
ମୁମ୍ବାଇ,୧୭।୬: ରଗ୍ବୀ ପ୍ରିମିୟର ଲିଗ୍ (ଆର୍ପିଏଲ୍)ରେ ସୋମବାର କଳିଙ୍ଗ ବ୍ଲାକ ଟାଇଗର୍ସ ଏକତରଫା ଭାବେ ୧୦-୩୫ ପଏଣ୍ଟରେ ବେଙ୍ଗାଲୁରୁ ବ୍ରେଭହାଟର୍ସଠାରୁ ପରାସ୍ତ ହୋଇଛି। ଓଡ଼ିଶା ପାଇଁ ଏଥାନ ଟର୍ନର ଓ ଲୁକାସ ଲାକାମ୍ପ ଗୋଟିଏ ଲେଖାଏ ଟ୍ରାଇ କରିଥିଲେ।
ବେଙ୍ଗାଲୁରୁ ପକ୍ଷରୁ ଫିଲିପ ଓ୍ବକୋରଚ ଦୁଇଟି ଟ୍ରାଇ ସ୍କୋର କରିଥିବା ବେଳେ ଆକୁଲିଆ ରୋକୋଲିସୋଆ, ଲୋଓ୍ବାନେ ତେବା ଓ ମୋହିତ ଖତ୍ରି ଗୋଟିଏ ଲେଖାଏ ଟ୍ରାଇ କରିଥିଲେ। ଏହା ବ୍ଲାକ ଟାଇଗର୍ସ ଦଳ ପାଇଁ ଲଗାତର ଦ୍ୱିତୀୟ ପରାଜୟ। ଦଳ ତା’ର ପ୍ରଥମ ମ୍ୟାଚ୍ରେ ହାଇଦ୍ରାବାଦ ହିରୋଜଠାରୁ ପରାସ୍ତ ହୋଇଥିଲା। ଆଜି ଦିନର ଦ୍ୱିତୀୟ ମ୍ୟାଚ୍ରେ ଚେନ୍ନାଇ ବୁଲ୍ସ ୩୧-୧୭ ପଏଣ୍ଟରେ ମୁମ୍ବାଇ ଡ୍ରିମର୍ସକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଭାଫୌସେ ମାଲିକୋ ଓ ଜୋସେଭା ଟାଲାକୋଲୋ ଦୁଇଟି ଲେଖାଏ ଏବଂ ଫିଲିପ ସୌଟୁରାଗା ଗୋଟିଏ ସ୍କୋର କରିଥିଲେ। ମୁମ୍ବାଇ ପାଇଁ ଓ୍ବେସାୟା ନକୁକୁ, ଜେମ୍ସ ଟର୍ନର ଓ ବ୍ରିଆର ବାରୋନ ଗୋଟିଏ ଲେଖାଏ ଟ୍ରାଇ କରିଥିଲେ। ଲଗାତର ଦ୍ୱିତୀୟ ବିଜୟ ସହ ଚେନ୍ନାଇ ବୁଲ୍ସ ୮ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଶୀର୍ଷର ରହିଛି। ଅନ୍ୟପକ୍ଷରେ ଖାତା ଖୋଲିପାରିନଥିବା କଳିଙ୍ଗ ବ୍ଲାକ ଟାଇଗର୍ସ ପଏଣ୍ଟ ଟେବୁଲର ସର୍ବନିମ୍ନରେ ରହିଛି।