ନୂଆଦିଲ୍ଲୀ,୨୦ା୯: କୁହାଯାଏ, ପାଠପଢ଼ା ପାଇଁ ବୟସ କେବେ ବି ବାଧା ହୋଇପାରେ ନାହିଁ। ମନରେ ଦୃଢ଼ ଇଚ୍ଛା ଥିଲେ ଯେକୌଣସି ବୟସରେ ଲକ୍ଷ୍ୟ ହାସଲ କରିହୁଏ । ଏହାର ଏକ ଉଦାହରଣ ସାଜିଛନ୍ତି ହରିୟାଣାର ସିରସାର ବାସିନ୍ଦା ଲାଲ ଚନ୍ଦ ଗୋଦାରା। ୮୫ ବର୍ଷ ବୟସରେ ସେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭର୍ସିଟି (IGNOU)ରୁ MA ଡିଗ୍ରୀ ହାସଲ କରିଛନ୍ତି।
MA ପରୀକ୍ଷାରେ ୧୨୦୦ ମାର୍କରୁ ୯୬୫ ମାର୍କ ରଖିଛନ୍ତି ଲାଲ ଚନ୍ଦ। ତାଙ୍କର ଶିକ୍ଷା ଯାତ୍ରା ମଧ୍ୟ ବେଶ୍ ପ୍ରେରଣାଦାୟକ। ୭୧ ବର୍ଷ ବୟସରେ ପୁଣିଥରେ ପାଠପଢ଼ା ଆରମ୍ଭ କରିବାକୁ ସେ ନିଷ୍ପତ୍ତି ନେଇଥିଲେ। ଏହାପରେ ୭୬ ବର୍ଷ ବୟସରେ ଗ୍ରାଜୁଏସନ୍ ଡିଗ୍ରୀ ହାସଲ କରିଥିଲେ। ଏବେ ୮୫ ବର୍ଷରେ MA ସମ୍ପୂର୍ଣ୍ଣ କରିବା ପରେ ତାଙ୍କର ଆଗାମୀ ଲକ୍ଷ୍ୟ ହେଉଛି ପିଏଚ୍ଡି କିମ୍ବା ଆଇନ ପାଠ ପଢ଼ିବା। ଲାଲ ଚନ୍ଦ ଗୋଦାରା ଦୀର୍ଘ ସମୟ ଭାରତୀୟ ସେନାରେ କାର୍ଯ୍ୟ କରି ଦେଶସେବା କରିଛନ୍ତି । ୧୯୬୨, ୧୯୬୫ ଓ ୧୯୭୧ ମସିହାର ଯୁଦ୍ଧରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ।
ପାଠପଢ଼ା ଜାରି ରଖିବା ତାଙ୍କର ପୁରୁଣା ସ୍ୱପ୍ନ ଥିଲା। କିନ୍ତୁ ପାରିବାରିକ ଓ ଜୀବନର ବିଭିନ୍ନ ପରିସ୍ଥିତି ଯୋଗୁଁ ସେ ଦୀର୍ଘ ସମୟ ପାଠପଢ଼ାଠାରୁ ଦୂରେଇ ରହିଥିଲେ। ସେନାରୁ ଅବସର ନେବା ପରେ ୭୧ ବର୍ଷ ବୟସରେ ପୁଣିଥରେ ଶିକ୍ଷା ଆରମ୍ଭ କରିବାକୁ ମନସ୍ଥ କରିଥିଲେ । ଏହି ଯାତ୍ରାରେ ତାଙ୍କ ନାତୁଣୀମାନେ ମଧ୍ୟ ତାଙ୍କୁ ପାଠପଢ଼ା ଜାରି ରଖିବାକୁ ଉତ୍ସାହିତ କରିଥିଲେ।ଦେଶସେବା ପରେ ମଧ୍ୟ ଲାଲ ଚନ୍ଦ ଗୋଦାରାଙ୍କ କର୍ମମୟ ଜୀବନ ଥମିନଥିଲା। ସେ ହରିୟାଣା ପରିବହନ ବିଭାଗରେ ମଧ୍ୟ କାମ କରିଥିଲେ। ସୂଚନା ଅନୁସାରେ, ୧୯୭୨ରୁ ୨୦୦୨ ପର୍ଯ୍ୟନ୍ତ ସେ ୟାର୍ଡ ମାଷ୍ଟର ଭାବେ କାର୍ଯ୍ୟ କରିଥିଲେ।
ଏହାସହ ସେ ମାଷ୍ଟର୍ସ ଆଥଲେଟିକ୍ସ ପ୍ରତିଯୋଗିତାରେ ମଧ୍ୟ ଅଂଶ ନେବା ଆରମ୍ଭ କରିଥିଲେ । ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଅନେକ ପ୍ରତିଯୋଗିତାରେ ସେ ପଦକ ଜିତିଛନ୍ତି । ତାଙ୍କ ପାଖରେ ଏବେ ପ୍ରାୟ ୨୦୦ଟି ପଦକ ରହିଛି, ଯେଉଁଥିରେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ସାମିଲ ଅଛି।୮୫ ବର୍ଷ ବୟସରେ MA ଡିଗ୍ରୀ ହାସଲ କରି ଲାଲ ଚନ୍ଦ ଗୋଦାରା ପ୍ରମାଣ କରିଛନ୍ତି ଯେ ଶିଖିବାର ଇଚ୍ଛା ଥିଲେ ବୟସ କେବେ ବି ସଫଳତାର ପଥରେ ବାଧା ହୁଏନାହିଁ ।

