କଲ୍ୟାଣସିଂହପୁର, ୧।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁନିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡମଳିମା ଗ୍ରାମରୁ ବନ ବିଭାଗ ପକ୍ଷରୁ ଏକ ଜୀବନ୍ତ ବଜ୍ରକାପ୍ତା (Pangolin)କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଡମଳିମା ଗ୍ରାମ ନିକଟସ୍ଥ ଜଙ୍ଗଲିଆ ଅଞ୍ଚଳରେ ଏକ ବଜ୍ରକାପ୍ତା ବୁଲୁଥିବା ସ୍ଥାନୀୟ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏ ନେଇ ସେମାନେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇବା କ୍ଷଣି ବନ ବିଭାଗର ଏକ ସ୍ୱେଚ୍ଛାସେବୀ ଟିମ୍ ବିଳମ୍ବ ନକରି ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ବଜ୍ରକାପ୍ତାଟିକୁ କୌଣସି ଆଘାତ ନପହଞ୍ଚାଇ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ଏହି ସଫଳ ଉଦ୍ଧାର ଅଭିଯାନରେ ଫରେଷ୍ଟର ବର୍କାରାଣୀ ପାତ୍ର, ଫରେଷ୍ଟ ଗାର୍ଡ ଅନୁଷ୍କା ପଣ୍ଡା, ପାରା ଫରେଷ୍ଟର ବିକ୍ରମ ନାଇଡୁଙ୍କ ସମେତ ବନ ବିଭାଗର ଅନ୍ୟ କର୍ମଚାରୀମାନେ ପ୍ରତ୍ୟକ୍ଷ ଭାବେ ସାମିଲ ଥିଲେ।
ଉଦ୍ଧାର ହୋଇଥିବା ବଜ୍ରକାପ୍ତାଟିର ପ୍ରାଥମିକ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାହାକୁ ନିକଟସ୍ଥ ଏକ ସୁରକ୍ଷିତ ଓ ଗଭୀର ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବନ ବିଭାଗୀୟ ସୂତ୍ରରୁ ପ୍ରକାଶ ପାଇଛି।

