ସାହିତ୍ୟ ଓ ଯୋଗସାଧନା

ମଣୀନ୍ଦ୍ର କୁମାର ମେହେର

ସାହିତ୍ୟର ଆଭିମୁଖ୍ୟ କେବଳ ଚିତ୍ତବିନୋଦନ ବୋଲି ଯେଉଁମାନେ ମନେକରନ୍ତି ସେମାନେ ସାହିତ୍ୟ ସହିତ ଯୋଗସାଧନାର ସମ୍ପର୍କ କି ନିବିଡ଼ ତାହା ଉପଲବ୍ଧି କରିପାରିବେ ନାହିଁ। ବାସ୍ତବରେ ତୁଚ୍ଛା ଆମୋଦ ପ୍ରଦାନ କରିବା ସାହିତ୍ୟ ରଚନାର ମୁଖ୍ୟ ଲକ୍ଷ୍ୟ ହୋଇ ନ ପାରେ। ଯେଉଁ ସାହିତ୍ୟ ଆମ ଅନ୍ତଃସ୍ଥଳକୁ ତୀବ୍ର ଭାବରେ ଆଲୋଡ଼ିତ କରିବା ସଙ୍ଗେ ସଙ୍ଗେ ଜୀବନର ଲକ୍ଷ୍ୟପଥକୁ ପରିଚ୍ଛନ୍ନ ଭାବରେ ପ୍ରଦର୍ଶନ କରିଦେଇପାରେ ତାହା ହିଁ ହେଉଛି ପ୍ରେରଣା ଗର୍ଭିତ। ସାହିତ୍ୟ ହିଁ ପାଠକକୁ ପ୍ରଦାନ କରିପାରେ ନବଜନ୍ମର ଅନୁଭୂତି। ପ୍ରତିଟି ମୁହୂର୍ତ୍ତ ମଣିଷ ପାଇଁ କିପରି ସୃଜନଶୀଳ ସେଥିପ୍ରତି ସଚେତନ କରିଦିଏ ଯେଉଁ ସାହିତ୍ୟ ତାହା ହିଁ ଚିରନ୍ତନ ଜ୍ୟୋତିରେ ବିଭାସିତ।
ଅନେକେ ଏ କଥା ହୁଏ ତ ଭାବିପାରନ୍ତି ଯେ ତା’ବୋଲି ଯୋଗସାଧନା ସହିତ ସାହିତ୍ୟର ବା ସମ୍ପର୍କ କ’ଣ? ଯୋଗଯୁକ୍ତ ଜୀବନ ଯେଉଁ ମହତ୍ତର ସତ୍ୟ ଅନୁଭବ କରିପାରେ ଯୋଗବିଯୁକ୍ତ ଚଞ୍ଚଳ ଓ ଅସ୍ଥିର ଅଶାନ୍ତ ମନ ସେହି ସତ୍ୟର ଶିବ ଓ ସୁନ୍ଦରର ନିକଟବର୍ତ୍ତୀ ହେବା ସମ୍ଭବପର ନୁହେଁ। ଉଚ୍ଚମାନର ସାହିତ୍ୟ ସୃଜନ ପାଇଁ ଜଣକୁ ଯେ ସଂସାର ତ୍ୟାଗୀ ଯୋଗୀ ବା ସନ୍ନ୍ୟାସୀ ହେବାକୁ ପଡ଼ିବ ତାହା ଆଦୌ ନୁହେଁ। ଏହି ଯୋଗସାଧନା ବଣ ଜଙ୍ଗଲ ମଧ୍ୟରେ ବା ପାର୍ବତ୍ୟ ଗୁମ୍ଫା ଭିତରେ ଯେ ସୀମାବଦ୍ଧ ତାହା ନୁହେଁ ଯିଏ ଉନ୍ନତମାନର ହୃଦୟଗ୍ରାହୀ ଚିତ୍ର ଅଙ୍କନ କରିପାରେ ନିଜ ସୃଷ୍ଟିସମ୍ଭାର ମଧ୍ୟରେ ସେ ସଚେତନ ଭାବରେ ଯୋଗସାଧନା କରିବାର ମଧ୍ୟ କୌଣସି ଆବଶ୍ୟକତା ନ ଥାଏ। ଯାହାକୁ ଆମେ ପ୍ରକୃତ ଯୋଗ ନାମରେ ଅଭିହିତ କରିବା ସେଇ ଯୋଗ ସଚେତନ ପ୍ରଚେଷ୍ଟା ଦ୍ୱାରା କେବଳ କରାଯାଏ ନାହିଁ; ତାହା ସ୍ବତଃସ୍ଫୂର୍ତ୍ତ ଭାବରେ ସ୍ରଷ୍ଟାର ଅନ୍ତରାତ୍ମା ମଧ୍ୟରେ ଅନୁଷ୍ଠିତ ହେଉଥାଏ ଏପରିକି ତା’ର ଅଜାଣତରେ। ସେଥିପାଇଁ ଯେଉଁମାନେ ନିଃସ୍ବାର୍ଥପର, ନିରହଙ୍କାର ଓ ନିବିଡ଼ ସମ୍ବେଦନଶୀଳତାରେ ସୁକୋମଳ ଏକ ଜୀବନ ନିର୍ବାହ କରନ୍ତି, ସେମାନଙ୍କ କ୍ଷେତ୍ରରେ ଏହି ଯୋଗାଭ୍ୟାସ ହେଉଥାଏ ସ୍ବତଃସ୍ଫୂର୍ତ୍ତ ଭାବରେ। ମେରୁଦଣ୍ଡକୁ ସିଧାକରି ବସିବା ଦ୍ୱାରା କିମ୍ବା ନିଃଶ୍ୱାସ ପ୍ରଶ୍ୱାସ ନିୟନ୍ତ୍ରଣ ଦ୍ୱାରା ଯୋଗସାଧନା ହୋଇଯାଏ ନାହିଁ। ସବୁଠୁ ଶ୍ରେଷ୍ଠ ଯୋଗ ହେଉଛି ‘ସହଯୋଗ’। ଆମ ତନ୍ତ୍ରବିଦ୍ୟାରେ କେତେ ନା କେତେ ପ୍ରକାରର ସାଧନା ପଦ୍ଧତି ଉଲ୍ଲିଖିତ ହୋଇ ରହିଛି। ସେସବୁ ଗୂଢ଼ବିଦ୍ୟା ଆୟତ୍ତ କରିପାରିଲେ ହିଁ ଯେ ଜଣେ ଯୋଗୀ ହୋଇଯାଏ ତାହା ନୁହେଁ। ତନ୍ତ୍ର, ମନ୍ତ୍ର, ଶାରୀରିକ କଷ୍ଟବରଣ ମାଧ୍ୟମରେ ସାଧୁତା ଆଉ ସହାନୁଭୂତି ଅର୍ଜନ କରିବା କ’ଣ କେବେ ହେଲେ ସମ୍ଭବ?
ଏହିସବୁ କାରଣରୁ ଆମେ ଗଭୀର ଭାବରେ ଏକ ନିଗୂଢ଼ତର ସତ୍ୟର ନିକଟବର୍ତ୍ତୀ ହୋଇପାରିବା। ଯୋଗସାଧନା କବି ବା ଲେଖକ କରେ ନାହିଁ। ସାଧନାର ଉତ୍ତରଣ ଘଟୁଥାଏ ଅନ୍ତରାତ୍ମା ମଧ୍ୟରେ ଅତିସୂକ୍ଷ୍ମ ରହସ୍ୟନେଇ। ଯୋଗସାଧନା ତେଣୁ ଅନ୍ତରାତ୍ମାର ହେଉଛି କାର୍ଯ୍ୟ। ଜଣେ ଯେତେ ନିବେଦିତ, ସମର୍ପିତ ଓ ଉତ୍ସର୍ଗୀକୃତ ଚେତନା ନେଇ ଲେଖିପାରେ କାବ୍ୟ, କବିତା, ଗଳ୍ପ, ଉପନ୍ୟାସ, ତାହାର ହୃଦୟ ସେତିକି ବିଶାଳ; ସମ୍ପ୍ରସାରିତ ଓ ପରିଶୁଦ୍ଧ ହୋଇ ଚାଲିଥାଏ ଅବିରତ। ଅନ୍ତରାତ୍ମାର ସଚ୍ଚୋଟପଣିଆ ହେଲା ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ସାହିତ୍ୟରେ ସହାନୁଭୂତିର ବାଣୀ ଉଚ୍ଚାରଣ କରୁଥିବା ଲେଖକ ଯଦି ନିଜ ଭିତରେ ଥାଏ ନିର୍ମମ ଓ ନୈତିକତା ବିହୀନ ତା’ହେଲେ ତା’ର ସାହିତ୍ୟ କଦାପି କାହାକୁ ମହନୀୟ ଚିନ୍ତନରେ ଉଦ୍‌ବୁଦ୍ଧ କରିପାରେନା। ମହର୍ଷି ବାଲ୍ମୀକି, ବ୍ୟାସଦେବ ଏମାନେ ସର୍ବପ୍ରଥମେ ହେଉଛନ୍ତି ମହାଯୋଗୀ ଓ ତା’ପରେ ମହାକବି। ସମଗ୍ର ସଂସାରର ମଙ୍ଗଳାକାଂକ୍ଷାରେ ଦ୍ରବୀଭୂତ ଥିଲା ସେମାନଙ୍କ ଆତ୍ମାନୁଭୂତି। ସେହି କାରଣରୁ ରାମାୟଣ ଓ ମହାଭାରତ ଯେଉଁ ଉଚ୍ଚତମ ଆଦର୍ଶର ପ୍ରତିଷ୍ଠା କରିପାରିଛନ୍ତି ତାହା ପୃଥିବୀ ଇତିହାସରେ ବିରଳ।
ଆଧୁନିକ ଯୁଗରେ ଆମେ ଲକ୍ଷ୍ୟ କରିପାରିବା ସ୍ବାମୀ ବିବେକାନନ୍ଦ ବା ଶ୍ରୀଅରବିନ୍ଦଙ୍କ ଜୀବନଧାରାକୁ। ବିବେକାନନ୍ଦଙ୍କ ରଚନାବଳୀ ପାଠ କରୁଥିବା ବ୍ୟକ୍ତି ହିଁ ଜାଣନ୍ତି ସେ ଶବ୍ଦ ସମ୍ଭାର ଅବତରଣ କରୁଛି ଯେଉଁ ଭାବଭୂମିରୁ ତାହାର ଦ୍ୟୁତି ଅଲୌକିକ ନିଶ୍ଚୟ। ଚିକାଗୋର ଧର୍ମ ମହାସଭାରେ ବିବେକାନନ୍ଦ ତାଙ୍କ ବକ୍ତବ୍ୟ ଉପସ୍ଥାପନ କରିବା ପୂର୍ବରୁ ଯେଉଁ ଆନ୍ତରିକତାଭରା କଣ୍ଠ ସ୍ବରରେ ସମ୍ବୋଧନ କରିଥିଲେ ସମସ୍ତଙ୍କୁ ତାହା ହିଁ ସଭାକକ୍ଷ ମଧ୍ୟରେ ସୃଷ୍ଟି କରିଥିଲା ଏକ ଶାଶ୍ୱତ ତରଙ୍ଗ। ଯାହାକିଛି ବିବେକାନନ୍ଦ ରଚନା କରିଯାଇଛନ୍ତି ତା’ ମଧ୍ୟରେ ସନ୍ନିହିତ ହୋଇରହିଛି ମଣିଷ ହୃଦୟକୁ ଚନ୍ଦ୍ରାଲୋକିତ କରିଦେବାର ସ୍ନିଗ୍ଧତା ଓ ଶୀତଳତା।
ଶ୍ରୀଅରବିନ୍ଦଙ୍କ ଅତିମାନସ ଯୋଗ ସହିତ ନିଜକୁ ସଂଯୁକ୍ତ କରିରଖିଥିବା ଶ୍ରୀମାଙ୍କ ରଚନାବଳୀରେ ଆମେ ଶୁଣିପାରିବା ସେହି ମହାନ ମନ୍ତ୍ରଧ୍ୱନି, ଯାହା ପରିପୂର୍ଣ୍ଣ ହୋଇରହିଛି ଅନାବିଳ ସ୍ନେହଶୀଳତା ନେଇ। ଶ୍ରୀଅରବିନ୍ଦ କୌଣସି ଏକ ପତ୍ରରେ ଲେଖିଛନ୍ତି ଯେ ସଚେତନ ଭାବରେ ଯୋଗସାଧନା କରିବା ଦ୍ୱାରା ତାଙ୍କ କବିତାର ଆବିର୍ଭାବ ହୋଇଉଠିଛି କିପରି ସ୍ବତଃସ୍ଫୂର୍ତ୍ତ। ଯେଉଁମାନେ ଅତ୍ୟନ୍ତ ଗଳଦ୍‌ଘର୍ମ ହୋଇ ଶ୍ରମସ୍ବୀକାର କରି କବି ହେବା ପାଇଁ ଛାଟିପିଟି ହୁଅନ୍ତି ସେମାନେ ଏହି ସ୍ବତଃସ୍ଫୂର୍ତ୍ତ ଭାବାବେଗର ପ୍ରକାଶମାଧୁର୍ଯ୍ୟକୁ ଅନୁଭବ କରିପାରିବେ ନାହିଁ। ସାହିତ୍ୟ ଯଦି ହୁଏ ମଣିଷ ନିମିତ୍ତ ଜୀବନ ବଞ୍ଚିବାର ଏକ ଶ୍ରେଷ୍ଠ ପ୍ରେରଣା ତା’ହେଲେ ଯିଏ ସାହିତ୍ୟ ଶିଳ୍ପୀ ସିଏ କିପରି ରହିପାରିବ ଅନୁଦାର ଓ ଅଶାନ୍ତ ହୋଇ? ସାହିତ୍ୟ ଓ ଯୋଗସାଧନା ପରସ୍ପର ସହିତ ନିବିଡ଼ ଭାବରେ ସମ୍ପର୍କାନ୍ବିତ ବୋଲି କହିବା ଦ୍ୱାରା ଛଦ୍ମତା ଓ ଛଳନାକୁ ଏଠାରେ ଅସ୍ବୀକାର କରାଯାଉଛି। ଯାହା କିଛି ସତ୍ୟ, ଶିବ ଓ ସୁନ୍ଦରର ଆବାହନ କରେ ସେହି ଚେତନା ହିଁ ହେଉଛି ବାସ୍ତବରେ ଯୋଗସିଦ୍ଧ ସ୍ରଷ୍ଟାର ସଂକେତ। ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ଗଙ୍ଗାଧର ମେହେର, ମନୋଜ ଦାସ ଓ ରାମଚନ୍ଦ୍ର ବେହେରାଙ୍କ ପରି ସାହିତ୍ୟ ଶିଳ୍ପୀମାନେ କିପରି ସମ୍ମୁନିତ ଚେତନାର ଅଧିକାରୀ ଥିଲେ ତାହା ସମସ୍ତେ ଜାଣନ୍ତି।
ସାହିତ୍ୟ ଶିଳ୍ପୀ ବୈରାଗୀ ନୁହେଁ, ସେ ହେଉଛି ବାସ୍ତବରେ ଜୀବନାନୁରାଗୀ। ଜୀବନ ପ୍ରତି ବିତୃଷ୍ଣ ବା ବୀତସ୍ପୃହ କୌଣସି ମଣିଷ ସତ୍‌ସାହିତ୍ୟ ସର୍ଜନାରେ ସକ୍ଷମ ହୋଇପାରିବ ନାହିଁ। ନିଜସ୍ବ ବ୍ୟକ୍ତିଗତ ଦୁଃଖ ସକାଶେ ଯିଏ ଅଭିଶାପ ବର୍ଷଣ କରେ ସେ ଦିବ୍ୟ ଆଶିଷର ପ୍ରତିଭୂ ହୋଇପାରିବ କିପରି? ଅନେକ ବ୍ୟକ୍ତି ଅନ୍ୟମାନଙ୍କର ଅମଙ୍ଗଳ ସକାଶେ ଆମର ନିଃଶ୍ୱାସ ପଡୁ ବୋଲି କହନ୍ତି ସେପରି ପ୍ରଖରତର ଅକଲ୍ୟାଣରେ ନିଃଶ୍ୱାସ ତ୍ୟାଗ କରୁଥିବା ହୃଦୟ କେବେହେଲେ ନିଷ୍ପାପ ହୋଇପାରେନା। ଡ. ମାୟାଧର ମାନସିଂହ ତାଙ୍କ ଆତ୍ମଜୀବନୀ ‘ଶିକ୍ଷାବିତ୍‌ର ଗାଥା’ରେ ନିଜ ଜୀବନାଭୂତି ବର୍ଣ୍ଣନା କରି କହିଛନ୍ତି ଯେ, ସବୁ ଯନ୍ତ୍ରଣା ସତ୍ତ୍ୱେ ସେ ସମସ୍ତଙ୍କ ପ୍ରତି କ୍ଷମାଶୀଳ ହୋଇ ସହ୍ୟ କରିନେବେ ବିରୂପ ବ୍ୟବହାର। ମହାତ୍ମା ଗାନ୍ଧୀଙ୍କ ଦର୍ଶନ ଆଉ କ’ଣ କି? ଯେତେବେଳେ ତାଙ୍କୁ ଅନୁରୋଧ କରାଗଲା ଏକ ବାର୍ତ୍ତା ପ୍ରଦାନ କରିବା ପାଇଁ ସେତେବେଳେ ସେ ଶିଶୁସୁଲଭ ହସ ଓଠରେ ଖେଳାଇ ଉତ୍ତର ଦେଇଥିଲେ ଯେ, ମୋ ଜୀବନ ହିଁ ହେଉଛି ମୋ ବାର୍ତ୍ତା। ସେ ମଧ୍ୟ ଉଚ୍ଚତର ଚେତନାର କବି ବୋଲି ସେମାନଙ୍କୁ ଚିହ୍ନଟ କରିଛନ୍ତି, ଯେଉଁମାନେ ମଣିଷ ଭିତରେ ଥିବା ସକଳ ସଦ୍‌ଗୁଣାବଳୀକୁ ଉଜ୍ଜୀବିତ କରିଦେଇପାରନ୍ତି। ସମଗ୍ର ପୃଥିବୀରେ ଆମେ ଦେଖୁ ଯେଉଁ ଅକଳ୍ପନୀୟ ସାହିତ୍ୟର ଭଣ୍ଡାର- ସେସବୁ ପୁସ୍ତକ ଯେ ପଠନଯୋଗ୍ୟ ଓ ପ୍ରେରଣାଦାୟକ ଏହା କେବେହେଲେ କୁହାଯାଇପାରିବ ନାହିଁ। ଜୀବନର ଅର୍ଥହୀନତା, ଶୂନ୍ୟତା ଓ ଅସାରତା ଯେଉଁଠି ଚିତ୍ରିତ ତାହା କାହିଁକି ରଚିତ ବୋଲି ଆମ ମନରେ ଏକ ପ୍ରଶ୍ନ ଉଠିବା ଅସ୍ବାଭାବିକ ନୁହେଁ। ଜୀବନ ଯଦି ଶୂନ୍ୟଗର୍ଭ ତାକୁ ପୂର୍ଣ୍ଣ କରିବା ପାଇଁ ସାହିତ୍ୟର ହୁଏ ସୃଜନ। ଜୀବନ ଯଦି ଅସାର, ତା’ହେଲେ ତାହାକୁ ସାରଗର୍ଭକ କରିବା ପାଇଁ ସୃଷ୍ଟି ହୁଏ ସାହିତ୍ୟ ଶିଳ୍ପ। ଜୀବନ ଯଦିି ଏକ ଅଭିଶାପ ତାହାକୁ ଆଶୀର୍ବାଦରେ ରୂପାନ୍ତରିତ କରିବାର ଶକ୍ତି ଓ ଅନୁରକ୍ତି ସୃଷ୍ଟି କରେ ଯେଉଁ ସାହିତ୍ୟ ତାହା ହିଁ ଆମର ଏକାନ୍ତକାମ୍ୟ ଓ ଗ୍ରହଣୀୟ।
ପୁସ୍ତକ ପାଠ କରିବା ପୂର୍ବର ମଣିଷ ଓ ପରର ମଣିଷ ଯଦି ସମାନ ତା’ହେଲେ ସେ ସାହିତ୍ୟ ପ୍ରଭାବହୀନ। ସାହିତ୍ୟ ପୁସ୍ତକଟିଏ ପାଠ କରିସାରିବା ପରେ ଯେତେବେଳେ ମଣିଷ ବଦଳି ଯାଇପାରେ ସେତେବେଳେ ହିଁ ତାହା ଜ୍ୟୋତିସ୍ନାତ ଓ ଯୁଗାନ୍ତର ଆଣିବାରେ ସମର୍ଥ ବୋଲି କୁହାଯାଇପାରେ। ଏସବୁ ସମ୍ଭବ ହୁଏ ଯେଉଁ ଅନ୍ତର୍ଗତ ଯୋଗସାଧନା ଦ୍ୱାରା ତାହା ଅଦୃଶ୍ୟ ଓ ସୂକ୍ଷ୍ମ ଜଗତର ବ୍ୟାପାର। ସାହିତ୍ୟ ଓ ଯୋଗସାଧନାର ମଣିକାଞ୍ଚନ ସଂଯୋଗ ଯେତେବେଳେ ଘଟେ ସେତେବେଳେ ହିଁ ସେଥିରୁ ସୃଷ୍ଟି ହୁଏ ଜୀବନାମୃତ। ଏହି ଅମୃତ ଆସ୍ବାଦନ କରିବାର ସୁଯୋଗ ପ୍ରାପ୍ତ ହୁଏ ଯେଉଁମାନଙ୍କୁ ସେମାନେ ନିଶ୍ଚୟ ଯେ ଧନ୍ୟ ଓ ମହାପୁଣ୍ୟର ନିକଟବର୍ତ୍ତୀ ଏଥିରେ ସନ୍ଦେହର ଅବକାଶ ଅନୁପସ୍ଥିତ।
ପ୍ରଫେସର ଓ ବିଭାଗ ମୁଖ୍ୟ
ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗ
ଫକୀରମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

ମୋ ଭାରତ ବଦଳୁଛି

ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri