ନୂଆଦିଲ୍ଲୀ, ୨୦।୧୧: ବିଶ୍ୱବ୍ୟାପୀ ଶକ୍ତି ଯୋଗାଣକୁ ନେଇ ଉତ୍ତେଜନା ଏବଂ ମଧ୍ୟପ୍ରାଚ୍ୟ ସହ ହର୍ମୁଜ ପ୍ରଣାଳୀରେ ଅସ୍ଥିରତା ମଧ୍ୟରେ ଭାରତ ଅଶୋଧିତ ତୈଳ (Crude Oil) ଆମଦାନୀ ବୃଦ୍ଧି କରିଛି। ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ ସେଲ (PPAC)ର ସଦ୍ୟତମ ତଥ୍ୟ ଅନୁଯାୟୀ, ଅକ୍ଟୋବରରେ ଭାରତର ଅଶୋଧିତ ତୈଳ ଆମଦାନୀ ବାର୍ଷିକ ଭିତ୍ତିରେ ପ୍ରାୟ ୧୧ ପ୍ରତିଶତ ବୃଦ୍ଧି ପାଇ ୨.୩୩୧ କୋଟି ଟନରେ ପହଞ୍ଚିଛି। ପାର୍ବଣ ଋତୁରେ ଦେଶ ଭିତରେ ଇନ୍ଧନର ବଢ଼ୁଥିବା ଚାହିଦା ପୂରଣ କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି। ଅନ୍ୟପକ୍ଷରେ, ଅକ୍ଟୋବରରେ ଏଲ୍ପିଜି (LPG) ଏବଂ ଫ୍ୟୁଏଲ ଅଏଲ ଆମଦାନୀ ହ୍ରାସ ପାଇଛି।
ଅକ୍ଟୋବରରେ ଅଶୋଧିତ ତୈଳ ଆମଦାନୀ ଗତବର୍ଷ ଅକ୍ଟୋବରର ୨.୧୦ କୋଟି ଟନ ତୁଳନାରେ ପ୍ରାୟ ୧୧ ପ୍ରତିଶତ ବୃଦ୍ଧି ପାଇଛି। ସେପ୍ଟେମ୍ବର ତୁଳନାରେ ଏଥିରେ ୪.୭ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। ପାର୍ବଣ ଋତୁ ଯୋଗୁ ଅକ୍ଟୋବରରେ ଦେଶରେ ଇନ୍ଧନ ବ୍ୟବହାର ବୃଦ୍ଧି ପାଇ ୨.୦୪୯ କୋଟି ଟନ୍ରେ ପହଞ୍ଚିଛି, ଯାହା ମାର୍ଚ୍ଚ ପରଠାରୁ ସର୍ବାଧିକ। ସେପ୍ଟେମ୍ବର ତୁଳନାରେ ଇନ୍ଧନ ବ୍ୟବହାରରେ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ଘଟିଛି।
ବିଶ୍ୱସ୍ତରରେ କଟକଣା ଓ ଚାପ ସତ୍ତ୍ୱେ ରୁଷିଆରୁ ଅଶୋଧିତ ତୈଳ ଆମଦାନୀ ବୃଦ୍ଧି କରିଛି ଭାରତ। ଅକ୍ଟୋବରରେ ପେଟ୍ରୋଲିୟମ ଉତ୍ପାଦର ମୋଟ ଆମଦାନୀ ସେପ୍ଟେମ୍ବର ତୁଳନାରେ ୨.୮ ପ୍ରତିଶତ ଏବଂ ବାର୍ଷିକ ଭିତ୍ତିରେ ପ୍ରାୟ ୪୧ ପ୍ରତିଶତ ହ୍ରାସ ପାଇ ୨୪.୪ ଲକ୍ଷ ଟନରେ ପହଞ୍ଚିଛି।
ସେପ୍ଟେମ୍ବରରେ ୧୪ ଲକ୍ଷ ଟନ ଏଲପିଜି ଆମଦାନୀ ହୋଇଥିବା ବେଳେ ଅକ୍ଟୋବରରେ ଏହା ହ୍ରାସ ପାଇ ୧୩ ଲକ୍ଷ ଟନ ହୋଇଛି। ସେହିପରି, ଫ୍ୟୁଏଲ ଅଏଲ ଆମଦାନୀ ବାର୍ଷିକ ଭିତ୍ତିରେ ୮୭ ପ୍ରତିଶତ ହ୍ରାସ ପାଇ ୮୦ ହଜାର ଟନ୍ରେ ପହଞ୍ଚିଛି। ଗତବର୍ଷ ଅକ୍ଟୋବରରେ ଏହା ୬.୨ ଲକ୍ଷ ଟନ ଥିଲା।
ବିଶୋଧନ କ୍ଷମତା କ୍ଷେତ୍ରରେ ଭାରତର ସ୍ଥିତି ମଜଭୁତ ରହିଛି। ଅକ୍ଟୋବରରେ ଦେଶର ପେଟ୍ରୋଲିୟମ ଉତ୍ପାଦର ମୋଟ ରପ୍ତାନି ବାର୍ଷିକ ଭିତ୍ତିରେ ୪.୭ ପ୍ରତିଶତ ବୃଦ୍ଧି ପାଇ ୫୩.୬ ଲକ୍ଷ ଟନ୍ରେ ପହଞ୍ଚିଛି। ସେପ୍ଟେମ୍ବରରେ ଏହା ୫୨.୩ ଲକ୍ଷ ଟନ ଥିଲା।
ତେବେ ବିଭିନ୍ନ ପେଟ୍ରୋଲିୟମ ଉତ୍ପାଦର ରପ୍ତାନି କ୍ଷେତ୍ରରେ ଭିନ୍ନ ଭିନ୍ନ ସ୍ଥିତି ଦେଖିବାକୁ ମିଳିଛି। ପେଟ୍ରୋଲ ରପ୍ତାନି ବାର୍ଷିକ ଭିତ୍ତିରେ ୨୯ ପ୍ରତିଶତ ହ୍ରାସ ପାଇ ୯.୭ ଲକ୍ଷ ଟନରେ ପହଞ୍ଚିଛି। ଅନ୍ୟପକ୍ଷରେ, ଡିଜେଲ ରପ୍ତାନିରେ ସାମାନ୍ୟ ୦.୪ ପ୍ରତିଶତ ବୃଦ୍ଧି ଘଟି ୨୭.୨ ଲକ୍ଷ ଟନ ହୋଇଛି।
ଅକ୍ଟୋବର ମାସର ଏହି ତଥ୍ୟରୁ ସ୍ପଷ୍ଟ ହେଉଛି ଯେ, ବିଶ୍ୱସ୍ତରରେ ବିଭିନ୍ନ ଆହୱାନ ସତ୍ତ୍ୱେ ଭାରତ ନିଜର ଶକ୍ତି ଆବଶ୍ୟକତା ଏବଂ ତୈଳ ବିଶୋଧନ କାର୍ଯ୍ୟକଳାପକୁ ଗତିଶୀଳ ରଖିଛି। ପାର୍ବଣ ଋତୁରେ ଇନ୍ଧନର ଚାହିଦା ବୃଦ୍ଧି ମଧ୍ୟରେ ଅଶୋଧିତ ତୈଳ ଆମଦାନୀ ଏବଂ ରୁଷିଆରୁ ତୈଳ କ୍ରୟ ବୃଦ୍ଧି ଦେଶର ଇନ୍ଧନ ଯୋଗାଣକୁ ସନ୍ତୁଳିତ ରଖିବାରେ ସହାୟକ ହୋଇଛି।

