ଭବାନୀପାଟଣା,୧୬ା୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି କ୍ଲିନ୍ସୁଇପ୍ କରିଛି। ଏଠାରେ ସଭାପତି, ସମ୍ପାଦକଙ୍କ ସମେତ ସମସ୍ତ ୬ଟି ପଦବୀରେ ବିସିଜେଡିର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସଭାପତି ଭାବେ ଯୁଗେନ୍ଦ୍ର ବଣିଆ, ଉପସଭାପତି ମନୀଶ କୁମାର କର, ସମ୍ପାଦକ କଳ୍ପନା ବିହାରୀ, ଯୁଗ୍ମ ସମ୍ପାଦକ ରୂପେଶ କୁମାର ନାଏକ, ଆଥେଲେଟିକ୍ ସମ୍ପାଦକ ବିବେକ ନାଏକ ଓ କଲ୍ଚୁରାଲ ସମ୍ପାଦକ ଭାବେ କ୍ରିଶ୍ ମହାରଣା ନିର୍ବାଚିତ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧର୍ମଗଡ଼ ବିଧାୟକ ତଥା ଜିଲା ପ୍ଲାନିଂ କମିଟିର ଅଧ୍ୟକ୍ଷ ସୁଧୀର ପଟ୍ଟଯୋଶୀଙ୍କ ନିଜ ହୋମ୍ ଟାଉନରେ ସମସ୍ତ ବିସିଜେଡିର ପ୍ରାର୍ଥୀ ବିଜୟୀ ହେବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏପରିକି ଜିଲାର ଜଣେ ମାତ୍ର ଭାଜପା ବିଧାୟକ ଥିବା ପାଟ୍ଟଯୋଶୀ ନିଜ ହୋମ୍ ଟାଉନ ତଥା ନିଜ ଘରଠାରୁ ମାତ୍ର କେଇ ମିଟର ଦୂରରେ ଥିବା କଲେଜରେ ମଧ୍ୟ ଜଣେ ମାତ୍ର ଏବିଭିପି ପ୍ରାଥୀଙ୍କୁ ବିଜୟ କରାଇ ନ ପାରିବା ଭାଜପା ସଙ୍ଗଠନର ଦୁର୍ବଳ ଚିତ୍ରକୁ ସାମ୍ନାକୁ ଆଣିଛି ବୋଲି ରାଜନୈତିକ ମହଲରେ ଜୋର୍ଦାର ଆଲୋଚନା ଚାଲିଛି।

