କ୍ଷେତକୁ ଖାଇଲା ବାଡ଼

ହରିଶଙ୍କର ମିଶ୍ର

ଦୁର୍ନୀତିରେ ଲିପ୍ତ ସରକାରୀ ଅଧିକାରୀ ରାଜ୍ୟ ପ୍ରଗତିର ବାଧକ। ମାତ୍ର କ୍ଷେତକୁ ଖାଉଥିବା ବାଡ଼ ପରି ସରକାରୀ ଅର୍ଥର ବାଟମାରଣା ବା ଦୁରୁପଯୋଗ ଭିନ୍ନ ଭାବରେ ପରିଚାଳନା କରି ଯେଉଁ ଅଧିକାରୀମାନେ ସରକାରଙ୍କୁ କୁହେଳିକା ମଧ୍ୟରେ ରଖିପାରନ୍ତି ସେମାନେ ରାଜ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ସେପରି ଉଚ୍ଚ ପଦବୀର ଅଧିକାରୀ ପଦପ୍ରଯୁକ୍ତ କ୍ଷମତାରେ କିଛି ବ୍ୟକ୍ତି ବା ଗୋଷ୍ଠୀଙ୍କ ସ୍ବାର୍ଥ ପାଇଁ ସରକାରୀ ଅର୍ଥ ଓ ଆଭିମୁଖ୍ୟକୁ ଜଳାଞ୍ଜଳି ଦେଇପାରନ୍ତି ତାହା ଅବିଶ୍ବସନୀୟ ହେଲେ ବି ସତ୍ୟ। ରାଜ୍ୟର ଲୋକାଲ ଫଣ୍ଡ ଅଡିଟ ବ୍ୟବସ୍ଥା ତା’ର ଅନ୍ୟତମ ଶ୍ରେଷ୍ଠ ନମୁନା। ଦେଶ ସ୍ବାଧୀନ ହେବା ପରେ ରାଜ୍ୟର ଦେବୋତ୍ତର, ମ୍ୟୁନିସିପାଲିଟି, ବିଶ୍ବବିଦ୍ୟାଳୟ, ବିବିଧ ବୋର୍ଡର ଅଡିଟ ପାଇଁ ଓଡ଼ିଶା ଲୋକାଲ ଫଣ୍ଡ ଅଡିଟ ନିୟମ ୧୯୪୮ ପ୍ରଣୟନ ହୋଇ ୧୯୫୨ ମସିହାରୁ କାର୍ଯ୍ୟକାରୀ ହୋଇଥିଲା। ସମୟକ୍ରମେ ରାଜ୍ୟର ବ୍ଲକ ଓ ୧୯୭୮ ମସିହାରୁ ସମସ୍ତ ସାହାଯ୍ୟ ପ୍ରାପ୍ତ ଶିକ୍ଷାନୁଷ୍ଠାନ ଏହା ଅଧୀନକୁ ଆସିବାରୁ ରାଜ୍ୟର ପ୍ରତ୍ୟେକ ଜିଲାରେ ଅଡିଟ ଅଫିସ ଖୋଲାଗଲା। ଓଡ଼ିଶା ଅଧସ୍ତନ ଅର୍ଥ ସେବା ପଦବୀ ଭୁକ୍ତ ଏଇ ସଂସ୍ଥାର ଅଡିଟରମାନେ ରାଜ୍ୟ ଅର୍ଥ ବିଭାଗ ଅଧୀନରେ କାର୍ଯ୍ୟ କରୁଥିଲେ। ଦେବୋତ୍ତର ଅଡିଟ୍‌ରୁ ରାଜ୍ୟ ସରକାରଙ୍କୁ ଧାର୍ଯ୍ୟ ଫିସ ମିଳୁଥିଲା। ମଠ ମନ୍ଦିରର ଦୁରବସ୍ଥା ଓ ବିଭାଗୀୟ ଅସହଯୋଗରୁ ଗତ ୪ ଦଶନ୍ଧି ପୂର୍ବରୁ ତାହା ବନ୍ଦ ହୋଇଯାଇଛି।
ଅଡିଟ ଫିସ ଛାଡ଼ କରାଯାଇ କେବଳ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଅଡିଟ୍‌ ହେଉଥିଲେ ବି କାର୍ଯ୍ୟାନୁଷ୍ଠାନ ପରିଚାଳନା କମିଟି ହାତରେ ରହିଛି। ବିଭାଗୀୟ ପରୀକ୍ଷା ତାଲିମ ଏବଂ ଅଭିଜ୍ଞତା ଭିତ୍ତିରେ ଦକ୍ଷତା ଥିବା ଅଡିଟରଙ୍କୁ ଅଡିଟ୍‌ ଦାୟିତ୍ୱ ଦିଆଯାଉଥିଲା। କିନ୍ତୁ ବିନା ତାଲିମ ବା ବିଭାଗୀୟ ପରୀକ୍ଷାରେ କେବଳ ଲୋକାଲ ଫଣ୍ଡ ଆଇନ ବଳରେ ରାଜ୍ୟ ପଞ୍ଚାୟତିରାଜ ବିଭାଗରେ କାର୍ଯ୍ୟରତ ଅଡିଟରମାନେ ଗ୍ରାମପଞ୍ଚାୟତ ଓ ଜିଲା ପରିଷଦ ଅଡିଟ୍‌ କରୁଥିଲେ। ପ୍ରଶାସନିକ ବିଭାଗ ଦ୍ବାରା ଅଡିଟ୍‌କୁ ଏକାଦଶ ଅର୍ଥ କମିଶନ ନାପସନ୍ଦ କରିବାରେ ୨୦୦୩ ମସିହାରୁ ସେମାନଙ୍କୁୁ ଲୋକାଲ ଫଣ୍ଡ ଅଡିଟ୍‌ ଅଧୀନକୁ ସ୍ଥାନାନ୍ତର କରାଯାଇ ଥିଲେ ବି ସେମାନେ ପୂର୍ବ ପରି ଗ୍ରାମ ପଞ୍ଚାୟତ ଓ ଜିଲା ପରିଷଦ ଅଡିଟ୍‌ କରୁଥିଲେ। ୨୦୧୨ ମସିହାରେ ଲୋକାଲ ଫଣ୍ଡ ଅଡିଟ ରିପୋର୍ଟ ରାଜ୍ୟ ବିଧାନସଭାରେ ଆଲୋଚନା ପାଇଁ ନିୟମ ହେବା ସହ ଅଡିଟ୍‌କୁ ଅଧିକ କ୍ରିୟାଶୀଳ କରିବାକୁ ଲୋକାଲ ଫଣ୍ଡ ଅଡିଟ୍‌ ନିର୍ଦ୍ଦେଶାଳୟ ଗଠିତ ହେଲା। ଏଥିପାଇଁ ଅନେକ ରାଜ୍ୟ ଅର୍ଥ ସେବା ଅଧିକାରୀ ପଦବୀ ସୃଷ୍ଟି ହେଲେ ବି ଅଡିଟର ସଂଖ୍ୟା ଅପରିବର୍ତ୍ତିତ ରହିଲା। ନିର୍ଦ୍ଦେଶାଳୟ ଗଠନ ପରେ ରାଜ୍ୟର ସ୍ବୟଂଶାସିତ ମହାବିଦ୍ୟାଳୟ, ରେରା, ହାଉସିଂବୋର୍ଡ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରି ଅନେକ ସଂସ୍ଥା ଏହାର ପରିସରଭୁକ୍ତ ହେବା ଆବଶ୍ୟକ ଥିଲା। ମାତ୍ର ବିଧାନସଭାରେ ଉତ୍ତରଦାୟିତ୍ୱ ଲାଘବ ସହ ସରକାରଙ୍କର ସୁନଜରରେ ରହିବା ପାଇଁ କ୍ଷମତାପ୍ରାପ୍ତ ଅଧିକାରୀମାନେ ନିୟମର ସୀମାତିକ୍ରମ କରି ଅଡିଟ୍‌କୁ ଦୁର୍ବଳ କରିଦେଲେ।
ପ୍ରଥମେ ୨୦୧୩ ମସିହାରେ ଗ୍ରାମପଞ୍ଚାୟତ ଅଡିଟରଙ୍କୁ ବିନା ତାଲିମ ଓ ବିଭାଗୀୟ ପରୀକ୍ଷାରେ ମୂଳ ଲୋକାଲ ଫଣ୍ଡ ଅଡିଟରଙ୍କ ସହ ନିଯୁକ୍ତି ତାରିଖରୁ ବରିଷ୍ଠତା ଦର୍ଶାଇ ମିଶ୍ରଣ କରାଗଲା। ଅଭିଜ୍ଞତା ନ ଥିଲେ ବି ତନ୍ମଧ୍ୟରୁ ଅନେକଙ୍କୁ ବିଶ୍ବବିଦ୍ୟାଳୟର ବିଭିନ୍ନ ବୋର୍ଡ ଓ ନିର୍ଦ୍ଦିଷ୍ଟ ବ୍ଲକ ଅଡିଟ୍‌ ଦାୟିତ୍ୱ ଦିଆଗଲା। ଅଡିଟ୍‌କୁ ତଦାରଖ, ତ୍ୱରାନ୍ବିତ, ପରାମର୍ଶ ବା ରିପୋର୍ଟର ତତ୍କାଳ ରିଭ୍ୟୁ ପାଇଁ ଅଡିଟ୍‌ ସୁପରିଣ୍ଟେଣ୍ଡେଣ୍ଟ ବା ଅଫିସରଙ୍କର ଅଡିଟ୍‌ ସ୍ଥଳ ଗସ୍ତକୁ ବାରଣ କରାଗଲା। ବିଡିଓମାନଙ୍କୁ ଅଡିଟରଙ୍କ ଉପସ୍ଥିତି ଓ କାର୍ଯ୍ୟ ସମ୍ପର୍କରେ ଗୁପ୍ତ ରିପୋର୍ଟ ଦେବାପାଇଁ ଜଣାଇବାରେ ଅନେକ ଦକ୍ଷତାସମ୍ପନ୍ନ ଅଡିଟରଙ୍କ ମାନସିକତା ବାଧାପ୍ରାପ୍ତ ହେଲା। ପୂର୍ବ ଅଡିଟ୍‌ର ଢାଞ୍ଚା ବି ବଦଳାଇ ଦିଆଗଲା। ଫଳତଃ ପୂର୍ବ ଅଡିଟ୍‌ଠାରୁ ଏହା ଗୁଣ ମାନରେ ଢେର ହ୍ରାସ ପାଇ ଅଡିଟ୍‌ ରିପୋର୍ଟ କେବଳ ସଂଖ୍ୟାରେ ସୀମିିତ ହୋଇଗଲା। ୨୦୧୩ ମସିହା ସୁଦ୍ଧା ଅଡିଟ୍‌ ହୋଇ ନ ଥିବା ୩୫୧୪ (୪୨୩୪ ଅଡିଟ ବର୍ଷ ) ଗ୍ରାମପଞ୍ଚାୟତର ଅଡିଟ୍‌ ଏଜି ଅଫିସ୍‌ର ଅବସରପ୍ରାପ୍ତ ଅଡିଟ୍‌ ଅଫିସରଙ୍କୁ ନେଇ ଗଠିତ IPAIକୁ ଦିଆଗଲା। ସେମାନେ ୨୦୮୧ ପଞ୍ଚାୟତର (୨୫୦୯ ଅଡିଟ ବର୍ଷର) ଅଡିଟ କରିଥିଲେ ବି ରିପୋର୍ଟରେ ବାର୍ଷିକ ଆୟବ୍ୟୟ ବ୍ୟତୀତ କୌଣସି ଅନିୟମିତତାର ନାମ ଗନ୍ଧ ବି ରହିଲା ନାହିଁ। ସେମାନେ ବୟସାଧିକ୍ୟ ଯୋଗୁ ପଞ୍ଚାୟତ କାର୍ଯ୍ୟାଳୟ ପରିବର୍ତ୍ତେ ସମ୍ପୃକ୍ତ ବ୍ଲକରେ ଅଡିଟ୍‌ କରୁଥିଲେ। ରିପୋର୍ଟରେ ଅନେକ ଅବାନ୍ତର ଅନାବଶ୍ୟକ ତଥ୍ୟ ସତ୍ତ୍ୱେ ରିପୋର୍ଟ ଗ୍ରହଣ ପାଇଁ ଅଡିଟ୍‌ ଅଫିସରଙ୍କୁ ବାଧ୍ୟ କରାଗଲା। ୨୦୧୯-୨୦ ଆର୍ଥିକବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ୨୦୬୫୭ ବକେୟା ଅଡିଟ ବର୍ଷର ଦାୟିତ୍ୱ ଦିଆଯାଇଛି। ତନ୍ମଧ୍ୟରୁ ୧୧୩୮୩ଟିର ଅଡିଟ୍‌ ସରିଥିବା ବେଳେ ୯୨୭୪ ବକେୟା ବର୍ଷର ଅଡିଟ୍‌ ହୋଇନାହିଁ। IPAIକୁ ଏଇ ଦାୟିତ୍ୱ ଦେବା ପଛରେ ପଞ୍ଚାୟତଗୁଡ଼ିକରେ ବହୁଅର୍ଥର ଅନିୟମିତ ଖର୍ଚ୍ଚ ଓ ଦୁରୁପଯୋଗର ପର୍ଦ୍ଦାଫାଶକୁ ଏଡ଼ାଇ ସରକାରଙ୍କୁ ସୁରକ୍ଷା ପାଇଁ ସୁଚିନ୍ତିତ ମାର୍ଗ ନିରୁପଣ,ଏଥିରେ ସାମାନ୍ୟ ସନ୍ଦେହ ନାହିଁ। ଏଥିପାଇଁ ଅଡିଟ୍‌ ବର୍ଷ ପିଛା ପ୍ରଥମେ ୬୫୦୦ଟଙ୍କା ପରେ ବର୍ଷକୁ ୮୦୦୦ଟଙ୍କା ଦିଆଯାଇ ଏ ଯାବତ ଅନୂ୍ୟନ ୮ କୋଟି ଟଙ୍କା ସରକାରୀ ଅର୍ଥ ଖର୍ଚ୍ଚ ହୋଇଛି ଏବଂ ବାକି ଥିବା ଅଡିଟ୍‌ ପାଇଁ ୭ କୋଟିରୁ ଅଧିକ ଟଙ୍କା ବି ସେହି ସଂସ୍ଥାକୁ ଦିଆଯିବ। ସେହି ଅର୍ଥରେ ୧୦୦ଟି ଅଡିଟର ପଦବୀ ସୃଷ୍ଟି ହୋଇପାରିଥାନ୍ତା। ସମ୍ବିଧାନ ସଂଶୋଧନ ପରେ ପଞ୍ଚାୟତ ଦ୍ବାରା କୋଟି କୋଟି ଅର୍ଥ ବ୍ୟୟ ହେଉଛି। ମାତ୍ର ଅନ୍ତଃସାରଶୂନ୍ୟ ରିପୋର୍ଟ ଯୋଗୁ ସରକାରୀ ପ୍ରାପ୍ୟ ଭାଟ, ସେସ, ରୟାଲଟିର ଠିକ୍‌ ହିସାବ ଓ ଅଗ୍ରୀମ ଅର୍ଥର ସ୍ପଷ୍ଟ ସୂଚନା ନାହିଁ। ଲୋକାଲ ଫଣ୍ଡ ଅଡିଟ୍‌ ନିୟମରେ ସେହି ଅଡିଟରଙ୍କ ସ୍ବାକ୍ଷରରେ ସରଚାର୍ଜ କରାଗଲେ ଆଇନତଃ ତାହା ଅସିଦ୍ଧ ହେବ। ଏଥିରୁ ନଜର ଏଡ଼ାଇବାକୁ ପୂର୍ବ ପ୍ରସ୍ତୁତି ଦ୍ବାରା ପବ୍ଲିକ ପୋର୍ଟାଲରେ ଅଡିଟ୍‌ ରିପୋର୍ଟ ପ୍ରଦର୍ଶନକୁ ଜୁନ୍‌ ୨୦୧୩ରୁ ବନ୍ଦ କରାଯାଇଛି।
କେବଳ ସେତିକି ନୁହେଁ, ନିର୍ଦ୍ଦେଶାଳୟ ଗଠନ ପରେ କୌଣସି ସ୍କୁଲ ମଦ୍ରାସା ଟୋଲ ଅଡିଟ୍‌ ହୋଇନାହିଁ ବରଂ ଅଡିଟର ଅଭାବ ଦର୍ଶାଇ କଲେଜଗୁଡ଼ିକର ଅଡିଟ୍‌କୁ ଚାର୍ଟାର୍ଡ ଆକାଉଣ୍ଟ ଫାର୍ମକୁ ଆକାଉଣ୍ଟ ରିଭ୍ୟୁ ନାମରେ ହସ୍ତାନ୍ତର କରାଯାଇଛି। ସେଥିପାଇଁ କଲେଜ ଗୁଡ଼ିକୁ ୩ଟି ଶ୍ରେଣୀ କରାଯାଇ ଯଥାକ୍ରମେ ୩୦ ହଜାର, ୨୦ ହଜାର ଓ ୧୫ ହଜାର ଟଙ୍କା କଲେଜରୁ ସମ୍ପୃକ୍ତ ଫାର୍ମକୁ ଦିଆଯାଉଛି। ଏହାଦ୍ବାରା ରାଜ୍ୟ ଶିକ୍ଷା ସଂହିତାର ଉଲ୍ଲଂଘନ ସହ ଯେଉଁ କଲେଜରୁ ବହୁ ଅର୍ଥ ଆତ୍ମସାତ ଏବଂ ଲକ୍ଷ ଲକ୍ଷ ଟଙ୍କାର କଲେଜ ଅର୍ଥ, ସରକାରୀ ଅନୁଦାନ, ୟୁଜିସି ଅନୁଦାନର ଦୁରୁପଯୋଗ ବା ଆପତ୍ତିଜନକ ଖର୍ଚ୍ଚ ଦର୍ଶାଯାଉଥିଲା ତା’ର ପୂର୍ଣ୍ଣଚ୍ଛେଦ ପକାଯାଇଛି। ଲୋକାଲ ଫଣ୍ଡ ଅଡିଟ୍‌ରେ ଆୟ ବ୍ୟୟର ଶତପ୍ରତିଶତ ତନଖି ହୋଇଥାଏ। ଯଦି IPAI ବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦେଇଥିବା ରିପୋର୍ଟରୁ ନମୁନା ଭାବେ ଗୋଟିଏ ପଞ୍ଚାୟତ ଓ କଲେଜର ପୁନଃ ଅଡିଟ୍‌ ଲୋକାଲ ଫଣ୍ଡ ଅଡିଟରଙ୍କ ଦ୍ବାରା କରାଯାଏ ତେବେ ରିପୋର୍ଟରେ ଉଲ୍ଲେଖନୀୟ ତଫାତ୍‌ ନିଶ୍ଚିତ ରହିବ। କିନ୍ତୁ ତାତ୍ପର୍ଯ୍ୟପୂର୍ଣ୍ଣ କଥା ହେଉଛି ଏଇ ସାଙ୍ଘାତିକ କାରନାମା ପଛରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଚ୍ଚ ପଦାଧିକାରୀ ଅବସର ପରେ ଯଥାକ୍ରମେ ସମ୍ମାନଜନକ ରାଜନୈତିକ ଓ ପ୍ରଶାସନିକ ପଦବୀରେ ଅବସ୍ଥାପିତ ହୋଇସାରିଛନ୍ତି ଏବଂ ଶହ ଶହ କୋଟି ସରକାରୀ ଅର୍ଥର ସଦୁପଯୋଗ ପଛରେ ସୃଷ୍ଟି ହୋଇଥିବା ପ୍ରଶ୍ନବାଚୀ ଅସମାହିତ ହୋଇ ରହିଯାଇଛି।
୧୧୩, ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri