ନିର୍ବାଚନ ଇସ୍ତାହାରରେ ଓଡ଼ିଶାର ଶିଳ୍ପ ବିକାଶ

ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ନୂତନ ଲୋକ ସଭା ଗଠନ ହେବ। ଓଡ଼ିଶାରେ ଲୋକ ସଭା ନିମନ୍ତେ ହେବା ସହ ରାଜ୍ୟ ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ହେବ। ସେଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମରସଜ୍ଜା ଆରମ୍ଭ ହୋଇଗଲାଣି। କ୍ଷମତାକୁ ଆସିଲେ ରାଜନୈତିକ ଦଳଗୁଡ଼ିକ ଓଡ଼ିଶାର ବିକାଶକୁ କେଉଁ ବାଟରେ ନେବେ ତା’ର ସୁଚିନ୍ତିତ ପ୍ରସ୍ତାବ ରଖି ନିର୍ବାଚନ ଇସ୍ତାହାର ନାମରେ ଭୋଟରମାନଙ୍କ ପାଖକୁ ଯିବେ। ତାଙ୍କ ଦଳକୁ ଭୋଟ ଦେବା ପାଇଁ ପ୍ରବର୍ତ୍ତାଇବେ।
ଆମ ରାଜ୍ୟର ଅର୍ଥନୈତିକ ସ୍ଥିତି ଯାହା ତାକୁ ଅନୁଧ୍ୟାନକଲେ ବିଭିନ୍ନ ସମସ୍ୟା ଦୃଷ୍ଟିକୁ ଆସେ। ବିଭିନ୍ନ କ୍ଷେତ୍ରରେ ବହୁ ସମସ୍ୟା ଅଛି। ଆମର ବଡ଼ ସମସ୍ୟା ହେଲା ବେକାରି। ରାଜ୍ୟରେ ଯଥେଷ୍ଟ ପ୍ରାକୃତିକ ସମ୍ପଦ ଥିଲେ ବି ସେସବୁର ଠିକ୍‌ ଉପଯୋଗ ନ ହେବାରୁ ଆମେ ନିଯୁକ୍ତି ସୁଯୋଗ ଯଥେଷ୍ଟ ସୃଷ୍ଟି କରିପାରି ନାହଁୁ। ଏହା ଯୋଗୁ ଆମ ବେକାର ଯୁବକ ଯୁବତୀ ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଯାଇ ପେଟ ପୋଷୁଛନ୍ତି।
ଯେକୌଣସି ଦଳ କ୍ଷମତାକୁ ଆସୁ ନା କାହିଁକି ଆସିଲେ ଆମ ମତରେ ତା’ର ପ୍ରାଥମିକ କର୍ତ୍ତବ୍ୟ ବେକାରି ଦୂର ହେବା ଉଚିତ। ସେଥିପାଇଁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିବା ହେଲା ପ୍ରଥମ କର୍ତ୍ତବ୍ୟ। ଶିଳ୍ପ କ୍ଷେତ୍ର କଥା ବିଚାର କରିବା। ଆମ ରାଜ୍ୟରେ ଯେହେତୁ ଖଣିଜ ସମ୍ପଦ ମିଳୁଛି, ତାହାକୁ ଭିତ୍ତିକରି ଶିଳ୍ପ ସ୍ଥାପନ କରିବା ପାଇଁ ଶିଳ୍ପପତିମାନେ ଦେଶ ମଧ୍ୟରୁ ଓ ଦେଶ ବାହାରୁ ଆସି ଶିଳ୍ପ ସ୍ଥାପନ କରୁଛନ୍ତି। ସେହି ସବୁ ଶିଳ୍ପପତି ଆଧୁନିକ ଜ୍ଞାନକୌଶଳ ଓ ଅଟୋମେଟିକ ଯନ୍ତ୍ରପାତି ବ୍ୟବହାର କରି ଖୁବ୍‌ କମ୍‌ ଶ୍ରମିକ ଲଗାଇ ଉତ୍ପାଦନ କରୁଛନ୍ତି। ଯେତେ ପୁଞ୍ଜି ବିନିଯୋଗ କରୁଛନ୍ତିି ସେହି ତୁଳନାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉନାହିଁ। ତା’ ସାଙ୍ଗକୁ ଖଣିଜ ଦ୍ରବ୍ୟରୁ ଯେଉଁ ସାମଗ୍ରୀ ଉତ୍ପାଦନ କରୁଛନ୍ତି ସେହିସବୁ ଇସ୍ପାତ ଓ ଆଲୁମିନିୟମ ଖଣ୍ଡ ବା ଇନ୍‌ଗଟ । ଏହା ସିଧାସଳଖ ସାଧାରଣ ଖାଉଟିଙ୍କ ପାଖକୁ ଯାଉନାହିଁ। ଏହି ଲୌହଖଣ୍ଡକୁ ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପମାନେ କଞ୍ଚାମାଲ ରୂପେ ବ୍ୟବହାରକରି ବିଭିନ୍ନ ଖାଉଟି ଦ୍ରବ୍ୟ ଉତ୍ପାଦନ କରନ୍ତି । ସେସବୁ ଶିଳ୍ପରେ ତୁଳନାତ୍ମକ ଭାବେ କମ୍‌ ପୁଞ୍ଜିରେ ଅଧିକ ନିଯୁକ୍ତି ସୁବିଧା ସୃଷ୍ଟି କରନ୍ତି ଏବଂ ସେ ଉତ୍ପାଦକୁ ଖାଉଟିଙ୍କ ପାଖରେ ପହଞ୍ଚାଇବାକୁ ଯେଉଁ ଯୋଗାଣ ଚେନ୍‌ ଦରକାର ସେଥିରେ ମଧ୍ୟ ଲୋକ ନିଯୁକ୍ତି ପାଆନ୍ତି।
ଇସ୍ପାତର ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ କ’ଣ? କୃଷି କ୍ଷେତ୍ରରେ ବ୍ୟବହାର ହେଉଥିବା କୃଷି ଯନ୍ତ୍ରପାତି ଯଥା ପାଣିପମ୍ପ,ପାୱର ଟିଲର, ଟ୍ରାକ୍ଟର ଆଦି ମେଶିନାରି ଶିଳ୍ପ; ସାଇକେଲ ,ମଟରସାଇକେଲ ,କାର୍‌, ଟ୍ରକ୍‌ ଆଦି ପରିବହନ ବାହନ ତିଆରି; ଫ୍ରିଜ୍‌, ଶୀତତାପ ନିୟନ୍ତ୍ରଣ ପାଇଁ ମେଶିନ ଇତ୍ୟାଦି ତିଆରି କରିବାରେ ଅନେକ ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ ଯେଉଁମାନଙ୍କର ମୁଖ୍ୟ କଞ୍ଚାମାଲ ଇସ୍ପାତ। ସେହିପରି ଗୃହ ନିର୍ମାଣ ପାଇଁ ଲୁହାଛଡ଼ ଏବଂ କବାଟ ଝରକା ଓ ଅନ୍ୟାନ୍ୟ ଆସବାବ ପତ୍ର ପାଇଁ କଣ୍ଟା,କବ୍‌ଜା,ଚାବି ଇତ୍ୟାଦି। ଆମ ରାଜ୍ୟରେ ଏସବୁ ଶିଳ୍ପ କାହିଁ? ଯାହାବି ଅଛି ନାମକୁ ମାତ୍ର। ରାଜ୍ୟରେ ଉତ୍ପାଦନ ହେଉଥିବା ଇସ୍ପାତ ଖଣ୍ଡ ଅନ୍ୟ ରାଜ୍ୟ ଓ ବିଦେଶକୁ ରପ୍ତାନି ହୋଇ ଯାଉଛି। ସେଠି ଉପଯୋଗ ହୋଇ ଆମ ଖାଉଟିଙ୍କ ପାଖକୁ ଆସୁଛି। ଆମର ଏଠି ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ ନ ଥିବାରୁ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉନାହିଁ। ଆଲୁମିନିୟମ ଶିଳ୍ପରେ ସେହି ସ୍ଥିତି। ଆମର ଆଲୁମିନିୟମ ଖଣ୍ଡକୁ ନେଇ ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ ନ ଥିବାରୁ ବାହାର ରାଜ୍ୟକୁ ଓ ବିଦେଶକୁ ଯାଇ ଖାଉଟି ଦ୍ରବ୍ୟ ପ୍ରସ୍ତୁତ ହୋଇ ଆମ ପାଖକୁ ଆସୁଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ କିପରି ଇସ୍ପାତ ଓ ଆଲୁମିନିୟମ ଖଣ୍ଡକୁ ଉପଯୋଗକରି ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ ମାଧ୍ୟମରେ ଖାଉଟିମାନେ ବ୍ୟବହାର କରିବା ଭଳି ଦ୍ରବ୍ୟ ତିଆରି ହେବ ସେଥିପାଇଁ ବ୍ଳୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଇସ୍ତାହାରରେ ସ୍ଥାନିତ କରିବା ପାଇଁ ବିଚାରକୁ ନିଅନ୍ତୁ।
ଖାଦ୍ୟ ପରେ ବସ୍ତ୍ର ମଣିଷ ପାଇଁ ଅତି ଦରକାରୀ ।
ବ୍ରିଟିଶ ଶାସନ କାଳରେ ଆମର ବୟନ ଶିଳ୍ପକୁ ଧ୍ବଂସକରି ବ୍ରିଟେନର ମାଞ୍ଚେଷ୍ଟରରେ ଉତ୍ପାଦନ ହେଉଥିବା ବସ୍ତ୍ର ଆଣି ଆମ ଦେଶରେ ବିକ୍ରିକଲେ। ଆମ ବୁଣାକାର ବେକାର ହେଲେ, ଖାଇବାକୁ ପାଇଲେ ନାହିଁ। ଆମ ଦେଶରୁ ଅର୍ଥ ବ୍ରିଟେନକୁ ଚାଲିଗଲା। ଗାନ୍ଧିଜୀ ଖଦି ଆନ୍ଦୋଳନକରି ସୂତାକଟାରୁ ସ୍ବାଧୀନତା ଆଣିଥିଲେ। ସୁତରାଂ ବୟନଶିଳ୍ପ କିପରି ଆମ ରାଜ୍ୟର ବେକାରି ଦୂର ଓ ଅର୍ଥନୈତିକ ବିକାଶ ପାଇଁ ଅତି ଆବଶ୍ୟକ ତାହା କହିବା ନିଷ୍ପ୍ରୟୋଜନ। ସ୍ବାଧୀନତା ପରେ ପରେ ବୟନଶିଳ୍ପ ବିକାଶର ଗୁରୁତ୍ୱ ଉପଲବ୍ଧିକରି ଡ. ହରେକୃଷ୍ଣ ମହତାବ ଯେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ଓଡ଼ିଶାରେ ଦୂରଦ୍ରଷ୍ଟା ବିଜୁ ପଟ୍ଟନାୟକ ତାଙ୍କୁ ପ୍ରଭାବିତକରି ଚୌଦ୍ବାରଠାରେ ପ୍ରତିଷ୍ଠାକଲେ ଓଡ଼ିଶା ଟେକ୍ସଟାଇଲ ମିଲ୍‌ (ଓଟିଏମ୍‌)।
ସେତେବେଳେ ପୂର୍ବ ଭାରତରେ ସବୁଠାରୁ ବଡ଼ ଲୁଗାକଳ ମାନ୍ୟତା ପାଇଥିଲା ଓଟିଏମ୍‌। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ହଜାର ହଜାର ଲୋକଙ୍କୁ ନିଯୁକ୍ତି ଯୋଗାଇ ଥିଲା। ଓଡ଼ିଶା ଲୋକଙ୍କର ଅଧିକାଂଶ ବସ୍ତ୍ର ଆବଶ୍ୟକତା ମେଣ୍ଟାଉଥିଲା। ସେତେବେଳେ ଓଡ଼ିଶାରେ କପା ଉତ୍ପାଦନ ପର୍ଯ୍ୟାପ୍ତ ପରିମାଣରେ ହେଉ ନ ଥିଲା। ଆଜି ଓଟିଏମ୍‌ ଖତ ଖାଉଛି। ଶ୍ରମିକ ବେକାର। ଏବେ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଅତି ଉଚ୍ଚ ମାନର କପା ଉତ୍ପାଦନ ହେଉଛି -ବାର୍ଷିକ ୩.୫ ଲକ୍ଷ ଟନ୍‌। କିନ୍ତୁ ଓଡ଼ିଶାରେ ବୟନ ଶିଳ୍ପ ନାହଁ ଆଉ ସୂତାକଳ ସବୁ ଅଚଳ। କପାଚାଷୀ ନାହଁି ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛି। ଆମେ ଶିଳ୍ପ ବିକାଶ ନାଁରେ କନ୍‌କ୍ଳେଭ କରି ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରୁଛୁ ଅଥଚ ଲୁଗାକଳ ଓ ସୂତାକଳ ପ୍ରତିଷ୍ଠା କରୁନାହୁଁ। କେବିକେ ଜିଲା ସମୂହର କପାଚାଷୀମାନେ ଲାଭଜନକ ମୂଲ୍ୟ ପାଇଁ ପାରୁନାହାନ୍ତି। ଆନ୍ଧ୍ରରୁ ବେପାରୀମାନେ ଆସି କମ୍‌ ଦାମ୍‌ରେ କପା ନେଇ ଜିନିଂ ମିଲ୍‌ରେ ମଞ୍ଜି ଛଡ଼ାଇ ସେହି ମଞ୍ଜିରୁ ତେଲ ବାହାର କରୁଛନ୍ତି ଏବଂ ପିଡ଼ିଆରୁ ଗୋଖାଦ୍ୟ ପ୍ରସ୍ତୁତ କରୁଛନ୍ତି।
ଆମର ପ୍ରସ୍ତାବ ହେଲା କେବିକେ ଜିଲାଗୁଡିକ ମଧ୍ୟରୁ ଏକ ଉପଯୁକ୍ତ ସ୍ଥାନ ବାଛି ସେଠି ଏକ ଆଧୁନିକ ଲୁଗାକଳ ସ୍ଥାପନ ପାଇଁ ବିଚାର କରାଯାଉ। ଏହାଦ୍ବାରା କପାଚାଷୀ ଲାଭବାନ୍‌ ହେବେ ଓ ନିଯୁକ୍ତି ସୁବିଧା ସୃଷ୍ଟିହେବ। ଦାଦନ ସମସ୍ୟା ବହୁ ପରିମାଣରେ ଦୂରହେବ। ଏହା ସାଙ୍ଗକୁ ସୂତାକଳ ରାଜ୍ୟର ବିଭିନ୍ନ ଜିଲାରେ ପ୍ରତିଷ୍ଠା କରାଯାଇ ବୁଣାକାରମାନଙ୍କୁ ସହଜ ଓ ଶସ୍ତାରେ ସୂତା ଯୋଗାଇ ଦିଆଯାଇପାରିବ।
କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ପାଇଁ କୃଷିଭିତ୍ତିକ ଛୋଟ ଛୋଟ ଶିଳ୍ପ ସ୍ଥାପନ ଲାଗି ରାଜନୈତିକ ଦଳଗୁଡ଼ିକ ବିଚାର କରନ୍ତୁ। ବିଲାତି ବାଇଗଣ ପ୍ରଚୁର ଅମଳ ହେଉଥିବା ଅଞ୍ଚଳରେ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରି ସସ୍‌, କେଚପ୍‌, ଆଚାର ଆଦି ପ୍ରସ୍ତୁତ ହେଉ। ସେହିପରି ଅନ୍ୟାନ୍ୟ ଫଳ ଓ ପରିବା ପାଇଁ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ବିଚାରକୁ ନିଆଯାଉ।
ରାଜନୈତିକ ଦଳଗୁଡ଼ିକ ମାଗଣା ବାଣ୍ଟିବା ପ୍ରତିଯୋଗିତାରୁ ବିରତ ରହି ଆମ ସମ୍ପଦ ଓ ମାନବ ସମ୍ବଳକୁ ଉପଯୋଗକରି ଆବଶ୍ୟକ ଶିଳ୍ପ ସ୍ଥାପନକରି ନିଯୁକ୍ତି ସମ୍ଭାବନା ସୃଷ୍ଟି କରି ବେକାରି ଦୂର କରାଇବାକୁ ଉଦ୍ୟମ କରନ୍ତୁ।

  • ନଟବର ଖୁଣ୍ଟିଆ
    ସୂର୍ଯ୍ୟନଗର, ଭୁବନେଶ୍ବର
    ମୋ: ୯୯୩୭୯ ୫୧୨ ୬୨

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?