ଭାଷା ଜାତିର ଜୀବନ

ଉପେନ୍ଦ୍ର ବିଶ୍ୱାଳ

 

ଲୋକମୁଖରେ ବୋଲାଯାଇଥାଏ ବହୁ ପ୍ରଚଳିତ ପ୍ରବାଦଟିଏ-”ଚାଷ ହୁଡ଼ିଲେ ବରଷେ, ଭାଷା ହୁଡ଼ିଲେ ପୁରୁଷେ।“ ଅର୍ଥାତ୍‌ ଚାଷକାମରେ ଜଣେ ବିଫଳ ହେଲେ ବା ଚାଷ ପ୍ରତି ବିମୁଖ ହେଲେ, ଚାଷୀକୁ ବର୍ଷଟିଏ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଥାଏ। ମାତ୍ର ଭାଷା ବିମୁଖତା ବା ଅବହେଳା ପାଇଁ ଗୋଟେ ପୁରୁଷ ପର୍ଯ୍ୟନ୍ତ ଦୁର୍ଦ୍ଦିନକୁ ସାମ୍ନା କରିଥାଏ ଜାତି। ସଂସ୍କୃତି ଯେମିତି ମାଟିର ସୁରଭି, ମାତୃଭାଷା ବି ସେମିତି ଭୂମିର ବିଭବ। ଭାଷା ଓ ସଂସ୍କୃତି କେବଳ ଗୋଟେ ଜାତିର ପରିଚୟ ଫର୍ଦ୍ଦ ନୁହେଁ ବରଂ ପ୍ରଗତିର ପରିମାପକ। ଭାଷା -ସଭ୍ୟତାର ସ୍ବାକ୍ଷର। ସ୍ବାଭିମାନର ସନ୍ତକ। ଅସ୍ମିତାର ଅର୍ଘ୍ୟ। ଅଭିବ୍ୟକ୍ତିର ଅରୁଣରାଗ।
ଜାତିର ଜାତକ ଲେଖେ ଭାଷା। ଭୂମିର ସୀମାରେଖା ଆଙ୍କେ ଭାଷା। ଭାଷା ଯେତେ ଉଦ୍ଭାସିତ ହେବ ସାହିତ୍ୟ ଓ ସଂସ୍କୃତି ସେତେ ଐଶ୍ୱର୍ଯ୍ୟମୟ ହେବ। ଭାଷା ବି ଗୋଟେ ଭୂମିର ଭାଗ୍ୟ ଓ ଭବିଷ୍ୟତକୁ ନିର୍ଦ୍ଧାରଣ କରିଥାଏ, ଯାହାର ଜ୍ୱଳନ୍ତ ନମୁନା ହେଉଛି- ‘ଇସ୍ରାଏଲ’ର ‘ହିବ୍ରୁ’ ଭାଷା। ଏହି ପରିପ୍ରେକ୍ଷୀରେ ସବୁଠୁ ପ୍ରଣିଧାନ ପ୍ରସଙ୍ଗ, ଯାହା ଗୋଟେ ଜାତି ପାଇଁ ଅତୀବ ଅପରିହାର୍ଯ୍ୟ ତାହା ହେଉଛି ମାତୃଭାଷାର ସୁରକ୍ଷା, ସମୃଦ୍ଧି । ସେଥିପାଇଁ ଉତ୍କୃଷ୍ଟ ଉପାୟ ହେଉଛି ମାତୃଭାଷାର ଉପଯୁକ୍ତ ଜ୍ଞାନ ଆହରଣ। ମାତୃଭାଷାର ମହତ୍ତ୍ୱକୁ ସୂଚାଇବାକୁ ଯାଇ କବି କହୁଛନ୍ତି- ମାତା, ମାତୃଭାଷା, ମାତୃଭୂମି ତିନି ସ୍ବର୍ଗୁ ଗରୀୟସୀ ଚୌବର୍ଗଦାୟିନୀ। ମାଆ ଆମକୁ ଦୁନିଆ ସହିତ ପରିଚିତ କରାଇଲା ପରି ମାତୃଭାଷା ସେମିତି ଦୁନିଆ ସହିତ ପରିଚିତ ଓ ସମ୍ପର୍କ ବଢ଼ାଇବାର ମୂଳ ଆଧାର। ମାଆର ପଣତକାନି ପରି ମାତୃଭାଷା ହେଉଛି ଶୁଦ୍ଧ ଓ ଆନନ୍ଦଦାୟିନୀ। ‘ମାଆ ମୁହଁର ଭାଷା’କୁ ଭୁଲିଯିବା ଅର୍ଥ ମାଆ ମୁହଁକୁ ଭୁଲିଯିବା। ମାଆର ଅନାଦର ଭଳିଆ ମାତୃଭାଷାକୁ ଅନାଦର କରିବା ହେଉଛି ଏକପ୍ରକାର ପାପାଚାର। ପୁଣି ଭାଷା ସହିତ ସଂଶ୍ଳିଷ୍ଟ ମାନସିକସ୍ତର। ଭାଷା ଯେତେ ସରଳ, ସାବଲୀଳ, ମାଧୁର୍ଯ୍ୟ ହେବ, ମନ ସେତେ ଶାନ୍ତ, କୋମଳ ଓ ସୁନ୍ଦର ହେବ। ତଦନୁଯାୟୀ ବ୍ୟବହାର ମଧ୍ୟ ମଧୁର ହେବ। ଭାଷା ଉତୁରିଆସେ ମନରୁ, ମନର ଭାବନାରୁ। ମନ ଯାହା ଚିନ୍ତାକରେ ମୁଖ ତାହା ହିଁ ପ୍ରକାଶ କରେ। ଅର୍ଥାତ୍‌ ଭାଷା ଉତ୍ପତ୍ତିର ମୂଳ ହେଉଛି ମନ। ବିଭିନ୍ନ ଗବେଷଣାର ନିଷ୍କର୍ଷ ଅନୁଯାୟୀ ମାତୃଭାଷା ହେଉଛି ବୁଝିହେଲା ଭଳିଆ ସବୁଠୁ ସହଜ ଭାଷା। ଅର୍ଥାତ୍‌ ସବୁଠୁ ବୋଧଗମ୍ୟ ଭାଷା ହେଉଛି ମାତୃଭାଷା।
ପିଲାଙ୍କ ବୌଦ୍ଧିକ ଦକ୍ଷତା ଓ କଳ୍ପନାଶକ୍ତିର ବୃଦ୍ଧି ଘଟିଥାଏ ମାତୃଭାଷା ଦ୍ୱାରା। କାରଣ ମନଟି ବେଶି ଚିନ୍ତା କରିପାରେ ମାତୃଭାଷାରେ ଏବଂ ବେଶି ମନେ ରଖିପାରେ। ମାତୃଭାଷାକୁ ଏଡ଼ାଇ ଚାଲିବା ଅର୍ଥ ଭାଷା ଓ ଜାତି ବିରୁଦ୍ଧରେ ଛଳନାପୂର୍ବକ ଛନ୍ଦ ରଚିବା। ଇଂଲିଶ୍‌ ସମେତ ଅନ୍ୟ ଭାଷା ଶିଖିବା ଓ ତା’ର ପ୍ରୟୋଗ କରିବା ଖୁବ୍‌ ଭଲ। ମାତ୍ର ନିଜ ଭାଷାକୁ ଅନାଦର କରିବା ଅପରିଣାମଦର୍ଶିତାର ପରିଚୟ; ଯାହା ଜାତି ପାଇଁ ଆତ୍ମଘାତୀ ସଦୃଶ। ଯେଉଁ ଭୂମି ନିଜ ଭାଷା, ନିଜ ସଂସ୍କୃତି, ନିଜ ଇତିହାସଠାରୁ ଦୂରେଇଯାଏ, ସେ ଭୂମିର ଭୂଗୋଳ ବଦଳିବାକୁ ବେଶି ସମୟ ଲାଗେନାହିଁ। ଯେଉଁ ଜାତି ମାତୃଭାଷା ପ୍ରତି ଯେତିକି ଅନୁରକ୍ତ, ସେ ଜାତି ସେତିକି ସମୁନ୍ନତ। ଭାଷା ଓ ଭୂମି ପ୍ରତି ବିମୁଖ ହେବା ବା ସେଥିରୁ ବିଚ୍ଛିନ୍ନ ହୋଇ ରହିବା ଜାତି ପ୍ରତି ଆତ୍ମଘାତୀ ସଦୃଶ। ମନୋବିଶେଷଜ୍ଞଙ୍କ କହିବାନୁଯାୟୀ ସର୍ବଦା ମାଆ, ମାତୃଭାଷା, ମାତୃଭୂମି ସମ୍ବନ୍ଧେ ଚିନ୍ତାକଲେ ମନ ସ୍ବତଃ ଦେବଭୂମିରେ ପରିଣତ ହୋଇଯାଏ।
ମାତୃଭାଷା ସହିତ ବିଜଡ଼ିତ ମାଟିର ମମତ୍ୱବୋଧ। ଭାଷାର ସୁରକ୍ଷା ସହିତ ମାତୃଭାଷା ପ୍ରତି ସମସ୍ତଙ୍କର ଆଦରଭାବ, ଅନୁରାଗ ବଢ଼ିବା ଦରକାର। ଆମେ ଯଦି ଆମ ମାତୃଭାଷାକୁ ନୂ୍ୟନକରି ଇଂଲିଶ୍‌ ଭାଷାକୁ ଅଯଥା ଗୁରୁତ୍ୱ ଦେଉ, ତେବେ ଏହାଠାରୁ ବଳି ଦୁର୍ଭାଗ୍ୟର ବିଷୟ ଆଉ କ’ଣ ବା ଥାଇପାରେ? ବିଶ୍ୱର ଛଅ ହଜାର ଭାଷା ଭିତରୁ ପ୍ରାୟ ଅଢ଼େଇ ହଜାର ଭାଷା ଆଜି ବିପନ୍ନ ସ୍ଥିତିରେ ବୋଲି ‘ୟୁନେସ୍କୋ’ କହୁଛି। ଭାଷାର ଅସ୍ତିତ୍ୱ ନିର୍ଭରକରେ ବ୍ୟବହାର ଉପରେ। ଅର୍ଥାତ୍‌ ନିର୍ଭରକରେ ବର୍ତ୍ତମାନର ଓ ଆଗାମୀ ପିଢ଼ି ବ୍ୟବହାର ଉପରେ। ଆମ ଓଡ଼ିଆ ଭାଷା ହେଉଛି ପ୍ରାୟ ଦୁଇ ହଜାର ବର୍ଷର ପୁରୁଣା, ଯେଉଁଠି ଇଂଲିଶ୍‌ ଭାଷା ହେଉଛି କେଇଶହ ବର୍ଷ ତଳର। ପୁନଶ୍ଚ ଆମ ମାତୃଭାଷା ‘ଓଡ଼ିଆ’ ହେଉଛି ପୂର୍ବ ଭାରତର ପ୍ରାଚୀନତମ ଭାଷା, ଏପରିକି ବଙ୍ଗଳା ଭାଷାଠାରୁ ବି ପୁରୁଣା। ଓଡ଼ିଆ ଭାଷା ଏକ ପୂର୍ଣ୍ଣାଙ୍ଗ ଏବଂ ପ୍ରାଚୀନ ଭାଷା। ବିଶ୍ୱର ସମୁଦାୟ ଭାଷା ମଧ୍ୟରେ ବହୁ କଥିତ ୩୭ତମ ଭାଷା ହେଉଛି ଓଡ଼ିଆ ଭାଷା। ଭାରତର ୨୯ଟି ସ୍ବୀକୃତ ଭାଷା ମଧ୍ୟରୁ ଓଡ଼ିଆ ଭାଷାର ସ୍ଥାନ ଦଶମ। ଏହା ମଧ୍ୟ ଦେଶର ୬ଷ୍ଠ ଶାସ୍ତ୍ରୀୟ ଭାଷାର ଗୌରବ ବହନ କରେ। ଓଡ଼ିଆ ଭାଷା-ଆମ ଉତ୍କର୍ଷର ଉତ୍‌ପ୍ରେରକ। ସ୍ବପ୍ନର ସ୍ବରାଜ୍ୟ। ସମୃଦ୍ଧ ସମ୍ଭାବନାର ଶୁକ୍ଳପକ୍ଷ। ଅତି ସୁନ୍ଦର ଆମ ମାତୃଭାଷାକୁ ଅଣଦେଖା କରି ‘ଇଂଲିଶ୍‌’ ଭାଷାକୁ ପ୍ରାଧାନ୍ୟ ଦେଉଥିବା ଆମ ଯୁବବର୍ଗ ଜାଣିରଖିବା ଉଚିତ ଯେ ଆଜି ସୁଦ୍ଧା ସାରା ବିଶ୍ୱର ମାତ୍ର ୧୧ଟି ଦେଶରେ ଇଂଲିଶ୍‌ ଭାଷା ପ୍ରଚଳିତ। ମିଳିତ ଜାତିସଂଘରେ ମଧ୍ୟ ଏହା ପ୍ରଚଳିତ ଭାଷା ନୁହେଁ(ପ୍ରଚଳିତ ଭାଷା-ଫରାସୀ)। ଏଭଳି ସ୍ଥଳେ ଇଂଲିଶ୍‌ କେମିତି ହେଲା ଏକ ଆନ୍ତର୍ଜାତିକ ଭାଷା? ପୁଣି ଏହା ଏକ ଜଟିଳ ଭାଷା, ଉଭୟ ପଢ଼ିବା-ଲେଖିବା-କହିବାରେ। ଅନ୍ୟପକ୍ଷରେ ଓଡ଼ିଆ ଏକ ସରଳ, ସାବଲୀଳ, ବିଜ୍ଞାନସିଦ୍ଧ ସମୃଦ୍ଧ ଭାଷା। ମାତୃଭାଷାକୁ ଯଦି ଆମେ ଯଥୋଚିତ ସମ୍ମାନ ନ ଦେବୁ କି ତା’ର ସୁରକ୍ଷା ଓ ସମୃଦ୍ଧି ପାଇଁ ଯତ୍ନବାନ୍‌ ନ ହେବୁ ତା’ହେଲେ କିଏ କରିବ ସେ କାମ? ଆମ ଭାଷା ପ୍ରତି ଯଦି ଆମେ ଯତ୍ନବାନ୍‌ ନ ହେବୁ ତେବେ ଅନ୍ୟ କିଏ ବା କାହିଁକି ସେଥିପ୍ରତି ମନୋନିବେଶ କରିବ। ଆମ ଜାତିର ଜାତକ ଆମେ ନିଜେ ଲେଖିବାନାହିଁ କାହିଁକି? ସେଥିପାଇଁ ଉତ୍କଳର ବରପୁତ୍ରମାନେ ତ କଣ୍ଠ ଫଟାଇ ଆମକୁ ଚେତେଇ ଯାଇଛନ୍ତି-”ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗ ନିଜ ମାତୃଭାଷା“(ଗଙ୍ଗାଧର ମେହେର)। ”ମାତୃଭୂମି, ମାତୃଭାଷା ଉଭୟ ଜନନୀ, ସେବି ତାଙ୍କୁ ଭକ୍ତିଭରେ ଦିବସ ରଜନୀ, ଏ ମାନବ ଜନ୍ମ ହେଉ ସଫଳ ମୋହର“(ମଧୁସୂଦନ ରାଓ)। ଆମ ଭାଷାର ସୁଯୋଗ୍ୟ ସେନାପତି ‘ଫକୀର ମୋହନ’ ବି ଉଦ୍‌ଘୋଷ କରିଯାଇଛନ୍ତି-‘ଭାଷା ହିଁ ଜୀବନୀଶକ୍ତି ଜାତିମାନଙ୍କର।’ ଏଣୁ ଆମେ ସମସ୍ତ ଓଡ଼ିଆପ୍ରାଣ ଓଡ଼ିଆ ଭାଷାର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ବିଶେଷ ଯତ୍ନବାନ୍‌ ହେବା।
ଗୋଡ଼ିଶୂଳ, ସଜନାଗଡ଼, ବାଲେଶ୍ୱର,
ମୋ- ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?