ଆସ ଆନ୍ଦୋଳନ କରିବା

ଶ୍ୱେତପଦ୍ମାସିନୀ ମହାନ୍ତି

ଏବେ ଯେଉଁଠି ଦେଖ, ସେଠି ଆନ୍ଦୋଳନ। କେତେ ସମସ୍ୟା, କେତେ ଦାବି, ନ୍ୟାୟ ପାଇଁ, ଚାକିରି ପାଇଁ, ବେକାରି ପାଇଁ, ଚାଷ ପାଇଁ, ବାସ ପାଇଁ, ରୋଗ ପାଇଁ, ରୋଗୀ ପାଇଁ, ରାସ୍ତା ପାଇଁ, ବନ୍ୟା ପାଇଁ, ବାତ୍ୟା ପାଇଁ, ଏମିତି କେତେ ଯେ ସମସ୍ୟା ଆମ ମୁଣ୍ଡକୁ ଗ୍ରାସେ, ଆଉ ତା’ର ସମାଧାନ ଏବଂ ସାହାଯ୍ୟ ପାଇଁ ଆମେ କରିବସୁ ଆନ୍ଦୋଳନ- ରାସ୍ତାରୋକୋ, ସହର ବନ୍ଦ, ଚକା ଜାମ ଇତ୍ୟାଦି ଇତ୍ୟାଦି। ସଫଳତା ମିଳେ ଖୁବ୍‌ କମ୍‌, କିନ୍ତୁ ଖୋଳତାଡ଼ ହୁଏ ବହୁତ ବେଶି। ଏହି ସମସ୍ୟାରେ ଲୁଣ, ଲଙ୍କା ମିଶାଇ ଆହୁରି ତିର୍ଯ୍ୟକ କରି ଜନମାନସରେ ପରଷି ଦିଅନ୍ତି ଗଣମାଧ୍ୟମଗୁଡ଼ିକ। ୟାକୁ ଜାତି, ବର୍ଣ୍ଣ, ଧର୍ମ ତଥା ଦଳୀୟ ଘୃଣା, ତିତିକ୍ଷାରେ ଭରି ରାଜନୀତି କରୁଥିବା ବିଭିନ୍ନ ଦଳଗୁଡ଼ିକ ସାଧାରଣ ଜନତାର ବୁଦ୍ଧି, ବିବେକକୁ ପେଷିଦିଅନ୍ତି। ଏସବୁ ବଡ଼ ଗହନ କଥା। ଆମ ପରି ମଣିଷ ଏହାର ମଞ୍ଜକୁ ଜାଣିପାରିବା ନାହିଁ।
ବର୍ତ୍ତମାନ ଆମ ଓଡ଼ିଶାବାସୀଙ୍କ ପ୍ରକୃତ ଆନ୍ତରିକ ଦାବି ଉପରେ କିଛି ଆଲୋଚନା କରିବା। କଳିଙ୍ଗପୁତ୍ର ‘ବିଜୁବାବୁ’ଙ୍କୁ ଏଯାଏ ‘ଭାରତରତ୍ନ’ ଉପାଧି ଦିଆଗଲା ନାହିଁ। କିନ୍ତୁ ଦିଆଯିବା କଥା। ବାରମ୍ବାର ଏ ପ୍ରସଙ୍ଗ ଜନମାନସରୁ ଉଠି ସରକାରୀ, ବେସରକାରୀ ସ୍ତର ମାଧ୍ୟମରେ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଛି। ବର୍ଷ ପରେ ବର୍ଷ ବିତିଛି। ବିଜୁବାବୁଙ୍କ ଗରିମାମୟ ପୁରୁଷାର୍ଥ, କାର୍ଯ୍ୟଧାରା, ସେବା, ନିର୍ଭୀକତା, ଓଡ଼ିଶାର ବିକାଶ ପାଇଁ ଅଦ୍ୱିତୀୟ ଉଦ୍ୟମ, ଦେଶପ୍ରୀତି ଏବଂ ରାଷ୍ଟ୍ରନୀତିଜ୍ଞ ଅଭିଜ୍ଞତା ତଥା ବିରଳ ସଫଳତା ଯେ ବିଶ୍ୱବିଦିତ ଏଥିରେ ସନ୍ଦେହ ନାହିଁ। ହେଲେ ତାଙ୍କୁ ‘ଭାରତରତ୍ନ’ ଉପାଧି ଦେବାକୁ କେନ୍ଦ୍ରର ଏତେ ଦ୍ୱନ୍ଦ୍ୱ, ଏତେ ପଛଘୁଞ୍ଚାର କାରଣ କ’ଣ?
ଦ୍ୱିତୀୟ କଥା ହେଲା, ହୀରାକୁଦ ଡ୍ୟାମ୍‌ ନେହେରୁଙ୍କ ଅମଳରେ ଓଡ଼ିଶାରେ ହୋଇଥିଲା। ତା’ପରେ ସେହିଭଳି ଆଉ ଗୋଟାଏ ଡ୍ୟାମ୍‌ର ବର୍ତ୍ତମାନ ଯେ କେତେ ଆବଶ୍ୟକତା ରହିଛି, ତାହା ଉଭୟ ସରକାର ଜାଣନ୍ତି। ଜଳସେଚନ, କୃଷିର ଉନ୍ନତି, ବିଦ୍ୟୁତ୍‌ ଉତ୍ପାଦନ, ପ୍ରାକୃତିକ ବନ୍ୟା କବଳରୁ ଧନ, ଜୀବନ ରକ୍ଷା ସହ ବେରୋଜଗାରି ଦୂର କରିବା ପାଇଁ ଆଉ ଗୋଟିଏ ସେହିଭଳି ବିଶାଳ ଡ୍ୟାମ୍‌ ଓଡ଼ିଶା ଆବଶ୍ୟକ କରୁନାହିଁ କି?
ତୃତୀୟରେ, ମାର୍ଚ୍ଚ ୨୦୨୧ରେ ‘ଧରିତ୍ରୀ’ରେ ପ୍ରକାଶିତ ଅନିଲ କୁମାର ବିଶ୍ୱାଳଙ୍କ ଲିଖିତ ‘କୋଣାର୍କର ପୁନଃ ନିର୍ମାଣ’ ପ୍ରସଙ୍ଗ ପଢ଼ିଲେ ଯେ କୌଣସି ଓଡ଼ିଆ ନିଶ୍ଚୟ ଭାବିବାକୁ ବାଧ୍ୟ ହୋଇଯିବ ଯେ, ଆମର କଳା, ଭାସ୍କର୍ଯ୍ୟର ନୈପୁଣ୍ୟକୁ ବିଶ୍ୱବିଦିତ କରିବା, ଐତିହ୍ୟ, ପର୍ଯ୍ୟଟନର ବିକାଶ ପାଇଁ ଯୋଜନା କରି ପ୍ରଦେଶର ଆର୍ଥିକ ମାନଦଣ୍ଡ ବଢ଼ାଇବା ଏବଂ ସେଥିପାଇଁ ‘କୋଣାର୍କ’ ପରି ଅତି ଆଶ୍ଚର୍ଯ୍ୟ, ଅଦ୍ୱିତୀୟ ମନ୍ଦିରର ପୁନଃ ନିର୍ମାଣ ହେବା ବାଞ୍ଛନୀୟ- ନୁହେଁ କି? ଅନ୍ୟ ରାଜ୍ୟଗୁଡ଼ିକ ଯଦି କରିପାରିଲେଣି, ଆମେ ତେବେ ନ କରିବା କିଆଁ? ଏହା ଆମ ପାଇଁ ବର୍ତ୍ତମାନ ଏକ ଆହ୍ବାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଖାଲିଗୁଡ଼ାଏ କୋଠାବାଡ଼ି, ମଲ୍‌, ପାର୍କରେ ରାଜ୍ୟ ଭରିଗଲାଣି, ଆଉ କ୍ଷୟ ହେବାକୁ ବସିଲାଣି ଦୁର୍ଲଭ ଐତିହ୍ୟ କୀର୍ତ୍ତି।
ଏଣୁ ଆସନ୍ତୁ ଶସ୍ତା କଥାରେ ନ ମାତି ଆମେ ସାଢ଼େ ଚାରିକୋଟି ଓଡ଼ିଶାବାସୀ ଆମ ସଂସ୍କୃତିର ସଂରକ୍ଷଣ ଆଉ ପ୍ରସାରଣ ପାଇଁ ଉଦ୍ୟମ କରିବା। ଏହାକୁ ପ୍ରସଙ୍ଗ କରି ସଫଳ ହେବା ଦିଗରେ ତନ, ମନ, ଧନ ଦେଇ ଲାଗି ପଡ଼ିବା। ଖାଲି ଏଣୁତେଣୁ ପ୍ରସଙ୍ଗରେ ଡେଇଁପଡ଼ି ଦେଶର, ଜାତିର, ମାନବ ସମାଜର ଗୁଡ଼ାଏ କ୍ଷୟକ୍ଷତି ଘଟାଇ ଆନ୍ଦୋଳନ କଲେ କି ଲାଭ! ଏପଟେ ଆନ୍ଦୋଳନ କରି ଆମେ ମାଡ଼ ଖାଇ ଅଖିଆ ଅପିଆ ପଡ଼ିଥିବା, ସେପଟେ ‘ମାରି ନେଇଥିବେ ମହାପାତ୍ରେ’।
ଆମ ମୁଣ୍ଡ ଯେଉଁ ନୁଖୁରାକୁ ସେଇ ନୁଖୁରା। ଆମେ ଯେ ନ୍ୟସ୍ତ ସ୍ବାର୍ଥପର ଗୋଷ୍ଠୀଙ୍କ ଦ୍ୱାରା ବ୍ୟବହୃତ ହେଉଛେ, ତାହା ଆମର ହୃଦୟଙ୍ଗମ ହେଲେ ପରିବର୍ତ୍ତନ ସମ୍ଭବ ହେବ। ଆମର ହକ୍‌ ଦାବି ହାସଲ ପାଇଁ ଆନ୍ଦୋଳନର ନେତୃତ୍ୱ ନେବାକୁ, ସଂଶ୍ଳିଷ୍ଟ ହେବାକୁ ଦେଶପ୍ରେମୀ ନେତା ଓ ଜନତାର ଅଭାବ ମୋଟେ ନାହିଁ। ଖାଲି ଦରକାର ଉତ୍ସାହ, ପ୍ରେରଣା, ଦୃଢ଼ ମନୋବଳ।
ଓଡ଼ିଶାର ବୁଦ୍ଧିଜୀବୀମାନେ ଜାଗ୍ରତ ହେଲେ, ଧନପତିମାନେ ପୃଷ୍ଠପୋଷକତା କଲେ, ଜନତା ସଚେତନ ହେଲେ, ଏ ଆନ୍ଦୋଳନ ନିଶ୍ଚୟ ସଫଳ ହେବ। ଲକ୍ଷ୍ୟ ପୂରଣ ହେବ। ବିଜୁବାବୁ ‘ଭାରତରତ୍ନ’ରେ ବିଭୂଷିତ ହେବେ। ଦ୍ୱିତୀୟ ହୀରାକୁଦ ଡ୍ୟାମ୍‌ ପ୍ରତିଷ୍ଠା ହେବ ଏବଂ ସେଇ ଆଶ୍ଚର୍ଯ୍ୟମୟ କଳା ନୈପୁଣ୍ୟକୁ ନେଇ ପୁନଃ ‘କୋଣାର୍କ’ଟିଏ ନିର୍ମାଣ ହୋଇପାରିବ। ଓଡ଼ିଆ କ’ଣ କରିପାରେ, ତାହା ବିଶ୍ୱ ଦେଖିବ। ଏହା ଆମର ସ୍ବାଭିମାନର କଥା।
ମୋ: ୯୪୩୯୬୧୮୬୨୫


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri