ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ‘ବିକ୍ରମ୍‌ ୧’ ରକେଟ୍‌ ମହାକାଶକୁ ପ୍ରେରଣ କରି ଇତିହାସ ରଚିଛି। ଏହା ସମ୍ପୂର୍ଣ୍ଣ ବେସରକାରୀ ବ୍ୟବସ୍ଥାରେ ନିର୍ମିତ ପ୍ରଥମ କକ୍ଷ ରକେଟ। ସ୍କାଏରୁଟ୍‌ ଏରୋସ୍ପେସ୍‌ର ‘ମିଶନ ଆଗମନ’ର ଏହି ପ୍ରାରମ୍ଭିକ ଅଭିଯାନ ସଫଳ ହେବା ପରେ ଭାରତୀୟ ଯୁବ ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ଉନ୍ନତ ଦକ୍ଷତା ଦିଗବିଦିଗ ହୋଇଛି। ଅନ୍ୟପକ୍ଷରେ ୧୯୬୨ରେ ସଂସ୍ଥାପିତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ରେ ବହୁସଂଖ୍ୟକ ବୈଜ୍ଞାନିକ ଇସ୍ତଫା ଦେଉଥିବା ବିଷୟ ପଦାକୁ ଆସିଛି। ଏହା ସରକାରୀ ମହାକାଶ ଗବେଷଣା କ୍ଷେତ୍ରକୁ ଆଘାତ ପହଞ୍ଚାଇଛି। କାରଣ ୨୦୨୭ରେ ହେବାକୁ ଥିବା ‘ଚନ୍ଦ୍ରାୟନ ୪’, ୨୦୨୮ରେ ‘ଭେନସ୍‌ ଅର୍ବିଟର ମିଶନ’ ଏବଂ ୨୦୩୦ରେ ‘ମାର୍ସ ଲ୍ୟାଣ୍ଡର ମିଶନ’ କାର୍ଯ୍ୟର ସମ୍ପାଦନରେ ବୈଜ୍ଞାନିକଙ୍କ ଅଭାବ ଗୁରୁତର ପ୍ରଭାବ ପକାଇବ ବୋଲି ଜଣାପଡ଼ିଛି। ସୂଚନା ଦିଆଯାଇପାରେ ଯେ, ଥିରୁଭାନନ୍ତପୁରମ୍‌ର ବିକ୍ରମ ସରାଭାଇ ସ୍ପେସ୍‌ ସେଣ୍ଟର (ଭିଏସ୍‌ଏସ୍‌ସି) ଓ ନେଲୋର ସତୀଶ ଧାବନ ମହାକାଶ କେନ୍ଦ୍ର (ଏସ୍‌ଡିଏସ୍‌ସି) ସମେତ ଦେଶରେ ଇସ୍ରୋର ୧୪ଟି କେନ୍ଦ୍ର ରହିଛି। ବର୍ତ୍ତମାନ ଏଥିରେ ୧୪,୬୦୦ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୮ ହଜାର ବୈଜ୍ଞାନିକ ଓ ଇଞ୍ଜିନିୟର ଅଛନ୍ତି। ଇସ୍ରୋର କେତେକ ରଣନୀତିକ ଦୃଷ୍ଟିକୋଣରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରଗୁଡ଼ିକରୁ କିଛିମାସ ମଧ୍ୟରେ ପ୍ରାୟ ୧୦୦ ଜଣ ବୈଜ୍ଞାନିକ ଚାକିରି ଛାଡ଼ିବା ଚିନ୍ତାର ବିଷୟ ହୋଇଛି। ଏହାଫଳରେ କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍‌ ସ୍ପେସ( ଡିଓଏସ୍‌) ପ୍ରତିକାର ଭାବିବାକୁ ଯାଇ ଇସ୍ତଫା ଗ୍ରହଣ କରିବାରେ ବିଳମ୍ବ ସୃଷ୍ଟି କରିବା ପାଇଁ ପଦ୍ଧତି ଚିନ୍ତା କରିଛି। ଏବେ ସବୁ ଇସ୍ତଫା ଦିଲ୍ଲୀରୁ ସ୍ବୀକୃତି ପାଇବା ଆବଶ୍ୟକ ହୋଇପଡ଼ିଛି। ସେଥିପାଇଁ ଏଣିକି ଇସ୍ତଫା ଦେବାକୁ ଚାହୁଁଥିବା କର୍ମଚାରୀଙ୍କୁ ସ୍ଥାନୀୟ କେନ୍ଦ୍ରକୁ ଆବେଦନ କରିବା ପରିବର୍ତ୍ତେ ମହାକାଶ ବିଭାଗକୁ କାଗଜ ପଠାଇବାକୁ ପଡ଼ିବ। ଜଣାପଡ଼ିଛି ଯେ, ଗଗନଯାନ ଏବଂ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକ୍ରମ ସହିତ ଜଡ଼ିତ ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କୁ ସାଧାରଣ ପ୍ରକ୍ରିୟା ଭାବରେ ସ୍ବେଚ୍ଛାକୃତ ଅବସର କିମ୍ବା ଇସ୍ତଫା ମାଧ୍ୟମରେ ଚାକିରି ଛାଡ଼ିବାକୁ ଆଉ ଅନୁମତି ଦିଆଯିବ ନାହିଁ। ଏଥିରୁ ସ୍ପଷ୍ଟ ବୁଝି ହେଉଛି ଯେ, ଇସ୍ରୋର ନୂତନ ଅଭିଯାନଗୁଡ଼ିକ ନିଶ୍ଚିତ ଭାବେ ବାଧାପ୍ରାପ୍ତ ହେବ। କାରଣ ଯେଉଁମାନଙ୍କ ଇସ୍ତଫା ଗ୍ରହଣ କରା ନ ଯାଇ ସରକାରୀ ନାଲିଫିତା ତଳେ ଚାପି ହୋଇ ରହିଯିବ, ସେମାନେ କାର୍ଯ୍ୟରେ ଅମନଯୋଗୀ ହେବା ବା ଅନ୍ୟମନସ୍କ ହେବା ଥୟ। ହୃଦୟ ଭିତରୁ କାର୍ଯ୍ୟ କରିବାର ଯେଉଁ ସ୍ପୃହା ଜାତ ହୋଇଥାଏ ତାହା ମଉଳିଯିବ।
ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଇସ୍ରୋ ଭଳି ନାମକରା ସଂସ୍ଥାରୁ କାହିଁକି ଚାକିରି ଛାଡ଼ୁଛନ୍ତି ତାହା ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି। ହୁଏତ ଗୋଟିଏ କାରଣ ହୋଇପାରେ ଭାରତର ବେସରକାରୀ ମହାକାଶ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି। ତତ୍‌ସହିତ ଏହିଭଳି ବୈଜ୍ଞାନିକମାନଙ୍କ ପାଇଁ ବିଦେଶରେ ମଧ୍ୟ ଯଥେଷ୍ଟ ଚାହିଦା ରହିଛି। କିନ୍ତୁ ଭାରତର କ୍ଷୁଦ୍ର ଜିଡିପିର ମାତ୍ର ୦.୦୪ ରୁ ୦.୦୫ ପ୍ରତିଶତ ମହାକାଶ ଗବେଷଣା ପାଇଁ ଦିଆଯାଉଥିବା ସହିତ କର୍ଯ୍ୟକରିବାର ଶୈଳୀ, ବାତାବରଣ, ପଦୋନ୍ନତି ସୁଯୋଗ ଏବଂ ମୁଣ୍ଡ ଉପରେ ବସିଥିବା ପ୍ରଶାସନିକ ଅଫିସରଙ୍କ ଆଭିମୁଖ୍ୟ ଏହି ବୈଜ୍ଞାନିକମାନଙ୍କୁ ଅଧିକ ନକାରାତ୍ମକ ଭାବେ ପ୍ରଭାବିତ କରୁଥିବ ବୋଲି କୁହାଯାଇପାରେ। କଳାକାରଙ୍କୁ ଯେଉଁଭଳି ଶ୍ରୋତାଙ୍କ ତାଳି, ସମର୍ଥନ ଏବଂ ସମ୍ମାନର ପ୍ରୟୋଜନ ସଦାସର୍ବଦା ରହିଥାଏ, ସେହିଭଳି ଭାରତରେ ରହି ବିଜ୍ଞାନରେ ଗବେଷଣା କରୁଥିବା ବୈଜ୍ଞାନିକ ନିଶ୍ଚିତ ଭାବେ ପ୍ରଶଂସା ମଧ୍ୟ ଶୁଣିବାକୁ ଚାହଁୁଥିବେ। ଏହା ହେଉଛି ମଣିଷର ସ୍ବାଭାବିକ ଚରିତ୍ର। କିନ୍ତୁ ଦୁଃଖର ବିଷୟ ଯେ,ଭାରତୀୟ ବୈଜ୍ଞାନିକମାନଙ୍କର ନାମ ମଧ୍ୟ ଅଧିକାଂଶ ଦେଶବାସୀ ଜାଣି ନଥିବେ। ସବୁ ମହାକାଶ ସଫଳତାକୁ ରାଜନେତା ନିଜ ଚିତ୍ର ଲଗାଇ ମାଡ଼ିବସିବାକୁ ଚେଷ୍ଟା କରୁଥିବା ପରିଲକ୍ଷିତ ହେଉଛି। ଆତ୍ମସନ୍ତୁଷ୍ଟି ମଣିଷକୁ ସବୁପ୍ରକାରର ବଡ଼ ଆହ୍ବାନକୁ ସାମ୍ନା କରିବାରେ ଶକ୍ତି ଦେଇଥାଏ। ଯେତେବେଳେ ସେହି ଆତ୍ମସନ୍ତୁଷ୍ଟିରେ ଭାଗ ନେବାକୁ ମଧ୍ୟ ଦିଆଯାଏ ନାହିଁ, ସେତେବେଳେ ଅଶାନ୍ତି ସୃଷ୍ଟି ହୋଇଥାଏ। ନିଜ ଦାୟିତ୍ୱରୁ ଇସ୍ତଫା ଲେଖିକରି ଦେବା ପରେ ଯଦି ବାଧ୍ୟରେ କାହାକୁ ଗବେଷଣା ଭଳି ଗୁରୁତ୍ୱପୂର୍ଣ୍ଣ କାମ କରିବାକୁ କୁହାଯାଏ, ତେବେ ମହାକାଶ ବିଜ୍ଞାନ ପରି ସୂକ୍ଷ୍ମ କାର୍ଯ୍ୟରେ ତାହା କେବଳ ସମୟ, ଅର୍ଥ ଓ ଚେଷ୍ଟାର ଅପବ୍ୟୟ ହେବ ବୋଲି କହିହେବ।
ବୈଜ୍ଞାନିକମାନଙ୍କୁ ଭାରତରେ ବିଶେଷକରି ମିଲିଟାରୀ ଦିଗରେ ଗବେଷଣା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଭଳି ମନେହୁଏ। କେବଳ କ୍ଷେପଣାସ୍ତ୍ର ଗବେଷଣାରେ ସୀମିତ ରହିଗଲେ ମୂଳ ମହାକାଶ ବିଜ୍ଞାନ ଗବେଷଣା ଶିଥିଳ ପଡ଼ିଯାଇପାରେ।ଏହା ଜଣାଶୁଣା ଯେ, ଇସ୍ରୋର ଅଧିକାଂଶ ଗବେଷଣାର ଫଳ ଡିଫେନ୍ସ ରିସର୍ଚ୍ଚ ଡେଭଲପମେଣ୍ଟ ଅର୍ଗାନାଇଜେଶନ( ଡିଆରଡିଓ) ଦ୍ୱାରା ବ୍ୟବହୃତ ହେଉଛି। ଗୋଟେପଟେ ଏହା ସ୍ବାଗତଯୋଗ୍ୟ, କାରଣ ଦେଶର ସୁରକ୍ଷା ସର୍ବୋଚ୍ଚରେ। ଅନ୍ୟପଟେ ଏହା ବୈଜ୍ଞାନିକମାନଙ୍କୁ ମୂଳ ବିଜ୍ଞାନରୁ ଦୂରାଇ ଦେଉଥିବାର ସମ୍ଭାବନା ସୃଷ୍ଟି କରୁଛି। ସେଥିପାଇଁ ହୁଏତ ଏତେ ପରିମାଣରେ ସ୍ବେଚ୍ଛାକୃତ ଅବସର କିମ୍ବା ଇସ୍ତଫା ହଠାତ ଏବେ ଦେଖିବାକୁ ମିଳୁଛି। ଗବେଷଣାରେ କୌଣସି ଦଳୀୟ ରାଜନୀତି ରହି ନଥାଏ। ସେଥିପାଇଁ ବୈଜ୍ଞାନିକମାନଙ୍କ ଗବେଷଣା, କୌଣସି ଦେଶରେ, କୌଣସି ପ୍ରଧାନମନ୍ତ୍ରୀ କିମ୍ବା ଅନ୍ୟ ରାଜନେତାଙ୍କ ଦ୍ୱାରା ପ୍ରଭାବିତ ହୋଇନଥାଏ। ରାଜନେତାମାନେ ନାମ ନେଇପାରିବେ ଯଦି ଆଖିଦୃଶିଆ ଅର୍ଥ ଯୋଗାଇ କୌଣସି ଗୋଟିଏ କାର୍ଯ୍ୟକୁ ଅତ୍ୟଧିକ ମାତ୍ରାରେ ଉତ୍ସାହିତ କରୁଥିବେ। ଯେହେତୁ ଭାରତରେ କୌଣସି ରାଜନୈତିକ ବ୍ୟକ୍ତି ଏହି ଦାବି କରିପାରିବେ ନାହିଁ ସେଥିପାଇଁ ବୈଜ୍ଞାନିକମାନଙ୍କର ମାନସିକ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦିଆଯିବା ଦରକାର।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ମାଛଚାଷରେ ମାଇକ୍ରୋଆଲଗେ ବ୍ୟବହାର, ବାଣିଜ୍ୟ ସମ୍ଭାବନାକୁ ନେଇ…

ଭଞ୍ଜନଗର,୪ା୯(ବାବୁଲା ପ୍ରଧାନ): ମାଛଚାଷରେ ମାଇକ୍ରୋଆଲଗେର ବ୍ୟବହାର ଓ ଏହାର ବାଣିଜି୍ୟକ ସମ୍ଭାବନାକୁ ନେଇ ଭଞ୍ଜନଗର ନିକଟସ୍ଥ ଦୁବ ଫିସ ଫାର୍ମରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସରେ ହିନ୍ଦୁଧର୍ମର ଉଦାରତା ଉପରେ ଆଲୋକପାତ

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶୁକ୍ରବାର କୃଷ୍ଣ ଜନ୍ମାଷ୍ଟମୀ, ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ଓ ଲକ୍ଷ୍ମଣାନନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri