କେତେ ଖୁସି

ପ୍ରକାଶ ତ୍ରିପାଠୀ

ପ୍ରସିଦ୍ଧ ବିଟିଲ୍ସ ରକ୍‌ ବ୍ୟାଣ୍ଡ୍‌ ଗ୍ରୁପ୍‌ର ଅନ୍ୟତମ ପ୍ରତିଷ୍ଠାତା ଜନ୍‌ ଲେନନଙ୍କ ପିଲାଦିନର ଗୋଟିଏ ଶିକ୍ଷଣୀୟ ଘଟଣାରୁ ଏହି ଆଲେଖ୍ୟଟି ଆରମ୍ଭ। ଥରେ ଶ୍ରେଣୀ ଗୃହରେ ଶିକ୍ଷକ ଛାତ୍ରୀଛାତ୍ରମାନଙ୍କୁ କିଛି ପାଠ ନ ପଢ଼ାଇ ଏକ ଭିନ୍ନ ଶୈଳୀରେ ପରୀକ୍ଷା କଲେ। ଶିକ୍ଷକଙ୍କ ଉଦ୍ଦେଶ୍ୟ ଥିଲା, ପିଲାମାନେ ଭବିଷ୍ୟତରେ ନିଜକୁ କେଉଁ ଭାବରେ ଦେଖିବାକୁ ଚାହୁଁଛନ୍ତି ତାହା ଜାଣିବା। ଉପସ୍ଥିତ ଛାତ୍ରୀଛାତ୍ରମାନଙ୍କୁ ପରୀକ୍ଷା ପେପର ଦେଇ ସେମାନେ ବଡ଼ ହେଲେ ନିଜକୁ କେମିତି ଦେଖିବାକୁ ଆଶା କରୁଛନ୍ତି ତାହା ନିର୍ଭୟ ଭାବେ ଲେଖିବାକୁ ଶିକ୍ଷକ ନିର୍ଦ୍ଦେଶ ଦେଲେ। କିଏ କ’ଣ ଭାବିବ ବୋଲି ଚିନ୍ତା ନ କରି ତଥା ଅନ୍ୟଠାରୁ କପି ନ କରି ନିଜର ଭାବନାକୁ ବିଶ୍ୱାସଯୋଗ୍ୟ ଭାବେ ପ୍ରକାଶ କରିବାକୁ ଶିକ୍ଷକ ପରାମର୍ଶ ଦେଲେ। ଯେତେ ସମୟ ଲାଗିଲେ ବି ନିଜର ମନର କଥା ଠିକ୍‌ ଭାବେ ଲେଖିବାକୁ ଶିକ୍ଷକ ବାରମ୍ବାର କହୁଥାନ୍ତି। କିଛି ସମୟପରେ ଉତ୍ତର ଲେଖି ଜଣକ ପରେ ଜଣେ ଛାତ୍ରୀ/ଛାତ୍ର ସେମାନଙ୍କର ପରୀକ୍ଷା ଖାତା ଶିକ୍ଷକଙ୍କୁ ଦେବାକୁ ଲାଗିଲେ। ଖାତା ନେଉଥିବା ସମୟରେ ପିଲାଙ୍କ ଉତ୍ତର ଉପରେ ଶିକ୍ଷକଙ୍କ ନଜର ପଡ଼ିଯାଉଥାଏ ଓ ତାଙ୍କ ମୁହଁରେ ପ୍ରସନ୍ନତା ବାରିହୋଇଯାଉଥାଏ। କିଏ ଲେଖିଥାଏ ଓକିଲ ଭାବେ ନିଜକୁ ଦେଖିବାକୁ ତ କିଏ ଡାକ୍ତର ହେବାକୁ ଆଶା ପ୍ରକାଶ କରିଥାଏ। କିଏ ବ୍ୟବସାୟୀ ହେବାକୁ ଉତ୍ତର ଲେଖିଥାନ୍ତି ତ କିଏ ବୈଜ୍ଞାନିକ ଭାବେ ନିଜକୁ ଦେଖିବାକୁ ମତ ପ୍ରକାଶ କରିଥାନ୍ତି। ଶେଷରେ ଜଣେ ଛାତ୍ରଙ୍କ ଖାତାର ଉତ୍ତର ପଢ଼ି ଶିକ୍ଷକଙ୍କ ମୁହଁର ଭାବ ବଦଳିଗଲା। ସେହି ଖାତାଟି ଥିଲା ଜନ୍‌ ଲେନନଙ୍କର। ଜନ୍‌ଙ୍କୁ ଡାକି ଶିକ୍ଷକ ପଚାରିଲେ, ତୁମେ ପ୍ରଶ୍ନଟିକୁ ଠିକ୍‌ ଭାବେ ବୋଧେ ବୁଝିପାରିନ। ଶିକ୍ଷକଙ୍କ ଏପରି ଟିପ୍ପଣୀ ଶୁଣି ଜନ୍‌ କିଛି ସମୟ ଚୁପ ରହିଥିଲେ। ପରେ ନମ୍ରତାର ସହ ଶିକ୍ଷକଙ୍କୁ ଉତ୍ତର ଦେଇଥିଲେ, ଗୁରୁଜୀ, ଆପଣ ବୋଧେ ଜୀବନକୁ ଠିକ୍‌ ଭାବେ ବୁଝି ନାହାନ୍ତି। ଜନ୍‌ ନିଜ ଉତ୍ତରରେ କେବଳ ଗୋଟିଏ ଶବ୍ଦ ଖୁସି ଲେଖିଥିଲେ।
ବାଲ୍ୟ ଅବସ୍ଥାରୁ ଆମେ ଆମ ଝିଅପୁଅଙ୍କ ମାଧ୍ୟମରେ ନିଜର ସ୍ବପ୍ନ ପୂରଣ ପାଇଁ ଲାଗିପଡ଼ିଥାଉ। କେମିତି ସେ ଭଲ ପାଠପଢ଼ି ସର୍ବାଧିକ ନମ୍ବର ରଖୁ। ଯେତେ ଅର୍ଥ ବିନିଯୋଗ ହେଉପଛେ, ଉଚ୍ଚତର ଶିକ୍ଷା ଗ୍ରହଣ କରୁ ଓ ସର୍ବଶେଷରେ ପୁଳା ପୁଳା ଟଙ୍କା ରୋଜଗାର କରୁ। ଏଥିରେ ଝିଅପୁଅମାନେ ଖୁସି କି ନୁହେଁ ତାହା ବଡ଼କଥା ନୁହେଁ। ମାତ୍ର ମା’-ବାପାମାନେ ବହୁତ ଖୁସି ଅନୁଭବ କରନ୍ତି ଏଇଥିପାଇଁ ଯେ ସେମାନଙ୍କ ସ୍ବପ୍ନ ସାକାର ହୋଇଛି। ଝିଅ ପୁଅମାନେ ମଧ୍ୟ ନିଜ ଇଚ୍ଛା, ଖୁସି ଓ ଆଗ୍ରହକୁ ଜଳାଞ୍ଜଳି ଦେଇ ମା’-ବାପାଙ୍କ ଖୁସିକୁ ସାକାର ରୂପ ଦେବାକୁ ଲାଗିପଡ଼ନ୍ତି ସତ, ମାତ୍ର ତା’ ଭିତରେ ସେମାନେ ମଣିଷରୁ ଏକ ଯନ୍ତ୍ର ମଣିଷକୁ ରୂପାନ୍ତରିତ ହୋଇଯାଇଥାନ୍ତି। ଭଲ ମଣିଷଟିଏ ହେବା ଅପେକ୍ଷା ପୁଳା ପୁଳା ଟଙ୍କା ରୋଜଗାର କରିପାରୁଥିବା ମଣିଷ ହେବାକୁ ସେମାନଙ୍କଠାରେ ପ୍ରଥମରୁ ଆଗ୍ରହ ସୃଷ୍ଟି କରିଦିଆଯାଏ। ବର୍ତ୍ତମାନ ସମୟରେ ଅସୁମାରି ସ୍ବପ୍ନ ପୂରଣ ପାଇଁ, ଅଧିକରୁ ଅଧିକ ଅର୍ଥ ରୋଜଗାର ଲାଗି ମଣିଷ ଅଣନିଃଶ୍ବାସୀ ହେବାରେ ଲାଗିଛି। କ୍ଷମତା, ଅର୍ଥ, ପ୍ରଭୁତ୍ୱ ହାସଲରେ ନିଜକୁ ମଣିଷ ଯନ୍ତ୍ରବତ୍‌ କରିଦେଉଛି। ଦିନ ଓ ରାତି ଏକ ହୋଇଯାଉଛି ନିଜକୁ ଅନ୍ୟଠାରୁ ଉଚ୍ଚ କରିବାରେ। ଅର୍ଥ, କ୍ଷମତା ଓ ଦକ୍ଷତା ଆଧାରରେ ନିଜର ପରିଚୟ ସୃଷ୍ଟି କରୁଛି। ଆତ୍ମକୈନ୍ଦ୍ରିକ ଜୀବନ ଜିଉଛି। ଚତୁର୍ଦିଗରେ ଅସହାୟ ଲୋକଙ୍କ ଭିଡ଼ ଥିଲେ ବି କିଛି ଫରକ ପଡ଼େନି ତା’ଠାରେ। ଏହାରି ଭିତରେ ସେ ଖୁସି ଟିକକ ଖୋଜିବାକୁ ପ୍ରୟାସ କରି ନିରାଶ ହୁଏ। ଥରେ ଭୁଟାନ ରାଜଙ୍କୁ କିଛି ସାମ୍ବାଦିକ ଭୁଟାନର ଜିଡିପି କେତେ ବୋଲି ପ୍ରଶ୍ନ କଲେ। ଏଭଳି ପ୍ରଶ୍ନ ଶୁଣି ଭୁଟାନ ରାଜା ଆଶ୍ଚର୍ଯ୍ୟ ହେଲେ। କହିଲେ-ଆମେ ଭୁଟାନବାସୀ ଜିଡିପି କେତେ ବଢ଼ିଲା ବା କମିଲା ତାହା ଦେଖୁନାହୁଁ । ଆମେ ଦେଖୁ ଭୁଟାନର ଜିଏନ୍‌ଏଚ୍‌। ଅର୍ଥାତ୍‌ ଗ୍ରସ୍‌ ନ୍ୟାଶନାଲ ହାପିନେସ। ଯଦି ଜିଡିପି ଅଧିକ ଥାଇ ଦେଶବାସୀଙ୍କ ମନରେ ଖୁସି ନାହିଁ, ସେ ଜିଡିପି ମୂଲ୍ୟହୀନ। ବସ୍ତୁବାଦୀ ଦୁନିଆରେ ଚିରନ୍ତନ ଖୁସି କୌଣସି ପାର୍ଥିବ ବସ୍ତୁ ଦେଇ ନ ଥାଏ ।
ଭବ୍ୟ ପ୍ରାସାଦ, ଦାମୀ ଗାଡ଼ି, ସୌଖୀନ ଆସବାବ ସାମଗ୍ରୀ ହୁଏତ କିଛି ସମୟ ପାଇଁ ମଣିଷକୁ ଖୁସି ଦେଇପାରେ, ମାତ୍ର ତାହା ଅସ୍ଥାୟୀ। କିଛିକ୍ଷଣ ପରେ ମନ ପୁଣି ଅସୁଖୀ ଓ ଉଦାସ ହୋଇଯାଏ। ଆଗ୍ରହ ନ ଥାଇ କାର୍ଯ୍ୟକଲେ , ଆବଶ୍ୟକ ନ ଥାଇ ବସ୍ତୁ କ୍ରୟ କଲେ, ପାଖରେ ଧନ ନ ଥାଇ ଖର୍ଚ୍ଚ କଲେ, ଇଚ୍ଛା ନ ଥାଇ ଅନ୍ୟକୁ ପ୍ରଭାବିତ କରିବାକୁ ଚେଷ୍ଟା କଲେ ତାହା ମଣିଷକୁ ଦୁଃଖୀ କରେ, ମନର ଖୁସି ମାରିଦିଏ।
ନିଜକୁ ଖୁସି ରଖିବା ସମ୍ପର୍କରେ ଏକ ପୁରାତନ ଲୋକକଥା ଶୁଣିବାକୁ ମିଳେ। ଗୋଟିଏ ଗାଁରେ ଜଣେ ଋଷି ରହୁଥିଲେ। ଲୋକମାନେ ଋଷିଙ୍କ ନିକଟକୁ ଆସି ସେମାନଙ୍କ ଅସୁବିଧା ଜଣାନ୍ତି ଓ ଋଷି ତାହାର ସମାଧାନର ପନ୍ଥା ବତାଇ ଦିଅନ୍ତି। ସେଥିପାଇଁ ସବୁ ଲୋକ ଋଷିଙ୍କୁ ଖୁବ୍‌ ଶ୍ରଦ୍ଧା କରୁଥିଲେ। ଦିନେ ଜଣେ ଲୋକ ଋଷିଙ୍କ ନିକଟକୁ ଆସି କହିଲେ- ଗୁରୁଦେବ, ଖୁସି ରହିବାର ରହସ୍ୟ କ’ଣ ? ଜଣେ ଲୋକ ନିଜକୁ ସବୁସମୟରେ କିଭଳି ଖୁସି ରଖିପାରିବ ? ଋଷି କହିଲେ- ତୁମେ ମୋ ସହିତ ଜଙ୍ଗଲକୁ ଆସ। ମୁଁ ତୁମକୁ ଖୁସି ରହିବାର ଅସଲ ମନ୍ତ୍ର ବତାଇଦେବି।
ଏହା କହି ଜଙ୍ଗଲ ଆଡ଼କୁ ଋଷି ଯିବାକୁ ଲାଗିଲେ। ସେହି ଲୋକଟି ଋଷିଙ୍କୁ ଅନୁସରଣ କଲା। କିଛି ବାଟ ଯିବା ପରେ ରାସ୍ତା କଡ଼ରେ ପଡ଼ିଥିବା ଏକ ପଥରକୁ ଦେଖାଇ ଋଷି କହିଲେ, ଏହି ପଥର ଖଣ୍ଡକୁ ଧରି ମୋ ସହିତ ଆସନ୍ତୁ। ଋଷିଙ୍କ ନିର୍ଦ୍ଦେଶକୁ ପାଳନ କଲେ ସେହି ଲୋକ। ପଥରକୁ ଧରି ଋଷିଙ୍କ ସହ ଜଙ୍ଗଲ ଆଡ଼କୁ ଅଗ୍ରସର ହେଲେ। କିଛି ବାଟ ଯିବା ପରେ ପଥର ବୋହି ଚାଲୁଥିବା ଲୋକଟିକୁ କଷ୍ଟ ଅନୁଭବ ହେଲା। ମାତ୍ର ସେ କିଛି ନ କହି କଷ୍ଟ ସହି ସହି ଋଷିଙ୍କ ସହ ଆଗକୁ ଚାଲିଲା। ମାତ୍ର କିଛି ସମୟ ପରେ ପଥର ଧରିଥିବା ହାତ ଦୁଇଟିର କଷ୍ଟ ଅସହ୍ୟ ହେବାରୁ ଲୋକଟି ଋଷିଙ୍କୁ ନିଜର କଷ୍ଟ ଜଣାଇଲେ। ପଥରଟିକୁ ରାସ୍ତା କଡ଼ରେ ରଖିଦେବାକୁ ଋଷି ଲୋକଟିକୁ ପରାମର୍ଶ ଦେଲେ। ପଥର ରଖିଦେବାପରେ ତାକୁ ଆରାମ ଲାଗିଲା। ଲୋକର ମୁହଁରେ ପ୍ରସନ୍ନତା ଦେଖି ଋଷି କହିଲେ- ଏହା ହିଁ ହେଉଛି ଖୁସି ରହିବାର ମୂଳମନ୍ତ୍ର।
ଲୋକ ଜଣକ ଋଷିଙ୍କ ବକ୍ତବ୍ୟ ବୁଝି ନ ପାରି ତାଙ୍କୁ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲେ। ଋଷି ଏଥର ପ୍ରାଞ୍ଜଳ ଭାବେ ବୁଝାଇଲେ-ପଥରକୁ ଅଳ୍ପ କିଛି ସମୟ ଧରିବା ଯୋଗୁ ଅଳ୍ପ କଷ୍ଟ ହେଲା। ଅଧିକ କିଛି ସମୟ ଧରିବା ଦ୍ୱାରା ସେହି କଷ୍ଟ ବୃଦ୍ଧି ପାଇବାକୁ ଲାଗିଲା। ପଥରକୁ ଯେତେ ଅଧିକ ସମୟ ଧରି ରଖିବା, ସେହି ଅନୁପାତରେ କଷ୍ଟ ବଢ଼ିବ। ଠିକ୍‌ ସେହିପରି ଦୁଃଖର ବୋଝକୁ ଯେତେ ସମୟ ପର୍ଯ୍ୟନ୍ତ ଧରି ରଖିବ, କଷ୍ଟ ସେତେ ବଢ଼ିବ। ଉଦାସ ଓ ନିରାଶ ଭାବ ବଢ଼ିବ ଓ ଖୁସି ଭାବ କମି କମି ଯିବ। ଯଦି ଜୀବନରେ ଖୁସି ରହିବାକୁ ଚାହୁଁଛ, ତେବେ ଦୁଃଖ ରୂପୀ ପଥରକୁ ତୁରନ୍ତ ତଳେ ରଖିବାର କଳା ଶିଖିଯାଅ। ଯଦି ସମ୍ଭବ, ଏହାକୁ କଦାପି ଉଠାଅ ନାହିଁ। ଜୀବନ ଯେଉଁଭଳି ଭାବେ ଆମ ସାମ୍‌ନାକୁ ଆସୁଛି, ସେହିଭଳି ତାକୁ ସ୍ବାଗତ କର। ନିଜକୁ ଅନ୍ୟ ସହ ତୁଳନା କରନାହିଁ। ଅନ୍ୟ ଦୁଃଖରେ ଦୁଃଖୀ ହୁଅ ଅନ୍ୟ ଖୁସିରେ ଖୁସି ହୁଅ। ନିଜ ସମ୍ପର୍କରେ ଆସୁଥିବା ଲୋକଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ସାହାଯ୍ୟ ଓ ସହଯୋଗ କର। ଯଦି ଆମର ଭାବନା ସକାରାତ୍ମକ ରହେ, ତେବେ ସବୁ ସମୟ ଆମ ପାଇଁ ଭଲ ଓ ଆମେ ଖୁସିରେ ରହିପାରିବା।
ସବୁ ଲୋକଙ୍କୁ ଖୁସି ରଖିବା ଜଣଙ୍କ ପକ୍ଷେ ସମ୍ଭବ ହୋଇ ନ ପାରେ, ମାତ୍ର ନିଜ ପାଇଁ ଅନ୍ୟଜଣେ ଦୁଃଖ ନ ପାଉ, ଏହା ନିଶ୍ଚିତ ସମ୍ଭବ। ଖୁସି ପାଇବା ପାଇଁ କାର୍ଯ୍ୟ କଲେ ଖୁସି ମିଳି ନ ଥାଏ, କିନ୍ତୁ ଖୁସି ମନରେ କାର୍ଯ୍ୟ କଲେ ଖୁସି ନିଶ୍ଚିତ ମିଳିଥାଏ। ଖୁସି ଆପଣଙ୍କୁ ସେତେବେଳେ ମିଳିଥାଏ, ଯେତେବେଳେ ଆପଣ ଯାହା ଭାବନ୍ତି, ଯାହା କୁହନ୍ତି ଓ ଯାହା କରନ୍ତି ସେଥିରେ ସମାନତା ଥାଏ। ଦୁନିଆରେ ସେହିଲୋକ ସବୁଠାରୁ ଅଧିକ ଖୁସି ଯିଏ ନିଜ ଖୁସି ଅପେକ୍ଷା ଅନ୍ୟର ଖୁସିକୁ ବଢ଼ାଇ ଥାଏ। ଆପଣ କେତେ ଖୁସିରେ ରହିଲେ ତାହା ବଡ଼ କଥା ନୁହେଁ, ଆପଣଙ୍କ ପାଇଁ କେତେ ଲୋକ ଖୁସି ପାଇ ପାରୁଛନ୍ତି ତାହା ମହତ୍ତ୍ୱପୂର୍ଣ୍ଣ। ଅର୍ଥ ବଦଳରେ ଆପଣ ଖୁସି କିଣିପାରିବେ ନାହିଁ, କିନ୍ତୁ ଦୁଃଖକୁ ଖୁସି ରୂପରେ କିଛି ମୁହୂର୍ତ୍ତ ପାଇଁ ଅନୁଭବ କରିପାରିବେ। ଖୁସି କୌଣସି ବାହ୍ୟ ସ୍ଥିତି ଉପରେ ନିର୍ଭର କରେନାହିଁ। ଏହା ଆମର ମାନସିକ ଦୃଷ୍ଟିଭଙ୍ଗୀ ଉପରେ ନିର୍ଭର କରେ। ଯେଉଁ କିଛି ସମୟ ଆପଣ ଖୁସିରେ ରହୁଛନ୍ତି, ସେହି ସମୟ ହିଁ ଆପଣଙ୍କ ଅସଲ ଜୀବନ। ପ୍ରସନ୍ନତା ବା ଖୁସି ହିଁ ଜୀବନର ଶ୍ରେଷ୍ଠ ପୁରସ୍କାର। ଯିଏ ଖୁସି ଉତ୍ପନ୍ନ କରି ନ ପାରେ, ସେ ଖୁସିରେ ରହିବାର ଅଧିକାର ହରାଇଥାଏ। ଅନ୍ୟକୁ ଖୁସି ସେପର୍ଯ୍ୟନ୍ତ ଦେଇପାରିବେ ନାହିଁ ଯେ ପର୍ଯ୍ୟନ୍ତ ଆପଣ ଖୁସିରେ ରହିନାହାନ୍ତି। ସେହିମାନେ ଭାଗ୍ୟବାନ, ଯେଉଁମାନେ ନିଜକୁ ନେଇ ଖୁସି ରୁହନ୍ତି। ଏବେ କୁହନ୍ତୁ, ଜୀବନକୁ ନେଇ କେତେ ଖୁସି ?
ମୋ: ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri