
ଭୁବନେଶ୍ୱର,୮।୨: ଦିଲ୍ଲୀ ବିଜୟ ପରେ ଭାଜପା ନେତା ତଥା ରାଜ୍ୟ ସଭାପତି ମନୋମହନ ସାମଲ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବୈଜୟନ୍ତ ପଣ୍ଡା ଧନ୍ୟବାଦର ପାତ୍ର । ରାଷ୍ଟ୍ରୀୟ ଉପସଭାପତି ଭାବେ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି। ଏଥର ଦିଲ୍ଲୀ ନିର୍ବାଚନ ଦାୟିତ୍ୱ ତାଙ୍କୁ ପ୍ରଦାନ କରାଯାଇଥିଲା। ନିର୍ବାଚନ ପରିଚାଳନାକୁ ବେଶ ସୁଚାରୁ ରୂପେ କରି ପାରିଛନ୍ତି। ସମସ୍ତଙ୍କୁ ଏକାଠି କରି ନିର୍ବାଚନ ପରିଚାଳନା କରି ସଫଳତା ଆଣିଛନ୍ତି। ମୋଦିଙ୍କ ନେତୃତ୍ବରେ ସମସ୍ତଙ୍କୁ ଏକତ୍ର କରିବାରୁ ସଫଳତା ମିଳିଛି।
୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳର ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ଏହି ନିର୍ବାଚନ ଫଳାଫଳରେ, ଭାରତୀୟ ଜନତା ପାର୍ଟି ପ୍ରାୟ ବହୁମତ ସଂଖ୍ୟା ଅତିକ୍ରମ କରିସାରିଛି। ସରକାର ଗଠନ କରିବା ନେଇ ଆତ୍ମବିଶ୍ୱାସୀ ଭାରତୀୟ ଜନତା ପାର୍ଟିର ନେତାମାନେ ଖୁସି ମନେହେଉଛି। ଏହି ସମ୍ପର୍କରେ ଭାଜପା ନେତା ଯୋଗେନ୍ଦ୍ର ଚନ୍ଦୌଲି ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଆବେଦନ ଶୁଣିବା ପାଇଁ ମୁଁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଉଛି। କେଜ୍ରିୱାଲ ସମସ୍ତ ମଡେଲରେ ବିଫଳ ହୋଇଛନ୍ତି। କେଜ୍ରିୱାଲ ତିହାର ଯିବେ ଏହା ନିଶ୍ଚିତ। ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ କିନ୍ତୁ ଏବେ ସେ ବିଧାୟକ ମଧ୍ୟ ହେବାକୁ ଯାଉନାହାଁନ୍ତି। ଦଳର ହାଇକମାଣ୍ଡ ଦ୍ୱାରା ମନୋନୀତ ଯେକୌଣସି ଦଳୀୟ କର୍ମୀ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।