ବ୍ୟର୍ଥ ପ୍ରୟାସ

ରାଜସ୍ବ ହ୍ରାସକୁ ଦୃଷ୍ଟିରେ ରଖି ଏବଂ ଆରମ୍ଭ କରାଯାଇଥିବା ଆଣ୍ଟି-କୋଭିଡ୍‌-୧୯ କାର୍ଯ୍ୟକ୍ରମଗୁଡ଼ିକ ଲାଗି ଆବଶ୍ୟକ ବ୍ୟୟଭାର ବହନ କରିବା ପାଇଁ ରାଜ୍ୟ ସରକାର ଗତ ସପ୍ତାହରେ ଅନେକ ଆର୍ଥିକ ସଂଯମମୂଳକ ପଦକ୍ଷେପ ଘୋଷଣା କରିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଛଡ଼ା ପ୍ରତ୍ୟେକ ବିଭାଗର ଖର୍ଚ୍ଚକୁ ବନ୍ଦ କରିଦିଆଯାଇଛି। ଅଧିକାରୀଙ୍କ ଦ୍ୱାରା ସମସ୍ତ ବିମାନ ଯାତ୍ରା ଏବଂ ପ୍ରଥମ ଶ୍ରେଣୀ ଟ୍ରେନ୍‌ ଯାତ୍ରାକୁ ଅନୁମତି ଦିଆଯାଇ ନାହିଁ। ନୂତନ ଯାନ କ୍ରୟ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଅଧିକାରୀମାନଙ୍କୁ କୁହାଯାଇଛି ଭ୍ରମଣ ହ୍ରାସ କରିବା ସହ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ସରକାରୀ କାର୍ଯ୍ୟକ୍ରମଗୁଡ଼ିକ କିପରି ଚାଲିଛି ଦେଖିବା ପାଇଁ। ସରକାରୀ କୋଠା ଓ ଗେଷ୍ଟ ହାଉସ୍‌ର ନବୀକରଣ ଏବଂ କାର୍ଯ୍ୟାଳୟଗୁଡ଼ିକର ଗୃହସଜ୍ଜା ପାଇଁ ସମସ୍ତ ଖର୍ଚ୍ଚକୁ ବନ୍ଦ କରାଯାଇଛି। ସରକାରୀ କାର୍ଯ୍ୟାଳୟର ମରାମତି ଓ ନବୀକରଣ ପାଇଁ ୫ ଲକ୍ଷରୁ ଅଧିକ ଏବଂ ସରକାରୀ କ୍ୱାର୍ଟରଗୁଡ଼ିକର ମରାମତି ଓ ନବୀକରଣ ପାଇଁ ୨ ଲକ୍ଷରୁ ଅଧିକ ବ୍ୟୟ ସ୍ବତନ୍ତ୍ର ଅନୁମୋଦନ ବିନା କରାଯିବ ନାହିଁ। ସରକାରୀ ପାଣ୍ଠିରେ ହୋଟେଲରେ ବୈଠକ, ସେମିନାର, କର୍ମଶାଳା ଏବଂ ସରକାରୀ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରିଭୋଜନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଏହା ବଦଳରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଏସବୁ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ସରକାରୀ କର୍ମଚାରୀଙ୍କ ଛୁଟିକାଳୀନ ଯାତ୍ରା ଭତ୍ତା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବ୍ୟତୀତ ପ୍ରଶାସନିକ ବିଭାଗ ଦ୍ୱାରା କୌଣସି ନୂତନ ରାଜ୍ୟ ଯୋଜନା କିମ୍ବା ପ୍ରକଳ୍ପ କରାଯିବ ନାହିଁ। ରହିଥିବା ପଦବୀଗୁଡ଼ିକରେ ନିଯୁକ୍ତି ପାଇଁ ଅନୁମତି ଦିଆଯାଇଥିବାବେଳେ ନୂତନ ପଦରେ ନିଯୁକ୍ତିକୁ ବନ୍ଦ କରିଦିଆଯାଇଛି।
ମହାମାରୀ ପରେ ଯେଉଁ ଖର୍ଚ୍ଚକାଟ ପଦକ୍ଷେପ ନିଆଯାଇଛି, ତାହା ହେଉଛି ଏକ ପୁରୁଣା ନୀତିର ପୁନରାବୃତ୍ତି, ଯାହା ବିଜୁ ଜନତା ଦଳ କ୍ଷମତାକୁ ଆସିବାର ଏକ ବର୍ଷ ପରେ ୨୦୦୧ ମସିହାରେ ରାଜ୍ୟ ସରକାର ଆପଣାଇଥିଲେ। ବାସ୍ତବରେ ଋଣ ବୋଝ ବୃଦ୍ଧି କରିବା ଭଳି ଖର୍ଚ୍ଚ କାଟ କରିବା ନୂତନ ସରକାର ପାଇଁ ସେତେବେଳେ ପ୍ରାଥମିକତା ଥିଲା। ଏହି ନୀତି ବଳବତ୍ତର ରହିଥିଲେ ମଧ୍ୟ ସରକାର ପ୍ରତ୍ୟେକ ବିଭାଗକୁ ବିଳାସପୂର୍ଣ୍ଣ କାର୍ଯ୍ୟ ପାଇଁ ଖର୍ଚ୍ଚ କରିବାକୁ ଅନୁମତି ଦେଇଥିଲେ। ରାଜନୈତିକ କାରଣ ପାଇଁ ଆଇନଗତ ମନିଟରିଂ ବିନା ବହୁ ସଂଖ୍ୟାରେ ପପୁଲିଷ୍ଟ ସ୍କିମ୍‌ ପ୍ରଚଳନ କରାଯାଇଥିଲା। ଅଣଯୋଜନା କାର୍ଯ୍ୟକ୍ରମରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ସରକାର ନିଜର ସର୍କୁଲାର ନ ମାନିବାକୁ ଅନୁମତି ଦେଇଥିଲେ। ଏହି ସମୁଦାୟ ଆର୍ଥିକ ବିଶୃଙ୍ଖଳା ପାଇଁ ଅର୍ଥ ବିଭାଗ ଦାୟୀ। ବରିଷ୍ଠ ଅମଲାତନ୍ତ୍ରୀଙ୍କ ଦ୍ୱାରା ଅପବ୍ୟୟ ପାଇଁ ବିଭାଗ ଅନୁମତି ଦେଇଥିଲା, ଯେଉଁମାନେ ଭ୍ରମଣ, ବିଦେଶ ଯାତ୍ରା ଏବଂ ଅଫିସ୍‌ ଚାମ୍ବରଗୁଡ଼ିକର ନବୀକରଣରେ ଅଧିକ ଖର୍ଚ୍ଚ କରିଥିଲେ। ବିଳାସପୂର୍ଣ୍ଣ କାର କ୍ରୟ ଉପରେ ପ୍ରତିବନ୍ଧକ ଥିବାବେଳେ ଦାମୀ କାର୍‌ କିଣିବା ପ୍ରସ୍ତାବକୁ ଅର୍ଥ ବିଭାଗ ଅନୁମୋଦନ ଦେଇଥିଲା। ଅମଲାତନ୍ତ୍ରୀମାନଙ୍କୁ ଅଫିସ୍‌ ସାଜସଜ୍ଜା ଏବଂ ସୌଖୀନ ଆସବାବପତ୍ର ଉପରେ ଟଙ୍କା ଉଡ଼ାଇବାକୁ ଅନୁମତି ଦିଆଯାଇଥିଲା, ଯେପରି କି ଏସବୁ ଉପରେ ସେମାନଙ୍କର ପୂର୍ଣ୍ଣ ଅଧିକାର ଥିଲା! ଏସବୁ ଅପବ୍ୟୟ ଅର୍ଥ ବିଭାଗର ଅନୁମୋଦନ ବିନା ହୋଇ ନ ଥାନ୍ତା। ଏହାର ଫଳାଫଳ ହେଲା ଋଣବୋଝ ୨୦୦୧ରେ ୨୦,୦୦୦ କୋଟିରୁ କମ୍‌ ଥିବାବେଳେ ତାହା ବର୍ତ୍ତମାନ ୧ ଲକ୍ଷ କୋଟିରୁ ଅଧିକ ହୋଇଛି। ମୁଣ୍ଡପିଛା ଋଣଭାର ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।
ଭାରତ ଏକ ଅଭାବିତ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ସୁଯୋଗ ଓ ନିଯୁକ୍ତି ସୃଷ୍ଟି କରିବା ପାଇଁ ସାରା ବିଶ୍ୱରେ ସାଧାରଣ ଖର୍ଚ୍ଚ ବୃଦ୍ଧି କରାଯାଉଛି। ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ସଙ୍କଟ ଦୂର କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଅଧୀନରେ ୨୦ ଲକ୍ଷ କୋଟି ଟଙ୍କା ବ୍ୟୟ କରିବାକୁ ଧାର୍ଯ୍ୟ କରିଛନ୍ତି। କରୋନା ଭୂତାଣୁ ସାମ୍ପ୍ରତିକ ଆର୍ଥିକ ମାନ୍ଦାବସ୍ଥାକୁ ଆହୁରି ବଢ଼ାଇ ଦେଇଛି। ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ବେକାରି ହାର ରେକର୍ଡ ସର୍ବାଧିକ ସ୍ତରରେ ପହଞ୍ଚିଛି। ଅନ୍ତତଃପକ୍ଷେ ପ୍ରତିଷେଧକ ଟିକା ଆବିଷ୍କାର ନ ହେବା ପର୍ଯ୍ୟନ୍ତ ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟ ନିରାଶା ଭାବ ନିକଟ ଭବିଷ୍ୟତରେ ଯିବ ନାହିଁ। ଏପରି ସମୟରେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ବନ୍ଦ କରି ରାଜ୍ୟ ସରକାର ଖର୍ଚ୍ଚ କାଟ କରିବା କିଛି ଅର୍ଥନୈତିକ ମାନେ ରଖେ ନାହିଁ। ସରକାରୀ ଅପବ୍ୟୟ ଉପରେ ନିଷେଧାଦେଶ ସ୍ବାଗତଯୋଗ୍ୟ। କିନ୍ତୁ ଗରିବଙ୍କ ଉପରେ ପ୍ରଭାବ ପକାଇବ କି ନାହିଁ ତାହା ବିଚାର ନ କରି ସମସ୍ତ ଖର୍ଚ୍ଚ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ ନୁହେଁ। ସମସ୍ତ ସରକାରୀ ଖର୍ଚ୍ଚକୁ ନିଷିଦ୍ଧ କରୁଥିବା ଘୋଷଣାନାମା ଜନସାଧାରଙ୍କ ମଧ୍ୟରେ ନୈରାଶ୍ୟ ଓ ହତାଶା ବୃଦ୍ଧି କରିବ। ଅଦରକାରୀ ଖର୍ଚ୍ଚ କାଟିବା ସ୍ବାଗତଯୋଗ୍ୟ, କିନ୍ତୁ ଜନକଲ୍ୟାଣ ଓ ବିକାଶ ସମେତ ସମସ୍ତ ଖର୍ଚ୍ଚ ଉପରେ କଟକଣା ଜାରି କରିବା ମଗ୍‌ ଖେଳ ପରି ଏକ ବ୍ୟର୍ଥ ପ୍ରୟାସ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri