ବାଇଡେନ୍‌ଙ୍କ ପଦକ୍ଷେପ

ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦ୍ୱାରା ଭର୍ଚୁଆଲ୍‌ ମାଧ୍ୟମରେ ‘ସମିଟ୍‌ ଫର୍‌ ଡେମୋକ୍ରାସି’ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହାର ୩ଟି ଉଦ୍ଦେଶ୍ୟ ଥିଲା, ଯଥା-ଏକଚ୍ଛତ୍ରବାଦକୁ ପ୍ରତିହତ କରିବା, ଦୁର୍ନୀତି ବିରୋଧରେ ସଂଗ୍ରାମ ଏବଂ ମାନବ ଅଧିକାରକୁ ସମ୍ମାନର ସହ ଆଗକୁ ନେବା। ସମ୍ମିଳନୀକୁ ଚାଇନା ଓ ରୁଷିଆ ଭଳି ବଡ଼ ଦେଶକୁ ନିମନ୍ତ୍ରଣ କରାଯାଇ ନ ଥିଲା। ଏଥିରୁ ବୁଝି ହେଉଛି ଯେ ବାଇଡେନ୍‌ ଏକଚ୍ଛତ୍ରବାଦ ଶାସନରେ ଜର୍ଜରିତ ଦେଶକୁ ଗଣତନ୍ତ୍ରର ସଂଜ୍ଞା ପରିସରଭୁକ୍ତ କରିନାହାନ୍ତି। ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଉଦ୍‌ବୋଧନରେ ଉଲ୍ଲେଖ କରିଥିଲେ, ଭାରତ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା କରିବା ସହ ଡିଜିଟାଲ ସମାଧାନ ମାଧ୍ୟମରେ ଶାସନର ସବୁ କ୍ଷେତ୍ରରେ ସ୍ବଚ୍ଛତା ଆଣିପାରିଛି। ଗଣତନ୍ତ୍ର ସଂଜ୍ଞାର ବ୍ୟାଖ୍ୟା କରିବାକୁ ଯାଇ ସେ କହିଥିଲେ, ଏହା କେବଳ ଲୋକଙ୍କର, ଲୋକଙ୍କ ଦ୍ୱାରା, ଲୋକଙ୍କ ପାଇଁ ନୁହେଁ, ତାହା ଲୋକଙ୍କ ସହିତ ଓ ଲୋକଙ୍କ ଭିତରେ ମଧ୍ୟ ରହିବା କଥା। ବାସ୍ତବରେ ଦେଖିଲେ ଶକ୍ତିଶାଳୀ ଗଣତନ୍ତ୍ର ସକାଶେ ମୁକ୍ତ ଓ ଅବାଧ ନିର୍ବାଚନ କେବଳ ଏକମାତ୍ର ମାପଦଣ୍ଡ ନୁହେଁ, ସରକାରଙ୍କ ଭୁଲ୍‌ ନିଷ୍ପତ୍ତି ବିରୋଧରେ ହେଉଥିବା ଗଣପ୍ରତିବାଦରୁ ଜନ୍ମିତ ବିଜୟ ଏହାକୁ ଦୃଢ଼ କରିପାରିଛି। କୃଷକ ଆନ୍ଦୋଳନ ପ୍ରତ୍ୟାହାର ଏହାର ଶ୍ରେଷ୍ଠ ଦୃଷ୍ଟାନ୍ତ ଭାବେ ଉଭା ହୋଇଛି।
ବାସ୍ତବ ଗଣତନ୍ତ୍ର ସେତେବେଳେ ସଫଳ ହୁଏ, ଯେତେବେଳେ ବହୁମତ ପାଇଥିବା ଦଳ ନିଜକୁ ଶାସକ ବୋଲି ଭାବିବ ନାହିଁ। ଲୋକଙ୍କ ସମର୍ଥନ ପାଇବା ପରେ ଜନସାଧାରଣଙ୍କ ମତ ଅନୁଯାୟୀ କାର୍ଯ୍ୟ କରିବା ହେଉଛି ଗଣତାନ୍ତ୍ରିକ ବ୍ୟବସ୍ଥାର ମୁଖ୍ୟ ପରିଚୟ। ଦୁଃଖର ବିଷୟ, ବିଶ୍ୱବ୍ୟାପୀ ଏବେ କେହି ସେହି ପଦ୍ଧତିକୁ ମାନୁନାହାନ୍ତି। କେବଳ ଭୋଟ ହାସଲ କରିବାରେ ଗଣତନ୍ତ୍ର ଚିହ୍ନା ପଡ଼େନାହିଁ। କିନ୍ତୁ ତୁର୍କୀ, ହଙ୍ଗେରୀ, ଫିଲିପାଇନ୍ସ ଏବଂ ଭାରତ ଭଳି ଅନେକ ଦେଶରେ ଗୋଟିଏ ଦଳ ଏକାକୀ ନିର୍ବାଚନ ଜିତିପାରିଛି। ଏବେ ଏହିସବୁ ଦେଶରେ ଶାସନ ବ୍ୟବସ୍ଥା ‘ଗଣତାନ୍ତ୍ରିକ ଏକଚ୍ଛତ୍ରବାଦ’ ଦିଗରେ ଚାଲିଛି ବୋଲି ବିଭିନ୍ନ ଅନ୍ତର୍ଜାତୀୟ ସର୍ଭେ ସଂସ୍ଥା ଦ୍ୱାରା ରିପୋର୍ଟ ପ୍ରକାଶ ପାଇଛି। ସେହି ରିପୋର୍ଟଠାରୁ ଅଧିକ ଗୁରୁତ୍ୱ ଧାରଣ କରୁଛି ଏଭଳି ଦେଶରେ ବସବାସ କରୁଥିବା ଜନସାଧାରଣଙ୍କ ମତ। ଉଦାହରଣ ସ୍ବରୂପ ଭାରତକୁ ନିଆଯାଉ। ଜମ୍ମୁ ଓ କଶ୍ମୀରରେ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପୁନଃ ସନ୍ନିବେଶିତ କରିବା ଲାଗି କୃଷକଙ୍କ ଭଳି ଜମ୍ମୁ ଓ କଶ୍ମୀରବାସୀ ଆନ୍ଦୋଳନ କରିବା ଦରକାର ପଡ଼ୁଛି ବୋଲି ନିକଟରେ ନ୍ୟାଶନାଲ କନ୍‌ଫରେନ୍ସର ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲା ଦେଇଥିବା ମନ୍ତବ୍ୟ ଏବେ ଆଲୋଚନା ହେଉଛି। ପାର୍ଟି ପ୍ରତିଷ୍ଠାତା ଶେଖ୍‌ ମହମ୍ମଦ ଅବଦୁଲ୍ଲାଙ୍କ ୧୧୬ତମ ଜନ୍ମବାର୍ଷିକୀ ଅବସରରେ ଫାରୁକ୍‌ ଯୁବ ବାହିନୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି। ଏଥିରୁ ବୁଝାପଡ଼ୁଛି ଯେ, ତାଙ୍କ ମତରେ ଏକ ଦୀର୍ଘମିଆଦୀ ଆନ୍ଦୋଳନ କରିପାରିଲେ ଏହି ସରକାରଙ୍କୁ ନୂଆଁଇବା ସମ୍ଭବ ହୋଇପାରୁଛି। କୃଷକମାନେ ଏକବର୍ଷ ଧରି ଖରା, ବର୍ଷା ଓ ଶୀତରେ ପଡ଼ି ନିଜ ଅଧିକାର ପାଇଁ ଯେଉଁ ଲଢ଼େଇ କଲେ ତାହା ଦ୍ୱାରା ସରକାର ଥରିଗଲା। ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ବିଷୟ ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବା ପରେ ସପ୍ତାହେ ହେବ କୃଷକମାନେ ସେମାନଙ୍କ ଘରକୁ ଫେରି ଚାଲିଛନ୍ତି। ସାଧାରଣରେ ଧାରଣା ସୃଷ୍ଟି ହୋଇଥିଲା ଯେ, ମୋଦି ଜଣେ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ଯିଏ କି ନିଜ ନିଷ୍ପତ୍ତିରୁ କେବେହେଲେ ପଛଘୁଞ୍ଚା ଦେବେ ନାହିଁ। କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ସମୟରେ ‘ରୋଲ୍‌ବ୍ୟାକ୍‌’ ନୀତି ଦେଶକୁ ଅତ୍ୟନ୍ତ ଦୁର୍ବଳ କରିଦେଉଥିଲା। ଜନସାଧାରଣ ମୋଦିଙ୍କଠାରୁ ଦୃଢ଼ ଓ ନିର୍ଣ୍ଣୟକାରୀ ନିଷ୍ପତ୍ତି ସବୁବେଳେ ଆଶା କରନ୍ତି। କିନ୍ତୁ ଗଣତନ୍ତ୍ରରେ ନେତୃତ୍ୱ ପାଇଁ ସର୍ବଦା ଅଡ଼ି ବସିବା ଦେଶ ସକାଶେ ମଙ୍ଗଳଦାୟକ ହୋଇ ନ ଥାଏ। ତିନୋଟି କୃଷି ବିଲ୍‌ ପ୍ରତ୍ୟାହାର କରି ମୋଦି ତାଙ୍କ ଭାବମୂର୍ତ୍ତିକୁ ଅଧିକ ଶକ୍ତିଶାଳୀ କରିପାରିଛନ୍ତି। ଅନ୍ୟପଟେ ସାଧାରଣରେ ଏହା ଏକ ଭିନ୍ନ ଧାରଣା ସୃଷ୍ଟି କରିଥାଇପାରେ, ଯାହାକି ଫାରୁକ୍‌ଙ୍କ କଥାରୁ ବୁଝାପଡ଼ୁଛି।
ଏଭଳି ପରିପ୍ରେକ୍ଷୀରେ ଫାରୁକ୍‌ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହୋଇଯାଇଥିବାରୁ ତାହାକୁ ପୁନଃ ସ୍ଥାପନ କରିବା ଲାଗି ଗଣ ଆନ୍ଦୋଳନ ଡାକରା ଦେବା ଅନ୍ୟ ଏକ ଦିଗକୁ ଇଙ୍ଗିତ କରୁଛି। ଜମ୍ମୁ ଓ କଶ୍ମୀରବାସୀଙ୍କ ଅଧିକାର ଫେରାଇ ଆଣିବା ଲାଗି ଚାଷୀ ଆନ୍ଦେଳନ ଭଳି ଏକ ବୃହତ୍‌ ଜନଜାଗରଣ ପ୍ରସ୍ତାବ କେତେ ସମୟୋପଯୋଗୀ ହେବ ପରେ ଜଣାପଡ଼ିବ। କିନ୍ତୁ ଏହା ନିଶ୍ଚିତ ହେଉଛି ଯେ ସଂଖ୍ୟା ଖେଳରେ ଆଗରେ ଥିବା ବ୍ୟକ୍ତି ବା ରାଜନୈତିକ ଦଳ ଏକ ଦୃଢ଼ ଗଣତନ୍ତ୍ର ପ୍ରତିଷ୍ଠା କରିବାରେ ଏକମାତ୍ର ମାନଦଣ୍ଡ ହୋଇ ରହିବେ ନାହିଁ। ଦିନକୁ ଦିନ ଏଥିରେ ନୂତନ ମାର୍ଜିତ ଚିନ୍ତାଧାରା ଯୋଡ଼ି ଚାଲିବା କଥା। ତେଣୁ ଶାସକ ବର୍ଗ ଗଣତନ୍ତ୍ରର ପ୍ରକୃତ ମର୍ମକୁ ଉପଲବ୍ଧି କରି ଜନମଙ୍ଗଳ ଦିଗରେ ସକାରାତ୍ମକ ପଦକ୍ଷେପ ନେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri