ବନ ଲାଗି ଜନଜାଗରଣ ଲୋଡ଼ା

ସବ୍ୟସାଚୀ ଅମିତାଭ

ବୃକ୍ଷ ବିନା ଜୀବଜଗତର ଅସ୍ତିତ୍ୱ ଅକଳ୍ପନୀୟ। ବିଶେଷଜ୍ଞକଙ୍କ ମତରେ ଜୈବମଣ୍ଡଳର ସନ୍ତୁଳନ ପାଇଁ ଭୂପୃଷ୍ଠର ଆନୁମାନିକ ଏକ ତୃତୀୟାଂଶ ଅଞ୍ଚଳ ବୃକ୍ଷଲତାରେ ଆଚ୍ଛାଦିତ ହୋଇ ରହିବା ଜରୁରୀ। ଦେଶ ସ୍ବାଧୀନ ହେଲା ବେଳକୁ ଆମ ରାଜ୍ୟରେ ସମୁଦାୟ ଭୂଭାଗର ୪୭ ଭାଗ ଅଞ୍ଚଳ ଥିଲା ଜଙ୍ଗଲ। ପରବର୍ତ୍ତୀ ସମୟରେ ରାଜ୍ୟରେ ଭୌତିକ ବିକାଶ ପ୍ରକ୍ରିୟା ତ୍ୱରାନ୍ବିତ ହେବା ଫଳରେ ଜଙ୍ଗଲ ଉପରେ ଚଡ଼କ ପଡିଥିଲା। ଦ୍ରୁତ ଶିଳ୍ପାୟନ, ସହରୀକରଣ ଓ ରାସ୍ତାଘାଟ ସଂପ୍ରସାରଣ ପାଇଁ ହଜାର ହଜାର ଗଛ ବଳି ପଡିଥିଲେ। ତା’ ସାଙ୍ଗକୁ ଜଙ୍ଗଲ ମାଫିଆଙ୍କ ଲୋଲୁପ ଦୃଷ୍ଟି କାରଣରୁ ଧ୍ୱଂସ ପାଇଥିଲା ସବୁଜ ବନାନୀ। ଉଜୁଡ଼ିଯାଇଥିଲା ଲକ୍ଷଲକ୍ଷ ଜୀବଜନ୍ତୁଙ୍କ ପ୍ରାକୃତିକ ଆଶ୍ରୟସ୍ଥଳୀ। ଆଉ କ୍ରମାଗତ ଜଙ୍ଗଲ କ୍ଷୟ ଯୋଗୁ ବିଗିଡିଥିଲା ପରିବେଶ। ସବୁସ୍ତରରୁ ଏନେଇ ଉଦ୍‌ବେଗ ଦେଖାଦେବା ପରେ ପରିବେଶ ସୁରକ୍ଷା ଦିଗରେ ସରକାରୀସ୍ତରରେ ନିଦ ଭାଙ୍ଗିଥିଲା ଆଉ କଠୋର ହୋଇଥିଲା ଜଙ୍ଗଲ ସୁରକ୍ଷା ଆଇନ। ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ତଥା ନୂଆ ଜଙ୍ଗଲ ସୃଷ୍ଟି ପାଇଁ ବନବିଭାଗ ପକ୍ଷରୁ ବନୀକରଣ, ବୃକ୍ଷରୋପଣ ତଥା ସବୁଜୀକରଣ ଯୋଜନା ସବୁ ସାମନାକୁ ଆସିଥିଲା।
ଜଙ୍ଗଲ ବିଭାଗର ତଥ୍ୟ କହେ, ଆମ ରାଜ୍ୟରେ ଜଙ୍ଗଲ ପରିମାଣ ସମୁଦାୟ ଭୂଭାଗର ୩୩ ପ୍ରତିଶତରୁ ଅଧିକ। ଏହି ତଥ୍ୟକୁ ସତ୍ୟକୁ ଧରିନେଲେ ସ୍ବାଭାବିକ ଭାବେ ପ୍ରଶ୍ନ ଆସେ, ଆମ ରାଜ୍ୟରେ ପରିବେଶଗତ ଅସନ୍ତୁଳନ କ’ଣ ପାଇଁ ବଢୁଛି? ଖରାଦିନ ଆସିବା ମାତ୍ରେ କାହିଁକି ତତଲା କଡ଼େଇରେ ପରିଣତ ହେଉଛି ପୂରା ରାଜ୍ୟ। କାହିଁକି ବଣଜଙ୍ଗଲ ଛାଡ଼ି ଗାଁଗଣ୍ଡାକୁ ପଶିଆସୁଛନ୍ତି ହାତୀ, ଭାଲୁ ଓ ଅନ୍ୟାନ୍ୟ ବନ୍ୟପ୍ରାଣୀ? ୧୯୮୦ ଜଙ୍ଗଲ ଆଇନ ଲାଗୁ ହେଲାପରେ ଜଙ୍ଗଲର ସଂଜ୍ଞା ଓ ପରିଭାଷା ବଦଳିଯାଇଛି। ପରିବର୍ତ୍ତିତ ସଂଜ୍ଞା ଅନୁସାରେ ଜଙ୍ଗଲ ହେଉଛି ରାଜସ୍ବ ବିଭାଗ ନଥିଭୁକ୍ତ ଜମି, ଯାହା ହୋଇପାରେ ଘଞ୍ଚ ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ, ପଦା ଜଙ୍ଗଲ, ମେଲା ଜଙ୍ଗଲ, ବୁଦୁବୁଦିଆ ଜଙ୍ଗଲ, ଉଜୁଡ଼ା ଜଙ୍ଗଲ, ଝାଉଁ ଜଙ୍ଗଲ କିମ୍ବା ହେନ୍ତାଳ ବଣ। ଏପରି କି ବଦଳ ସୂତ୍ରରେ ଜଙ୍ଗଲ ଖାତାକୁ ଆସିଥିବା ଅଣଜଙ୍ଗଲ ଜମି ମଧ୍ୟ ଜଙ୍ଗଲ ପଦବାଚ୍ୟ। ଏସବୁୁ ଜଙ୍ଗଲକୁ ଗଣି କାଗଜକଲମରେ ପରିସଂଖ୍ୟାନ ପ୍ରସ୍ତୁତ କରାଯାଉଛି। ବନ ବିଭାଗର ପରିସଂଖ୍ୟାନଟି ଯେ ବାସ୍ତବିକତାଠାରୁ ଭିନ୍ନ, ଏହା ସମସ୍ତେ ଜାଣିଛନ୍ତି ଓ ଭଲ ଭାବେ ବୁଝିଛନ୍ତି।
ଡେରାଡୁନରେ ଥିବା ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା କିଛିଦିନ ତଳେ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା। ରିପୋର୍ଟ ଅନୁଯାୟୀ ଆଗାମୀ ୨୦ବର୍ଷ ମଧ୍ୟରେ ରାଜ୍ୟରେ ସବୁତକ ଜଙ୍ଗଲ ଧ୍ୱଂସ ପାଇଯିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି। ସୂଚନାଯୋଗ୍ୟ ଯେ, ୧୯୮୧ ମସିହାରେ ରାଜ୍ୟରେ ପ୍ରାୟ ୫୯୯୬୩ ବର୍ଗ କିଲୋମିଟର ଅଞ୍ଚଳ ଜଙ୍ଗଲ ପରିବେଷ୍ଟିତ ଥିଲା। ସେତେବେଳେ ଏହା ରାଜ୍ୟର ଭୌଗୋଳିକ ପରିସୀମାର ୩୮ ଭାଗ ଥିବାବେଳେ ଭାରତ ବର୍ଷର ମୋଟ ଜଙ୍ଗଲ ପରିମାଣର ୮ଭାଗ ଥିଲା। ହେଲେ ୧୯୯୭ ସୁଦ୍ଧା ରାଜ୍ୟ ସରକାରଙ୍କ ହିସାବ ଅନୁଯାୟୀ ଜଙ୍ଗଲ ପରିମାଣ ୫୮୧୩୫.୪୭ ବର୍ଗ କି.ମି.କୁ ଖସି ଆସିଥିଲା। ଏଥିମଧ୍ୟରେ ଚିହ୍ନଟ ସଂରକ୍ଷିତ ଜଙ୍ଗଲ, ଅଣ ଚିହ୍ନଟ ଜଙ୍ଗଲ, ଅଣ ଶ୍ରେଣୀଭୁକ୍ତ ଏବଂ ଅନ୍ୟାନ୍ୟ ଜଙ୍ଗଲ ପରିଣାମ ଯଥାକ୍ରମେ ୨୬୨୩୯.୧୬ ବର୍ଗ କି.ମି., ୧୧୬୮୫.୬୮ ବର୍ଗ କି.ମି., ୩୮୩୮.୭୮ ବର୍ଗ କି.ମି. ଓ ୧୬୨୬୧.୩୪ ବର୍ଗ କି.ମି. ରହିଥିଲା। ବର୍ତ୍ତମାନ ରାଜ୍ୟରେ ପ୍ରାୟ ୪୫ ହଜାର ବର୍ଗ କି.ମି. ଜଙ୍ଗଲ ରହିଥିବା କୁହାଯାଉଛି। ମାତ୍ର ଜଙ୍ଗଲ ପରିମାଣକୁ ନେଇ ବିଭିନ୍ନ ସମୟରେ ଭାରତୀୟ ବନ ସଂରକ୍ଷଣ ସଂସ୍ଥାର ରିପୋର୍ଟ ଓ ରାଜ୍ୟ ସରକାରଙ୍କ ରିପୋର୍ଟରେ ତାରତମ୍ୟ ରହିଛି। ବାସ୍ତବତା ଦେଖାଗଲେ, ବର୍ତ୍ତମାନ ଓଡ଼ିଶାରେ ୩୦ ହଜାର ବର୍ଗ କି.ମି. ଜଙ୍ଗଲ ଥିବା ନେଇ ସନ୍ଦେହ ଉପୁଜୁଛି। ପ୍ରତିବର୍ଷ ରାଜ୍ୟରେ ୭୦୦ରୁ ୯୦୦ ବର୍ଗ କି.ମି. ଆୟତନର ଜଙ୍ଗଲ ଧ୍ୱଂସ ପାଉଛି। ଏଥିରେ ଅବିଭାଜିତ କୋରାପୁଟ ଜିଲା ବହୁ ଆଗରେ ରହିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ୧୯୯୯ ମହାବାତ୍ୟାରେ ୭୫ ଭାଗ ଲୁଣା ଜଙ୍ଗଲ ଧ୍ୱଂସ ପାଇଥିଲା।
ଓଡ଼ିଶାର ଜଙ୍ଗଲ ଇତିହାସକୁ ଖେଳେଇଲେ ଅନେକ ତଥ୍ୟ ସାମ୍ନାକୁ ଆସିବ। ସ୍ବାଧୀନତା ବେଳେ ୧୭ଟି ଟେରିଟୋରିଆଲ୍‌ ଡିଭିଜନ୍‌ ଥିବା ଓଡ଼ିଶାର ଜଙ୍ଗଲ ବିଭାଗ ଜଣେ ପ୍ରିନ୍ସିପାଲ୍‌ ବନ ସଂରକ୍ଷକଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ସେତେବେଳେ ଜଙ୍ଗଲ ମାଫିଆମାନେ ସକ୍ରିୟ ହୋଇ ଉଠିଥିଲେ ଓ ଦ୍ରୁତଗତିରେ ଜଙ୍ଗଲ ଧ୍ୱଂସ ପାଇଚାଲିଲା। ଜଙ୍ଗଲ ଧ୍ୱଂସ ଆଶଙ୍କାରେ ରାଜ୍ୟ ସରକାର ୧୯୬୨ରେ ୭ଟି ଆଫୋର୍ଷ୍ଟେସନ୍‌ ଡିଭିଜନ୍‌ ଖୋଲିଲେ। ଅର୍ଥାତ ଏହା ମାଧ୍ୟମରେ ଜଙ୍ଗଲ ଧ୍ୱଂସକୁ ରୋଗାଯାଇପାରିବ ଓ ଜଙ୍ଗଲ ପୁନରୁଦ୍ଧାର ହୋଇ ପାରିବ ବୋଲି ଲକ୍ଷ୍ୟ ରଖାଗଲା। କିନ୍ତୁ ଜଙ୍ଗଲ ଧ୍ୱଂସ ଅବ୍ୟାହତ ରହିଲା ଓ ୧୯୭୩ରେ ରାଜ୍ୟ ସରକାର କେନ୍ଦୁପତ୍ରକୁ ସ୍ବତନ୍ତ୍ର ବିଭାଗରେ ପରିଣତ କଲେ ଓ ଏଥିପାଇଁ ରାଜ୍ୟରେ ୧୨ଟି ଡିଭିଜନ୍‌ ଖୋଲାଗଲା। ଆଶ୍ଚର୍ଯ୍ୟର କଥା ଯେ, ଜଙ୍ଗଲ ବିଭାଗକୁ ଭାଗଭାଗ କରାଯାଇ ଅଧିକରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯିବା ସତ୍ତ୍ୱେ ଜଙ୍ଗଲ ଧ୍ୱଂସ ଅବ୍ୟାହତ ରହିଲା।
କ୍ରମେ ରାଜ୍ୟବାସୀଙ୍କ ଉପରେ ଏହାର କୁପ୍ରଭାବ ପଡ଼ିଲା। ପରିବେଶ ପ୍ରଦୂଷିତ ହେବାରେ ଲାଗିଲା। ବର୍ଷକୁ ବର୍ଷ ତାପମାତ୍ରା ବଢିଲା। ଜଙ୍ଗଲ ସୁରକ୍ଷା ନିମନ୍ତେ କୌଣସି ସନ୍ତୋଷଜନକ ପଦକ୍ଷେପ ନେଇ ପାରୁ ନ ଥିବାବେଳେ ୧୯୮୪ରେ ସୁଇଡେନ୍‌ ସରକାରଙ୍କ ସହାୟତାରେ ରାଜ୍ୟରେ ଆରମ୍ଭ ହୋଇଥିଲା, ସାମାଜିକ ବନ୍ୟ ପ୍ରକଳ୍ପ କାର୍ଯ୍ୟକ୍ରମ। ତେବେ ଦୂରଦୃଷ୍ଟି ଅଭାବ ତଥା ଜଙ୍ଗଲ ମାଫିଆଙ୍କ ସହ ବନ କର୍ମଚାରୀଙ୍କ ଅଲିଖିତ ବୁଝାମଣା କାରଣରୁ ସାମାଜିକ ବନ୍ୟ ପ୍ରକଳ୍ପ କାର୍ଯ୍ୟକ୍ରମ ସଫଳ ହୋଇପାରନି।
ପ୍ରତିବର୍ଷ ବନ ବିଭାଗ କୋଟି କୋଟି ସଂଖ୍ୟାର ଚାରା ରୋପଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରେ। ଜଙ୍ଗଲ ପରିମାଣ ବଢୁଛି ବୋଲି ଦର୍ଶାଏ। ହେଲେ ଏହାର ବାସ୍ତବିକତାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠେ। ଜଙ୍ଗଲ ସୁରକ୍ଷା ଓ କୃତ୍ରିମ ଜଙ୍ଗଲ ସୃଷ୍ଟି ପାଇଁ ଯେ ରାଜ୍ୟ ସରକାର ପଦକ୍ଷେପ ନେଉନାହାନ୍ତି, ସେକଥା ଆମେ କହୁନୁ, ବରଂ ଆମ କହିବାର କଥାଟି ହେଲା- ରାଜ୍ୟରେ ଜଙ୍ଗଲ ସୃଷ୍ଟି ପାଇଁ ନିରନ୍ତର ପ୍ରକ୍ରିୟା ଜାରି ରହିବା ଦରକାର। କେବଳ ବନବିଭାଗ ନୁହେଁ ଏଥିରେ ସବୁ ବିଭାଗ ଏବଂ ସବୁ ବର୍ଗର ଲୋକଙ୍କ ସହଯୋଗ ମଧ୍ୟ ରହିବା ଦରକାର। ନୂଆ ଜଙ୍ଗଲ ସୃଷ୍ଟି ସହ ଜଙ୍ଗଲର ସହଭାଗୀ ପରିଚାଳନାକୁ ଗୁରୁତ୍ତ୍ୱ, ଜୈବବିବିଧତାର ସୁରକ୍ଷା, ଗ୍ରାମଗୋଷ୍ଠୀ ସହାୟତାରେ ଜଙ୍ଗଲ ପୁନରୁଦ୍ଧାର, କାଠ ତଥା ଅଣକାଠ ଜଙ୍ଗଲଜାତ ଦ୍ରବ୍ୟର ଠିକ୍‌ ପରିଚାଳନା ଓ ମୂଲ୍ୟ ନିର୍ଦ୍ଧାରଣ, ଜୀବିକା ନିର୍ବାହ ପାଇଁ ଜଙ୍ଗଲ ବ୍ୟବହାର, ପ୍ରାଣୀ ଉଦ୍ୟାନ, ଉଦ୍ଭିତ ଉଦ୍ୟାନ ଓ ବୃକ୍ଷ ଉଦ୍ୟାନ ସୃଷ୍ଟି ପାଇଁ ଉଦ୍ୟମ ହେବା ଆବଶ୍ୟକ। ଲୋକେ ସଚେତନ ହେଲେ ଟାଙ୍ଗରା ଭୂଇଁରେ ବି ସବୁଜ ବନାନୀ ହସିଉଠିବ।
ଭୁବନେଶ୍ବର, ମୋ-୯୪୩୮୨୯୬୫୧୯


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

ମୋ ଭାରତ ବଦଳୁଛି

ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri