ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା ଦୁର୍ଘଟଣା। ଯେତେବେଳେ ଦୁର୍ଘଟଣାର ଖବର ପ୍ରଘଟ ହେଲା ସେତେବେଳେ କୁହାଗଲା ଯେ ଆମୋନିଆଁ ଗ୍ୟାସ୍‌ ଲିକ୍‌ ହେବାରୁ ତିନିଜଣଙ୍କର ଜୀବନହାନି ଘଟିଛି ଏବଂ ସମସ୍ତେ ହେଉଛନ୍ତି କେଉଁଝରର ଆଦିବାସୀ ଜୁଆଙ୍ଗ ସଂପ୍ରଦାୟର ମହିଳା। କ୍ରମେ କ୍ରମେ ମୃତ୍ୟୁସଂଖ୍ୟା ବଢ଼ିବଢ଼ି ଗଲା ଏବଂ ଆଜି ପର୍ଯ୍ୟନ୍ତ ମିଳିଥିବା ସର୍ବଶେଷ ତଥ୍ୟ ଅନୁଯାୟୀ ଏହି ଦୁଃଖଦ ଘଟଣାରେ ଷୋହଳ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ତାହା ଭିତରେ ଚଉଦ ଜଣ କେଉଁଝରର ଆଦିବାସୀ ଲଳନା। ଏହା ହୁଏତ ସୂଚିତ କରେ ଯେ କୌଣସି ମଣିଷକୃତ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାକୁ ମଣିଷକୃତ ଭାବରେ ପ୍ରାଥମିକ ସ୍ତରରେ ଚାପି ଦିଆଯାଏ ଲୋକମାନଙ୍କର ଆକସ୍ମିକ କ୍ରୋଧକୁ ପ୍ରଶମନ କରିବା ପାଇଁ।
ଏହି ଘଟଣା ଅନେକ ଅକୁହା କଥା ପଦାରେ ପକାଇଛି। ଆଗରୁ ଧାରଣା ଥିଲା ଦାରିଦ୍ର୍ୟ ଜର୍ଜରିତ କେବଳ ପଶ୍ଚିମ ଓଡ଼ିଶାର କିଛି ବଛା ବଛା ଜିଲାରୁ ଲୋକମାନେ ଦାଦନ ଖଟିବାକୁ ଯାଆନ୍ତି, ଯାହା ଭ୍ରମାତ୍ମକ ବୋଲି ପ୍ରମାଣିତ ହୋଇଛି। ଓଡ଼ିଆ ମୃତକମାନେ ସମସ୍ତେ ଖଣିଜ ସମ୍ପଦରେ ଭରପୂର କେଉଁଝର ଜିଲାର ଆଦିବାସୀ ସଂପ୍ରଦାୟ ଜୁଆଙ୍ଗ ସମାଜର ଅନ୍ତର୍ଭୁକ୍ତ। ଜୁଆଙ୍ଗମାନଙ୍କର ମୋଟ ସଂଖ୍ୟା ହାରାହାରି ପଚାଶହଜାର ଭିତରେ ଏବଂ ଏମାନେ ଜନଜାତିଙ୍କ ଭିତରେ ଏକ ବିଶେଷ ସଂଖ୍ୟାନୂ୍ୟନ ଗୋଷ୍ଠୀ, ଯାହାକୁ କୁହାଯାଉଛି (ଚବକ୍ସଗ୍ଧସମଙ୍କକ୍ଷବକ୍ସକ୍ଷଚ୍ଚ ଠଙ୍କକ୍ଷଦ୍ଭରକ୍ସବଭକ୍ଷର ଞକ୍ସସଭବକ୍ଷ ଶକ୍ସକ୍ଟଙ୍କକ୍ଟ୍ର) ବା ନିର୍ଦ୍ଦିଷ୍ଟ ଭାବରେ କ୍ଷୟିଷ୍ଣୁ, ଜନଜାତି ଗୋଷ୍ଠୀ ଯେଉଁମାନେ ଆପାତତଃ ବିଲୟାଭିମୁଖୀ। ଏପରି ଜନଜାତିଙ୍କ ସଂରକ୍ଷଣ, ବିକାଶ ଓ ସଭ୍ୟତାର ମୁଖ୍ୟଧାରା ସହିତ ସଂଯୋଜିତ କରିବାପାଇଁ ବହୁବିଧ ଯୋଜନା ରହିଛି, ଯାହାକୁ (ମାଇକ୍ରୋ ପ୍ରୋଜେକ୍ଟ) କ୍ଷୁଦ୍ର ସାଧନ ପ୍ରକଳ୍ପ ଭାବରେ କୁହାଯାଇଥାଏ; ଯେମିତି ଜୁଆଙ୍ଗ ଉନ୍ନୟନ ପ୍ରକଳ୍ପ। ଜୁଆଙ୍ଗ ଜନଜାତିର ଲୋକଙ୍କ ଭିତରୁ ସଂଖ୍ୟାଧିକ କେଉଁଝର ସଦର ସବ୍‌ଡିଭିଜନର ବାଂଶପାଳ, ତେଲକୋଇ, ହରିଚନ୍ଦନପୁର, ଘଟଗାଁ ଓ ସଦର ବ୍ଲକରେ ରହନ୍ତି। ଏଠାରେ ଜୁଆଙ୍ଗ ଡେଭଲପମେଣ୍ଟ ଏଜେନ୍ସି ବହୁ ବର୍ଷ ହେଲା କାର୍ଯ୍ୟକରୁଥିଲେ ମଧ୍ୟ ଏଠାରୁ ବହୁ ଆଦିବାସୀ ମହିଳା କିପରି ପନ୍ଦରଶହ କିଲୋମିଟର ଦାଦନ ଖଟିବାକୁ ଯାଉଥିଲେ ତା’ର କୌଣସି ସନ୍ତୋଷଯୋଗ୍ୟ ଉତ୍ତର ପ୍ରକଳ୍ପ କର୍ମକର୍ତ୍ତାଙ୍କ ପାଖରେ ନାହିଁ।
ବାଛିବାଛି ଆଦିବାସୀ ଯୁବତୀମାନଙ୍କୁ ଏତେ ଦୂରକୁ ନେଇ ଯେଉଁ ଦଲାଲମାନେ ସୁଦୂର ତାମିଲନାଡୁରେ ସେମାନଙ୍କ ପାଇଁ ସ୍ବର୍ଣ୍ଣିମ ସୁଯୋଗ ଅପେକ୍ଷା କରିଛି ବୋଲି ସେମାନଙ୍କ ପରିବାରବର୍ଗଙ୍କୁ କହିଥିବେ, ସେମାନେ ଗଲେ କୁଆଡ଼େ। ଏହି ମଧ୍ୟସ୍ଥମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବିଳମ୍ବରେ ଆରମ୍ଭ କରାଯାଇଥିବାର ଖବର ମିଳିଛି। ଆଦିବାସୀମାନେ ସାଧାରଣତଃ ଅଧିକ ପରିଶ୍ରମୀ ଏବଂ ସେମାନେ ଅଭିଯୋଗପ୍ରବଣ ନୁହନ୍ତି। ସେମାନଙ୍କୁ ଦୀର୍ଘସମୟ ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ କଲେ ମଧ୍ୟ ସେମାନେ ବିରକ୍ତିଭାବ ଅନୁଭବ କରନ୍ତି ନାହିଁ କୁଆଡ଼େ। ସଂପୃକ୍ତ କାରଖାନାରେ ସେମାନଙ୍କର କାମ ମୁଖ୍ୟତଃ ଥିଲା ଚିଙ୍ଗୁଡ଼ିର ଖୋଳପା ଛଡ଼ାଇବା। କାରଖାନା ନିୟମ ଅନୁସାରେ ଶ୍ରମିକମାନେ କେବେ ବି କାରଖାନା ପରିସର ଭିତରେ ରହିବା ବେଆଇନ। ମାତ୍ର ସମ୍ପୃକ୍ତ କାରଖାନାର ପରିସର ମଧ୍ୟରେ ଏହି ମହିଳା ଶ୍ରମିକମାନଙ୍କୁ କିପରି ରଖାଯାଇଥିଲା? ଯାହା ଫଳରେ ସେମାନଙ୍କୁ ଯେ କୌଣସି ସମୟରେ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ। ସେମାନଙ୍କର ନିରାପତ୍ତା ପାଇଁ ଥିବା ସବୁ ସର୍ତ୍ତକୁ ଉଲ୍ଲଂଘନ କରାଯାଉଥିଲା ଖୋଲାଖୋଲି ଭାବରେ।
ଚିଙ୍ଗୁଡ଼ି ଚାଷ କିଛିବର୍ଷ ହେଲାଣି ଆମ ଦେଶର ଅର୍ଥନୀତିରେ ଏକ ପ୍ରମୁଖ ଯୋଗଦାନ କରୁଛି ବୋଲି ଅନେକ ଆଲୋଚନା ଆପଣ ଶୁଣିଥିବେ। ଚିଙ୍ଗୁଡ଼ି ଧରା ହେବାମାତ୍ରେ ତାକୁ ଖୋଳପାଛଡ଼ାଯାଇ ତୁରନ୍ତ ଶୀତଳୀକରଣ ପ୍ରକ୍ରିୟା ଭିତରେ ରଖା ନ ଗଲେ ତାହା ରପ୍ତାନିଯୋଗ୍ୟ ହୋଇପାରେନାହିଁ। ଆମୋନିଆଁକୁ ଶୀତଳୀକରଣର ପ୍ରମୁଖ ଉପାଦାନ ଭାବରେ ଗ୍ରହଣ କରାଯାଉଛି କାରଣ ତାହାର ବିପରୀତ ପ୍ରାକୃତିକ ପ୍ରତିକ୍ରିୟା ନାହିଁ ବୋଲି ସାଧାରଣତଃ କୁହାଯାଏ। ମାତ୍ର ଆମୋନିଆଁ ଗ୍ୟାସ ବିଷାକ୍ତ ହୋଇଥିବାରୁ ଏହାକୁ ଅତ୍ୟନ୍ତ ସତର୍କତାର ସହିତ ବ୍ୟବହାର କରାଯିବା ଜରୁରୀ। ଯେଉଁ ଶୀତଳ ଘରେ ଚିଙ୍ଗୁଡ଼ି ରଖାଯାଏ ତା’ର ତାପମାତ୍ରା ମାଇନସ୍‌ କୋଡ଼ିଏରୁ ଚାଳିଶ ଡିଗ୍ରୀ ଭିତରେ ରହିଥାଏ। ଏହା ଭିତରକୁ ପଶୁ ପଶୁ ମଣିଷକୁ ହୃତକମ୍ପ ହୋଇଯାଏ, ତେଣୁ ବୈଧାନିକ ସତର୍କତା ଅନୁଯାୟୀ ତା’ ଭିତରକୁ ବୈଜ୍ଞାନିକ ଅନୁମୋଦିତ ବସ୍ତ୍ର ପି.ପି.ଇ. କିଟ୍‌ ପରିଧାନ କରି ପ୍ରବେଶ କରିବା କଥା, ମାତ୍ର ନିରୀହ ଅଜ୍ଞାନ ଏବଂ ସରଳ ଆଦିବାସୀ ଝିଅଟିଏ ବିନା କୌଣସି ଏପରି ପୋଷାକ ପିନ୍ଧି ତା’ଭିତରେ ଚଳପ୍ରଚଳ ହୁଏ। କର୍ମଚାରୀକୁ ବିପଦକୁ ଠେଲି ଦେଇ ମାଲିକ ହୁଏ ମାଲାମାଲ।
ମୃତକମାନଙ୍କ ମଧ୍ୟରୁ କେତେକଙ୍କର ବୟସ ପନ୍ଦର ବର୍ଷ ବୋଲି ଲେଖାଯାଇଛି। ସମ୍ବାଦପତ୍ର ହିନ୍ଦୁରେ ପ୍ରକାଶିତ ତଥ୍ୟ ଅନୁସାରେ ଆଧାରକାର୍ଡରେ ସେମାନଙ୍କର ବୟସ ଚଞ୍ଚକତାପୂର୍ବକ କମେଇ ଲେଖେଇ ଦିଆହୋଇଛି। ଅର୍ଥାତ୍‌ କାମ କରୁଥିବା ଏଇ ଶ୍ରମଜୀବୀମାନଙ୍କ ଭିତରେ ବହୁ ନାବାଳିକା କାମ କରୁଥିଲେ। ବିଷାକ୍ତ ଗ୍ୟାସ, ଖୁବ୍‌ ଶୀତଳ ପରିବେଶରେ କାମ କରୁଥିବା କାରଖାନାକୁ ବୈଜ୍ଞାନିକ ଭାଷାରେ କୁହାଯାଏ ବିପଦପୂର୍ଣ୍ଣ, ମାତ୍ର ସେଥିରେ କେବଳ ସାବାଳକମାନେ କାମ କରିବା କଥା, ତାହା ପୁଣି ଉପଯୁକ୍ତ ବିଜ୍ଞାନସମ୍ମତ ପୋଷାକ ସହିତ। ହେଲେ ସେଇ କାରଖାନା କର୍ତ୍ତୃପକ୍ଷ ଜାଣିଶୁଣି କାରଖାନା ଆଇନ, ଶିଶୁ ଶ୍ରମ ନିରୋଧ ଆଇନକୁ ଫୁ କରି ଉଡ଼େଇ ଦେଉଥିଲେ। ନାବାଳିକାମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରିବା ପଛରେ ମାନବ ଚାଲାଣ ର଼୍ୟାକେଟ୍‌ କାମ କରୁଥିଲା ବୋଲି ଅଭିଯୋଗ ହେବାରୁ କେଉଁଝର ଜିଲା ପ୍ରଶାସନ ଶେଷରେ ଏଜେଣ୍ଟ ବିରୋଧରେ କେସ୍‌କରି ତାକୁ ଗିରଫ କରିଛନ୍ତି। ଆଉ ବଡ଼ ଆଶ୍ଚର୍ଯ୍ୟର କଥା ଗିରଫ ହୋଇଥିବା ଶ୍ରମ କଣ୍ଟ୍ରାକ୍ଟର ବି ନିଜେ ଜଣେ ଆଦିବାସୀ। ତାମିଲନାଡୁ ପୋଲିସ କାରଖାନା ମାଲିକଙ୍କୁ ଗିରଫ କରିଛନ୍ତି ଏବଂ ତାଙ୍କ ବିରୋଧରେ ଅନେକ ସଙ୍ଗିନ ଦଫାରେ ଅଭିଯୋଗ ରହିଛି।
ଏତେ ଭୟଙ୍କର ପରିବେଶରେ ମାସିକ ଆଠହଜାରରୁ ପନ୍ଦର ହଜାର ଦରମାରେ ଆଦିବାସୀ ତରୁଣୀମାନଙ୍କୁ ଖଟାଯାଉଥିଲା। ରାତି ଅଧରେ ଚିଙ୍ଗୁଡ଼ି ପହଞ୍ଚିଲେ ସେମାନଙ୍କୁ ନିଦରୁ ଉଠାଯାଇ କାମରେ ଲଗାଯାଉଥିଲା। କୋଣାର୍କ କବିତାରେ କବି ସଚ୍ଚି ରାଉତରା ଯାହା ଲେଖିଥିଲେ ତାହା ମନେପଡ଼ିଲେ ଯେମିତି ହୃଦୟରେ ଛୁରି ଚାଲିଲା ଭଳି ଲାଗେ ତାହା ଯେମିତି ପୁନର୍ବାର ଅଭିନିତ ହୋଇଥିଲା- ‘ଅମର ହୋଇବ କାଳର କରାଳେ ଯେଣୁ ଜଣକର ନାମ, ଲକ୍ଷ ବେଦାମୀ ଜୀବନରେ ତେଣୁ ଗଢ଼ାହେଲା ଶମଶାନ।’ ଅର୍ଥନୀତିକୁ ଦୃଢ଼ କରିବା ନାଁରେ ବିଦେଶୀ ମୁଦ୍ରା ସଂଗ୍ରହ ନାଁରେ ଧନପତି ମୁନାଫାଖୋର ମାଲିକ କିପରି ହଜାର ହଜାର କିଲୋମିଟର ଦୂରରୁ ଆଦିବାସୀ ଯୁବତୀଙ୍କୁ ନେଇ ତା’ର ସାମ୍ରାଜ୍ୟ ଗଢ଼ୁଥିଲା ଏଇ ଦୁର୍ଘଟଣା ତା’ର ପର୍ଦ୍ଦାଫାଶ କରିଛି।
ଏହା ଭିତରେ ଷାଠିଏରୁ ଊର୍ଦ୍ଧ୍ୱ କାର୍ଯ୍ୟରତ ଆଦିବାସୀ ମହିଳାଙ୍କୁ ଫେରେଇ ଆଣିଛି ଆମର ଶ୍ରମ ବିଭାଗ। କାଳେ ଓଡ଼ିଶାର ତତୁଲ୍ୟ କାର୍ଯ୍ୟ ସମାନ କାରଖାନାରେ ଚାଲିଥିବ ସେଥିପାଇଁ ନିରାପତ୍ତା ଅଡିଟ କରାଯାଉଛି। ମାତ୍ର କାହାରିକୁ ଅଜଣା ନାହିଁ ଯେ ଏପରି ଆଇନ ଉଲ୍ଲଂଘନ ଓ ଉତ୍ପୀଡ଼ନ କେବଳ ଦିନେ ଅଧେ ନୁହେଁ, ଏହା ପ୍ରଶାସନର ନାକତଳେ ଚାଲିଥାଏ ସବୁଦିନ। କାହିଁକି ଆନ୍ତଃରାଜ୍ୟ ଦାଦନ ଆଇନ ଅନୁସାରେ ସବୁ ଶ୍ରମିକମାନଙ୍କର ପଞ୍ଜୀକରଣ ହୋଇ ନ ଥିଲା, କାହିଁକି ନିରାପତ୍ତା ସାମଗ୍ରୀ ସେମାନଙ୍କୁ ଯୋଗାଇ ଦିଆଯାଉ ନ ଥିଲା, କାହିଁକି ଶିଶୁଶ୍ରମିକ ନିରୋଧ ଆଇନରେ ଉଲ୍ଲଂଘନ ହେଉଥିଲା- ତା’ର ଉତ୍ତର କାହାରି ପାଖରେ ନାହିଁ। ଡିଏମ୍‌ଏସ୍‌ ଯୋଜନାରେ କେଉଁଝର ଜିଲାରେ ହଜାରେ କୋଟିରୁ ଅଧିକ ବର୍ଷକୁ ଖର୍ଚ୍ଚ ହେଉଥିଲା ବେଳେ ଜୁଆଙ୍ଗମାନଙ୍କ ଉନ୍ନତି କ’ଣ କରାଯାଇଛି? ରାଜ୍ୟ ସରକାର ଦଶଲକ୍ଷ ଟଙ୍କା ଲେଖାଏ ଏକ୍ସଗ୍ରାସିଆ ମଞ୍ଜୁର କରିଛନ୍ତି ଏବଂ ତାମିଲନାଡୁ ସରକାର ଦୁଇଲକ୍ଷ ଲେଖାଏ ପ୍ରତି ମୃତକଙ୍କ ପରିବାରକୁ ପ୍ରଦାନ କରିଛନ୍ତି- ମାତ୍ର ସମସ୍ୟାର ସ୍ଥାୟୀ ସମାଧାନ କ’ଣ ସେତିକିରେ ହୋଇପାରିବ?

ଡ.ନିରଞ୍ଜନ ସାହୁ

(ଲେଖକ ଭାରତୀୟ ପ୍ରଶାସନିକ ସେବାର ପୂର୍ବତନ ଅଧିକାରୀ)
ମୋ: ୯୪୩୮୪୮୨୯୧୧

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?