ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୭୦ ଜଣଙ୍କୁ ଅଟକ ରଖିଛି। ପୋଲିସ ଚଢ଼ାଉ ବେଳେ ନଗଦ ୧୨ ଲକ୍ଷ ଟଙ୍କା ସହ ୧୨ଟି କାର୍, ୧୦ଟି ବାଇକ୍ ଏବଂ ୬୦ଟି ମୋବାଇଲ ଫୋନ୍ ଜବତ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଦେବୀତି ଗ୍ରାମରେ ବଡ଼ ଧରଣର ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ଖବର ମିଳିଥିଲା। ଏନେଇ ପୋଲିସର ଏକ ଟିମ୍ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପୋଲିସ ୭୦ଜଣ ଜୁଆଡିଙ୍କୁ ଧରିବାରେ ସଫଳ ହୋଇଥିଲା।
ଅଟକ ଥିବା ଜୁଆଡ଼ିଙ୍କ ମଧ୍ୟରୁ ଅଧିକାଂଶ ଆନ୍ଧ୍ରପ୍ରଦେଶର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ କେତେକ ଆନ୍ଧ୍ରପ୍ରଦେଶ ପୋଲିସ ଅଧିକାରୀ ଥିବା ନେଇ ସୂଚନା ମିଳିଛି।
ଜୁଆ ଆଡ୍ଡାରେ ଜୁଆଡିଙ୍କ ପାଇଁ ମଦ୍ୟପାନ, ଖାଇବା ବ୍ୟବସ୍ଥା ଆଦି କରାଯାଇଥିଲା। ଏପରିକି ଜୁଆ ଖେଳରେ ଟଙ୍କା କାରବାରକୁ ଲୁଚାଇବା ପାଇଁ ପ୍ଲାଷ୍ଟିକ କଏନ୍ ବ୍ୟବହାର କରାଯାଉଥିଲା। ପୋଲିସ ବିପୁଳ ପରିମାଣରେ ପ୍ଲାଷ୍ଟିକ କଏନ୍ ଜବତ କରିଛି। ଅନ୍ୟପକ୍ଷେ ପ୍ଲାଷ୍ଟିକ କଏକର ମୂଲ୍ୟାଙ୍କନ କରାଯାଏ ତେବେ ଜବତ ଟଙ୍କାର ମୂଲ୍ୟ ଦେଢ଼ କୋଟି ଟଙ୍କାରୁ ଉଦ୍ଧର୍ବ ହୋଇପାରେ ବୋଲି ସନ୍ଦେହ କରାଯାଉଛି।
ଅନ୍ୟପକ୍ଷେ ଆୟୋଜନ କରାଯାଉଥିବା ହଲ୍ ମାଲିକ ଏବଂ ଜୁଆ ଆଡ୍ଡାରେ ପରିଚାଲନା କରୁଥିବା କିଛି ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ପୋଲିସ ଜୁଆ ଆଡ୍ଡା ଚାଲିଥିବା ହଲକୁ ସିଲ୍ କରିଛି। ଜୁଆ ଖେଳରେ ଏତେ ସଂଖ୍ୟକ ଲୋକଙ୍କ ସମ୍ପୃକ୍ତି ଏବଂ ବିପୁଳ ପରିମାଣର ଟଙ୍କା ସହ ଗାଡ଼ି ଜବତ ହେବ ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେ ନେଇ ପୋଲିସ ତଦନ୍ତ ଜାରି ରହିଛି।

