ବାଇଡେନ୍‌ଙ୍କ ପଦକ୍ଷେପ

ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦ୍ୱାରା ଭର୍ଚୁଆଲ୍‌ ମାଧ୍ୟମରେ ‘ସମିଟ୍‌ ଫର୍‌ ଡେମୋକ୍ରାସି’ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହାର ୩ଟି ଉଦ୍ଦେଶ୍ୟ ଥିଲା, ଯଥା-ଏକଚ୍ଛତ୍ରବାଦକୁ ପ୍ରତିହତ କରିବା, ଦୁର୍ନୀତି ବିରୋଧରେ ସଂଗ୍ରାମ ଏବଂ ମାନବ ଅଧିକାରକୁ ସମ୍ମାନର ସହ ଆଗକୁ ନେବା। ସମ୍ମିଳନୀକୁ ଚାଇନା ଓ ରୁଷିଆ ଭଳି ବଡ଼ ଦେଶକୁ ନିମନ୍ତ୍ରଣ କରାଯାଇ ନ ଥିଲା। ଏଥିରୁ ବୁଝି ହେଉଛି ଯେ ବାଇଡେନ୍‌ ଏକଚ୍ଛତ୍ରବାଦ ଶାସନରେ ଜର୍ଜରିତ ଦେଶକୁ ଗଣତନ୍ତ୍ରର ସଂଜ୍ଞା ପରିସରଭୁକ୍ତ କରିନାହାନ୍ତି। ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଉଦ୍‌ବୋଧନରେ ଉଲ୍ଲେଖ କରିଥିଲେ, ଭାରତ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା କରିବା ସହ ଡିଜିଟାଲ ସମାଧାନ ମାଧ୍ୟମରେ ଶାସନର ସବୁ କ୍ଷେତ୍ରରେ ସ୍ବଚ୍ଛତା ଆଣିପାରିଛି। ଗଣତନ୍ତ୍ର ସଂଜ୍ଞାର ବ୍ୟାଖ୍ୟା କରିବାକୁ ଯାଇ ସେ କହିଥିଲେ, ଏହା କେବଳ ଲୋକଙ୍କର, ଲୋକଙ୍କ ଦ୍ୱାରା, ଲୋକଙ୍କ ପାଇଁ ନୁହେଁ, ତାହା ଲୋକଙ୍କ ସହିତ ଓ ଲୋକଙ୍କ ଭିତରେ ମଧ୍ୟ ରହିବା କଥା। ବାସ୍ତବରେ ଦେଖିଲେ ଶକ୍ତିଶାଳୀ ଗଣତନ୍ତ୍ର ସକାଶେ ମୁକ୍ତ ଓ ଅବାଧ ନିର୍ବାଚନ କେବଳ ଏକମାତ୍ର ମାପଦଣ୍ଡ ନୁହେଁ, ସରକାରଙ୍କ ଭୁଲ୍‌ ନିଷ୍ପତ୍ତି ବିରୋଧରେ ହେଉଥିବା ଗଣପ୍ରତିବାଦରୁ ଜନ୍ମିତ ବିଜୟ ଏହାକୁ ଦୃଢ଼ କରିପାରିଛି। କୃଷକ ଆନ୍ଦୋଳନ ପ୍ରତ୍ୟାହାର ଏହାର ଶ୍ରେଷ୍ଠ ଦୃଷ୍ଟାନ୍ତ ଭାବେ ଉଭା ହୋଇଛି।
ବାସ୍ତବ ଗଣତନ୍ତ୍ର ସେତେବେଳେ ସଫଳ ହୁଏ, ଯେତେବେଳେ ବହୁମତ ପାଇଥିବା ଦଳ ନିଜକୁ ଶାସକ ବୋଲି ଭାବିବ ନାହିଁ। ଲୋକଙ୍କ ସମର୍ଥନ ପାଇବା ପରେ ଜନସାଧାରଣଙ୍କ ମତ ଅନୁଯାୟୀ କାର୍ଯ୍ୟ କରିବା ହେଉଛି ଗଣତାନ୍ତ୍ରିକ ବ୍ୟବସ୍ଥାର ମୁଖ୍ୟ ପରିଚୟ। ଦୁଃଖର ବିଷୟ, ବିଶ୍ୱବ୍ୟାପୀ ଏବେ କେହି ସେହି ପଦ୍ଧତିକୁ ମାନୁନାହାନ୍ତି। କେବଳ ଭୋଟ ହାସଲ କରିବାରେ ଗଣତନ୍ତ୍ର ଚିହ୍ନା ପଡ଼େନାହିଁ। କିନ୍ତୁ ତୁର୍କୀ, ହଙ୍ଗେରୀ, ଫିଲିପାଇନ୍ସ ଏବଂ ଭାରତ ଭଳି ଅନେକ ଦେଶରେ ଗୋଟିଏ ଦଳ ଏକାକୀ ନିର୍ବାଚନ ଜିତିପାରିଛି। ଏବେ ଏହିସବୁ ଦେଶରେ ଶାସନ ବ୍ୟବସ୍ଥା ‘ଗଣତାନ୍ତ୍ରିକ ଏକଚ୍ଛତ୍ରବାଦ’ ଦିଗରେ ଚାଲିଛି ବୋଲି ବିଭିନ୍ନ ଅନ୍ତର୍ଜାତୀୟ ସର୍ଭେ ସଂସ୍ଥା ଦ୍ୱାରା ରିପୋର୍ଟ ପ୍ରକାଶ ପାଇଛି। ସେହି ରିପୋର୍ଟଠାରୁ ଅଧିକ ଗୁରୁତ୍ୱ ଧାରଣ କରୁଛି ଏଭଳି ଦେଶରେ ବସବାସ କରୁଥିବା ଜନସାଧାରଣଙ୍କ ମତ। ଉଦାହରଣ ସ୍ବରୂପ ଭାରତକୁ ନିଆଯାଉ। ଜମ୍ମୁ ଓ କଶ୍ମୀରରେ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପୁନଃ ସନ୍ନିବେଶିତ କରିବା ଲାଗି କୃଷକଙ୍କ ଭଳି ଜମ୍ମୁ ଓ କଶ୍ମୀରବାସୀ ଆନ୍ଦୋଳନ କରିବା ଦରକାର ପଡ଼ୁଛି ବୋଲି ନିକଟରେ ନ୍ୟାଶନାଲ କନ୍‌ଫରେନ୍ସର ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲା ଦେଇଥିବା ମନ୍ତବ୍ୟ ଏବେ ଆଲୋଚନା ହେଉଛି। ପାର୍ଟି ପ୍ରତିଷ୍ଠାତା ଶେଖ୍‌ ମହମ୍ମଦ ଅବଦୁଲ୍ଲାଙ୍କ ୧୧୬ତମ ଜନ୍ମବାର୍ଷିକୀ ଅବସରରେ ଫାରୁକ୍‌ ଯୁବ ବାହିନୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି। ଏଥିରୁ ବୁଝାପଡ଼ୁଛି ଯେ, ତାଙ୍କ ମତରେ ଏକ ଦୀର୍ଘମିଆଦୀ ଆନ୍ଦୋଳନ କରିପାରିଲେ ଏହି ସରକାରଙ୍କୁ ନୂଆଁଇବା ସମ୍ଭବ ହୋଇପାରୁଛି। କୃଷକମାନେ ଏକବର୍ଷ ଧରି ଖରା, ବର୍ଷା ଓ ଶୀତରେ ପଡ଼ି ନିଜ ଅଧିକାର ପାଇଁ ଯେଉଁ ଲଢ଼େଇ କଲେ ତାହା ଦ୍ୱାରା ସରକାର ଥରିଗଲା। ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ବିଷୟ ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବା ପରେ ସପ୍ତାହେ ହେବ କୃଷକମାନେ ସେମାନଙ୍କ ଘରକୁ ଫେରି ଚାଲିଛନ୍ତି। ସାଧାରଣରେ ଧାରଣା ସୃଷ୍ଟି ହୋଇଥିଲା ଯେ, ମୋଦି ଜଣେ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ଯିଏ କି ନିଜ ନିଷ୍ପତ୍ତିରୁ କେବେହେଲେ ପଛଘୁଞ୍ଚା ଦେବେ ନାହିଁ। କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ସମୟରେ ‘ରୋଲ୍‌ବ୍ୟାକ୍‌’ ନୀତି ଦେଶକୁ ଅତ୍ୟନ୍ତ ଦୁର୍ବଳ କରିଦେଉଥିଲା। ଜନସାଧାରଣ ମୋଦିଙ୍କଠାରୁ ଦୃଢ଼ ଓ ନିର୍ଣ୍ଣୟକାରୀ ନିଷ୍ପତ୍ତି ସବୁବେଳେ ଆଶା କରନ୍ତି। କିନ୍ତୁ ଗଣତନ୍ତ୍ରରେ ନେତୃତ୍ୱ ପାଇଁ ସର୍ବଦା ଅଡ଼ି ବସିବା ଦେଶ ସକାଶେ ମଙ୍ଗଳଦାୟକ ହୋଇ ନ ଥାଏ। ତିନୋଟି କୃଷି ବିଲ୍‌ ପ୍ରତ୍ୟାହାର କରି ମୋଦି ତାଙ୍କ ଭାବମୂର୍ତ୍ତିକୁ ଅଧିକ ଶକ୍ତିଶାଳୀ କରିପାରିଛନ୍ତି। ଅନ୍ୟପଟେ ସାଧାରଣରେ ଏହା ଏକ ଭିନ୍ନ ଧାରଣା ସୃଷ୍ଟି କରିଥାଇପାରେ, ଯାହାକି ଫାରୁକ୍‌ଙ୍କ କଥାରୁ ବୁଝାପଡ଼ୁଛି।
ଏଭଳି ପରିପ୍ରେକ୍ଷୀରେ ଫାରୁକ୍‌ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହୋଇଯାଇଥିବାରୁ ତାହାକୁ ପୁନଃ ସ୍ଥାପନ କରିବା ଲାଗି ଗଣ ଆନ୍ଦୋଳନ ଡାକରା ଦେବା ଅନ୍ୟ ଏକ ଦିଗକୁ ଇଙ୍ଗିତ କରୁଛି। ଜମ୍ମୁ ଓ କଶ୍ମୀରବାସୀଙ୍କ ଅଧିକାର ଫେରାଇ ଆଣିବା ଲାଗି ଚାଷୀ ଆନ୍ଦେଳନ ଭଳି ଏକ ବୃହତ୍‌ ଜନଜାଗରଣ ପ୍ରସ୍ତାବ କେତେ ସମୟୋପଯୋଗୀ ହେବ ପରେ ଜଣାପଡ଼ିବ। କିନ୍ତୁ ଏହା ନିଶ୍ଚିତ ହେଉଛି ଯେ ସଂଖ୍ୟା ଖେଳରେ ଆଗରେ ଥିବା ବ୍ୟକ୍ତି ବା ରାଜନୈତିକ ଦଳ ଏକ ଦୃଢ଼ ଗଣତନ୍ତ୍ର ପ୍ରତିଷ୍ଠା କରିବାରେ ଏକମାତ୍ର ମାନଦଣ୍ଡ ହୋଇ ରହିବେ ନାହିଁ। ଦିନକୁ ଦିନ ଏଥିରେ ନୂତନ ମାର୍ଜିତ ଚିନ୍ତାଧାରା ଯୋଡ଼ି ଚାଲିବା କଥା। ତେଣୁ ଶାସକ ବର୍ଗ ଗଣତନ୍ତ୍ରର ପ୍ରକୃତ ମର୍ମକୁ ଉପଲବ୍ଧି କରି ଜନମଙ୍ଗଳ ଦିଗରେ ସକାରାତ୍ମକ ପଦକ୍ଷେପ ନେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?