ପ୍ରତିଭାମୟୀଙ୍କ ସନ୍ଧାନେ

ଡ. ବାସନ୍ତୀ ମହାନ୍ତି

ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଛାତ୍ରମାନଙ୍କ ଅପେକ୍ଷା ଛାତ୍ରୀମାନେ ବୋର୍ଡ ପରୀକ୍ଷାରେ ବେଶି କୃତିତ୍ୱ ଅର୍ଜନ କରିଛନ୍ତି। ସ୍କୁଲ କଲେଜରେ ଅନୁପାତ ଦୃଷ୍ଟିରୁ ଛାତ୍ରୀ ଓ ଛାତ୍ରଙ୍କ ସଂଖ୍ୟା ପ୍ରାୟତଃ ସମାନ ରହିଛି। କିନ୍ତୁ ପାଠପଢ଼ାକୁ ଝିଅମାନେ ଯେତିକି ଗୁୁରୁତ୍ୱ ସହକାରେ ଗ୍ରହଣ କରନ୍ତି କମ୍‌ ପୁଅ ସେଇଭଳି ନିଅନ୍ତି। ଏହା ଲେଖିକାର ନିଜସ୍ବ ଅନୁଭୂତି। ଯେ କୌଣସି ପ୍ରତିଯୋଗିତା ହେଉ କି ଶ୍ରେଣୀ ପରୀକ୍ଷା ହେଉ ଛାତ୍ରୀମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଆସିଥା’ନ୍ତି। ବୋର୍ଡ ଓ ୟୁନିଭର୍ସିଟି ପରୀକ୍ଷାରେ ତ ଗତ କିଛି ବର୍ଷ ହେଲା ଛାତ୍ରୀମାନେ ବେଶି ସଂଖ୍ୟାରେ ଅଧିକ ନମ୍ବର ରଖି ପାସ୍‌ କରୁଛନ୍ତି। ଝିଅମାନେ ସାମର୍ଥ୍ୟରେ ପୁଅମାନଙ୍କ ଅପେକ୍ଷା କୌଣସି ଗୁଣରେ କମ୍‌ ନୁହନ୍ତି ବୋଲି ସାବ୍ୟସ୍ତ କରିବାପାଇଁ ସର୍ବନିମ୍ନ ସୁଯୋଗକୁ ସୁଦ୍ଧା ହାତଛଡା କରିବାକୁ ଚାହାନ୍ତି ନାହିଁ। ବେଶି ସଂଖ୍ୟକ ଗୋଲ୍ଡ ମେଡାଲ୍‌ ପଡିଥାଏ ଝିଅଙ୍କ ଭାଗରେ। କିନ୍ତୁ ଦୁଃଖର ସହ କହିବାକୁ ପଡୁଛି, ପରବର୍ତ୍ତୀ ପର୍ଯ୍ୟାୟରେ ଏମାନଙ୍କୁ ଖୋଜିଲେ ଆଉ ମିଳନ୍ତି ନାହିଁ। କୋଉଠି କାହାଘରେ ଗୃହବଧୂ ହୋଇ ରହିଯାଆନ୍ତି। ସେମାନଙ୍କ ଗୋଲ୍ଡ ମେଡାଲ ସାର୍ଟିଫିକେଟ୍‌ ସବୁ ସେମିତି ବନ୍ଦ ବାକ୍ସରେ ପଡିରହେ। ସରକାରୀ କିମ୍ବା ବେସରକାରୀ କ୍ଷେତ୍ରରେ ଯେଉଁ କେତେଜଣ ମହିଳା କାମ କରନ୍ତି ସେମାନଙ୍କ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ। ଆମ ଦେଶରେ ୬୯ପ୍ରତିଶତ ପୁରୁଷ ଚାକିରି କରୁଥିବାବେଳେ ମାତ୍ର ୩୧ପ୍ରତିଶତ ମହିଳା ବିଭିନ୍ନ ସେକ୍ଟରରେ କାମ କରିଥାନ୍ତି। ତେବେ କୁଆଡ଼େ ଯାଆନ୍ତି ଏଇ ପ୍ରତିଭାମୟୀମାନେ?
ମାଟ୍ରିକ୍‌ ପରୀକ୍ଷା ଫଳ ବାହାରିବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଗୋଟିଏ ଭିଡିଓ ସମସ୍ତଙ୍କ ଦୃଷ୍ଟିରେ ପଡିଥିବ। ୯୨ପ୍ରତିଶତ ନମ୍ବର ରଖିଥିବା ଝିଅଟି ଦୁଃଖ ପ୍ରକାଶ କରି କହୁଛି ମୁଁ ଆହୁରି ବେଶି ନମ୍ବର ରଖିଥାନ୍ତି ଟିକେ କମିଗଲା। ଅଥଚ ସାଧାରଣ ଭାବେ ପାସ୍‌ କରିଥିବା ପୁଅପିଲାଟିଏ କହୁଛି, ମୁଁ ପାସ କରିଛି ସେଥିପାଇଁ ମୁଁ ବହୁତ ଖୁସି। ଭିଡିଓଟିର ଅନ୍ୟାନ୍ୟ ଯେଉଁ ଦିଗ ଥାଉନା କାହିଁକି ଗୋଟାଏ ଦିଗ ସ୍ପଷ୍ଟ ହେଉଛି ଯେ, ଝିଅମାନେ ଅତ୍ୟନ୍ତ ଉଚ୍ଚାଭିଳାଷୀ। ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି ନାହିଁ। ସେଥିପାଇଁ ଖୁବ୍‌ ପରିଶ୍ରମ କରନ୍ତି। ତେବେ ଏହି ଉଚ୍ଚ ଅଭିଳାଷିଣୀ ଓ ପ୍ରତିଭାମୟୀମାନେ କୁଆଡ଼େ ହଜି ଯାଆନ୍ତି? ବିଶିଷ୍ଟ ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍‌ ମଧ୍ୟ ଯୁବତୀମାନେ ହଜିଯିବା ପ୍ରଶ୍ନ ଉଠାଇଥିଲେ। ସେ ଚାଲାଣ ହୋଇଯାଉଥିବା ଯୁବତୀମାନଙ୍କ ପ୍ରସଙ୍ଗରେ ଏ କଥା କହୁଥିଲେ। କିନ୍ତୁ ଏଇ ପ୍ରତିଭାମୟୀ ଝିଅମାନେ ମଧ୍ୟ ମୁଖ୍ୟ ସ୍ରୋତକୁ ନ ଆସି ହାଣ୍ଡିଚୁଲି ସଂସାର ଭିତରେ କୋଉଠି ହଜିଯାଆନ୍ତି ଜଣାପଡେ ନାହିଁ। ବିଶ୍ୱବିଦ୍ୟାଳୟରେ ବିଦୂଷୀ ବୋଲି ବହୁ ଚର୍ଚ୍ଚିତା ହୋଇଥିବା ଝିଅଟିଏ ବୋହୂ ହେଲା ବେଳକୁ ନିଃସ୍ବ ହୋଇଯାଏ। ଆମେ ସେମାନଙ୍କ ଦକ୍ଷତାକୁ ସମାଜର ବୃହତ୍‌ କଲ୍ୟାଣ ଉଦ୍ଦେଶ୍ୟରେ ଉପଯୋଗ ନ କରି ରନତ୍ପରି ସିନ୍ଦୁକରେ ସାଇତିବାର ମାନସିକତାର ଊର୍ଦ୍ଧ୍ୱକୁ ଉଠି ପାରିଲୁ ନାହିଁ।
ଛାତ୍ରୀ ଜୀବନରେ ଯେଉଁମାନେ ଉତ୍ସାହ ଉଦ୍ଦୀପନାରେ ପାଠ ପଢ଼ୁଥିଲେ, ପୁଅମାନଙ୍କ ସହ ସମକକ୍ଷ ହେବାପାଇଁ ହେଉ ଅଥବା ନିଜର ସୁରକ୍ଷିତ ଭବିଷ୍ୟତ ଚିନ୍ତାରେ ହେଉ, ସେ ଉତ୍ସାହ ଉଦ୍ଦୀପନା ଏତେ ଶୀଘ୍ର କେମିତି ଭାଙ୍ଗିତୁଟିଯାଏ? ଏମିତି ନୁହେଁ ଯେ ସମସ୍ତଙ୍କର ସ୍ବପ୍ନ ସାକାର ହୁଏନାହିଁ। ସମାଜର ମୁଖ୍ୟ ସ୍ରୋତରେ କେହି ସାମିଲ୍‌ ହେଉ ନାହାନ୍ତି। ସେମାନେ ଆସୁଛନ୍ତି, ସରକାରୀ ବେସରକାରୀ ଓ ବହୁ ରାଷ୍ଟ୍ରୀୟ କମ୍ପାନୀରେ ବେଶ୍‌ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି। ରାଜନୀତିଠାରୁ ରଣକ୍ଷେତ୍ର ପର୍ଯ୍ୟନ୍ତ ସବୁଠାରେ ସେମାନଙ୍କ ପାଇଁ ସ୍ଥାନ ସୁରକ୍ଷିତ। ଡାକ୍ତରୀ, ଇଂଜିନିଅରିଂ, ବିଜ୍ଞାନ, ସାହିତ୍ୟ, ସଂସ୍କୃତି, ଶିଳ୍ପ, ବାଣିଜ୍ୟ ଆଦି କୌଣସି କ୍ଷେତ୍ର ସେମାନଙ୍କ ପାଇଁ ଅଗମ୍ୟ ନୁହେଁ। ସବୁଠି ସେମାନେ ନିଜ ନିଜ ଦକ୍ଷତାରେ ପାରଦର୍ଶିତା ପ୍ରଦର୍ଶନ କରିପାରୁଛନ୍ତି। କିନ୍ତୁ ଯେଉଁ ଅନୁପାତରେ ସେମାନେ ସ୍କୁଲ କଲେଜରେ ପ୍ରତିଭା ପ୍ରଦର୍ଶନ କରିଥାଆନ୍ତି, ତା ତୁଳନାରେ ଏସବୁ କିଛି ନୁହେଁ। ଏମାନଙ୍କ ସଂଖ୍ୟା ହାତ ଗଣତି। ଏତେ ଦକ୍ଷତା, ଏତେ ଉଚ୍ଚାଭିଳାଷର ଅଣୁବୋମା ଧରି କେମିତି ରହନ୍ତି ଏମାନେ ଏରୁଣ୍ଡି ଭିତରେ? ପ୍ରତିଭାକୁ ଅବଦମିତ କରି ରଖିବାର ପାର୍ଶ୍ୱପ୍ରତିକ୍ରିୟାରେ ଅତିଷ୍ଠ ହୁଅନ୍ତି ନାହିଁ କି ପରିବାରର ଅନ୍ୟାନ୍ୟ ସଦସ୍ୟଗଣ? ଅଭିଭାବକମାନଙ୍କର କେତେ ଦାୟିତ୍ୱ ରହିଛି ଝିଅ ଓ ବୋହୂଙ୍କୁ ଦକ୍ଷତା ଅନୁସାରେ ସେମାନଙ୍କୁ ବଞ୍ଚତ୍ବା ପାଇଁ ସୁଯୋଗ ସୃଷ୍ଟି କରିବାରେ? ଆମେ କେବେ ଏ ସମ୍ପର୍କରେ ଗଭୀର ଭାବରେ ଆମତ୍ ସମୀକ୍ଷା କରିନାହୁଁ।
ଆମର ପୁଅ ଓ ଝିଅ ଦୁଇଟି ସନ୍ତାନ ଥିଲେ ଆମେ ସଞ୍ଚୟ କରୁ ଝିଅକୁ, ଯାହା ତାହା ପାଠପଢ଼େଇ ଭଲ ବର ଓ ଘରଟିଏ ଦେଖି ବିବାହ ଦେବାପାଇଁ ଓ ପୁଅଟିକୁ ଭଲ ପାଠ ପଢ଼େଇ ଏକ ନିର୍ଭରଯୋଗ୍ୟ ଜୀବିକା ତା’ ହାତରେ ଧରେଇ ଦେବାପାଇଁ। ଭଲ ବରଟିଏ ମିଳିଲେ ପାଠପଢ଼ା ବନ୍ଦ କରି ଝିଅଟିକୁ ବାହା କରି ଦେଉ। ଅଥବା ଝିଅ ଯଦି ଚାକିରି କରୁଥାଏ, ବର ଘରର ଦାବି ମୁତାବକ ଚାକିରି ଛଡେଇ ବାହା ଦେବାର ଉଲ୍ଲାସ ଅନୁଭବ କରୁ। ଝିଅଟାର ଯେ କିଛି ସ୍ବପ୍ନ ସମ୍ଭାବନା ଅଛି ସେ କଥା ଚିନ୍ତା କରିବା ଆବଶ୍ୟକ ମଣୁ ନାହୁଁ। ଝିଅଠାରୁ କମ୍‌ ମେଧା ଥିବା ପୁଅ ପଛରେ ପାଣିପରି ପଇସା ଛାଡ଼ି ଯୋଗ୍ୟ କରିବାକୁ ଚେଷ୍ଟାକରୁ। କୋଉଠି ଏ ଚେଷ୍ଟା ସଫଳ ହୁଏ ତ ଆଉ କୋଉଠି ବାପାମାଆ ହତାଶରେ ଭାଙ୍ଗି ପଡନ୍ତି ପୁଅର ବିଫଳତାରେ। ତଥାପି ଏ ଚେଷ୍ଟାରୁ ଅଭିଭାବକମାନେ ବିରତ ହୁଅନ୍ତି ନାହିଁ।
ଆଜିର ବେକାର ସମସ୍ୟା ବୃଦ୍ଧି ପାଇଁ ଅନେକେ ନାରୀମାନଙ୍କୁ ଦାୟୀ କରନ୍ତି। ସେମାନେ କର୍ମଜୀବୀ ହେବା ଦ୍ୱାରା ପୁରୁଷମାନଙ୍କ ବେକାରି ବଢ଼ୁଛି ବୋଲି ଯୁକ୍ତି କରନ୍ତି। ଅଜବ ଯୁକ୍ତି। ନାରୀଟିଏ ଉଚ୍ଚଶିକ୍ଷା ଲାଭ କରି ଗୃହକର୍ମରେ ଲିପ୍ତ ରହିଲେ ବେକାରି ସମସ୍ୟା ବୃଦ୍ଧି ହୁଏନାହିଁ, କିନ୍ତୁ ପୁରୁଷଟିଏ ସେହି କର୍ମ କଲେ ତାହା ସାମାଜିକ ସମସ୍ୟା ହୋଇପଡେ।
ସ୍ବାମୀ ସ୍ତ୍ରୀ ଦୁହେଁ ସମାନ ସ୍ଥାନରେ ନିଜ ଦକ୍ଷତା ପ୍ରଦର୍ଶନ କରୁଥିବାବେଳେ କୌଣସି ପାରିବାରିକ ସମସ୍ୟା ଉପୁଜିଲେ ବିଚରା ମହିଳାଟିକୁ ଚାକିରି ଛାଡିବାକୁ ପଡେ। ଆମ ଅସୁରକ୍ଷିତ ସାମାଜିକ ପରିବେଶ ହେତୁ କେତେକ ମହିଳା ହାତରେ ଉଚ୍ଚ ଡିଗ୍ରୀ ଥାଇ ସୁଦ୍ଧା ଦୂର ଜାଗାକୁ ଗମନାଗମନର ସୁବିଧା ନ ଥିଲେ ସେମାନଙ୍କୁ ପଠାଇବାକୁ ପରିବାର ଲୋକେ କୁଣ୍ଠାବୋଧ କରନ୍ତି। ଚାକିରି ନ କରି ସେମାନେ ଘରେ ରହିଥା’ନ୍ତି।
ଏମିତି ଅନେକ ସାମାଜିକ ଓ ପାରିବାରିକ ସମସ୍ୟା ରହିଛି। ତେବେ ଯେଉଁ ପ୍ରତିଭା ରାଷ୍ଟ୍ର ନିର୍ମାଣରେ ଲାଗିବା ଉଚିତ, ଯେଉଁ ଦକ୍ଷତାର ଉପଯୋଗ ଦ୍ୱାରା ସମାଜ ସମୃଦ୍ଧ ହେବ, ତାକୁ ଅବରୋଧ କରା ନ ଯାଉ। ଏକଥା ନୁହେଁ ଯେ ଜଣେ ଉଚ୍ଚଶିକ୍ଷିତା ପରିବାରରେ ସମୟ ଦେଲେ ତା’ ପ୍ରତିଭାର ଅବମାନନା ହୁଏ। ପରିବାର ତ ସମାଜର ମୂଳପିଣ୍ଡ। ସମାଜକୁ ଗୋଟିଏ ଉତ୍ତମ ନାଗରିକ ପ୍ରଦାନଠାରୁ ଆଉ ବଡ଼ କାର୍ଯ୍ୟ କ’ଣ ଥାଇପାରେ? ଯାହା ଜଣେ ଉଚ୍ଚଶିକ୍ଷିତା ମହିଳାଙ୍କ ଦ୍ୱାରା ସମ୍ଭବ। ତେବେ ସେମାନଙ୍କ ବ୍ୟକ୍ତିତ୍ୱର ଯଥାର୍ଥ ପ୍ରଦର୍ଶନ ଓ ବିକାଶ ପାଇଁ ବିସ୍ତୃତ ପରିବେଶ ପ୍ରଦାନ କରିବା ଆମ ସମସ୍ତଙ୍କର ଦାୟିତ୍ୱ।
ପ୍ରତିଭାମୟୀଙ୍କ ପ୍ରତିଭା ପରିବାର ସହ ସମାଜ କଲ୍ୟାଣ ପାଇଁ ବିନିଯୋଗ ହେଉ। ସେମାନେ ମୁଖ୍ୟ ସ୍ରୋତରେ ହଜିଯାଆନ୍ତୁ ସିନା କିନ୍ତୁ ଲୋକଲୋଚନ ଅଗୋଚରରେ ସେମାନଙ୍କ ପ୍ରତିଭାର ଅପମୃତ୍ୟୁ ନ ହେଉ। ମହିଳାମାନଙ୍କ ପ୍ରତି ଆମ ଦୃଷ୍ଟିକୋଣ ଆହୁରି ପ୍ରସାରିତ ହେଲେ ହଜିଯାଉଥିବା ପ୍ରତିଭାମାନେ ସେମାନଙ୍କ ଯୋଗ୍ୟତମ ଅବଦାନ ସମାଜକୁ ଦେଇପାରିବେ। ସମାଜର ରୂପରେଖ ସନ୍ତୁଳିତ ହେବ।
ଲକ୍ଷ୍ମୀସାଗର, ଭୁବନେଶ୍ୱର,
ମୋ-୯୪୩୭୦୩୩୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri