Odisha Elections 2024

ମନର ଯାନ୍ତ୍ରିକ ସହଚର

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

 

ଦାର୍ଶନିକ ପ୍ଲୁଟୋ ହୁଏତ ଭାବିପାରନ୍ତି ଯେ, ମନ ଓ ମସ୍ତିଷ୍କ ପରସ୍ପରଠାରୁ ଭିନ୍ନ ଏବଂ କହିପାରନ୍ତି, ”ମନ ହେଉଛି ଏକ ବୌଦ୍ଧିକ ସତ୍ତା, ଯାହାକୁ ପରୀକ୍ଷା କରିବା ଫଳରେ ସତ୍ୟର ସନ୍ଧାନ ମିଳିଥାଏ। ଅନ୍ୟପକ୍ଷରେ, ଆମେ ମସ୍ତିଷ୍କ ଦ୍ୱାରା ଇନ୍ଦ୍ରିୟମାନଙ୍କ ମାଧ୍ୟମରେ ଯାହାସବୁ ଅନୁଭବ କରୁ, ସେଗୁଡ଼ିକ ଆମ ଭୌତିକ ଶରୀରର ଏକ ଅଂଶ ଏବଂ ସେଗୁଡ଼ିକୁ ପ୍ରତାରିତ କରାଯାଇପାରିବ।“ କିନ୍ତୁ ସାଧାରଣ ଲୋକଙ୍କ ପାଇଁ ମନ ଏପରି ଏକ ଅବସ୍ଥା ଯାହାଦ୍ୱାରା ସେମାନେ ଭାବନ୍ତି, କଳ୍ପନା କରନ୍ତି, ମନେରଖନ୍ତି, ଇଚ୍ଛା କରନ୍ତି ଏବଂ ଅନୁଭବ କରନ୍ତି। ଏହା ମଧ୍ୟ ତାଙ୍କର ଅବବୋଧ, ସୁଖ ଓ ଯନ୍ତ୍ରଣା, ବିଶ୍ୱାସ, କାମନା, ଲକ୍ଷ୍ୟ ଏବଂ ଭାବପ୍ରବଣତା ସହ ସମ୍ପୃକ୍ତ। ମସ୍ତିଷ୍କ ସହିତ ଏହାର ସମ୍ପୃକ୍ତି ରହିଛି। କାରଣ ଏହା ସେମାନଙ୍କ ଭାବନା, ଅନୁଭବ ଏବଂ ଦୈହିକ କାର୍ଯ୍ୟକଳାପ କରିବାର ଦକ୍ଷତାକୁ ସୂଚିତ କଲାବେଳେ ମସ୍ତକ ମଧ୍ୟରେ ଥିବା ଅନ୍ୟଟି ଦେହର ଏକ ଭୌତିକ ଅଙ୍ଗ, ଯାହାକି ଏସବୁ କାର୍ଯ୍ୟକଳାପଗୁଡ଼ିକୁ ପରିଚାଳିତ କରେ। ଏପରିସ୍ଥଳେ ବିଗତ ୨୮ା୧ା୨୦୨୪ ଦିନ ଆମେରିକୀୟ କୋଟିପତି ଏଲନ୍‌ ମସ୍କଙ୍କ ‘ନ୍ୟୁରାଲିଂକ’ କମ୍ପାନୀର ବୈଜ୍ଞାନିକମାନେ ମସ୍ତିଷ୍କ ମଧ୍ୟରେ କମ୍ପ୍ୟୁଟର ଚିପ୍‌ ପ୍ରତିରୋପଣ କରିବା ଏବଂ ଏହି ଯାନ୍ତ୍ରିକ ବ୍ୟବସ୍ଥାଟି ମନ ସହିତ ମିଳିତ ଭାବେ କାର୍ଯ୍ୟ କରିବା ସେ ଦୁଇଟି ପରସ୍ପରଠାରୁ ଅଭିନ୍ନ ବୋଲି ପ୍ରମାଣିତ କରେ। ଅତଏବ ଏ ବ୍ୟବସ୍ଥାକୁ ମନର ସହଚର ବୋଲି କୁହାଯିବା ମଧ୍ୟ ଯୁକ୍ତିସିଦ୍ଧ।
‘ଟେଲିପାଥି’ ରୂପେ ନାମିତ ଏହି ବ୍ୟବସ୍ଥାଟି ହେଲା ଏକ ଛୋଟ ମୁଦ୍ରା ଆକାରର କମ୍ପ୍ୟୁଟର ଚିପ୍‌। ଅସ୍ତ୍ର ଚିକିତ୍ସା ବଳରେ ଏହାକୁ ଜଣେ ସ୍ବେଚ୍ଛାସେବୀଙ୍କ ମସ୍ତିଷ୍କ ତଳେ ପ୍ରତିରୋପଣ କରାଯାଇଛି। ଫଳରେ ଏହା ତାଙ୍କୁ କେବଳ ଚିନ୍ତା କରିବା ମାଧ୍ୟମରେ କମ୍ପ୍ୟୁଟର ଏବଂ ଟେଲିଫୋନ୍‌ ବ୍ୟବହାର କରିବାକୁ ସମର୍ଥ କରିଛି। ଏଥିରେ ରହିଛି ୧୦୨୪ଟି କେଶଠାରୁ ପତଳା ତାର। ସେଗୁଡ଼ିକୁ ତାଙ୍କ ମସ୍ତିଷ୍କର ନିର୍ଦ୍ଦିଷ୍ଟ ଅଂଶମାନଙ୍କରେ ଖଞ୍ଜି ଦିଆଯାଇଛି। ଏହାର ଶେଷ ଭାଗକୁ ରହିଛି ସୂକ୍ଷ୍ମାତି ସୂକ୍ଷ୍ମ ନମନୀୟ ବିଦ୍ୟୁତ୍‌ଦଣ୍ଡ। କୌଣସି କଥା ଚିନ୍ତା କଲେ ତଦନୁଯାୟୀ ମସ୍ତିଷ୍କରେ ସ୍ନାୟୁକୋଷମାନେ ସକ୍ରିୟ ହୋଇ ଏହାକୁ ବୈଦ୍ୟୁତିକ ସଙ୍କେତ ମାଧ୍ୟମରେ ସୂଚନା ଦିଅନ୍ତି। ଅନ୍ୟପକ୍ଷରେ ଏ ବ୍ୟବସ୍ଥାଟି ବାହାରେ ଥିବା ଯନ୍ତ୍ର (କମ୍ପ୍ୟୁଟର ବା ଫୋନ୍‌)କୁ କାମ କରିବାକୁ ନିର୍ଦ୍ଦେଶ ଦିଏ।
ଏ ପ୍ରକାର ମସ୍ତିଷ୍କ-କମ୍ପ୍ୟୁଟର ପାରସ୍ପରିକ କ୍ରିୟା ସମ୍ପର୍କରେ ପରୀକ୍ଷା ଲସ୍‌ ଏଞ୍ଜେଲସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟଠାରେ ଆରମ୍ଭ ହୋଇଥିଲା ୧୯୭୦ ମସିହାରେ। ଏହାଥିଲା ଏକ ସ୍ନାୟବିକ ପ୍ରଯୁକ୍ତିବିଦ୍ୟା। ବର୍ତ୍ତମାନ ‘ନ୍ୟୁରାଲିଙ୍କ’ର ସଫଳତା ଏହାକୁ ଗୋଟିଏ ପାଦ ଆଗକୁ ନେଇଛି। ଏହାଦ୍ୱାରା ପ୍ରତିରୋପଣ ହୋଇଥିବା ବ୍ୟବସ୍ଥାଟି ମଣିଷର ଅଙ୍ଗପ୍ରତ୍ୟଙ୍ଗର ଚଳାଚଳ ସହିତ ସମ୍ପୃକ୍ତ ମସ୍ତିଷ୍କର ‘ମୋଟର କୋର୍‌ଟେକସ୍‌’ ଅଂଶରେ କରାଯାଇଛି। ଏହାକୁ ଅନ୍ୟ ଏକ କ୍ଷୁଦ୍ର ବାହ୍ୟ ବ୍ୟବସ୍ଥା (କମ୍ପ୍ୟୁଟର) ସହିତ ବିନା ତାରରେ ସମ୍ପୃକ୍ତ କରାଯାଇଛି, ଯାହାକି ମସ୍ତିଷ୍କର ସୂଚନାଗୁଡ଼ିକୁ ପ୍ରକ୍ରିୟାକରଣ ଓ ବ୍ୟାଖ୍ୟା କରେ। ତାହା ସ୍ନାୟୁ କୋଷମାନଙ୍କ କ୍ରିୟାଶୀଳତା ଦ୍ୱାରା ଉତ୍ପନ୍ନ ସୂଚନାଗୁଡ଼ିକୁ ନିର୍ଦ୍ଦେଶରେ ପରିବର୍ତ୍ତିତ କରୁଛି।
ଆଗରୁ ମାଙ୍କଡ଼ମାନଙ୍କଠାରେ ଏପରି ବ୍ୟବସ୍ଥାମାନ ସଫଳତାର ସହ ପ୍ରତିରୋପଣ କରାଯାଇଥିଲା। ଫଳରେ ସେମାନେ ମନ ବା ଚିନ୍ତା କରିବା ମାଧ୍ୟମରେ କମ୍ପ୍ୟୁଟର କାର୍ଯ୍ୟକୁ ନିୟନ୍ତ୍ରଣ କରିପାରିଥିଲେ। ଅତଏବ ଏହାଦ୍ୱାରା ଶବ୍ଦମାନ ଟାଇପ୍‌ କରିବା ତାଙ୍କ ଦ୍ୱାରା ସମ୍ଭବ ହେଉଥିଲା। ଏଥିରୁ ଏହି ଅବସ୍ଥାର ସୁଦୂରପ୍ରସାରୀ ସମ୍ଭାବନାମୟ ଭବିଷ୍ୟତର ସୂଚନା ମିଳିପାରିଥିଲା। ତହିଁରୁ ଏବେ ସ୍ପଷ୍ଟ ମନେହୁଏ ଯେ, ‘ନ୍ୟୁରାଲିଂକ୍‌’ ଭବିଷ୍ୟତରେ ପକ୍ଷାଘାତ ରୋଗୀମାନଙ୍କ ଭାବନା ଏବଂ ତାଙ୍କ ଚତୁଃପାର୍ଶ୍ୱର ଦୁନିଆ ମଧ୍ୟରେ ସଂଯୋଗର ସେତୁଭଳି କାର୍ଯ୍ୟକରିବ। ସେଥିପାଇଁ ମସ୍କ ମତ ଦେଇଛନ୍ତି ଯେ, ମୋଟର ନ୍ୟୁରୋନ ରୋଗ ହେତୁ ଜୀବନସାରା ଅଚଳ ରହି କମ୍ପ୍ୟୁଟର ସହାୟତାରେ ଗବେଷଣା ଓ ଜୀବନଯାପନ କରୁଥିବା ସୁପ୍ରସିଦ୍ଧ ବୈଜ୍ଞାନିକ ଷ୍ଟିଫେନ ହକିଂ ଯଦି ଆଜି ବଞ୍ଚିଥାନ୍ତେ ଏବଂ ତାଙ୍କଠାରେ ଏ ବ୍ୟବସ୍ଥା ଖଞ୍ଜାଯାଇ ପାରିଥାନ୍ତା ତା’ ହେଲେ ବିଜ୍ଞାନଜଗତ ତଦ୍ଦ୍ବାରା ବହୁଳଭାବେ ଉପକୃତ ହୋଇଥା’ନ୍ତା।
ଏ ବ୍ୟବସ୍ଥା ବିକଶିତ ହେଲେ ପାର୍କିନ୍‌ସନ୍ସ ରୋଗ, ବାର୍ଦ୍ଧକ୍ୟଜନିତ ସ୍ମୃତି ଶକ୍ତିହୀନତା ଏବଂ ଅନ୍ୟାନ୍ୟ ମାନସିକ ତଥା ଶାରୀରିକ ଅକ୍ଷମତା ଭୋଗୁଥିବା ରୋଗୀମାନଙ୍କଠାରେ ଏହା ବ୍ୟବହାର ହୋଇପାରିବ ବୋଲି ଆଶା କରନ୍ତି ବୈଜ୍ଞାନିକମାନେ। ଏପରିକି ସୁସ୍ଥ ଲୋକେ ମଧ୍ୟ ଏହାଦ୍ୱାରା ଉପକୃତ ହୋଇପାରିବେ। ତେବେ ସେ ପ୍ରକାର ବ୍ୟବହାର ପାଇଁ ଏ ବ୍ୟବସ୍ଥାକୁ ଉପଯୋଗୀ କରିବାକୁ ଆହୁରି ୫/୧୦ ବର୍ଷ ପର୍ଯ୍ୟନ୍ତ ଲାଗିଯିବ ବୋଲି ମନେକରାଯାଏ।
‘ନ୍ୟୁରୋଲିଂକ୍‌’ର ବ୍ୟବହାରକୁ ନେଇ ମଧ୍ୟ ଅନେକ ବିପଦର ଆଶଙ୍କା ରହିଛି। ଉଦାହରଣ ସ୍ବରୂପ ଏଥିରେ ଅସ୍ତ୍ର ଚିକିତ୍ସା ଦ୍ୱାରା ଖପୁରିରେ ଗର୍ତ୍ତ କରି ତନ୍ମଧ୍ୟ ଦେଇ ମସ୍ତିଷ୍କକୁ ସୁରକ୍ଷିତ ରଖିଥିବା ସ୍ତରଗୁଡ଼ିକୁ କାଟିବାକୁ ହୁଏ। ଏଥିରେ ସଂକ୍ରମଣ, ପ୍ରତିରୋପିତ ପଦାର୍ଥର ପ୍ରତ୍ୟାଖ୍ୟାନ (ଶରୀରର ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା) ଆଦିର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ମଣିଷର ମନ ଭିତରକୁ ଏ ପ୍ରକାର ଅଭୂତପୂର୍ବ ଅନୁପ୍ରବେଶ ବହୁ ନୈତିକ ପ୍ରଶ୍ନ ଉତ୍‌ଥାପନ କରିଛି। ତନ୍ମଧ୍ୟରୁ ପ୍ରଥମଟି ହେଲା, ବ୍ୟକ୍ତିଗତ ଜୀବନ ଉପରେ ପ୍ରଭାବ। ଏହା ସାହାଯ୍ୟରେ ଜଣେ ଲୋକ କ’ଣ ଚିନ୍ତା କରୁଛି, ତା’ର ଅତୀତର ସ୍ମୃତି ଆଦି ଜାଣିହେବ। ଅତଏବ ତାହାକୁ ସର୍ବସାଧାରଣ କରାଯାଇପାରିବ। ଅନ୍ୟପକ୍ଷରେ ଏହା ଉପରେ ବାହାରୁ ପ୍ରଭାବ ପକାଇ ଜଣେ ବ୍ୟକ୍ତିର ମନକୁ ଅନ୍ୟ ଜଣେ ନିୟନ୍ତ୍ରଣ କରିବା ମଧ୍ୟ ଭବିଷ୍ୟତରେ ସମ୍ଭବ ହୋଇପାରେ। ପୁନଶ୍ଚ ଏହା ମଧ୍ୟ ମଣିଷ ଓ ଯନ୍ତ୍ର ମଧ୍ୟରେ ଥିବା ସୀମାରେଖାକୁ ଅସ୍ପଷ୍ଟ କରିଦେଇପାରେ ଏବଂ ସେ ତା’ର ପରିଚୟ ହଜାଇ ଦେଇପାରେ। ଏହିଭଳି ବିବିଧ ପ୍ରଶ୍ନ ଉଠୁଛି ଅନେକ ମହଲରୁ।
ଅନ୍ୟପକ୍ଷରେ ମସ୍କ ସାନ୍ତ୍ୱନାବାଣୀ ଶୁଣାଇ ସାରିଲେଣି ଯେ ଅନ୍ତତଃ ବର୍ତ୍ତମାନ ପାଇଁ ଏ ବ୍ୟବସ୍ଥାର ବ୍ୟବହାର କେବଳ ଚିକିତ୍ସା କ୍ଷେତ୍ର ମଧ୍ୟରେ ହିଁ ସୀମାବଦ୍ଧ ରହିବ। ଆମେରିକା ସରକାର ବି ତାହା ନିୟନ୍ତ୍ରଣ କରିବାକୁ ନେଇ ଆଇନ ପ୍ରଣୟନ କଥା ଘୋଷଣା କଲେଣି। ତେବେ ସାଧାରଣତଃ ବହୁ ଉଚ୍ଚତର ତଥା ଶ୍ରେଷ୍ଠ ଗବେଷଣାର ଫଳାଫଳ ଦୁର୍ବ୍ୟବହାରୀମାନଙ୍କ ହାତକୁ ଚାଲିଯିବାର ଦେଖାଯାଏ। ପ୍ରକୃତରେ ଏହା ହିଁ ଏ କ୍ଷେତ୍ରରେ ଚିନ୍ତାର କାରଣ ହୋଇଛି। ତଥାପି ମଣିଷର ଜୀବନଧାରଣ ମାନ ବୃଦ୍ଧି ତଥା ସାର୍ବଜନୀନ ମଙ୍ଗଳ ଦିଗରେ ବିଜ୍ଞାନକୁ ଅଗ୍ରସର ହେବାକୁ ପଡ଼ିବ। ସେଥିପାଇଁ ଏଭଳି ବ୍ୟବସ୍ଥାର ସଦୁପଯୋଗ ଲାଗି ଆମକୁ ଅଧିକ ଦାୟିତ୍ୱବାନ ହେବାକୁ ହେବ।
ଉଷା ନିବାସ, ୧୨୪/୨୪୪୫
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୟସ ୮୭, ତଥାପି ଏହି ବୟସରେ ସଡ଼କ ଦୁର୍ଘଟଣାରେ ଜୀବନ ବଞ୍ଚାଇବା ଲାଗି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ରାଜସ୍ଥାନର ଡ. ମାୟା ଟଣ୍ଡନ। ସେ...

ଗ୍ରୀଷ୍ମରେ ଛାୟାଦ୍ରୁମ

ଡ. ଶରତ ଚନ୍ଦ୍ର ପରିଡ଼ା   ପ୍ରଚଣ୍ଡ ଗ୍ରୀଷ୍ମରେ ଶୀତଳ ଛାଇ ଟିକିଏ ମିଳିଗଲେ ସତେ କି ଅମୃତ! ମଝିରେ ମଝିରେ ଝଡ଼ବତାସ ଆସି ପୁରୁଣାକାଳିଆ...

ଅକାଳ ପକ୍ବ ଫଳ ଅମୃତ ନା ବିଷ

ଡ. ଚିନ୍ତାମଣି ପଣ୍ଡା   ଋତୁକାଳୀନ ଫଳ ଓ ପନିପରିବା ସବୁ ବର୍ଷର ଭିନ୍ନ ଭିନ୍ନ ଋତୁରେ ବଜାରକୁ ଆସିଥାଏ। ଯେଉଁ ସମୟରେ ଯେଉଁ ଫଳଟି...

ନୈରାଶ୍ୟର ପ୍ରତିବାଦ

ସ୍ଲାଭୋଜ୍‌ ଜିଜେକ୍‌   ଏବେ ଅତି ଖରାପ ସମୟ ପଡ଼ିଛି। ପ୍ରକୃତିରେ ଶାନ୍ତି ଓ ସ୍ଥିରତାରେ ବ୍ୟାଘାତ ଘଟୁଛି। ବାରମ୍ବାର ଦୁବାଇରେ ପ୍ରବଳ ବର୍ଷା କିମ୍ବା...

ମିଶୁ ମୋର ଦେହ ଏ ଦେଶ ମାଟିରେ

ବର୍ତ୍ତମାନ ଚାରିଆଡ଼େ ନିର୍ବାଚନର ମାହୋଲ। ସବୁଠି ନେତାମାନଙ୍କର ମାଳ ମାଳ ପ୍ରତିଶ୍ରୁତିର ସ୍ବର। ଦୂରଦର୍ଶନ ହେଉ ବା ସାମାଜିକ ଗଣମାଧ୍ୟମ, ଯେକୌଣସି ପ୍ଲାଟ୍‌ଫର୍ମ ହେଉ ସବୁଠି...

ଚାରି ଦୁଆର ଓ ରତ୍ନ ଭଣ୍ଡାର

ପୁରୀ ସହର ବା ଜିଲା ନୁହେଁ ବରଂ ରାଜ୍ୟ ଓ ରାଜ୍ୟ ବାହାରେ ଏପରି କି ବିଦେଶରେ ରହୁଥିବା ସମସ୍ତ ଶ୍ରୀଜଗନ୍ନାଥପ୍ରେମୀଙ୍କ ମନରେ ଶ୍ରୀମନ୍ଦିରର ଚାରି...

ଏଇ ଭାରତରେ

ଉତ୍ତରାଖଣ୍ଡରେ ପାଇନ ଗଛର ଶୁଷ୍କପତ୍ର (ପାଇନ ନିଡଲ୍ସ) ବନାଗ୍ନିର ଏକ ବଡ଼ କାରଣ ବୋଲି କୁହାଯାଉଛି। ଏହା ବର୍ଷ ବର୍ଷ ଧରି ଗଛମୂଳରେ ଜମା ହୋଇ...

ସମୟାନ୍ତରେ ରାମାୟଣ

ଗଙ୍ଗା ନଦୀ ଅବବାହିକାରେ ଭାରତର ୫୦ ପ୍ରତିଶତ ଭୋଟର ରହନ୍ତି। ତେଣୁ ହିନ୍ଦୁତ୍ୱବାଦୀ ରାଜନେତାମାନଙ୍କ ପାଇଁ ରାମାୟଣ ବିଶେଷକରି ତୁଳସୀ ଦାସ ରଚିତ ରାମଚରିତ ମାନସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri