
ଭବାନୀପାଟଣା,୨୯।୬ (ଉତ୍ତମ କୁମାର ଦାଶ): ରାଜ୍ୟରେ କଳାହାଣ୍ଡି ଜିଲା ଧାନ ଓ କପା ଉତ୍ପାଦନ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ଏବେ ଆଉ ଏକ ପାଦ ଆଗକୁ ବଢିଛି। ଜିଲାରେ ଉତ୍ପାଦନ ହେଉଥିବା ଉନ୍ନତ ମାନର ମାଛ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ଆଗାମୀ ଦିନରେ ଜିଲା ମାଛଚାଷର ହବ୍ ହେବ ବୋଲି ଚାଷୀମାନେ ମତପ୍ରକାଶ କରିଛନ୍ତି। ଭଲ ମାଛ ଉତ୍ପାଦନ ହେଉଥିବାରୁ ଏହାକୁ ଆହୁରି ବ୍ୟାପକ କରିବାକୁ ଚାଷୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକକୁ ଛାଡି ଭବାନୀପାଟଣା, ଧର୍ମଗଡ, ଜୟପାଟଣା, ଜୁନାଗଡ, ଗୋଲାମୁଣ୍ଡା, କେସିଙ୍ଗା, ନର୍ଲା, କଲମପୁର, ଲାଞ୍ଜିଗଡ଼, କର୍ଲାମୁଣ୍ଡା, ଏମ୍ ରାମପୁର, କୋକସରା ଆଦି ୧୨ ବ୍ଲକରେ ଉନ୍ନତମାନର ମାଛ ଚାଷ କରାଯାଉଛି। ପ୍ରତିବର୍ଷ ଜିଲାରେ ୧୪ ହଜାର ହେକ୍ଟର ଅଞ୍ଚଳରେ ମାଛ ଚାଷ ହେଉଥିବାବେଳେ ୩୦ ହଜାରରୁ ଊଦ୍ଧର୍ବ ମେଟ୍ରିକ ଟନ ମାଛ ଉତ୍ପାଦନ ହେଉଛି। ଏହାଦ୍ୱାରା ଚାଷୀମାନେ ସ୍ବାବଲମ୍ବୀ ହେବା ସହିତ ନିଜର ଆର୍ଥିକସ୍ଥିତି ସୁଦୃଢ଼ କରିବାରେ ସକ୍ଷମ ହୋଇପାରୁଛନ୍ତି ବୋଲି ଜିଲା ମତ୍ସ୍ୟ ଅଧିକାରିଣୀ ଦ୍ରୌପଦୀ ମାଝି ପ୍ରକାଶ କରିଛନ୍ତି। ସେହିପରି ମାଛ ଚାଷୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯାଇ ଆଗକୁ ବଢିବାକୁ ପ୍ରେରଣା ଦିଆଯାଉଛି। ଚଳିତବର୍ଷ ୩୧ ହଜାର ଟନ୍ ମାଛ ଉତ୍ପାଦନର ଲକ୍ଷ୍ୟ ରହିଥିବା ସେ କହିଥିଲେ। ଏହି ଉତ୍ପାଦନକୁ ଦେଖିଲେ କଳାହାଣ୍ଡି ଜିଲା ପୁଣି ଥରେ ରାଜ୍ୟରେ ରେକର୍ଡ କରିବ ବୋଲି ଜଣାପଡିଛି।
ପ୍ରକାଶ ଯେ, ୨୦୨୦ରେ ସମଗ୍ର ଦେଶରେ କଳାହାଣ୍ଡି ଜିଲା ମତ୍ସ୍ୟଚାଷ ପ୍ରଦର୍ଶନୀ କ୍ଷେତ୍ରରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲା। ଏହାକୁ ନେଇ ସେହିବର୍ଷ ବିଶ୍ୱ ମତ୍ସ୍ୟ ଦିବସ ଅବସରରେ ଭାରତ ସରକାରଙ୍କ ପକ୍ଷରୁ କଳାହାଣ୍ଡି ପୁରସ୍କୃତ ମଧ୍ୟ ହୋଇଥିଲା। ସେହି ଦିନଠାରୁ ମାଛ ଚାଷ ପାଇଁ ଚାଷୀଙ୍କ ଆଗ୍ରହ ବଢିବାରେ ଲାଗିଛି। ପୂର୍ବରୁ କେବଳ ପୁରୁଷମାନେ ଏହି କାର୍ଯ୍ୟ କରୁଥିବାବେଳେ ଏବେ ଏସ୍ଏଚ୍ଜି ମହିଳାମାନେ ମତ୍ସ୍ୟ ଚାଷକରି ପୁରସ୍କୃତ ହେଉଛନ୍ତି। ଏହି ଚାଷକୁ କିଭଳି ଆହୁରି ବ୍ୟାପକ କରାଯାଇ ପାରିବ ସେ ଉପରେ ଚାଷୀମାନେ ଉଦ୍ୟମ ଜାରି ରଖିଛନ୍ତି। ଚାଷୀମାନେ କିଭଳି ଉନ୍ନତ ପ୍ରଣାଳୀରେ ମାଛ ଚାଷ କରିପାରିବେ ସେ ଉପରେ ଗୁରୁତ୍ୱ ଦେଇଛି ଜିଲା ମତ୍ସ୍ୟ ବିଭାଗ। ସେମାନଙ୍କୁ ବିଭାଗ ପକ୍ଷରୁ ପ୍ରୋତ୍ସାହନ ଯୋଗାଯିବା ସହ ମାଛ ଚାଷ ଉପରେ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଉଛି। ଅନେକ ସମୟରେ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ଫ୍ରେଶ ୱାଟର ଆକ୍ସାକଲଚର (ସିଫା)ର ଅଧିକାରୀ ଓ ମତ୍ସ୍ୟ ବିଜ୍ଞାନୀମାନେ ଜିଲାର ମାଛ ଚାଷ ହେଉଥିବା ଅଞ୍ଚଳ ଗସ୍ତ କରି ମାଛ ଚାଷୀମାନଙ୍କ ସହ ଆଲୋଚନା କରୁଛନ୍ତି। ପୂର୍ବରୁ କଳାହାଣ୍ଡି ଜିଲାକୁ ଆନ୍ଧ୍ରପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗରୁ ମାଛ ଆମଦାନୀ ହେଉଥିବାବେଳେ ବର୍ତ୍ତମାନ ଆଉ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ
ପଡୁନାହିଁ। ଜିଲାର ମାଛ ଉତ୍ପାଦନ ଆବଶ୍ୟକତା ପୂରଣ କରୁଛି। ସେହିପରି କଳାହାଣ୍ଡିର ମାଛ ଏବେ ବାହାର ରାଜ୍ୟକୁ ମଧ୍ୟ ରପ୍ତାନି ହେଉଛି। ଏହା ଦ୍ୱାରା ଆଗାମୀ ଦିନରେ କଳାହାଣ୍ଡି ମାଛ ଚାଷର ହବ୍ରେ ପରିଣତ ହେବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଜିଲାର ବିଭିନ୍ନ ଅଞ୍ଚଳରେ ରୋହି, ଭାକୁର, ବିଲାତି ଭଳି ଅନେକ ପ୍ରକାର ମାଛ ଚାଷ ହୋଇଥାଏ। ହେଲେ ମାଛ ଦରକୁ ନେଇ ଚାଷୀମାନଙ୍କ ମଧ୍ୟରେ କିଛିଟା ଅସନ୍ତୋଷ ଦେଖାଦେଇଛି। ଚାଷୀମାନେ ମାଛ କିଲୋ ପିଛା ୧୫୦ ଟଙ୍କାରେ ବିକ୍ରି କରୁଥିବା ବେଳେ ତାହା ବଜାରରେ ୨୦୦ରୁ ୨୨୦ ଟଙ୍କାରେ ବିକ୍ରି ହେଉଛି। ତେଣୁ ସରକାର ବଜାର ବ୍ୟବସ୍ଥା କଲେ ଚାଷୀମାନେ ଆହୁରି ଉପକୃତ ହୋଇପାରନ୍ତେ ବୋଲି ଧର୍ମଗଡ଼ ବ୍ଲକର ଯୁବ ମାଛ ଚାଷୀ ପ୍ରସନଜିତ ପାତ୍ର ପ୍ରକାଶ କରିଛନ୍ତି।