତନର ଫଳ।
ସୁସ୍ଥ ନିରାମୟ ଜୀବନ ଧାରଣ ପାଇଁ ମାନବ ଶରୀର ଆବଶ୍ୟକ କରେ ପରିବେଶ ଉପଯୋଗୀ ସାତ୍ତ୍ୱିକ ଆହାର। ଶାସ୍ତ୍ର କହେ- ପ୍ରକୃତିଲବ୍ଧ ଶକ୍ତି ଆଲୋକ ଉତ୍ତାପ ଜଳବାୟୁ ଓ ଖାଦ୍ୟ ଇତ୍ୟାଦିର ଉପଯୋଗିତାରେ ପରିପୁଷ୍ଟ ହୁଏ ମାନବ ଶରୀର। ଅର୍ଥାତ୍‌ ଗୋଟିଏ ଭୂଖଣ୍ଡର ପରିବେଶ ଓ ଜଳବାୟୁ ଉପରେ ନିର୍ଭର କରେ ସେଠାକାର ଖାଦ୍ୟ ପରମ୍ପରା। ଶହ ଶହ ବର୍ଷର ପରୀକ୍ଷାନିରୀକ୍ଷା ପରେ ପ୍ରତିଷ୍ଠା ଲାଭ କରେ ସେଠାକାର ଖାଦ୍ୟଶୃଙ୍ଖଳା ଓ ତା’ର ପ୍ରସ୍ତୁତି ପ୍ରଣାଳୀ। ଏହି ପରମ୍ପରାର ଉପାଦେୟତାକୁ ଅଙ୍ଗୀକାର କରି ସ୍ଥାନୀୟ ପରିବେଶରୁ ମିଳୁଥିବା ପ୍ରାକୃତିକ ଖାଦ୍ୟ ପଦାର୍ଥରୁ ପ୍ରସ୍ତୁତ ହୁଏ ମହାପ୍ରଭୁଙ୍କ ଅନ୍ନବ୍ୟଞ୍ଜନ ଓ ଅନ୍ୟାନ୍ୟ ଭୋଗ।
ଖାଦ୍ୟ ବିଶେଷଜ୍ଞଙ୍କ ମତରେ କୌଣସି ଧାତୁପାତ୍ର ଅପେକ୍ଷା ମାଟିହାଣ୍ଡିରେ ପାକ ହୋଇଥିବା ଖାଦ୍ୟ ଅଧିକ ସୁସ୍ବାଦୁ ଓ ସ୍ବାସ୍ଥ୍ୟକର। କାରଣ ମାଟିପାତ୍ରରେ ରୋଷେଇ କରିବା ଦ୍ବାରା ଆଦୌ ନଷ୍ଟ ହୁଏନି ଖାଦ୍ୟର ସୂକ୍ଷ୍ମ ପୋଷକ ତତ୍ତ୍ୱ। ଆପଣା ଅନୁଭୂତିସିଦ୍ଧ ଜ୍ଞାନ ବଳରେ ଖାଦ୍ୟ ପ୍ରସ୍ତୁତିର ଏ ଗହନ ତତ୍ତ୍ୱକୁ ବୁଝିଥିଲେ ଆମ ପୂର୍ବଜମାନେ। ସେହି କାରଣରୁ ଏକଦା ଆମ ରୋଷେଇ ଘରର ଅଭିନ୍ନ ଅଙ୍ଗ ହୋଇ ରହିଥିଲା ମାଟିହାଣ୍ଡି। ମାଟିପାତ୍ର କ୍ଷାରୀୟ ଗୁଣ ବହନ କରୁଥିବାରୁ ଅମ୍ଳ ପ୍ରଭାବକୁ ହ୍ରାସ କରି ଖାଦ୍ୟକୁ ଏକ ସମତୁଲ ସ୍ତରକୁ ଆଣେ, ଯାହା ହଜମ ହୋଇଯାଏ ସହଜରେ। ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ ମାଟିପାତ୍ରରେ ରୋଷେଇ ଖାଦ୍ୟ ନିୟମିତ ଖାଉଥିବା ବ୍ୟକ୍ତିକୁ ଆକ୍ରମଣ କରେନି ମଧୁମେହ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣା। ଏତଦ୍‌ଭିନ୍ନ ମାଟିପାତ୍ରରେ ନିୟମିତ ପାଣି ପିଇଲେ ହଜମ ଶକ୍ତି ବଢ଼ିବା ସହିତ ଅଧିକ କ୍ରିୟାଶୀଳ ହୁଏ ରୋଗ ପ୍ରତିରୋଧକ ଶକ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ରନ୍ଧନଠୁ ଆରମ୍ଭ କରି ମହାପ୍ରସାଦ ସେବନ ପର୍ଯ୍ୟନ୍ତ ସବୁକାମ ହୁଏ କେବଳ ମାଟିପାତ୍ରରେ। ଶ୍ରୀମନ୍ଦିର ସେବାରେ ଏହି ମାଟିପାତ୍ର ପାଇଁ ସୃଷ୍ଟି ହୋଇଛି ଏକ ସ୍ବତନ୍ତ୍ର ନିଯୋଗ ବା କୁମ୍ଭକାର ସେବା।
ଶ୍ରୀମନ୍ଦିର ଇତିହାସ କହେ, ରାଜା ତୃତୀୟ ଅନଙ୍ଗଦେବ (ତ୍ରୟୋଦଶ ଶତାବ୍ଦୀ)ଙ୍କ ସମୟରୁ ଶ୍ରୀଜୀଉଙ୍କ ପାଇଁ ମହାପ୍ରସାଦ ବା ଅନ୍ନଭୋଗ ମଣୋହି ବ୍ୟବସ୍ଥା (ତ୍ରୟୋଦଶ ଶତାବ୍ଦୀ) ପ୍ରଚଳନ ହେବା ପରଠାରୁ ବ୍ୟାପକ ହେଲା ମାଟିହାଣ୍ଡି, କୁଡୁଆ ଓ ତାଡ଼ ଇତ୍ୟାଦି। ଆବଶ୍ୟକତାକୁ ଅନୁଭବ କରି ଛତିଶା ନିଯୋଗରେ ସ୍ଥାନ ପାଇଲା କୁମ୍ଭକାର ସେବା। ଶ୍ରୀମନ୍ଦିରକୁ କେବଳ ନାଲି ରଙ୍ଗର ମୃଣ୍ମୟ ପାତ୍ର ଯାଏ ଏବଂ ତାହା ତିଆରି ହୁଏ ଏକ ବିଶେଷ ପଦ୍ଧତିରେ। ସମୟକ୍ରମେ ଛପନ ପଉଟି ଭୋଗର ପରିମାଣ ବୃଦ୍ଧି ପାଇବା ସହିତ ବଢ଼ି ଚାଲିଲା ମୃଣ୍ମୟ ପାତ୍ରର ଚାହିଦା। ଏତେ ପରିମାଣର ମାଟିପାତ୍ର ଯୋଗାଇବାକୁ ଅକ୍ଷମ ହେଲା କୁମ୍ଭକାର ନିଯୋଗ। ତେଣୁ ମନ୍ଦିର ପ୍ରଶାସନ ପକ୍ଷରୁ କୁମ୍ଭାରପଡ଼ା, ଟିକରପଡ଼ା ଓ ନୂଆସାହିସ୍ଥିତ କୁମ୍ଭାରମାନଙ୍କୁ ଚୁକ୍ତିବଦ୍ଧ କରାଗଲା ଅତିରିକ୍ତ ଭାବରେ।
ଖାଦ୍ୟ ଗବେଷକଙ୍କ ମତରେ, ମାଟିପାତ୍ରରେ ପ୍ରସ୍ତୁତ ଖାଦ୍ୟ ଶରୀରକୁ ଯୋଗାଇପାରେ ଆବଶ୍ୟକ ପରିମାଣର କ୍ୟାଲ୍‌ସିୟମ, ଫସ୍‌ଫରସ୍‌ ଓ ଲୌହସାର ଇତ୍ୟାଦି। ମାଟିପାତ୍ରର ଆଉ ଏକ ବିଶେଷତ୍ୱ ହେଉଛି ଏଥିରେ ପାକ ହୋଇ ରଖାଯାଇଥିବା ଖାଦ୍ୟ ଅନେକ ସମୟ ପର୍ଯ୍ୟନ୍ତ ସତେଜ ରହିପାରେ, ଯାହା ବହୁ ପରୀକ୍ଷିତ। ସମ୍ବାଦପତ୍ରରେ ପ୍ରକାଶିତ ଏକ ସୂଚନା ଅନୁଯାୟୀ, ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଏକଦା ଶ୍ରୀକ୍ଷେତ୍ର ଆସିଥିଲେ ସ୍ବଦେଶୀ ବିଜ୍ଞାନ ସଂଘର ସଦସ୍ୟ ରାଜୀବ ଦୀକ୍ଷିତ। ସେଠାରେ ମାଟି କୁଡ଼ୁଆରେ ମହାପ୍ରଭୁଙ୍କୁ ମହାପ୍ରସାଦ ଅର୍ପଣ ହେଉଥିବାର ଦେଖି ସେ ଚକିତ ହେଲେ ଏବଂ ତାଙ୍କ ଭିତରେ ସୃଷ୍ଟି ହେଲା ଏକ ପ୍ରଶ୍ନବାଚୀ। ଶ୍ରୀମନ୍ଦିର ଭଣ୍ଡାର ଘରେ ସୁନା ରୁପା ଭଳି ମୂଲ୍ୟବାନ୍‌ ଧାତୁ ନିର୍ମିତ ପାତ୍ରର ଅଭାବ ନଥିବା ସ୍ଥଳେ ମାଟି କୁଡ଼ୁଆର ବ୍ୟବହାର କାହିଁକି? ସେବାୟତଙ୍କ ସହ ଆଲୋଚନା କରି ସେ ଯାହା ଜାଣିଲେ ତା’ର ନିର୍ଯାସ ହେଉଛି- ମାଟି କୁଡ଼ୁଆ ଅନ୍ୟାନ୍ୟ ପାତ୍ରଠାରୁ ପବିତ୍ର ଏବଂ ସେହି କାରଣରୁ ମାଟି କୁଡ଼ୁଆରେ ରନ୍ଧନ କରି ମହାପ୍ରଭୁଙ୍କୁ ମହାପ୍ରସାଦ ଅର୍ପଣ କରିବା ଶ୍ରୀମନ୍ଦିର ବିଧି। ସେବାୟତଙ୍କ ଏଭଳି ମନଗଢ଼ା କଥାକୁ ଆଦୌ ଗ୍ରହଣ କରିପାରିଲାନି ରାଜୀବ ଦୀକ୍ଷିତଙ୍କ ଅନିସନ୍ଧିତ୍ସୁ ମନ। ତେଣୁ ଏହାର ରହସ୍ୟ ଭେଦିବା ପାଇଁ ସେ ଏକ ଡାଲି କୁଡ଼ୁଆ ଧରି ପହଞ୍ଚତ୍ଥିଲେ ଭୁବନେଶ୍ବର ଆଞ୍ଚଳିକ ବିଜ୍ଞାନ ଗବେଷଣା କେନ୍ଦ୍ରରେ। ମାତ୍ର ପରୀକ୍ଷା ପାଇଁ ସେଠାରେ ଉପଲବ୍ଧ ନଥିଲା ଆନୁଷଙ୍ଗିକ ସୁବିଧା। ଅଗତ୍ୟା ଡାଲି କୁଡ଼ୁଆଟି ଧରି ଫେରିଆସିଲେ ଦିଲ୍ଲୀ। ସେଠାକାର ବିଜ୍ଞାନ ଗବେଷଣା କେନ୍ଦ୍ରରେ ପହଞ୍ଚତ୍ବା ପାଇଁ ଲାଗିଗଲା ଛତିଶ ଘଣ୍ଟା ସମୟ। ସେତେବେଳକୁ ଡାଲି ସଂପୂର୍ଣ୍ଣ ଖରାପ ହୋଇ ଯାଇଥିବ ବୋଲି ଭାବି ନେଇଥିଲେ ଦୀକ୍ଷିତ ମହୋଦୟ। ମାତ୍ର ତାଙ୍କ ଭାବନା ଭୁଲ ପ୍ରମାଣିତ ହେଲା ବିଜ୍ଞାନାଗାରରେ ପରୀକ୍ଷା ପରେ। ଗବେଷଣାରୁ ଜଣାଗଲା ଡାଲିର ପୌଷ୍ଟିକ ତତ୍ତ୍ୱ ଆଦୌ ନଷ୍ଟ ହୋଇନାହିଁ ଏବଂ ସେଥିରେ ଭରପୂର ହୋଇ ରହିଛି ଅଠର ପ୍ରକାର ମାଇକ୍ରୋନ୍ୟୁଟ୍ରାଣ୍ଟ ବା ପୁଷ୍ଟିସାର। ଖାଦ୍ୟ ଗବେଷକଙ୍କ ମତରେ ଏହା ହିଁ ମାଟି କୁଡ଼ୁଆର ବିଶେଷତ୍ୱ। ୟୁରୋପୀୟ ଖାଦ୍ୟ ନିରାପତ୍ତା ପ୍ରାଧିକରଣ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାଯାଏ ଯେ, ଆଲୁମିନିୟମ ପାତ୍ରରେ ରୋଷେଇ ବେଳେ ପାଣି ଓ ଉତ୍ତାପ ଯୋଗୁ ହାଣ୍ଡିରେ ଏକ ରାସାୟନିକ ପ୍ରକ୍ରିୟା ସୃଷ୍ଟି ହୁଏ ଏବଂ ବାରମ୍ବାର ଖଡ଼ିକା ଘର୍ଷଣ ଦ୍ବାରା ସେଥିରୁ କ୍ଷୟ ହେବାକୁ ଲାଗେ କ୍ଷୁଦ୍ର କ୍ଷୁଦ୍ର ଆଲୁମିନିୟମ କଣିକା। ଖାଦ୍ୟ ସହ ତାହା ପେଟ ଭିତରକୁ ଯିବା ଫଳରେ ସୃଷ୍ଟି ହୁଏ ନାନା ପ୍ରକାର ରୋଗ। ଅତଏବ ସ୍ବାସ୍ଥ୍ୟ ପାଇଁ ଧାତୁ ନିର୍ମିତ ପାତ୍ରଠାରୁ ମାଟିପାତ୍ରର ଉପାଦେୟତା ଢେର୍‌ ବେଶି।
ହାଣ୍ଡିଶାଳରୁ ମାଟିହାଣ୍ଡି ହଜିଯିବା ସହିତ ଲୋକେ ଭୁଲିଗଲେଣି ମାଟିହାଣ୍ଡି ରୋଷେଇର ସ୍ବାଦ। ମାତ୍ର ଶ୍ରୀମନ୍ଦିର ସେବା ପୂଜାରେ କେବେ କମିନାହିଁ ମାଟି କୁଡ଼ୁଆର ଆଦର। ସମୟକ୍ରମେ ଜଗନ୍ନାଥ ଧର୍ମ ଦର୍ଶନରେ ଅନ୍ୟ ଅନେକ ଚିନ୍ତା ଚେତନା ଓ ଦର୍ଶନର ସମନ୍ବୟ ଘଟିଛି, ହେଲେ ସକଳ ବୈଚିତ୍ର ଓ ବିବିଧତାକୁ ଆତ୍ମସ୍ଥ କରି ଯୁଗ ଯୁଗ ଧରି ଅକ୍ଷୁଣ୍ଣ ରହିଛି ଜଗନ୍ନାଥ ସଂସ୍କୃତିର ମୌଳିକତା। ପାଶ୍ଚାତ୍ୟ ସଂସ୍କୃତି କବଳିତ କିଛି ତଥାକଥିତ ଶିକ୍ଷିତ ବ୍ୟକ୍ତି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ମୂଳ ତତ୍ତ୍ୱକୁ ପରୀକ୍ଷାନିରୀକ୍ଷା ନ କରି ମାଟି କୁଡ଼ୁଆରେ ମହାପ୍ରଭୁଙ୍କ ମହାପ୍ରସାଦ ମଣୋହିକୁ ଅବୈଜ୍ଞାନିକ, ଅହେତୁକ ଓ ଅନ୍ଧବିଶ୍ବାସ କହିପାରନ୍ତି, ମାତ୍ର ସେମାନେ ଜାଣିବା ଦରକାର ଏହା ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଯେତିକି ଉପାଦେୟ, ପର୍ଯ୍ୟାବରଣ ପାଇଁ ସେତିକି ଉପଯୋଗୀ। ବିଶେଷକରି ଆଜିର ପ୍ଲାଷ୍ଟିକ ପ୍ରଦୂଷଣ ଯୁଗରେ ମାଟି କୁଡ଼ୁଆରେ ମହାପ୍ରସାଦ ରନ୍ଧନର ପ୍ରାସଙ୍ଗିକତା ପ୍ରଶ୍ନାତୀତ।

– ଡ. ପ୍ରଫୁଲ୍ଲ କୁମାର ସାହୁ
ଅବସରପ୍ରାପ୍ତ ଅଧ୍ୟକ୍ଷ, ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri