ଧର୍ମ ଏକା ପୋତ?

ରଞ୍ଜନ କୁମାର ଦାସ

 

ଆଗକାଳରେ ଗାଁରେ ବୁଢ଼ାଲୋକମାନେ କହନ୍ତି- ଧର୍ମ ଏକା ପୋତ ଗଢ଼ିଛନ୍ତି ବିଧି, ତରିବାକୁ ଏହି ସଂସାର ବାରିଧି। ଖାଲି ବୁଢ଼ାବୁଢ଼ୀ ନୁହନ୍ତି, ଆଗକାଳରେ ଲୋକମାନେ ପ୍ରାୟତଃ ଧର୍ମବିଶ୍ୱାସୀ ଥିଲେ। ଅବଶ୍ୟ ଅତୀତରେ ଲୋକଙ୍କ ଭିତରେ ପାପୀ, ଅନ୍ୟାୟୀ, ଦୁରାଚାରୀ ଲୋକ ଯେ ନ ଥିଲେ ସେକଥା କହିହେବ ନାହିଁ। ଇତିହାସ, ପୁରାଣରେ ଏଭଳି ଲୋକଙ୍କର ରାଶି ରାଶି ଉଦାହରଣ ଅଛି। ତଥାପି ଲୋକ ଭାବୁଥିଲେ ଈଶ୍ୱରବିଶ୍ୱାସୀ ଓ ଧର୍ମପରାୟଣ ହେଲେ ନିଜର ପୁଣ୍ୟ ବଢ଼ୁ କି ନ ବଢ଼ୁ ସମାଜରେ ପାପ ଅନ୍ତତଃ କମିବ। ସେଥିଲାଗି ଧର୍ମାନୁଷ୍ଠାନ ସବୁ ଗଢ଼ିଉଠୁଥିଲା, ସତ୍‌ସଙ୍ଗ ସବୁ ଆୟୋଜନ କରାଯାଉଥିଲା, ପ୍ରବଚନ ଦିଆଯାଉଥିଲା। ଉଦ୍ଦେଶ୍ୟ ଥିଲା ଲୋକଙ୍କର ଚରିତ୍ର ବଦଳିବ। ଏ ପ୍ରୟାସରେ ପୃଥିବୀରେ କେତେ ନୂଆ ନୂଆ ଧର୍ମଗୁରୁଙ୍କର ଆବିର୍ଭାବ ହୋଇଛି। କେତେ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ତୋଳା ହୋଇଛି। ସମସ୍ତେ ଧର୍ମର ନୂଆ ନୂଆ ଧାରଣା ଉପସ୍ଥାପିତ କରିଛନ୍ତି। କେତେ କେତେ ଧର୍ମଗ୍ରନ୍ଥ ଲେଖାହୋଇଛି, କେତେ ପ୍ରବଚନ ଦିଆଯାଇଛି। କେତେ ଯଜ୍ଞାନୁଷ୍ଠାନ କରାଯାଇଛି, କେତେ ବଳି ଦିଆଯାଇଛି, କେତେ ଧର୍ମଯୁଦ୍ଧ ବି ହୋଇଛି। ହେଲେ ସତରେ କ’ଣ ମଣିଷର ପଶୁତୁଲ୍ୟ ଚରିତ୍ର କାଣିଚାଏ ବଦଳିଛି? କେବଳ ଯାହା ପୃଥିବୀରେ ବିଭ୍ରାନ୍ତିର ମାତ୍ରା ବଢ଼ିଛି। ଧର୍ମାଚାର ନଁାରେ ଶଠାଚାର ଓ କପଟାଚାର ବଢ଼ିଛି।
ଧାର୍ମିକ ବିସ୍ତାରବାଦର ଶାର୍ଗୁଣା ଡେଣା ମେଲେଇ ଉଡ଼ିଚାଲିଛି ଭୂଖଣ୍ଡରୁ ଭୂଖଣ୍ଡ। ଏ ପ୍ରକ୍ରିୟାରେ ହିଂସା ବଢ଼ିଛି, ଦ୍ୱେଷ ବଢ଼ିଛି, ଯୁଦ୍ଧ ବି ହୋଇଛି; ମଣିଷ ମରିଛନ୍ତି। ହେଲେ କଲ୍ୟାଣ ହୋଇଛି କାହାର? ଧର୍ମ ଓ ଆଧ୍ୟାତ୍ମବାଦ୍‌ କଥା କହିଲେ ସାଧାରଣ ଲୋକେ ଯାହା ବୁଝନ୍ତି ତାହା ହେଲା ବସ୍ତୁବାଦ୍‌ର ବିପରୀତ। ଅର୍ଥାତ୍‌ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନାର ଲୋକଟିଏ ସଂସାରାସକ୍ତ ଓ ବିଷୟାଚ୍ଛନ୍ନ ନ ହୋଇ ପୁଣ୍ୟକାର୍ଯ୍ୟରେ ମଗ୍ନ ହେବ। ଅପରପକ୍ଷରେ ବସ୍ତୁବାଦୀ ଲୋକଟିଏ ବିଷୟାସକ୍ତ ହୋଇ ଆର୍ଥିକ ଓ ଭୌତ୍ତିକ ବିକାଶରେ ବୁଡ଼ିରହିବ। ମାତ୍ର ଦେଖିବେ ଆଜିକାଲି ସବୁ ଧର୍ମ ଓ ଆଧ୍ୟାତ୍ମିକ ଅନୁଷ୍ଠାନଗୁଡ଼ିକ ସାଧାରଣ ମଣିଷଠୁ ଅଧିକ ବିଷୟାସକ୍ତ। କେମିତି ତାଙ୍କର ଭକ୍ତ ଓ ଅନୁଗାମୀଙ୍କ ସଂଖ୍ୟା ବଢ଼ିବ, କିଭଳି ନୂଆ ନୂଆ ଆଶ୍ରମ ଓ ଉପାସନା ଗୃହ ପ୍ରତିଷ୍ଠିତ ହେବ, ସେଥିପାଇଁ କିଭଳି ନୂଆ ଜାଗାବାଡ଼ି କିଣାଯିବ, କିଭଳି ସଂସ୍ଥା ଚାଲିବା ପାଇଁ ଦାନ ଓ ଅନୁଦାନ ସଂଗ୍ରହ କରାଯିବ ସେଥିରେ ସବୁ ଧର୍ମାନୁଷ୍ଠାନ ମଗ୍ନ। ମୋର ବୋଲି କିଛି ନାହିଁ, ସବୁ ଈଶ୍ୱରଙ୍କର ବୋଲି ପ୍ରବଚନ ଦେଉଥିବା ଧର୍ମଗୁରୁମାନେ ମୋର ମୋର ବୋଲି କହି ଯୁଦ୍ଧକୁ ମଧ୍ୟ ଓହ୍ଲେଇ ଆସୁଛନ୍ତି। କ’ଣ ଶିଖିବେ ତାଙ୍କଠାରୁ ସାଧାରଣ ଅନୁଗାମୀ ଓ ଭକ୍ତଜନ?
ଧର୍ମଗୁରୁମାନେ ଯେତେବେଳେ ନିଜ ଆଚରଣରେ ପରିବର୍ତ୍ତନ ଆଣିପାରୁନାହାନ୍ତି ସେମାନେ ବା କ’ଣ ବଦଳେଇବେ ତାଙ୍କ ଭକ୍ତ ଓ ଅନୁଗାମୀମାନଙ୍କୁ? ସେମାନେ କ’ଣ ବଦଳେଇବେ ପୃଥିବୀକୁ? ସେମାନେ କ’ଣ ପୁନରାୟ ପୃଥିବୀକୁ ଆଣିପାରିବେ ତାଙ୍କ ପ୍ରବଚନରେ ପ୍ରଚାରିତ ସତ୍ୟଯୁଗ? ଅନେକ ଧର୍ମଗୁରୁ ଓ ତାଙ୍କ ଅନୁଗାମୀ ଦାବି କରନ୍ତି ସେମାନେ ପୃଥିବୀରେ ଧର୍ମ ଓ ସତ୍ୟର ପ୍ରବର୍ତ୍ତନ ପାଇଁ ଅବତାର ଗ୍ରହଣ କରିଛନ୍ତି। ସେମାନେ ପ୍ରତିଷ୍ଠା କରିବେ ରାମରାଜ୍ୟ, ସେମାନେ ପ୍ରତିଷ୍ଠା କରିବେ ସତ୍ୟଯୁଗ। ତାଙ୍କ ପ୍ରାର୍ଥନା ଓ ତପସ୍ୟାର ପ୍ରଭାବରେ ବଦଳିଯିବ ପୃଥିବୀ। ବଦଳିଯିବ ଲୋକଙ୍କ ଚରିତ୍ର। ବିଶ୍ୱ ଶାନ୍ତି ଆସିବ। ବେଳେବେଳେ ଲାଗେ ଖାଲି କ’ଣ ଏ ପିଆଜ ରସୁଣ ଛାଡ଼ିଦେଲେ ପୃଥିବୀ ବଦଳିଯିବ? ସଂକୀର୍ତ୍ତନର ଶବ୍ଦରେ ଗଗନପବନ ପ୍ରକମ୍ପିତ କରିଦେଲେ ତା’ର ଧ୍ୱନି ପ୍ରଭାବରେ ବାକିତକ ପୃଥିବୀର କାୟାକଳ୍ପ ବଦଳିଯିବ?
ନିକଟରେ ଗୋଟିଏ ମହାର୍ଘ ଧର୍ମାନୁଷ୍ଠାନକୁ ଯିବାର ସୌଭାଗ୍ୟ ଲଭିଥିଲା ଏ ଲେଖକ। ସେଠି ମଧ୍ୟ ଦାବି ଥିଲା, ଆଧ୍ୟାମତ୍ିକ ସତ୍‌ସଙ୍ଗର ପ୍ରଭାବ ଏତେ ପ୍ରଭାବଶାଳୀ ଯେ ସେଠିକି ଥରେ ଆସିଥିବା ଲୋକ ଉପରେ ତା’ର ଜୀବନବ୍ୟାପୀ ପ୍ରଭାବ ରହିବ। ସେ ପ୍ରଭାବରେ ସେ ନିଶ୍ଚୟ ଅମୃତମୁଖୀ, ସ୍ବର୍ଗଗାମୀ ହେବ। ଆଶ୍ରମରୁ ବାହାରିବାବେଳେ ଆଶ୍ରମର ଠିକ୍‌ ସାମ୍ନାରେ ଦେଖିଲି ଏକ ମଦ ଦୋକାନ। ମଦ ଦୋକାନ ସାମ୍ନାରେ ସକାଳୁ ସକାଳୁ ଲୋକ ଲାଇନ୍‌ କରି ଠିଆ ହୋଇଥା’ନ୍ତି ମଦ ପିଇବା ପାଇଁ। ବୁଝିଲି ମଦ ଦୋକାନଟି ଏଠି ଗତ ପନ୍ଦର କୋଡ଼ିଏ ବର୍ଷ ହେଲା ଚାଲିଛି। କିନ୍ତୁ ଆଶ୍ରମ ସେଠି ଶହେବର୍ଷ ପାଖାପାଖି ହେବ ପ୍ରତିଷ୍ଠିତ ହେଲାଣି। ମଁୁ ପଚାରିଲି, ଏଇ ନାକ ସାମ୍ନାରେ ଯଦି ଲୋକେ ଆଧ୍ୟାମତ୍ିକ ସତ୍‌ସଙ୍ଗର ପ୍ରଭାବରେ ବଦଳିପାରିଲେ ନାହିଁ, ତେବେ କ’ଣ ଭରସା ଅଛି ଆଗାମୀ ଦିନରେ ୟାର ପ୍ରଭାବରେ ପୃଥିବୀ ବଦଳିଯିବ ବୋଲି? ଆଧ୍ୟାମତ୍ିକତାର ପ୍ରଭାବରେ କ’ଣ କୌଣସି ତୀର୍ଥସ୍ଥଳରେ ଜୀବହତ୍ୟା ବନ୍ଦ ହେଲାଣି? ମଦ୍ୟପାନ, ଈର୍ଷା, ଦ୍ୱେଷ, ହତ୍ୟା, ବଳାତ୍କାର ଆଦି କମିଲାଣି?
ଏବେ ଆମେରିକାରେ ଗୋଟିଏ ଅନୁଷ୍ଠାନ ଧର୍ମବିଶ୍ୱାସୀ ଓ ସାଧାରଣ ଲୋକମାନଙ୍କ ବ୍ୟବହାର ଉପରେ ଏକ ଗବେଷଣା କରିଥିଲେ। ଗବେଷଣାରୁ ଜଣାପଡ଼ିଲା ନିୟମିତ ପୂଜାପାଠ, ପ୍ରାର୍ଥନା କରୁଥିବା ଈଶ୍ୱରବିଶ୍ୱାସୀ ଲୋକଙ୍କ ଭିତରୁ ୪୧ ପ୍ରତିଶତ ଲୋକ ଈର୍ଷା, ଦ୍ୱେଷ, କ୍ରୋଧ ଓ କ୍ରୂରତା ପ୍ରଦର୍ଶନ କରନ୍ତି ଯେତେବେଳେ ସାଧାରଣ ଲୋକମାନଙ୍କ ଭିତରୁ ୪୩ ପ୍ରତିଶତ ଏଭଳି କରିଥା’ନ୍ତି। ଧାର୍ମିକ ବିଶ୍ୱାସ ଥିବା ଲୋକଙ୍କ ଭିତରୁ ୩୯ ପ୍ରତିଶତ ମିଥ୍ୟାଚରଣ କରୁଥିବାବେଳେ ସାଧାରଣ ଲୋକଙ୍କ ଭିତରୁ ୪୫ ପ୍ରତିଶତ ମିଥ୍ୟାଚରଣ କରିଥା’ନ୍ତି। ଇଏ ଏକ ନମୁନା ମାତ୍ର। ତେବେ ଉଭୟ ପରିସଂଖ୍ୟାନ ଭିତରେ ତଫାତ୍‌ କେତେ? ଏଥିରୁ ଯାହା ଜଣାପଡ଼ିଲା ତାହା ହେଲା ମନ୍ଦିର, ମସ୍‌ଜିଦ୍‌ ବା ଚର୍ଚ୍ଚର ପରିଧି ଭିତରେ ରହୁଥିବା ଲୋକେ ଯେ ଅଧିକ ଈଶ୍ୱରୋପମ ହୋଇଥିବେ ତା’ର କୌଣସି ଗ୍ୟାରେଣ୍ଟି ନାହିଁ। ତାଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରିବାଟା ସେମିତି ମଧ୍ୟ ସମ୍ପୂର୍ଣ୍ଣ ନିର୍ଭରଯୋଗ୍ୟ ନୁହେଁ। ଧର୍ମ ନାମକ ଯେଉଁ ପୋତ ଈଶ୍ୱର ଗଢ଼ିଥିଲେ ବୋଲି କୁହାଯାଇଥିଲା ତାହା ଈଶ୍ୱର ଗଢ଼ିଥିଲେ କି କୋଉ ମଣିଷ ଗଢ଼ିଥିଲା ତାହା ମଧ୍ୟ ଜଣାନାହିଁ। ସେ ପୋତରେ ଥରେ ବସିଲେ ସେ ନେଇ ଆରକୂଳରେ ନିର୍ଭରଯୋଗ୍ୟ ଭାବେ ଲଗେଇପାରିବ କି ନାହିଁ ତାହା ମଧ୍ୟ ଜଣାନାହିଁ। ମଝିନଈରେ ମଧ୍ୟ ସେ ନାଉରିକୁ କହିହେବନାହିଁ ଯେ ମତେ ଓହ୍ଲେଇଦିଅ, ମଁୁ ମୋ ବାଟ ଖୋଜି ଚାଲିଯିବି। କହିଲେ ବି ନାଉରି କହିବ, ଏଠି ନଈରେ ଗଭୀର ଜଳ, ତା’ ଭିତରେ ପୁଣି କୁମ୍ଭୀର ଥିବ। ତମେ କ’ଣ ବିନା ସାହାରାରେ, ବିନା ଗୁରୁରେ ପହଁରି ପହଁରି ଏ ନଈକୁ ପାରି ହୋଇପାରିବ? ପୁଣି ବିଭ୍ରାନ୍ତି ବଢ଼ିବ। ପୁଣି ମାୟାରେ ଭ୍ରମିତ ହେବ ମନ।
ନିର୍ଦ୍ଦେଶକ, ଓଡ଼ିଆ ଭାଷା,
ସାହିତ୍ୟ ଓ ସଂସ୍କୃତି ବିଭାଗ
ମୋ:୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?