ଜାନକୀଙ୍କ କାହାଣୀକାର

ଆଲ୍ଲାହାବାଦର ହିନ୍ଦୁସ୍ଥାନୀ ଗାୟିକା ଜାନକୀ ବାଈ ବିଂଶଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ଗ୍ରାମୋଫୋନ୍‌ କମ୍ପାନୀ ମାନ୍ୟତାପ୍ରାପ୍ତ ଉଚ୍ଚକୋଟୀର କଳାକାର ଥିଲେ। ତାଙ୍କ ସଙ୍ଗୀତ ଯାତ୍ରାର କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ୧୮୮୦ରେ ଜନ୍ମିତ ଜାନକୀ ପିଲାବେଳୁ ପିତାଙ୍କ ସ୍ନେହ ପାଇ ନ ଥିଲେ। ତାଙ୍କୁ ଓ ମାତାଙ୍କୁ ଛାଡ଼ି ପିତା ଅନ୍ୟତ୍ର ଚାଲିଯିବା ପରେ ଦୁହେଁ ସାହସ ହରାଇ ନ ଥିଲେ। ମାତା ମାନ୍‌କୀ ଝିଅକୁ ସମାଜରେ ପ୍ରତିଷ୍ଠିତ କରିବାକୁ ଲାଗି ପଡ଼ିଲେ। ଜାନକୀଙ୍କ କଣ୍ଠସ୍ବର ଅତି ସୁନ୍ଦର ଥିବାରୁ ସେ ତାଙ୍କୁ ବିଭିନ୍ନ ମଞ୍ଚରେ ନେଇ ପହଞ୍ଚାଉଥିଲେ। ପାଠପଢ଼ା ସହ ତାଙ୍କ ସଙ୍ଗୀତ ପ୍ରତିଭା ଦିଗବିଦିଗ ହେଲା। ୧୯୦୭ରେ ତାଙ୍କ ଗୀତର ରେକର୍ଡିଂ ଆରମ୍ଭ ହେଲା। ପ୍ରଥମେ ୨୦ଟି ଗୀତ ପାଇଁ ତାଙ୍କୁ ୨୫୦ ଟଙ୍କା ମିଳୁଥିଲା। କିନ୍ତୁ ପରବର୍ତ୍ତୀ ବର୍ଷ ୨୪ଟି ଗୀତ ଗାଇ ସେ ୯୦୦ ଟଙ୍କା ରୋଜଗାର କରିଥିଲେ। ତାଙ୍କ ସ୍ବର ଗ୍ରାମୋଫୋନ୍‌ କମ୍ପାନୀ ପାଖରେ ପହଞ୍ଚିଲା ପରେ ସେ ସେଲିବ୍ରିଟି ମାନ୍ୟତା ପାଇଗଲେ। ୧୯୧୩ରେ ବାଇଗଣୀ ରଙ୍ଗର ଗ୍ରାମୋଫୋନ୍‌ କନ୍‌ସର୍ଟ ରେକର୍ଡ ତାଙ୍କ ନାମରେ ମୁକ୍ତିଲାଭ କଲା। ଉଲ୍ଲେଖଯୋଗ୍ୟ, ଭାଓଲେଟ୍‌ କଲର୍‌ କନସର୍ଟ ରେକର୍ଡ ଗ୍ରାମୋଫୋନ୍‌ କମ୍ପାନୀ କେବଳ ନିର୍ଦ୍ଦିଷ୍ଟ କଳାକାରଙ୍କ ପାଇଁ ସର୍ବୋଚ୍ଚ ମାନ୍ୟତା ଦେଇ ପ୍ରସ୍ତୁତ କରିଥାଏ। ଗୀତ ଗାଇବା ସହ ନୃତ୍ୟରେ ମଧ୍ୟ ଜାନକୀ ପାରଙ୍ଗମ ଥିଲେ। ଏଥିସହିତ ଇଂଲିଶ, ସଂସ୍କୃତ ଓ ପାର୍ସୀ ଭାଷାରେ ଦକ୍ଷତା ଅର୍ଜନ କରିଥିଲେ। ବିଭିନ୍ନ ଗଜଲ ଗାଇଲା ବେଳେ ଉର୍ଦ୍ଦୁ ଭାଷାର ପ୍ରକୃତ ଉଚ୍ଚାରଣ ତାଙ୍କ ସ୍ବରରୁ ସ୍ପଷ୍ଟ ବାରିହୋଇପଡ଼ୁଥିଲା। ‘ରୁମ୍‌ଝୁମ୍‌ ବଦର୍ଭା ବର୍‌ସେ’ ତାଙ୍କୁ ଲୋକପ୍ରିୟତା ଆଣିଦେଇଥିଲା। ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମରେ ‘ମେରା ନାମ୍‌ ଜାନକୀ ବାଈ ଆଲ୍ଲାହାବାଦ’ ଭାବେ ତାଙ୍କୁ ନିଆରା ଢଙ୍ଗରେ ଉପସ୍ଥାପିତ କରାଯାଉଥିଲା।
ପିତା ଅସହାୟ ଅବସ୍ଥାରେ ଛାଡ଼ିଦେବାର ଦୁଃଖ ସହ ଆଉ ଏକ ଯନ୍ତ୍ରଣା ଜାନକୀଙ୍କୁ ଦୁଃଖୀ କରାଇ ଦେଇଥିଲା। ଶୁଣିବାକୁ ମିଳେ ଜଣେ ବ୍ୟକ୍ତି ତାଙ୍କୁ ନିଜର କରିବାକୁ ପ୍ରସ୍ତାବ ଦେଇଥିଲେ ହେଁ ସେ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ପ୍ରତିଶୋଧ ପରାୟଣ ହୋଇ ସମ୍ପୃକ୍ତ ବ୍ୟକ୍ତି ଜାନକୀଙ୍କୁ ୫୬ ଥର ଛୁରିରେ ଭୁସିିଥିଲେ, ଯେଉଁଥିରେ ତାଙ୍କ ସୁନ୍ଦର ମୁହଁ ବିକୃତ ହୋଇଯାଇଥିଲା। ଆଉ ଏକ କାହାଣୀ କହେ ତାଙ୍କ ସାବତ ମା’ ଓ ତାଙ୍କ ପ୍ରେମିକ ଆପତ୍ତିଜନକ ଅବସ୍ଥାରେ ଥିବା ଜାନକୀ ଦେଖିଦେବା ପରେ ସେମାନେ ତାଙ୍କୁ ୫୬ ଥର ଛୁରି ଭୁସିିଥିଲେ। ହେଲେ ଏହି ଯନ୍ତ୍ରଣା ତାଙ୍କ ସଙ୍ଗୀତ ଯାତ୍ରାକୁ ପ୍ରଭାବିତ କରିପାରି ନ ଥିଲା। ପୁଣି ଜାନକୀଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଭଲ ନ ଥିଲା। ସେ ଆଲ୍ଲାହାବାଦର ଓକିଲ ଶେଖ ଅବଦୁଲ ହକ୍‌ଙ୍କୁ ବିବାହ କରିଥିଲେ। ହେଲେ ସେ ତାଙ୍କୁ ଠକି ଦେଇ ଚାଲିଯାଇଥିଲେ। ଏହିଭଳି ଅନେକ ସମସ୍ୟା ତାଙ୍କୁ ମାନସିକ ଯନ୍ତ୍ରଣା ଦେଇଥିଲା। ତଥାପି ଦୃଢ଼ମନା ହୋଇ ସେ ଗୀତରେ ମନ ଦେଇଥିଲେ। ସମୟ ଏମିତି ଆସିଥିଲା, ଯେତେବେଳେ ତାଙ୍କ ଗୀତର ରେକର୍ଡ ୨୫ ହଜାର କପି ବିକ୍ରି ହୋଇ ସମସାମୟିକ ଗାୟିକାଙ୍କୁ ପଛରେ ପକାଇ ଦେଇଥିଲା। ଶେଷରେ ବସ୍ତୁବାଦୀ ଦୁନିଆରୁ ମୁହଁ ଫେରାଇ ଆଲ୍ଲାହାବାଦଠାରେ ସେ ଦାତବ୍ୟ ଅନୁଷ୍ଠାନ ଗଢ଼ିଲେ; ଯାହା ମାଧ୍ୟମରେ ଗରିବ ପିଲାଙ୍କୁ ପାଠ ପଢ଼ିବା ଲାଗି ଆର୍ଥିକ ସହାୟତା ଦେବା, ଅସହାୟଙ୍କୁ କମ୍ବଳ ବଣ୍ଟନ, ମନ୍ଦିର ଓ ମସ୍‌ଜିଦ୍‌କୁ ଦାନ ଏବଂ ବିନା ମୂଲ୍ୟରେ ଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରାଇଥିଲେ। ୧୮ ମେ ୧୯୩୪ରେ ଜାନକୀଙ୍କର ଆଲ୍ଲାହାବାଦଠାରେ ମୃତ୍ୟୁ ଘଟିଥିଲା।
ଉପରଲିଖିତ ଜାନକୀଙ୍କ ଜୀବନଯାତ୍ରା ବିଷୟରେ କ୍ୱଚିତ ଜାଣିଥିବେ। ତେବେ ଏହି ବିଷୟକୁ ସୂକ୍ଷ୍ମ ଭାବେ ନିଜ ଉପନ୍ୟାସ ‘ରେକିଏମ୍‌ ଇନ୍‌ ରାଗ ଜାନ୍‌କୀ’ରେ ସ୍ଥାନ ଦେଇ ଇଂଲିଶ ଭାଷାର ଭାରତୀୟ ଔପନ୍ୟାସିକା ନିଲୁମ ସରନ୍‌ ଗୌର ଚଳିତବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବୋଲି ମନୋନୀତ ହୋଇଛନ୍ତି। ଶତାବ୍ଦୀ ପୂର୍ବର ଏକ ବାସ୍ତବ କାହାଣୀକୁ ନିଲୁମ ଯେଭଳି ଭାବେ ପୁସ୍ତକରେ ସ୍ଥାନ ଦେଇଛନ୍ତି, ତାହା ଏବେ ପରୋକ୍ଷରେ ଔପନ୍ୟାସିକାଙ୍କ ବ୍ୟକ୍ତିତ୍ୱକୁ ଚର୍ଚ୍ଚାକୁ ଆଣିଛି।
ନିଲୁମ ଉତ୍ତର ପ୍ରଦେଶର ଆଲ୍ଳାହାବାଦଠାରେ ୧୨ ଅକ୍ଟୋବର ୧୯୫୫ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା’ ବଙ୍ଗଳାର ଥିବା ବେଳେ ପିତା ହିନ୍ଦୀଭାଷୀ। ଫଳରେ ତାଙ୍କ ଉପରେ ପିଲାଦିନୁ ବହୁବିଧ ଭାଷା ଓ ସଂସ୍କୃତିର ପ୍ରଭାବ ପଡ଼ିଥିଲା। ରୋମାନ୍‌ କାଥ୍‌ଲିକ୍‌ ନନ୍‌ମାନଙ୍କ ଦ୍ୱାରା ପରିଚାଳିତ ସେଣ୍ଟ ମେରୀ କନ୍‌ଭେଣ୍ଟ ଇଣ୍ଟର କଲେଜରୁ ପଢ଼ା ଶେଷ କରିବା ପରେ ନିଲୁମ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରେ ଇତିହାସ, ଦର୍ଶନଶାସ୍ତ୍ର ଓ ଇଂଲିଶ ଭାଷା ପଢ଼ିଥିଲେ। ୧୯୭୭ରେ ସେ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟର ଇଂଲିଶ ବିଭାଗରେ ଅଧ୍ୟାପିକା ଭାବେ ନିଯୁକ୍ତ ହୋଇଥିଲେ। ଭାରତୀୟ ସାହିତ୍ୟ ପତ୍ରିକାରେ ନିଲୁମଙ୍କ କ୍ଷୁଦ୍ରଗଳ୍ପ କ୍ରମାଗତ ପ୍ରକାଶ ପାଇ ପାଠକୀୟ ଆଦୃତିଲାଭ କରିଥିଲା। ଲେଖିକାଙ୍କ ଗଳ୍ପ ପଢ଼ିବା ପରେ ‘ପେଙ୍ଗୁଇନ୍‌ ଇଣ୍ଡିଆ’ର ପରିଚାଳନା ନିର୍ଦ୍ଦେଶକ ଡାଭିଡ୍‌ ଡାଭିଡର ତାଙ୍କୁ ଏକ ପୁସ୍ତକ ପ୍ରକାଶ କରିବାକୁ ପ୍ରସ୍ତାବ ଦେଇଥିଲେ। ଫଳରେ ୧୯୯୩ରେ ପେଙ୍ଗୁଇନ୍‌ ଇଣ୍ଡିଆ ନିଲୁମଙ୍କ ପ୍ରଥମ ପୁସ୍ତକ ‘ଗ୍ରେ ପିଜିଅନ୍‌ ଆଣ୍ଡ୍‌ ଅଦର ଷ୍ଟୋରିଜ୍‌’ ପ୍ରକାଶ କରିଥିଲା। ଏହା ପରେ ସେ ଚାର୍ଲସ୍‌ ଇଣ୍ଡିଆ ତରଫରୁ ବ୍ରିଟେନ୍‌ର ରାଇଟର୍ସ ଫେଲୋଶିପ୍‌ ପାଇଥିଲେ। ୧୯୯୫ରେ ପେଙ୍ଗୁଇନ୍‌ ତାଙ୍କ ପରବର୍ତ୍ତୀ ପୁସ୍ତକ ‘ସ୍ପିକିଂ ଅଫ୍‌ ୬୨’ ଉପନ୍ୟାସ ପ୍ରକାଶ କରିଥିଲା। ୫ ଉପନ୍ୟାସ, ୪ କ୍ଷୁଦ୍ରଗଳ୍ପ ସଙ୍କଳନ ଓ ଗୋଟିଏ ତଥ୍ୟାତ୍ମକ ବା ବାସ୍ତବଧର୍ମୀ (ନନ୍‌ଫିକ୍ସନ) ସାହିତ୍ୟ ପୁସ୍ତକ ରଚନା କରି ନିଲୁମ ଭାରତୀୟ ଇଂଲିଶ ସାହିତ୍ୟରେ ନିଜ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି। ଏଥିସହିତ ବିଭିନ୍ନ ଚୟନିକାରେ ତାଙ୍କ ଅନେକ ସନ୍ଦର୍ଭ ପ୍ରକାଶ ପାଇଛି। ନିଲୁମଙ୍କ ଅନେକ ଲେଖାରେ ଆଲ୍ଲାହାବାଦ ଗୁରୁତ୍ୱ ବହନ କରିଆସିଛି। ଏପରି କି ‘ଦି ହିନ୍ଦୁସ୍ତାନ ଟାଇମ୍ସ’ର ଆଲ୍ଲାହାବାଦ ପେଜ୍‌ରେ ହାସ୍ୟରସାତ୍ମକ ସ୍ତମ୍ଭ ଲେଖି ସେ ବେଶ୍‌ ଆଦୃତ ହୋଇଛନ୍ତି। ସାହିତ୍ୟ ଏକାଡେମୀ ପକ୍ଷରୁ ‘ସୃଜନାତ୍ମକ ଲେଖା କର୍ମଶାଳା’କୁ ସେ ସୁଚାରୁରୂପେ ପରିଚାଳନା କରିଛନ୍ତି। ବିବିସି ଟେଲିଭିଜନ ଧାରାବାହିକୀ ‘ହୁ ଡୁ ୟୁ ଥିଙ୍କ୍‌ ୟୁ ଆର୍‌’ ପାଇଁ ମଧ୍ୟ ସେ କାମ କରିଛନ୍ତି। ତାଙ୍କ ଉପନ୍ୟାସ ‘ସିକନ୍ଦର ଚୌକ ପାର୍କ’ ଚେକ୍‌ ରିପବ୍ଲିକ୍‌ର ଚାର୍ଲସ ୟୁନିଭର୍ସିଟି ପ୍ରାଗ୍‌ରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ପଢ଼ିବାର ସୁଯୋଗ ସୃଷ୍ଟି କରାଯାଇଛି। ଅନୁରୂପ ଭାବେ ଏଠାରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ପାଠଶାଳା ପ୍ରୋଜେକ୍ଟରେ ତାଙ୍କ ଗଳ୍ପ ‘ଏ ଲେନ୍‌ ଇନ୍‌ ଲକ୍ଷ୍ନୌ’ ସ୍ଥାନ ପାଇଛି।
– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?