ଧର୍ମ ଏକା ପୋତ?

ରଞ୍ଜନ କୁମାର ଦାସ

 

ଆଗକାଳରେ ଗାଁରେ ବୁଢ଼ାଲୋକମାନେ କହନ୍ତି- ଧର୍ମ ଏକା ପୋତ ଗଢ଼ିଛନ୍ତି ବିଧି, ତରିବାକୁ ଏହି ସଂସାର ବାରିଧି। ଖାଲି ବୁଢ଼ାବୁଢ଼ୀ ନୁହନ୍ତି, ଆଗକାଳରେ ଲୋକମାନେ ପ୍ରାୟତଃ ଧର୍ମବିଶ୍ୱାସୀ ଥିଲେ। ଅବଶ୍ୟ ଅତୀତରେ ଲୋକଙ୍କ ଭିତରେ ପାପୀ, ଅନ୍ୟାୟୀ, ଦୁରାଚାରୀ ଲୋକ ଯେ ନ ଥିଲେ ସେକଥା କହିହେବ ନାହିଁ। ଇତିହାସ, ପୁରାଣରେ ଏଭଳି ଲୋକଙ୍କର ରାଶି ରାଶି ଉଦାହରଣ ଅଛି। ତଥାପି ଲୋକ ଭାବୁଥିଲେ ଈଶ୍ୱରବିଶ୍ୱାସୀ ଓ ଧର୍ମପରାୟଣ ହେଲେ ନିଜର ପୁଣ୍ୟ ବଢ଼ୁ କି ନ ବଢ଼ୁ ସମାଜରେ ପାପ ଅନ୍ତତଃ କମିବ। ସେଥିଲାଗି ଧର୍ମାନୁଷ୍ଠାନ ସବୁ ଗଢ଼ିଉଠୁଥିଲା, ସତ୍‌ସଙ୍ଗ ସବୁ ଆୟୋଜନ କରାଯାଉଥିଲା, ପ୍ରବଚନ ଦିଆଯାଉଥିଲା। ଉଦ୍ଦେଶ୍ୟ ଥିଲା ଲୋକଙ୍କର ଚରିତ୍ର ବଦଳିବ। ଏ ପ୍ରୟାସରେ ପୃଥିବୀରେ କେତେ ନୂଆ ନୂଆ ଧର୍ମଗୁରୁଙ୍କର ଆବିର୍ଭାବ ହୋଇଛି। କେତେ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ତୋଳା ହୋଇଛି। ସମସ୍ତେ ଧର୍ମର ନୂଆ ନୂଆ ଧାରଣା ଉପସ୍ଥାପିତ କରିଛନ୍ତି। କେତେ କେତେ ଧର୍ମଗ୍ରନ୍ଥ ଲେଖାହୋଇଛି, କେତେ ପ୍ରବଚନ ଦିଆଯାଇଛି। କେତେ ଯଜ୍ଞାନୁଷ୍ଠାନ କରାଯାଇଛି, କେତେ ବଳି ଦିଆଯାଇଛି, କେତେ ଧର୍ମଯୁଦ୍ଧ ବି ହୋଇଛି। ହେଲେ ସତରେ କ’ଣ ମଣିଷର ପଶୁତୁଲ୍ୟ ଚରିତ୍ର କାଣିଚାଏ ବଦଳିଛି? କେବଳ ଯାହା ପୃଥିବୀରେ ବିଭ୍ରାନ୍ତିର ମାତ୍ରା ବଢ଼ିଛି। ଧର୍ମାଚାର ନଁାରେ ଶଠାଚାର ଓ କପଟାଚାର ବଢ଼ିଛି।
ଧାର୍ମିକ ବିସ୍ତାରବାଦର ଶାର୍ଗୁଣା ଡେଣା ମେଲେଇ ଉଡ଼ିଚାଲିଛି ଭୂଖଣ୍ଡରୁ ଭୂଖଣ୍ଡ। ଏ ପ୍ରକ୍ରିୟାରେ ହିଂସା ବଢ଼ିଛି, ଦ୍ୱେଷ ବଢ଼ିଛି, ଯୁଦ୍ଧ ବି ହୋଇଛି; ମଣିଷ ମରିଛନ୍ତି। ହେଲେ କଲ୍ୟାଣ ହୋଇଛି କାହାର? ଧର୍ମ ଓ ଆଧ୍ୟାତ୍ମବାଦ୍‌ କଥା କହିଲେ ସାଧାରଣ ଲୋକେ ଯାହା ବୁଝନ୍ତି ତାହା ହେଲା ବସ୍ତୁବାଦ୍‌ର ବିପରୀତ। ଅର୍ଥାତ୍‌ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନାର ଲୋକଟିଏ ସଂସାରାସକ୍ତ ଓ ବିଷୟାଚ୍ଛନ୍ନ ନ ହୋଇ ପୁଣ୍ୟକାର୍ଯ୍ୟରେ ମଗ୍ନ ହେବ। ଅପରପକ୍ଷରେ ବସ୍ତୁବାଦୀ ଲୋକଟିଏ ବିଷୟାସକ୍ତ ହୋଇ ଆର୍ଥିକ ଓ ଭୌତ୍ତିକ ବିକାଶରେ ବୁଡ଼ିରହିବ। ମାତ୍ର ଦେଖିବେ ଆଜିକାଲି ସବୁ ଧର୍ମ ଓ ଆଧ୍ୟାତ୍ମିକ ଅନୁଷ୍ଠାନଗୁଡ଼ିକ ସାଧାରଣ ମଣିଷଠୁ ଅଧିକ ବିଷୟାସକ୍ତ। କେମିତି ତାଙ୍କର ଭକ୍ତ ଓ ଅନୁଗାମୀଙ୍କ ସଂଖ୍ୟା ବଢ଼ିବ, କିଭଳି ନୂଆ ନୂଆ ଆଶ୍ରମ ଓ ଉପାସନା ଗୃହ ପ୍ରତିଷ୍ଠିତ ହେବ, ସେଥିପାଇଁ କିଭଳି ନୂଆ ଜାଗାବାଡ଼ି କିଣାଯିବ, କିଭଳି ସଂସ୍ଥା ଚାଲିବା ପାଇଁ ଦାନ ଓ ଅନୁଦାନ ସଂଗ୍ରହ କରାଯିବ ସେଥିରେ ସବୁ ଧର୍ମାନୁଷ୍ଠାନ ମଗ୍ନ। ମୋର ବୋଲି କିଛି ନାହିଁ, ସବୁ ଈଶ୍ୱରଙ୍କର ବୋଲି ପ୍ରବଚନ ଦେଉଥିବା ଧର୍ମଗୁରୁମାନେ ମୋର ମୋର ବୋଲି କହି ଯୁଦ୍ଧକୁ ମଧ୍ୟ ଓହ୍ଲେଇ ଆସୁଛନ୍ତି। କ’ଣ ଶିଖିବେ ତାଙ୍କଠାରୁ ସାଧାରଣ ଅନୁଗାମୀ ଓ ଭକ୍ତଜନ?
ଧର୍ମଗୁରୁମାନେ ଯେତେବେଳେ ନିଜ ଆଚରଣରେ ପରିବର୍ତ୍ତନ ଆଣିପାରୁନାହାନ୍ତି ସେମାନେ ବା କ’ଣ ବଦଳେଇବେ ତାଙ୍କ ଭକ୍ତ ଓ ଅନୁଗାମୀମାନଙ୍କୁ? ସେମାନେ କ’ଣ ବଦଳେଇବେ ପୃଥିବୀକୁ? ସେମାନେ କ’ଣ ପୁନରାୟ ପୃଥିବୀକୁ ଆଣିପାରିବେ ତାଙ୍କ ପ୍ରବଚନରେ ପ୍ରଚାରିତ ସତ୍ୟଯୁଗ? ଅନେକ ଧର୍ମଗୁରୁ ଓ ତାଙ୍କ ଅନୁଗାମୀ ଦାବି କରନ୍ତି ସେମାନେ ପୃଥିବୀରେ ଧର୍ମ ଓ ସତ୍ୟର ପ୍ରବର୍ତ୍ତନ ପାଇଁ ଅବତାର ଗ୍ରହଣ କରିଛନ୍ତି। ସେମାନେ ପ୍ରତିଷ୍ଠା କରିବେ ରାମରାଜ୍ୟ, ସେମାନେ ପ୍ରତିଷ୍ଠା କରିବେ ସତ୍ୟଯୁଗ। ତାଙ୍କ ପ୍ରାର୍ଥନା ଓ ତପସ୍ୟାର ପ୍ରଭାବରେ ବଦଳିଯିବ ପୃଥିବୀ। ବଦଳିଯିବ ଲୋକଙ୍କ ଚରିତ୍ର। ବିଶ୍ୱ ଶାନ୍ତି ଆସିବ। ବେଳେବେଳେ ଲାଗେ ଖାଲି କ’ଣ ଏ ପିଆଜ ରସୁଣ ଛାଡ଼ିଦେଲେ ପୃଥିବୀ ବଦଳିଯିବ? ସଂକୀର୍ତ୍ତନର ଶବ୍ଦରେ ଗଗନପବନ ପ୍ରକମ୍ପିତ କରିଦେଲେ ତା’ର ଧ୍ୱନି ପ୍ରଭାବରେ ବାକିତକ ପୃଥିବୀର କାୟାକଳ୍ପ ବଦଳିଯିବ?
ନିକଟରେ ଗୋଟିଏ ମହାର୍ଘ ଧର୍ମାନୁଷ୍ଠାନକୁ ଯିବାର ସୌଭାଗ୍ୟ ଲଭିଥିଲା ଏ ଲେଖକ। ସେଠି ମଧ୍ୟ ଦାବି ଥିଲା, ଆଧ୍ୟାମତ୍ିକ ସତ୍‌ସଙ୍ଗର ପ୍ରଭାବ ଏତେ ପ୍ରଭାବଶାଳୀ ଯେ ସେଠିକି ଥରେ ଆସିଥିବା ଲୋକ ଉପରେ ତା’ର ଜୀବନବ୍ୟାପୀ ପ୍ରଭାବ ରହିବ। ସେ ପ୍ରଭାବରେ ସେ ନିଶ୍ଚୟ ଅମୃତମୁଖୀ, ସ୍ବର୍ଗଗାମୀ ହେବ। ଆଶ୍ରମରୁ ବାହାରିବାବେଳେ ଆଶ୍ରମର ଠିକ୍‌ ସାମ୍ନାରେ ଦେଖିଲି ଏକ ମଦ ଦୋକାନ। ମଦ ଦୋକାନ ସାମ୍ନାରେ ସକାଳୁ ସକାଳୁ ଲୋକ ଲାଇନ୍‌ କରି ଠିଆ ହୋଇଥା’ନ୍ତି ମଦ ପିଇବା ପାଇଁ। ବୁଝିଲି ମଦ ଦୋକାନଟି ଏଠି ଗତ ପନ୍ଦର କୋଡ଼ିଏ ବର୍ଷ ହେଲା ଚାଲିଛି। କିନ୍ତୁ ଆଶ୍ରମ ସେଠି ଶହେବର୍ଷ ପାଖାପାଖି ହେବ ପ୍ରତିଷ୍ଠିତ ହେଲାଣି। ମଁୁ ପଚାରିଲି, ଏଇ ନାକ ସାମ୍ନାରେ ଯଦି ଲୋକେ ଆଧ୍ୟାମତ୍ିକ ସତ୍‌ସଙ୍ଗର ପ୍ରଭାବରେ ବଦଳିପାରିଲେ ନାହିଁ, ତେବେ କ’ଣ ଭରସା ଅଛି ଆଗାମୀ ଦିନରେ ୟାର ପ୍ରଭାବରେ ପୃଥିବୀ ବଦଳିଯିବ ବୋଲି? ଆଧ୍ୟାମତ୍ିକତାର ପ୍ରଭାବରେ କ’ଣ କୌଣସି ତୀର୍ଥସ୍ଥଳରେ ଜୀବହତ୍ୟା ବନ୍ଦ ହେଲାଣି? ମଦ୍ୟପାନ, ଈର୍ଷା, ଦ୍ୱେଷ, ହତ୍ୟା, ବଳାତ୍କାର ଆଦି କମିଲାଣି?
ଏବେ ଆମେରିକାରେ ଗୋଟିଏ ଅନୁଷ୍ଠାନ ଧର୍ମବିଶ୍ୱାସୀ ଓ ସାଧାରଣ ଲୋକମାନଙ୍କ ବ୍ୟବହାର ଉପରେ ଏକ ଗବେଷଣା କରିଥିଲେ। ଗବେଷଣାରୁ ଜଣାପଡ଼ିଲା ନିୟମିତ ପୂଜାପାଠ, ପ୍ରାର୍ଥନା କରୁଥିବା ଈଶ୍ୱରବିଶ୍ୱାସୀ ଲୋକଙ୍କ ଭିତରୁ ୪୧ ପ୍ରତିଶତ ଲୋକ ଈର୍ଷା, ଦ୍ୱେଷ, କ୍ରୋଧ ଓ କ୍ରୂରତା ପ୍ରଦର୍ଶନ କରନ୍ତି ଯେତେବେଳେ ସାଧାରଣ ଲୋକମାନଙ୍କ ଭିତରୁ ୪୩ ପ୍ରତିଶତ ଏଭଳି କରିଥା’ନ୍ତି। ଧାର୍ମିକ ବିଶ୍ୱାସ ଥିବା ଲୋକଙ୍କ ଭିତରୁ ୩୯ ପ୍ରତିଶତ ମିଥ୍ୟାଚରଣ କରୁଥିବାବେଳେ ସାଧାରଣ ଲୋକଙ୍କ ଭିତରୁ ୪୫ ପ୍ରତିଶତ ମିଥ୍ୟାଚରଣ କରିଥା’ନ୍ତି। ଇଏ ଏକ ନମୁନା ମାତ୍ର। ତେବେ ଉଭୟ ପରିସଂଖ୍ୟାନ ଭିତରେ ତଫାତ୍‌ କେତେ? ଏଥିରୁ ଯାହା ଜଣାପଡ଼ିଲା ତାହା ହେଲା ମନ୍ଦିର, ମସ୍‌ଜିଦ୍‌ ବା ଚର୍ଚ୍ଚର ପରିଧି ଭିତରେ ରହୁଥିବା ଲୋକେ ଯେ ଅଧିକ ଈଶ୍ୱରୋପମ ହୋଇଥିବେ ତା’ର କୌଣସି ଗ୍ୟାରେଣ୍ଟି ନାହିଁ। ତାଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରିବାଟା ସେମିତି ମଧ୍ୟ ସମ୍ପୂର୍ଣ୍ଣ ନିର୍ଭରଯୋଗ୍ୟ ନୁହେଁ। ଧର୍ମ ନାମକ ଯେଉଁ ପୋତ ଈଶ୍ୱର ଗଢ଼ିଥିଲେ ବୋଲି କୁହାଯାଇଥିଲା ତାହା ଈଶ୍ୱର ଗଢ଼ିଥିଲେ କି କୋଉ ମଣିଷ ଗଢ଼ିଥିଲା ତାହା ମଧ୍ୟ ଜଣାନାହିଁ। ସେ ପୋତରେ ଥରେ ବସିଲେ ସେ ନେଇ ଆରକୂଳରେ ନିର୍ଭରଯୋଗ୍ୟ ଭାବେ ଲଗେଇପାରିବ କି ନାହିଁ ତାହା ମଧ୍ୟ ଜଣାନାହିଁ। ମଝିନଈରେ ମଧ୍ୟ ସେ ନାଉରିକୁ କହିହେବନାହିଁ ଯେ ମତେ ଓହ୍ଲେଇଦିଅ, ମଁୁ ମୋ ବାଟ ଖୋଜି ଚାଲିଯିବି। କହିଲେ ବି ନାଉରି କହିବ, ଏଠି ନଈରେ ଗଭୀର ଜଳ, ତା’ ଭିତରେ ପୁଣି କୁମ୍ଭୀର ଥିବ। ତମେ କ’ଣ ବିନା ସାହାରାରେ, ବିନା ଗୁରୁରେ ପହଁରି ପହଁରି ଏ ନଈକୁ ପାରି ହୋଇପାରିବ? ପୁଣି ବିଭ୍ରାନ୍ତି ବଢ଼ିବ। ପୁଣି ମାୟାରେ ଭ୍ରମିତ ହେବ ମନ।
ନିର୍ଦ୍ଦେଶକ, ଓଡ଼ିଆ ଭାଷା,
ସାହିତ୍ୟ ଓ ସଂସ୍କୃତି ବିଭାଗ
ମୋ:୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶୋଧର ଖଡ୍ଗ

ନ୍ୟାୟର ନିକିତିରେ ଯେତେବେଳେ ଅପଳାପର ଗରଳ ମିଶିଯାଏ, ସେତେବେଳେ ଆଇନର ଆଶ୍ରୟ ଅବିଚାରର ଆୟୁଧରେ ପରିଣତ ହୁଏ। ବୋହୂ ନିର୍ଯାତନାକୁ ପ୍ରତିହତ କରିବା ନିମନ୍ତେ ପ୍ରଣୀତ ଭାରତୀୟ…

ଅସରପା ଆଉ ଅଟୋକ୍ରାସି

କକ୍‌ରୋଚ୍‌ ଜନତା ପାର୍ଟି ଏକ ଥଟ୍ଟାଳିଆ ନାମକରଣ ବୋଲି ଭାବିଥିବା ପାଠକମାନଙ୍କୁ ଏବଂ ହିନ୍ଦୁତ୍ୱରେ ବୁଡିରହିଥିବା ପାଠକମାନଙ୍କୁ କ୍ଷମା ମାଗି ମୁଁ ଗୀତାର ଜଣାଶୁଣା ଉକ୍ତିକୁ ରୂପାନ୍ତର…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

ଭିଆଇପି ପରମ୍ପରା

ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ,…

ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri