ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି କେମିତି ମନେହେଉଛି ଆଜି। ସମୟର ଦାସ ଅପେକ୍ଷା ସମୟଠୁ ବେଶି ଆଜି ମଣିଷ ସାଜିଛି/ ସାଜୁଛି ସ୍ବାର୍ଥର ଦାସ। ଅବଶ୍ୟ ସମୟର ଦ୍ୱାହିଦେଇ ସ୍ବାର୍ଥ ପାଖେ ମଣିଷ ବେଶ୍‌ ବିବଶ। ମଣିଷ ପଡ଼ିଯାଉଛି ସ୍ବାର୍ଥ ପାଖେ ବନ୍ଧା। ସ୍ବାର୍ଥ ଯହିଁ, ଆଜିର ମଣିଷ ତହିଁ। ସ୍ବାର୍ଥ ନାହିଁ ତ ସେଠି ସ୍ବାର୍ଥୀ ମଣିଷର ଉପସ୍ଥିତି ରହୁନାହିଁ। ସ୍ବାର୍ଥର ଗନ୍ଧ ଥିଲେ ମଣିଷ ହୁଏ ମତୁଆଲା। ସ୍ବାର୍ଥର ପ୍ୟୁପା ଭିତରେ ଆରାମରେ ରହିଜାଣନ୍ତି ସ୍ବାର୍ଥୀ ମଣିଷ। ଚଉକି ତଥା ଚଉକିଆ (ଚଉକି ଉପର କ୍ଷମତାଶାଳୀ ମଣିଷ ସେ ଅଫିସର ହୁଅନ୍ତୁ କି ରାଜନେତା)ଙ୍କ ପାଖେ ପାଖେ ଅହରହ ନସରପସର ହେଉଥିବା ସ୍ବାର୍ଥୀଙ୍କ ପରିଚୟ ଧୀରେ ଧୀରେ ତିଆରି ହୋଇଯାଏ ସେଇ ସେଇମାନେ ଉଭୟ ଚଉକି ଓ ଚଉକିଆର ପାଖଲୋକ। ଏକାଧିକ ପାଖଲୋକଙ୍କ ଭିତରୁ କିଏ ଥାନ୍ତି ଡାହାଣ ହାତ, ଆଉ କିଏ ହୁଅନ୍ତି ବାମ ହାତ। ହେଲେ ସଭିଏଁ ଚଉକି ଓ ଚଉକିଆଙ୍କ ପାଖଲୋକ ହୋଇପାରନ୍ତିନି। ଯିଏ ଯେଉଁମାନେ ‘ନେଇ ଆଣି ଥୋଇ ଜାଣିଲେ ଚୋରି ବିଦ୍ୟା ଭଲ’କୁ ଖୁବ୍‌ ଆପଣେଇ ଜାଣନ୍ତି ଏବଂ ତା’ର ସଫଳ ପ୍ରୟୋଗରେ ନିଜ ହାତ ଭଲକି ଚିକ୍କଣ କରି ଜାଣିବା ସହିତ ଅନ୍ୟର ହାତରେ ଥୋଇପାରନ୍ତି, ସେଇ ସେଇମାନେ ସବୁଠି ଭଲ ପାଖଲୋକ ହୁଅନ୍ତି। ପାଖଲୋକ ହେବା ଏକ ବିଶେଷ କଳା। ସେଇ କଳା ଧାରଣ କରି ଜାଣିବା ସହିତ ଦିଆଥୁଆ କଳାରେ ଧୂରୀଣ ପ୍ରବୀଣ ଥିଲେ ପାଖଲୋକ ହେବା ସହଜ ହୁଏ।
ତେବେ ପାଖଲୋକ ସବୁବେଳେ ପାଖରେ ରହିବାର ସୁଯୋଗ ପାଆନ୍ତି। ସମୟ କ୍ରମେ ପାଖଲୋକଙ୍କ ଚଉକି ଓ ଚଉକିଆଙ୍କ ପାଖରେ ରହିବା ସୁଯୋଗ ଧୀରେ ଧୀରେ ଅଧିକାରକୁ ରୂପାନ୍ତରିତ ହୋଇଚାଲେ। ଯେତେ ପାଖେଇବ, ସେତେ ଭିତିରିଆ ମାନେ ଘରୁଆ ହୋଇ ଅଧିକ ଅଧିକାରର ମାଲିକ ବନନ୍ତି। ସେମିତି ବନିଯାଆନ୍ତି କ୍ଷମତାଶାଳୀ। ସେଇ ପାଖଲୋକକୁ ତାପରେ ଅନେକ ଖୋଜି ବସନ୍ତି ଚଉକି ଓ ଚଉକିଆ ପାଖେ ପହଞ୍ଚିବା ପାଇଁ। ଏ କଥା ଧୀରେ ଧୀରେ ୟା’ କାନରୁ ତା’ କାନ ହୋଇ ପ୍ରଘଟ ହୋଇଚାଲେ। ଏମିତି ପାଖଲୋକଙ୍କ ପରିଚୟ ତିଆରି ହୁଏ। ଭିତିରିଆ ପାଖଲୋକ ଅନେକ ନେବା ଆଣିବା, ରଖାଥୁଆ କାମରେ ରହି ବିଶ୍ୱସ୍ତ ସାଜନ୍ତି ଚଉକି ଓ ଚଉକିଆଙ୍କ। ଏମାନେ ପୁଣି ସମୟ ସୁଯୋଗ ଦେଖି / ଉଣ୍ଡି ‘ସାଙ୍ଗେ ଥାଇ ଭାଗ ଖାଇ’ ଉକ୍ତିର ଅଭ୍ୟାସ କରନ୍ତି। ଅଭ୍ୟାସର ବଶବର୍ତ୍ତୀ ହୁଅନ୍ତି। ଚଉକି ଓ ଚଉକିଆଙ୍କୁ ଭେଟିବାକୁ ହେଲେ ଏମାନେ ବାଟ ଛାଡ଼ିଲେ ଯାଇ କାମଥିବା ଲୋକ ଭିତରକୁ ଯାଇପାରନ୍ତି। ପାଖଲୋକ ମଧ୍ୟସ୍ଥ ସାଜନ୍ତି। ତେଣୁ ସେଇ ପାଖଲୋକକୁ ଆଗ ପୂଜା କରିବାକୁ ହୁଏ “ଟଙ୍କା ଭୋଗ” ଲଗାଇ। ମନ୍ଦିରରେ କାଠ ପଥର ଦିଅଁଙ୍କଠି ସିନା ନଡ଼ିଆ କଦଳୀ ମିଠା ଭୋଗ ଲାଗେ। ହେଲେ ପୂଜକ ପୂଜା ପାଇଁ ନିଅନ୍ତି ଅର୍ଥ ଦକ୍ଷିଣା। ଦପ୍ତର ମନ୍ଦିରରେ ଯେ ଅନେକ ଦପ୍ତର ଦିଅଁଙ୍କଠି ଟଙ୍କା ଭୋଗ ଲାଗେ। କ୍ୱଚିତ ଦପ୍ତର ଦିଅଁ ଟଙ୍କାଖିଆ ନଥାନ୍ତି। ଏଠି ଯେଉଁ ଦପ୍ତର ଦିଅଁ ଟଙ୍କା ଖାଏନି ତା ପାଇଁ ଅଡୁଆ ଥାଏ। ଯିଏ ଖାଇ ଖୁଆଏ ତା’ ପାଇଁ ଅଡୁଆ ନ ଥାଏ। ତେଣୁ କାମ ଅନୁସାରେ ଅନେକ ଚଉକି ଚଉକିଆ ପାଖରେ ସେମିତି ଟଙ୍କା ଭୋଗ ଲାଗେ। କଥା ହେଉଛି, ଯେଉଁଠି ଥାଏ ଚଉକି, ସେଠି ଥାନ୍ତି ଚଉକିଆ। ଚଉକି ଓ ଚଉକିଆ ଥାଆନ୍ତି ଯେଉଁଠି, ପାଖଲୋକ ନିଶ୍ଚୟ ଥାନ୍ତି ସେଇଠି।
ସବୁଠି ସେଇ ପାଖଲୋକ ହିଁ ଯଥାର୍ଥରେ ଥାଆନ୍ତି ‘ମଶାରି ମଶା“। ମଶାରି ମଶା ମଶାରି ଭିତରେ ଥାଇ ମଶାରିଦିଆ ମଣିଷ ପାଖରେ ରହିବାର ସୁଯୋଗ ପାଆନ୍ତି। ମଶା କାମ କ’ଣ କି ? ରକ୍ତ ଟାଣିବା। ମଣିଷଠୁ ହେଉ କି ଆଉ କେଉଁ ପ୍ରାଣୀଠୁ ହେଉ ମଶା ରକ୍ତ ପିଏ। ପ୍ରାଣୀ ରକ୍ତ ଖାଇ ପିଇ ବଞ୍ଚେ। ମଶାଠି ପରଆପଣାଭାବ କିଛି ନ ଥାଏ। ଯାହାକୁ ପାଖରେ ପାଏ , ତାଆଠୁ ରକ୍ତ ଶୋଷେ। ମଶାରି ଭିତରକୁ ସୁଯୋଗ ପାଇଲେ ପଶି ଯାଇ ମଶାରି ଭିତରେ ନିରାପଦରେ ରହେ ମଶା। ଆଉ ତାପରେ ସୁଯୋଗ ଦେଖି ରକ୍ତ ଶୋଷେ ମଶାରି ଟାଙ୍ଗି ଶୋଇଥିବା ମଣିଷଠୁ। କିଛି ପାଖଲୋକ ସେମିତି ଅତି ବିଶ୍ୱସ୍ତ ସାଜି ‘ମଶାରୀ ମଶା’ ହୁଅନ୍ତି। ତାପରେ ଚଉକି ଓ ଚଉକିଆଠୁ ଭିତିରିଆ ସାଜିବାର ଫାଇଦା ଉଠାଇ ପାଖଲୋକ ହାତ ଚିକ୍କଣ କରିବାର କଳାର ରୀତିମତ ପ୍ରୟୋଗ କରି ଚାଲନ୍ତି। ଭଲ ଦି’ ପଇସା କମେଇ ନିଅନ୍ତି। ବେଳେ ବେଳେ ଚଉକି ଓ ଚଉକିଆକୁ ବଳେଇ ଯାଆନ୍ତି ପାଖଲୋକ। ଅସଲ ମଶା କାମୁଡ଼ାରୁ କିଏ ମ୍ୟାଲେରିଆର ଶିକାର ହୋଇପାରନ୍ତି। କାହାର ମ୍ୟାଲେରିଆରେ ଜୀବନ ବି ଯାଏ। ପାଖଲୋକ କେବେ କେବେ ମଶାରି ମଶା ଭଳି ଅବିଶ୍ୱସ୍ତ ସାଜି ମୁନିବର ବିପୁଳ କ୍ଷତି କରାନ୍ତି। ଏମାନେ ଯାହାର ଖାଇବେ, ତାହାର ନାଶିବେ। ଆଜିକାଲିକା ସାଙ୍ଗ ସାଙ୍ଗକୁ ଛାଡ଼ନ୍ତିନି। କେଉଁଠି କେଉଁଠି ସାଙ୍ଗ ସାଙ୍ଗର ଜୀବନ ନେବା ଭଳି ଅଘଟଣ ଘଟୁଥିବାର ଖବର ଆସେ। ଏହା ଘଟୁଛି ଅନେକ କ୍ଷେତ୍ରରେ। ଆଜିର ବିଶ୍ୱସ୍ତ ଭୃତ୍ୟ କାଲିକି ସ୍ବାର୍ଥ ପାଇଁ ପାଲଟିଯାଆନ୍ତି ଅବିଶ୍ୱସ୍ତ ବିଶ୍ୱାସଘାତକ। ବିଶ୍ୱସ୍ତ ହୋଇ ଆଜୀବନ ରହିବି, ଏ କଥା ଦେଇଥିବା ପାଖଲୋକ ସୁଯୋଗ ପାଇଲେ ‘ମଶାରି ମଶା’ ସାଜେ। ସୁଯୋଗ ଦେଖି ମଶାରି ମଶା ଭଳି ଦଂଶେ, ଦଂଶନ କରେ ବିଶ୍ୱସ୍ତ ପାଖଲୋକକୁ। ସବୁଜ ସାହିତ୍ୟ କ୍ଷେତ୍ରଠୁ ଆରମ୍ଭ କରି ଦପ୍ତର ଦପ୍ତରରେ ତଥା ରାଜନୀତି କ୍ଷେତ୍ରରେ ବି ପାଖଲୋକ ବେଇମାନି କରନ୍ତି ପ୍ରତିଷ୍ଠିତ ଅଧିକାରୀ ଓ ରାଜନେତା।
ତେବେ ପାଖଲୋକ ମଶାରି ମଶା ଭଳି କ୍ଷତିକାରକ। ସବୁଠି ପାଖଲୋକ ‘ମଶାରି ମଶା’ ସାଜିଲେ ଅନେକଙ୍କ ବିପୁଳ କ୍ଷତି ହୁଏ। ନିଜ ନିଜ ପରିସରରେ ପରିବେଶରେ ସେଇ ମାରାତ୍ମକ ‘ମଶାରି ମଶା’ ପ୍ରାୟ ପାଖଲୋକଙ୍କୁ ସେଇ ଅଞ୍ଚଳର ଅଧିବାସୀ ଚିହ୍ନିବା ଜାଣି ରଖିବା ଦରକାର ,ଯେମିତି ସେମାନେ ଅନ୍ୟର ତଥା ସମାଜର ପ୍ରଭୂତ କ୍ଷତି ନ କରନ୍ତି।

ଧ୍ରୁବ ଚରଣ ଘିବେଲା

ବଉଦରାଜ, ବୌଦ୍ଧ
ମୋ:୯୪୩୭୪୭୮୪୬୬

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri