ପରୋକ୍ଷ ଉକ୍ତି

ଅଲେଖ ଚନ୍ଦ୍ର ମିଶ୍ର

ପୁରୁଣା କଥାଟିଏ। ଜଣେ ରାଜା ଥିଲେ।ସେ ଜ୍ଞାନୀ, ଗୁଣୀ ଓ ପଣ୍ଡିତମାନଙ୍କୁ ଖୁବ୍‌ ଆଦର କରୁଥିଲେ। ତେଣୁ ତାଙ୍କ ସଭାରେ ଅନେକ ବିଜ୍ଞଲୋକ ଥିଲେ। ଥରେ ତାଙ୍କ ଦରବାରରେ ପହଞ୍ଚିଲେ ଜଣେ ଅପରିଚିତ ଲୋକ। ତାଙ୍କ ସହିତ କିଛି ସମୟ କଥାବାର୍ତ୍ତା ଭିତରେ ରାଜା ଜାଣିଗଲେ ଯେ ସେ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ପୁରାଣଶାସ୍ତ୍ରବିତ୍‌। ରାଜା ତାଙ୍କୁ ତତକ୍ଷଣାତ୍‌ ସଭାପଣ୍ଡିତ ନିଯୁକ୍ତ କରିଦେଲେ। ଅଳ୍ପଦିନ ମଧ୍ୟରେ ତାଙ୍କ ଜ୍ଞାନ ଗରିମାର ବାର୍ତ୍ତା ସବୁଆଡେ ବ୍ୟାପିଗଲା ଏବଂ ତାଙ୍କ ପ୍ରତି ରାଜାଙ୍କର ସମ୍ମାନ ବଢ଼ିଗଲା। ଏହା ଦେଖି ଅନ୍ୟ ପଣ୍ଡିତମାନେ ଈର୍ଷାଳୁ ହୋଇଗଲେ ଏବଂ ନୂତନ ପଣ୍ଡିତଙ୍କୁ ରାଜାନୁଗ୍ରହରୁ ବଞ୍ଚିତ କରିବା ପାଇଁ ଚକ୍ରାନ୍ତ କଲେ। ସେମାନେ ଗୋଟିଏ ଉପାୟ ପାଞ୍ଚିଲେ। ଘରଦ୍ୱାର ସଫା ଓ ଅନ୍ୟାନ୍ୟ ବାସିକାମ କରିବା ପାଇଁ ଝାଡୁଦାରଟିଏ ପ୍ରତିଦିନ ଉଆସକୁ ଆସେ। ମହଲ ଭିତରକୁ ତା’ର ଅବାଧ ପ୍ରବେଶ ଥାଏ। ତାକୁ ପ୍ରଲୋଭିତ କରି ସମସ୍ୟାଟିର ସମାଧାନ ପାଇଁ ତା’ର ସାହାଯ୍ୟ ଲୋଡ଼ିଲେ। ପରଦିନ ସେବକଟି ଭିତର ଘର ସଫା କରୁଥିବା ବେଳେ ରାଜାଙ୍କୁ ଛାଇ ନିଦରେ ଶୋଇଥିବା ଦେଖି ଅଳ୍ପୋଚ୍ଚ ସ୍ବରରେ ମନକୁମନ କହିବାକୁ ଲାଗିଲା ”ଦେଖ ହୋ, ଯୁଗ କ’ଣ ହେଲାଣି! ରାଜା ଆମର କେତେ ଉଦାର। ବିଚରା ଅଜଣା ଅଶୁଣା ଲୋକଟାକୁ ମୁଣ୍ଡ ଉପରେ ବସାଇଦେଲେ। ଅଥଚ ସେ ବିଶ୍ୱାସରେ ବିଷ ମିଶେଇଲା! ଶେଷରେ ରାଣୀଙ୍କ ସହିତ ଛି… ଛି….।“ ହଠାତ୍‌ ରାଜା ଉଠିପଡ଼ି ସେବକଟିକୁ ପଚାରିଲେ, ”କ’ଣ ହେଲାକି? ପଣ୍ଡିତ କ’ଣ କଲେ? ଟିକେ ଖୋଲିକରି କହୁନୁ !“ ଲୋକଟି ଭୟଭୀତ ହୋଇ ପଡ଼ିବାର ଛଳନା କରି ରାଜାଙ୍କର ଗୋଡ଼ତଳେ ପଡ଼ିଗଲା। କହିଲା, ‘ମଣିମା, ମୁଁ ନିଶାଗ୍ରସ୍ତ ଅବସ୍ଥାରେ କ’ଣ କହିଦେଲି ନିଜେ ଜାଣିନି। ମତେ କ୍ଷମା କରନ୍ତୁ।’ ରାଜା ତାକୁ ଛାଡ଼ିଦେଲେ। କିନ୍ତୁ ତା’ର କଥା କେଇପଦ ମନ ଭିତରେ ତାଙ୍କର ଏମିତି ଛାପ ଛାଡ଼ି ଦେଇଗଲା ଯେ ତାକୁ ସେ ଆଦୌ ଭୁଲି ପାରିଲେନି। ହଠାତ୍‌ କାହାକୁ କିଛି ନ କହି ନୂତନ ପଣ୍ଡିତଙ୍କୁ ରାଜ୍ୟରୁ ବିତାଡ଼ିତ କରିଦେଲେ। ବିଚରା ପଣ୍ଡିତେ, ନିଜର ଭୁଲ କ’ଣ ଜାଣି ପାରିଲେନି କି ରାଜାଙ୍କ ସହିତ ପଦେ କଥା ହେବା ପାଇଁ ସୁଯୋଗ ପାଇଲେନି।
କାହାଣୀଟି ଏତେ ଦୀର୍ଘ ଯେ ଏହାର ଅବଶିଷ୍ଟାଂଶ ଏଠାରେ ଉପସ୍ଥାପନା କରିବା ସମ୍ଭବ ନୁହେଁ। ତେବେ ଏଥିରେ ନିହିତ ସନ୍ଦେଶ ଯୁଗେ ଯୁଗେ ସତ୍ୟ। ଅନୁରୂପ ଘଟଣା ସେତେବେଳେ ଘଟୁଥିଲା, ଏବେ ଘଟୁଛି, ଆଗକୁ ମଧ୍ୟ ଘଟିବ। ସେ ବ୍ୟକ୍ତିଗତ ସ୍ତରରେ ହେଉ ବା ସାମୂହିକ ସ୍ତରରେ, ଘରେ ହେଉ ବା ବାହାରେ, ସାଙ୍ଗସାଥି ମହଲରେ ବା କର୍ମକ୍ଷେତ୍ରରେ ଅଥବା ପ୍ରେମୀଯୁଗଳଙ୍କ ମଧ୍ୟରେ। ଏହି ସତ୍ୟଟି ହେଲା ପରୋକ୍ଷ ଉକ୍ତି, ପରଚର୍ଚ୍ଚା, ଜଣକର ଅବର୍ତ୍ତମାନରେ ତାଙ୍କ ବିଷୟରେ ଆଲୋଚନା, ସମାଲୋଚନା। ସମୟର ଅପଚୟ ପାଇଁ ଏହା ଏକ ମାଧ୍ୟମ। ମଣିଷର ସ୍ବଭାବ, ସେ ଭଲ କଥାଟିକୁ ଯେତେ ସହଜରେ ଗ୍ରହଣ କରିପାରେନା ମନ୍ଦ କଥାଟିକୁ ତା’ଠାରୁ ବହୁଗୁଣ ଆଗ୍ରହରେ ଶୁଣିଥାଏ। କୌଣସି ଲୋକ ବିରୋଧରେ କୁତ୍ସାରଟନା ତୁଣ୍ଡବାଇଦ ସହସ୍ର କୋଶ ନ୍ୟାୟରେ ସର୍ବତ୍ର ବ୍ୟାପିଯାଏ ଏବଂ ତା’ର ସତ୍ୟାସତ୍ୟ ନ ବୁଝି ଲୋକେ ସେଥିରେ ଭାସିଯାନ୍ତି। ଯଦି ଖଳ ଲୋକର କାନରେ ପଡ଼ିଯାଏ ତେବେ ତ ସେଥିରେ ଡେଣା ଲାଗିଯାଏ। ସେଥିପାଇଁ କୁହାଯାଏ, ‘ଜଳେ ତୈଳଂ, ଖଳେ ଗୁହ୍ୟଂ…ବିସ୍ତାରଂ ବସ୍ତୁଶକ୍ତିତଃ I’ ପରୋକ୍ଷ ଉକ୍ତି ଯେତେବେଳେ କାନକୁହା ବା ଚୁଗୁଲିର ଆକାର ଧାରଣ କରେ ସେତେବେଳେ ତାହା ଅଧିକ ନକାରାତ୍ମକ ହୋଇପଡ଼େ। ସୁନ୍ଦର ବୁଝାମଣା ଥିବା ପରିବାର ଭିତରେ ଫାଟ ସୃଷ୍ଟି ହୁଏ। ସାହିପଡ଼ିଶା, ବନ୍ଧୁବାନ୍ଧବ, ସାଙ୍ଗସାଥି ମହଲରେ ଏହାଦ୍ୱାରା ଅଯଥା ସନ୍ଦେହର ବାତାବରଣ ସୃଷ୍ଟି ହୋଇ ସମ୍ପର୍କରେ ଭଟ୍ଟା ପଡ଼ିଯାଏ। ପ୍ରେମିକା ପ୍ରେମିକ ମଧ୍ୟରେ ବିଚ୍ଛେଦର କାରଣ ହୁଏ। ବିପରୀତ କ୍ରମେ ଆପଣାର ଅଭିପ୍ରାୟକୁ ସମ୍ପୃକ୍ତ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ଏହା ‘ଲବି’ର ରୂପ ନିଏ। ତିନି ତୁଣ୍ଡରେ ଉଚ୍ଚାରିତ ହେଲେ ଛେଳିଟିଏ କୁକୁରର ଭ୍ରମ ସୃଷ୍ଟିକରେ। ପାଞ୍ଚ ମୁହଁ ଏକ ସୁସ୍ଥ ସବଳ ଲୋକକୁ ପାଗଳ ବୋଲି କହିଦେଲେ ନିଜେ ଲୋକଟି ବି ଶେଷରେ ସନ୍ଦିହାନ ହୋଇପଡ଼େ। ସଜ ମାଛରେ ପୋକ ପଡ଼େ।
ପୁରାଣ ଯୁଗରେ ପ୍ରଭୁ ଶ୍ରୀରାମ ବି ଏହିଭଳି ଏକ ପରୋକ୍ଷ ଟିପ୍ପଣୀ ଯୋଗୁ ସୀତାଙ୍କୁ ବିସର୍ଜନ କରିଥିଲେ। ପୁତ୍ର ଅଶ୍ୱତ୍ଥମା ନିଧନ ହେବାର ଉଡ଼ା ଖବର ଶୁଣି ଯୁଧିଷ୍ଠିରଙ୍କର ପରୋକ୍ଷ ଉକ୍ତିକୁ ଗୁରୁଶ୍ରେଷ୍ଠ ଦ୍ରୋଣାଚାର୍ଯ୍ୟ ବିଶ୍ୱାସ କରିଥିଲେ। କାନକୁହା କଥା କେତେ ବିପଜ୍ଜନକ ଇତିହାସ ତା’ର ସାକ୍ଷୀ। ଲୁଣ୍ଠନକାରୀ ନାଦିର ଶାହାଙ୍କର ଲୋଲୁପ ଦୃଷ୍ଟିରୁ କୋହିନୂର ହୀରାକୁ ବଞ୍ଚେଇବା ପାଇଁ ମୋଗଲ ସମ୍ରାଟ ଶାହା ଆଲାମ୍‌ ତାକୁ ନିଜର ପଗଡ଼ି ଭିତରେ ଲୁଚାଇ ରଖିଥିଲେ। କିନ୍ତୁ ଜଣେ କାନକୁହା ଲୋକଠାରୁ ଖବର ପାଇ ଚତୁର ନାଦିର ଶାହା ବନ୍ଧୁତ୍ୱର ନିଦର୍ଶନ ଛଳରେ ପରସ୍ପରର ପଗଡ଼ି ବଦଳାଇବାକୁ ପ୍ରସ୍ତାବ ଦେଇ କୋହିନୂରକୁ କରାୟତ୍ତ କରିନେଲେ। ଓଡ଼ିଶାରେ ପାଇକ ବିଦ୍ରୋହର କର୍ଣ୍ଣଧାର ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ଓ ତାପଙ୍ଗ ଦଳବେହେରା (ମାଧବ ରାଉତରାୟ) ଚୁଗୁଲିର ଶିକାର ହୋଇ ଆତ୍ମୋତ୍ସର୍ଗ କରିଥିଲେ।
ଓଡ଼ିଆ ଉପନ୍ୟାସ ସାହିତ୍ୟରେ ବି ଏହାର ଝଲକ ଦେଖିବାକୁ ମିଳେ। ସେ ‘ଛ ମାଣ ଆଠଗୁଣ୍ଠ’ର ଚମ୍ପା ହେଉ କିମ୍ବା ‘ମାଟିର ମଣିଷ’ର ହରି ମିଶ୍ର ଅଥବା ‘ଶାସ୍ତି’ ର ପହରାଜେ ଏ ସମସ୍ତେ ପରୋକ୍ଷ ବାକ୍‌ଚାତୁରୀର ଏକ ଏକ ଉଦାହରଣ। ପରୋକ୍ଷ ଉକ୍ତିର ଅନ୍ୟ କେତେକ ବିଭାବ ହେଲା ଲୁଚାଛପାରେ, ଠରାଠରିରେ, ଆଖିଆଖିରେ, ଇସାରାରେ, ସଂକେତରେ, ନୀରବରେ, ଇଙ୍ଗିତରେ, ସ୍ବାଗତୋକ୍ତିରେ, ଦେଖେଇଶିଖେଇ, ବୁଲେଇବଙ୍କେଇ ଏବଂ ଦ୍ବିଅର୍ଥବୋଧକ ବା ଶ୍ଳେଷାତ୍ମକ ଭଙ୍ଗୀରେ ଭାବ ବିନିମୟର ପ୍ରକ୍ରିୟା। ଯେମିତି ଗୁହାଳ ପୋଛିବାକୁ ନ କହି ଲୋକପାଖରେ ଗୁହାଳ ପାଚିଆ ଥୋଇଦେବା I ଏ ବିଷୟରେ ଆଗେ ପାଲାଗାୟକମାନେ ବର୍ଣ୍ଣନା କରୁଥିବା ଏକ ଲୌକିକ ବଚନିକା ମନେ ପଡ଼େ। କୌଣସି କାରଣରୁ ଦିନେ ସକାଳୁ ଏକ ଦମ୍ପତିଙ୍କ ମଧ୍ୟରେ ମନାନ୍ତର ହେବାରୁ କେହି କାହା ସହିତ କଥାବାର୍ତ୍ତା କଲେ ନାହିଁ I ସଞ୍ଜରେ ଘରକୁ ଫେରି ସ୍ବାମୀ ଅଳ୍ପୋଚ୍ଚ ସ୍ବରରେ ସ୍ବାଗତୋକ୍ତି କଲେ, ‘ଆଜି ବଜାରରେ ଭଲ ମାଛ ମିଳୁଥିଲା ତ ଗୋଟିଏ ନେଇ ଆସିଛି। ଏଇଠି ରହିଲା।’ ରାତିରେ ସ୍ତ୍ରୀ ରୋଷେଇ ଘରେ ଥାଇ ବଡ଼ପାଟିରେ କହିଲେ, ‘ମାଛ ରନ୍ଧା ସରିଲାଣି I ଭାତ ବି ହେଲାଣି I
ଏଇଠି ଥୁଆହେଲା। ଯିଏ ଖାଇବା କଥା ଖାଅ।’ ସ୍ବାମୀ ତତ୍‌କ୍ଷଣାତ୍‌ ଆସି ଖାଇଦେଲେ ଏବଂ ଖାଇସାରି ଚୁପ୍‌ଚାପ୍‌ ଯାଇ ଶୋଇପଡ଼ିଲେ। ତା’ ପରେ ସ୍ତ୍ରୀ ଖାଇପିଇ ସବୁକାମ ସାରି ଶୋଇଲେ। ରାତି ପାହିଲା ପରେ ଦେଖାଗଲା ସବୁ ଠିକ୍‌ଠାକ୍‌।
ୟୁନିଟ-୪, ଭୁବନେଶ୍ୱର
ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଯୁଗେ ଯୁଗେ ଇଚ୍ଛାମୃତ୍ୟୁ

ଣସି କାରଣରୁ ବ୍ୟକ୍ତି ଇଚ୍ଛାକରି ମୃତ୍ୟୁକୁ ଆଦରି ନେବା ହେଉଛି ଇଚ୍ଛାମୃତ୍ୟୁ, ଯାହା ପୁରାଣ ପୃଷ୍ଠା ମଣ୍ଡନକରି ପାଠକର ମନ ହୃଦୟକୁ ଆନ୍ଦୋଳିତ କରେ। ରାମାୟଣ ଯୁଦ୍ଧର…

ଓଡ଼ିଶାରେ ଗଛର ବିବିଧତା

ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ…

ଶାକାହାରୀ ଦୟାଳୁ କି

ନାଥୁରାମ ଗଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ସେ କ’ଣ ଶାକାହାରୀ ଥିଲେ କି? ହିନ୍ଦୁ ପୁରାଣ ଅନୁଯାୟୀ, ପର୍ଶୁରାମ ଅନେକ ପିଢ଼ିର କ୍ଷତ୍ରିୟଙ୍କୁ ହତ୍ୟା କରିଥିଲେ।…

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri