ନୂଆଦିଲ୍ଲୀ, ୧୯।୯: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ବୀକାର କରିଥିଲେ ଭଲ ହୋଇଥାନ୍ତା ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଶନିବାର ସୂଚନା ଦେଇଛନ୍ତି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ୯୦ ହଜାରରୁ ଅଧିକ ରହୁଛି। ସେହିପରି ଦିଲ୍ଲୀରେ ମଧ୍ୟ ପ୍ରତିଦିନ ଅଧିକ ସଂଖ୍ୟକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ଏଭଳି ସ୍ଥଳେ ଗୋଷ୍ଠୀ ସଂକ୍ରମଣକୁ ସରକାର ମାନି ନେଇଥିଲେ ଭଲ ହୋଇଥାନ୍ତା। ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସମ୍ପର୍କରେ ଆଇସିଏମ୍ଆର୍ କିମ୍ବା କେନ୍ଦ୍ର ସରକାର ସୂଚନା ଦେଇ ପାରିବେ। ଦିଲ୍ଲୀରେ ପ୍ରତି ୪୦ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହେବାରେ ଲାଗିଛି। ଗତ ୫ ଦିନରେ ଆଇସିୟୁ ଏବଂ ହସ୍ପିଟାଲରେ ୫୦୦ ଶଯ୍ୟା ବୃଦ୍ଧି କରାଯାଇଥିବା ସେ କହିଛନ୍ତି। ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୮ ହଜାର ଟପିଛି। ୧୮ ସେପ୍ଟେମ୍ବରେ ଏଠାରେ ଗୋଟିଏ ଦିନରେ ୪ ହଜାର ୧୨୭ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୪ ହଜାର ୯ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଲକ୍ଷରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସତ୍ୟେନ୍ଦ୍ର ଜୈନ କହିଛନ୍ତି।