ଦିଗପହଣ୍ଡି, ୧୧/୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ରତନେଇ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ହରିଣା, ସୁମନ୍ତପୁର, ବଳଧିଆ, ଆମ୍ବଗାଁ, ପଳାଶପୁର, ଇନ୍ଦିରାଆବାସ, ଲୁଣିନାଠି, ଗଙ୍ଗାପୁର, ଦ୍ୱିତୀୟ ଢେପାଗୁଡ଼ା, ତିଳେଶ୍ୱର, ବଳଧିଆ ଖଇରପଦର, ସିଙ୍ଗପୁର, ଗୁଣ୍ଡୁରିଗୁଡ଼ା, ଆଦିକନ୍ଦପୁର ଓ ସୁନାଖଣ୍ଡି ଆଦି ଅଞ୍ଚଳରେ ଗତ ପ୍ରାୟ ଏକ ସପ୍ତାହ ହେଲା ୪ଟିକିଆ ହାତୀପଲ ଉପଦ୍ରବ ଚଳାଇଛନ୍ତି। ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି। ଏହି ସମୟରେ ହରିଣା ଗ୍ରାମ ନିକଟ ଜଙ୍ଗଲ ଜମିରେ ଅସ୍ଥାୟୀ ଗୁହାଳ କରି ଗାଈ ରଖିଥିବା ଗ୍ରାମର ଜୁରିଆ ଗୌଡ଼ଙ୍କ ଗାଈପଲ ଉପରେ ଦନ୍ତା ହାତୀ ଆକ୍ରମଣ କରିବାରୁ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଟି ଗାଈ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ବଳଧିଆ ଓ ହରିଣା ଗ୍ରାମ ନିକଟକୁ ହାତୀପଲ ଆସିଥିବା ଦେଖି କିଛି ଯୁବକ ହାତୀମାନଙ୍କ ଉପରକୁ ବାଣରେ ନିଆଁ ଲଗାଇ ଫିଙ୍ଗିଥିଲେ। ଏଥିରେ ହାତୀପଲ ଉତ୍ତ୍ୟକ୍ତ ହୋଇ ଜଙ୍ଗଲ ମଧ୍ୟକୁ ଫେରୁଥିବା ବେଳେ ଜୁରିଆଙ୍କ ଗୁହାଳ ନିକଟରେ ପହଞ୍ଚିଥିଲେ। ସେଠାରେ ଖୁଣ୍ଟରେ ବନ୍ଧା ହୋଇଥିବା ଗାଈଗୁଡ଼ିକୁ ଦଳିଦେବା ସହ ଶୁଣ୍ଢରେ ଫୋପାଡ଼ି ଦେଇଥିଲେ। ଫଳରେ ଗୋଟିଏ ଗାଈ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇଟି ଗାଈ ଗୁରୁତର ଆହତ ହୋଇଥିଲେ।
ଖବର ପାଇ ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧୀନ ପାଟପୁର ସେକ୍ସନର ଫରେଷ୍ଟର ସନ୍ତୋଷ କୁମାର ସାହୁ, ଫରେଷ୍ଟ ଗାର୍ଡ ଯମୁନା ଜାନି, ସାରଥି କାର୍ଜି ଏବଂ ପାରା ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏଥିସହ ଡେଙ୍ଗାଓସ୍ତା ଗ୍ରାମ ପ୍ରାଣୀ ଚିକିତ୍ସାଳୟର ଡାକ୍ତର ସୁଲେଖା ପଣ୍ଡା ଓ ଅନ୍ୟ କର୍ମଚାରୀଙ୍କୁ ଡକାଯାଇ ଆହତ ଗାଈମାନଙ୍କର ଚିକିତ୍ସା କରାଯାଇଥିଲା। ବନ ବିଭାଗର ଉଚ୍ଚ ଅଧିକାରୀଙ୍କ ପରାମର୍ଶକ୍ରମେ ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ମୃତ ଗାଈର ବ୍ୟବଚ୍ଛେଦ କରିଥିଲେ। ପରେ ମୃତ ଗାଈକୁ ସେଠାରେ ପୋତି ଦିଆଯାଇଥିବା ଫରେଷ୍ଟର ସୂଚନା ଦେଇଛନ୍ତି।
କ୍ଷତିପୂରଣ ପାଇଁ ବନ ବିଭାଗ ପକ୍ଷରୁ ଜାରି ଅନୁକମ୍ପା ଆପ୍ ଜରିଆରେ ଆବେଦନ କଲେ ନିୟମ ଅନୁଯାୟୀ କ୍ଷତିଗ୍ରସ୍ତ ପଶୁପାଳକଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଫରେଷ୍ଟର ଜଣାଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ୨୩ ତାରିଖ ଭୋର ପ୍ରାୟ ୫ଟା ସମୟରେ ଚାଷଜମିରେ କାମ କରୁଥିବା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତର ଜଲମେରିପଲ୍ଲୀ ଗ୍ରାମର ସିମାଞ୍ଚଳ ରାଉତଙ୍କ ସ୍ତ୍ରୀ ଉର୍ମିଳା ରାଉତ (୫୧) ଏବଂ ସ୍ୱର୍ଗତ କାଶୀନାଥ ପ୍ରଧାନଙ୍କ ପୁଅ ଗୋପୀନାଥ ପ୍ରଧାନ (୬୭)ଙ୍କୁ ଦନ୍ତା ହାତୀ ଆକ୍ରମଣ କରିଥିଲା। ଏହି ଘଟଣାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା।

