ମାତୃଭାଷା ପାଠପଢ଼ାର ମାଧ୍ୟମ ହେଉ

ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ

ଈପ୍ସିତା ମହାନ୍ତି

ସ୍ଵଭାବ କବି ଗଙ୍ଗାଧର ମେହେର ନିଜ କବିତା ଗ୍ରନ୍ଥ ଅର୍ଘ୍ୟଥାଳୀରେ ଲେଖିଛନ୍ତି- “ଉଚ୍ଚ ହେବା ପାଇଁ କର ଯେବେ ଆଶା/ ଉଚ୍ଚ କର ଆଗ ନିଜ ମାତୃଭାଷା। ” ଏହାର ମର୍ମ କାହାକୁ ଅଛପା ନାହିଁ। ହେଲେ ନିଜ ମାତୃଭାଷା ପ୍ରତି ଲୋକଙ୍କ ବିମୁଖତା ବଢ଼ି ଚାଲିବା ପରିତାପର ବିଷୟ। ବହୁ ମନୋବିଜ୍ଞାନୀ ଓ ଶିକ୍ଷାବିତ୍‌ ମାତୃଭାଷାର ଗୁରୁତ୍ୱକୁ ଉପଲବ୍ଧି କରି ଏହା ପାଠପଢ଼ାର ମାଧ୍ୟମ ହେବା ଉଚିତ ବୋଲି ମତବ୍ୟକ୍ତ କରିଛନ୍ତି। କାରଣ ଏଭଳି ବ୍ୟବସ୍ଥା ବିଭିନ୍ନ ବିଷୟରେ ପିଲାଙ୍କ ଜିଜ୍ଞାସୁ ମନୋଭାବକୁ ଉଦ୍ରେକ କରାଇବା ସଙ୍ଗେସଙ୍ଗେ ଶିକ୍ଷା ପ୍ରତି ବି ମନସ୍କ କରାଇବ। ସାମଗ୍ରିକ ବିକାଶ କରିବା ସାଥେସାଥେ ପିଲାଏ ପଢ଼ାରେ ମଧ୍ୟ ଉନ୍ନତି କରିବେ। ମାତୃଭାଷାରେ ଅଧ୍ୟୟନ କରି ପିଲାମାନେ ଶୀଘ୍ର ଶିଖନ୍ତି। ଏଥିଯୋଗୁଁ ପିଲାଙ୍କ ସୃଜନଶୀଳତାର ବିକାଶ ଘଟିଥାଏ। ନିଜ ସଂସ୍କୃତିର ଗୌରବ ରକ୍ଷା ପାଇଁ ରହିଥିବା ସମୁଚିତ ମାଧ୍ୟମଗୁଡ଼ିକ ମଧ୍ୟରୁ ମାତୃଭାଷାର ସ୍ଥାନ ସର୍ବାଗ୍ରେ ରହିବ। ବଡ଼କଥା ହେଉଛି, ମାତୃଭାଷା ହିଁ ଅନ୍ୟାନ୍ୟ ଭାଷା ଶିକ୍ଷା କରିବାର ମାଧ୍ୟମ ସାଜିଥାଏ। ଶିକ୍ଷା ଓ ମାତୃଭାଷା ଉପରେ ମହାତ୍ମା ଗାନ୍ଧୀଙ୍କ ଟିପ୍ପଣୀ ବେଶ୍‌ ପ୍ରଣିଧାନଯୋଗ୍ୟ। ଗାନ୍ଧିଜୀଙ୍କ ମତରେ- ମାତୃଭାଷାକୁ ଛାଡ଼ି ଇଂରାଜୀ ଭାଷାରେ ପଢ଼ାର ମାଧ୍ୟମକୁ ବାଧ୍ୟତାମୂଳକ କରିଦେଇ ପିଲାଙ୍କ ଉପରେ ତା’କୁ ବୋଝ ଭାବେ ଲଦିଦେବା ନିହାତି ଭାବେ କପଟତାପୂର୍ଣ୍ଣ ଭଳି କଥା ହେବ। ଏପରି ହେଲେ ଇଂରାଜୀ ମାଧ୍ୟମରେ ପଢ଼ୁଥିବା ପିଲାଙ୍କ ଉପରେ ଅନାବଶ୍ୟକ ଚାପ ସୃଷ୍ଟି ହେବ। ଏହା ପିଲାଙ୍କୁ ଘୋଷାବିଦ୍ୟା ଓ ନକଲ କରିବା ପ୍ରବୃତ୍ତି ପ୍ରତି ଅତିମାତ୍ରାରେ ପ୍ରୋତ୍ସାହିତ କରିବ, ଯଦ୍ଦ୍ବାରା ପିଲାମାନଙ୍କର ନିଜସ୍ବ ମୌଳିକତା ଓ ଚିନ୍ତନ ଶକ୍ତିର ହ୍ରାସ ଘଟିବ।
ଗତବର୍ଷ ଆନ୍ଧ୍ର ସରକାର ନିଜ ପ୍ରଦେଶର ସମସ୍ତ ବିଦ୍ୟାଳୟରେ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ଉପରେ ଆନ୍ଧ୍ର ବିଧାନସଭା ୨୦୧୯ ଜାନୁୟାରୀ ୧୯ରେ ମୋହର ଲଗାଇଥିଲା। ସେତେବେଳେ ଏଠାକାର ବିରୋଧୀ ଦଳ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଥିଲେ। ବିରୋଧୀ ଦଳର କିଛି ନେତା ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ବି ହୋଇଥିଲେ। ପିଲାଙ୍କ ଉପରେ ଇଂରାଜୀ ଭାଷାକୁ ଜୋର ଜବରଦସ୍ତି ଲଦିଦେବା ବେଆଇନ ବୋଲି ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟ ରାୟ ଘୋଷଣା କରିଥିଲେ। ଫଳତଃ ଆନ୍ଧ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟର ଶରଣକୁ ଚାଲିଗଲେ। ସର୍ବୋଚ୍ଚ ନ୍ୟାୟାଳୟ ଯଦିଓ ମାମଲାଟିକୁ ଗ୍ରହଣ କରିଥିଲେ, କିନ୍ତୁ ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ଉପରେ ରୋକ ଲଗାଇବା ପାଇଁ ସଫା ମନା କରିଦେଇଥିଲେ। ଏହି କାରଣରୁ ଆନ୍ଧ୍ର ପ୍ରଦେଶରେ ବର୍ତ୍ତମାନ ତେଲୁଗୁ ଓ ହିନ୍ଦୀ ଭାଷାରେ ଶିକ୍ଷାଦାନ ପ୍ରକ୍ରିୟା ଅବ୍ୟାହତ ରହିଛି। ସର୍ବୋଚ୍ଚ ନ୍ୟାୟାଳୟରେ ନିଜ ପକ୍ଷ ରଖି ଆନ୍ଧ୍ର ସରକାର ଯୁକ୍ତି ବାଢ଼ିଥିଲେ ଯେ, ଆନ୍ଧ୍ରର ପିଲାମାନେ ଇଂରାଜୀ ମାଧ୍ୟମରେ ପଢ଼ିିଲେ ସେମାନଙ୍କୁ ଦେଶ ବିଦେଶରେ ସୁବିଧାରେ ନିଯୁକ୍ତି ମିଳିଯିବ। ଯାହା ଜଣାପଡୁଥିଲା, ନିଜ ରାଜ୍ୟର ପିଲାଙ୍କ ସ୍ବାର୍ଥରକ୍ଷା ଉଦ୍ଦେଶ୍ୟରେ ଏଭଳି ଏକ ପ୍ରଗତିଶୀଳ ଚିନ୍ତାଧାରା ରଖି ଆନ୍ଧ୍ର ସରକାର ଏ କଥା କହିଥିଲେ।
ଆନ୍ଧ୍ର ସରକାରଙ୍କ ଏହି ଯୁକ୍ତି ବି ଯଥାର୍ଥ ମନେହୁଏ। କାରଣ ସ୍ବାଧୀନତା ପରେ ଭାରତରୁ ଇଂରେଜ ସିନା ଚାଲିଗଲେ, ହେଲେ ସ୍ବାଧୀନତାର ୭୩ ବର୍ଷ ପରେ ମଧ୍ୟ ସେହି ସମୟର ଗୋଲାମି ଆମ ଦେଶରୁ ହଟିନାହିଁ। ଆଜି ବି ଆମ ଭାରତୀୟଙ୍କଠାରେ ସେହିଭଳି ମାନସିକତା ଭରି ରହିଛି। ସରକାରୀ ଓ ବେସରକାରୀ ନିଯୁକ୍ତି କ୍ଷେତ୍ରରେ ଇଂରାଜୀ ମାଧ୍ୟମକୁ ପ୍ରାଥମିକତା ମିଳୁଛି। ଆଜି ବି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ରୂପେ ଇଂରାଜୀ ଭାଷାର ନିୟନ୍ତ୍ରଣରେ ରହିଛି। ସମସ୍ତ ସରକାରୀ କାଗଜାତ, ଦସ୍ତାବିଜ୍‌ଗୁଡ଼ିକର ଚାଷ ଇଂରାଜୀରେ ହିଁ ଚାଲିଛି। ଏକଥା ନିଶ୍ଚିତ ଯେ, ଯେଉଁଦିନ ସରକାରୀ କାର୍ଯ୍ୟକ୍ରମରୁ ଇଂରାଜୀ ବିଦା ହୋଇଯିବ, ସେହିଦିନଠାରୁ ଦେଶର ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ଦେବାଳିଆ ହୋଇଯିବେ। ଇଂରାଜୀ ଭାଷାର ବହୁଳ ତଥା ଅନାବଶ୍ୟକ ପ୍ରବେଶତା ଯୋଗୁ ଆମ ଦେଶରେ ଘରୋଇ ବିଦ୍ୟାଳୟ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି।
ବିଦେଶୀ ଓ ଘରୋଇ ସଂସ୍ଥାଙ୍କ ଅର୍ଥରେ ପରିଚାଳିତ କେତେକ ବିଦ୍ୟାଳୟ ଆଜି ଠକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏହା ସ୍ଥାନୀୟ ନେତା ଓ ଅଭିଭାବକଙ୍କ ଦୃଷ୍ଟିଗୋଚର ନ ହେବା ନିହାତି ଭାବେ ଚିନ୍ତାଜନକ ବିଷୟ। ତଥାପି ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ ପାଇଁ ନେତାମାନେ ସ୍ବୟଂର ଇଚ୍ଛାକୁ ପିଲାଙ୍କ ଉପରେ ଲଦିଦେବା ସକାଶେ ଆଗ୍ରହ ରଖୁଛନ୍ତି। ଏଭଳି ନିୟମ ପ୍ରଣୟନ ଦ୍ବାରା ଶିକ୍ଷାର ଉନ୍ନତି ଯଦି ବଦଳେ, ତାହା ଯେ ବିନାଶର କାରଣ ନ ସାଜିବ ସେ କଥାକୁ ଏମାନେ ବୁଝିପାରୁ ନାହାନ୍ତି। ବାହାରକୁ ଏହା ଏକ ସୁବିଧାଜନକ ଚକମକିଆ ରାଜପଥ ଭଳି ଦୃଶ୍ୟମାନ ହେଉଥିଲେ ମଧ୍ୟ ପ୍ରକୃତପକ୍ଷେ ଏହା ଏକ ଖାଇ ସଦୃଶ। ଏକଥାକୁ ବୁଝିବାରେ ଆମ ନେତାଙ୍କ ସହ ଅଭିଭାବକ ବୃନ୍ଦ ବି ଅସମର୍ଥ। ଏହି ଖାଇରେ ପଡ଼ି ଜୀବନ ହରାଇବା ପୂର୍ବରୁ ଆମେ ଆମ ପିଲାଙ୍କୁ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇବା ଦରକାର। ଅବଶ୍ୟ ଉଗ୍ର ଆଧୁନିକତା ଓ ଆଭିଜାତ୍ୟ ରୂପକ ଚୁମ୍ବକୀୟ ଶକ୍ତି କେବଳ ଅଭିଭାବକଙ୍କୁ ନୁହେଁ, ସେମାନଙ୍କ ପିଲାଙ୍କୁ ବି ଇଂରାଜୀ ମାଧ୍ୟମ ପ୍ରତି ଆକୃଷ୍ଟ କରି ଚାଲିଛି।
ଦେଶ ସ୍ବାଧୀନ ପରେ ଆମ ଦେଶରେ ଗୋଟିଏ ପରେ ଗୋଟିଏ ସରକାର ଶାସନ ଭାର ତୁଲାଇ ଆସିଛନ୍ତି। ସମୟର ଆହ୍ବାନ ଓ ଆବଶ୍ୟକତାକୁ ଦୃଷ୍ଟିଦେଇ ବିଭିନ୍ନ ସମୟରେ ତତ୍କାଳୀନ ସରକାର ଶିକ୍ଷାନୀତି ବି ପ୍ରଣୟନ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ବି ସରକାର ଏ ଦିଗରେ ଶତ ପ୍ରତିଶତ ସଫଳତା ହାସଲ କରିପାରି ନାହାନ୍ତି। ଇଂରାଜୀ ଶିଖିବା ପାଇଁ ଯେ ଇଂରାଜୀ ମାଧ୍ୟମରେ ଅନ୍ୟାନ୍ୟ ବିଷୟକୁ ବି ପଢ଼ିବା ଆବଶ୍ୟକ, ଏକଥା ଆଦୌ ଗ୍ରହଣୀୟ ହେଉନାହିଁ। ବିଶ୍ବ ମାନଚିତ୍ରକୁ ଦୃଷ୍ଟି ନିକ୍ଷେପ କଲେ ଜଣାପଡ଼େ, ମାତୃଭାଷାରେ ବିକଶିତ ନ ଥିବା ଦେଶଗୁଡ଼ିକ ବୈଷୟିକ ମାନଚିତ୍ରରେ ବି ସବୁଠାରୁ ପଛରେ ରହିଛନ୍ତି। ଆଫ୍ରିକୀୟ ମହାଦ୍ବୀପର ୪୦ରୁ ଊର୍ଦ୍ଧ୍ୱ ଦେଶରେ ନିଜ ମାତୃଭାଷା ବିକଶିତ ହୋଇ ପାରିନାହିଁ। ତେଣୁ ଏ ସବୁ ଦେଶ ଆଜି ବିକାଶଠାରୁ ବହୁ ଦୂରରେ। ନିଜ ମାତୃଭାଷା ପ୍ରତି ସମର୍ପିତ ଥିବା ଜାପାନ ଓ ଇସ୍ରାଏଲ୍‌ ଭଳି ଦେଶ କେବଳ ଆମ ପାଇଁ ନୁହେଁ, ସମଗ୍ର ବିଶ୍ବ ପାଇଁ ଉଦାହରଣ ପାଲଟିଛନ୍ତି। ବିଶ୍ବର ବିଭିନ୍ନ ଭାଷାରେ ଲିଖିତ ଗବେଷଣାତ୍ମକ ତଥା ଅଧ୍ୟୟନ ପତ୍ରକୁ ଜାପାନୀ ଭାଷାରେ ଅନୁବାଦ କରି ସେଠାକାର ଅନୁସନ୍ଧାନ କ୍ଷେତ୍ରରେ ଅଧ୍ୟୟନରତ ବିଦ୍ବାନ୍‌ ଗବେଷକଙ୍କୁ ଯୋଗାଇ ଦିଆଯାଇଥାଏ। ଏଥିପାଇଁ ହିଁ ବୈଷୟିକ କ୍ଷେତ୍ରରେ ଜାପାନ ଆଜି ବହୁ ଉପରେ। ଇତିମଧ୍ୟରେ ବିଶ୍ୱ ମାନଚିତ୍ରରୁ ଅନେକ ଭାଷା ଲୋପ ପାଇ ସାରିଲାଣି। ଇସ୍ରାଏଲର ହିବ୍ରୁ ନାମକ ଭାଷା କେବେଠାରୁ ନିଜର ସତ୍ତା ହରାଇ ସାରନ୍ତାଣି। କେବଳ ଇସ୍ରାଏଲ୍‌ବାସୀଙ୍କ ପ୍ରତିବଦ୍ଧତା ଯୋଗୁ ତାହା ବଞ୍ଚତ୍ ରହିଛି। ପୁଣି ହିବ୍ରୁ ଇସ୍ରାଏଲ୍‌ର ରାଷ୍ଟ୍ରୀୟ ଭାଷା ରୂପେ ମାନ୍ୟତା ଲାଭ କରିଛି। ଭାଷାର ଏକତା ଓ ନିଜ ମାତୃଭାଷାକୁ ଭଲ ପାଇବାର ଜ୍ବଳନ୍ତ ଉଦାହରଣ ଇସ୍ରାଏଲ୍‌ଠାରୁ କିଏ ଅଧିକ ହୋଇ ନ ପାରେ। ଦୁନିଆର କୌଣସି ଗୋଟିଏ ବି ଉନ୍ନତ ଓ ଶକ୍ତିଶାଳୀ ଦେଶ ନିଜ ପିଲାଙ୍କୁ ବିଦେଶୀ ଭାଷାରେ ଶିକ୍ଷାଦାନ କରନ୍ତି ନାହିଁ। ତେଣୁ ଏଭଳି ନୀତି ଆମ ଦେଶ ଭାରତ ପାଇଁ ନିହାତି ଭାବେ ଏକ ବିଡ଼ମ୍ବନାର ବିଷୟ। ଆମ ଦେଶରେ ପିଲାଙ୍କୁ ଇଂରାଜୀ ମାଧ୍ୟମରେ ପଢ଼ିବା ପାଇଁ କେତେକ ବିଦ୍ୟାଳୟ ଧାର୍ଯ୍ୟ କରିଛନ୍ତି। ଏଭଳି ବାଧ୍ୟତାମୂଳକ ତଥା ଅନିବାର୍ଯ୍ୟ ଭାବେ ଇଂରାଜୀ ମାଧ୍ୟମରେ ପଢ଼ାଇବା ଦ୍ବାରା ବହୁ ସଂଖ୍ୟକ ପିଲା ଅନ୍ୟାନ୍ୟ ବିଷୟରେ ଅସଫଳ ହେଉଥିବା ଦେଖିବାକୁ ମିଳୁଛି। ମୋଟାମୋଟି ଭାବେ ଏଭଳି ବ୍ୟବସ୍ଥା ପିଲାଙ୍କ ସାମଗ୍ରିକ ବିକାଶ ଦିଗରେ ପ୍ରତିବନ୍ଧକ ସାଜୁଛି।
ଇଂରାଜୀ ହେଉଛି ଏକ ଅନ୍ତର୍ଜାତୀୟ ଭାଷା, ଯାହା ସମଗ୍ର ଦୁନିଆକୁ ବାନ୍ଧି ରଖିବାରେ ସମର୍ଥ। ତେଣୁ ଆଜିର ଏହି ପ୍ରତିଯୋଗିତାପୂର୍ଣ୍ଣ ଦୁନିଆରେ ଇଂରାଜୀ ଭଳି ବିଦେଶୀ ଭାଷା ଶିଖିବା ନିହାତି ଜରୁରୀ। ନଚେତ୍‌ ପିଲାମାନଙ୍କ ଜ୍ଞାନର ପରିବ୍ୟାପ୍ତ ହୋଇପାରିବ ନାହିଁ। ପିଲାଙ୍କ ଚିନ୍ତାଧାରା ଗୋଟିଏ ଭୌଗୋଳିକ ପରିସୀମା ମଧ୍ୟରେ ସୀମିତ ହୋଇ ରହିଯିବ। ପିଲାଙ୍କ ସୃଜନଶୀଳତା ବି ପ୍ରସ୍ଫୁଟିତ ହୋଇପାରିବ ନାହିଁ। ପିଲାମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ପଛରେ ପଡ଼ିଯିବେ। ତେଣୁ ଇଂରାଜୀ ଭଳି ବିଦେଶୀ ଭାଷାରେ ପଢ଼ିବା ପାଇଁ ବିଦ୍ୟାଳୟମାନଙ୍କରେ ଉତ୍ତମ ସୁବିଧା ରହିବା ଆବଶ୍ୟକ। ପଢ଼ା ଆରମ୍ଭରୁ ଇଂରାଜୀକୁ କେବଳ ଏକ ବିଷୟ ଭାବେ ପଢ଼ାଯିବା ଉତ୍ତମ ହେବ। ପରବର୍ତ୍ତୀ ସମୟରେ ୧୦ମ ଶ୍ରେଣୀ ପରେ ଏହା ପଢ଼ାର ମାଧ୍ୟମ ହେବା ଦରକାର। କିନ୍ତୁ ଏହା ବାଧ୍ୟତାମୂଳକ ନ ହୋଇ ଇଚ୍ଛାଧୀନ ହେଲେ ସର୍ବୋତ୍ତମ ଫଳ ଆଣିଦେବ। ଅବଶ୍ୟ ଆମ ଦେଶର ନୂତନ ଶିକ୍ଷାନୀତିରେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ନିଜ ସ୍ଥାନୀୟ ତଥା ଆଞ୍ଚଳିକ ଭାଷା କିମ୍ବା ମାତୃଭାଷାରେ ଶିକ୍ଷାଦାନ ପାଇଁ କୁହାଯାଇଛି, ଏହା କିନ୍ତୁ ପର୍ଯ୍ୟାପ୍ତ ହେବନାହିଁ। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ନେଇ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବା ଦରକାର, ଯଦ୍ଦ୍ବାରା ଇଂରାଜୀ ଭଳି ବିଦେଶୀ ଭାଷା ମାଧ୍ୟମରେ ବିଦ୍ୟାଳୟମାନଙ୍କରେ ପାଠପଢ଼ା ପାଇଁ ଯେଉଁ ପ୍ରୟାସ ଚାଲିଛି, ସେଥିରେ ପୂର୍ଣ୍ଣଚ୍ଛେଦ ଲାଗିପାରିବ। ଏହି ପରିପ୍ରେକ୍ଷୀରେ ପ୍ରସିଦ୍ଧ ଉର୍ଦ୍ଦୁ କବି ଆକବର ଇଲାହାବାଦୀଙ୍କ- ”ହରିଣଙ୍କ ଉପରେ ଘାସ ଲଦିବା ବନ୍ଦ କରାଯାଉ“ ଉକ୍ତିଟି ଅନେକ ପ୍ରାସଙ୍ଗିକତା ବହନ କରୁଥିବା ମନେ ହେଉଛି।
Imohanty.1991@gmail.com
ବୈପାରୀଗୁଡ଼ା, କୋରାପୁଟ
ମୋ- ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?