ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଦିନକୁ ଦିନ ଜୀବାଶ୍ମ ଇନ୍ଧନ ସରି ଆସୁଛି। ଯାହା କିଛି ଉତ୍ପାଦନ ହେଉଛି, ତାହାର ସୁଷମ ବଣ୍ଟନ ହୋଇପାରୁ ନ ଥିବାରୁ ତାହା ମଣିଷକୁ ଅଡ଼ୁଆରେ ପକାଉଛି। ହର୍ମୁଜ ଜଳପଥ ଅବରୋଧ ପରେ ପେଟ୍ରୋଲିୟମ୍‌ଜାତ ପଦାର୍ଥ ପାଇବାରେ ଲୋକେ କିଭଳି ହନ୍ତସନ୍ତ ହେଉଛନ୍ତି, ତାହା ଏବେ ସମସ୍ତେ ଅଙ୍ଗେ ନିଭାଉଛନ୍ତି। ତେଣୁ ଏହାର ବିକଳ୍ପ ବିଷୟରେ ଭାବନା ସୃଷ୍ଟି ହେବା ଓ ଗବେଷଣା କରାଯିବା ଉତ୍ସାହଜନକ କଥା। କିନ୍ତୁ ଭାରତରେ ସେଭଳି କିଛି ଅନୁଧ୍ୟାନ ଓ ଗବେଷଣା କରା ନ ଯାଇ ତୁରନ୍ତ ପଦକ୍ଷେପ ନିଆଯାଉଥିବାରୁ ତାହାର କୁଫଳ ଦେଶବାସୀଙ୍କୁ ଭୋଗିବାକୁ ପଡ଼ୁଛି। ଏହାର ଉଦାହରଣ ହେଲା ପେଟ୍ରୋଲରେ ୨୦ ଭାଗ ଇଥାନଲ (ଇ୨୦) ମିଶାଯାଇ ଇନ୍ଧନ ଶକ୍ତିର ଚାହିଦା ମେଣ୍ଟାଇବା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଆଖୁ, ମକା, ଚାଉଳ, ନଡ଼ା, କୃଷି ବର୍ଜ୍ୟବସ୍ତୁକୁ ଫର୍ମେଣ୍ଟେଶନ ବା ପଚାଯାଇ ସେଥିରୁ ଏହି ଜୈବ ଇନ୍ଧନ ସୃଷ୍ଟି କରାଯାଉଛି। ଭାରତ ସରକାର ଜୀବାଶ୍ମ ଇନ୍ଧନର ଅଭାବକୁ ଦୂର କରିବା ଲାଗି ପର୍ଯ୍ୟାୟକ୍ରମେ ଗାଡ଼ିମୋଟରରେ ଇ୨୦ ବ୍ୟବହାର କରିଛନ୍ତି। କିନ୍ତୁ ଏହାର ବ୍ୟବହାର ଯାନବାହନ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଭାରତରେ ଅନେକ ଲକ୍ଷ ଅଣ-ଇ୨୦ ଅନୁକୂଳ ଯାନବାହନ ରହିଛି, ଯେଉଁଥିରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ହେବା ଦ୍ୱାରା ଇଞ୍ଜିନ ସମସ୍ୟା ଦେଖା ଦେବା ସହ ଗାଡ଼ି ରାସ୍ତା ଉପରେ ବନ୍ଦ ହୋଇଯିବା, ମାଇଲେଜ୍‌ କମାଇବା, ଫିଲ୍ଟର୍‌ ଓ ରବର ସିଲ୍‌ ନଷ୍ଟ ହେଉଥିବାର ଗଦାଗଦା ଦୃଷ୍ଟାନ୍ତ ଦେଖିବାକୁ ମିଳିଲାଣି। ତେଣୁ ଏହାର ବ୍ୟବହାରକୁ ବନ୍ଦ କରିବା ଲାଗି ଦେଶବ୍ୟାପୀ ବିକ୍ଷୋଭ ମଧ୍ୟ କରାଗଲାଣି। ଏଭଳି ସମୟରେ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ଲୋକଙ୍କ ରୋଷେଇ ଘରେ ଇଥାନଲ ଉପଯୋଗ କରିବା ଲାଗି ପ୍ରସ୍ତୁତ ହେଉଥିବା ଖବର ମିଳିଛି। ଏମିତି ଦେଖିଲେ ଏଲ୍‌ପିଜି ସିଲିଣ୍ଡର ଫାଟି ଲୋକଙ୍କ କ୍ଷୟକ୍ଷତି କରୁଛି। ଏଲ୍‌ପିଜିର ଓଜନ ମାପିବା ସମ୍ଭବପର ହେଉ ନ ଥିବାରୁ ସେଥିରେ ଥିବା ପରିମାଣ ସାଧାରଣରେ ମଧ୍ୟ ଜାଣିହେଉ ନାହିଁ। ବିଶେଷ ଗବେଷଣା କରା ନ ଯାଇ ଇଥାନଲ ଶକ୍ତିକୁ ରନ୍ଧନ କାର୍ଯ୍ୟରେ ବ୍ୟବହାର କରିବା କେତେଦୂର ଯୁକ୍ତିଯୁକ୍ତ ତାହା ଉପରେ ବଡ଼ ଆଲୋଚନାର ଅପେକ୍ଷା ରଖୁଛି।
ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତର ବାର୍ଷିକ ଇଥାନଲ ଉତ୍ପାଦନ କ୍ଷମତା ୨୦ ବିଲିୟନ ଲିଟରରୁ ଅଧିକ।
ଇ୨୦ ପରିବହନ ଆବଶ୍ୟକତା ଏବଂ ଶିଳ୍ପାଞ୍ଚଳର ଚାହିଦା ପୂରଣ କରିବା ପରେ ଦେଶରେ ପ୍ରାୟ ୭ ବିଲିୟନ ଲିଟରର ଏକ ବୃହତ୍‌ ବଳକା ଇଥାନଲ ରହିଯାଉଛି। ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ସ୍ବତନ୍ତ୍ର ଇଥାନଲ-ଅନୁକୂଳ ଚୁଲି ଏବଂ ରିଫିଲ୍‌ ନେଟ୍‌ୱର୍କ ପାଇଁ ଏକ ନୀତିଗତ ଆଧାର ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଏହି ବ୍ୟବସ୍ଥାରେ ସ୍ବତନ୍ତ୍ର ଇଥାନଲ ଏଟିଏମ୍‌ ସୃଷ୍ଟି କରାଯିବ, ଯେଉଁଠାରୁ ଗ୍ରାହକମାନେ ଜୈବ-ଇନ୍ଧନ କିଣିପାରିବେ। ଏମିତି ଦେଖିଲେ ଶୁଦ୍ଧ ପେଟ୍ରୋଲ ତୁଳନାରେ ଇଥାନଲ୍‌ ବ୍ୟବହୃତ ଇନ୍ଧନ ୩୪% କମ୍‌ ଶକ୍ତି ଦେଉଥିବାରୁ ଗାଡ଼ିର ମାଇଲେଜ୍‌ କମାଇ ଦେଉଛି ବୋଲି ଅଭିଯୋଗ ହେଉଛି। ଏପରି ସ୍ଥଳେ ଘରୋଇ ରନ୍ଧନ କାର୍ଯ୍ୟରେ ଏହାର ଉତ୍ତାପ ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ। ପୁଣି ଏଥିରେ ବ୍ୟବହାରର ସୁରକ୍ଷା ଦିଗ ପ୍ରତି କୌଣସି ଅନୁସନ୍ଧାନ ହୋଇଥିବାର ଜଣାଇ ଦିଆଯାଇନାହିଁ।
ଆତ୍ମନିର୍ଭରଶୀଳତାର ମାନେ ନୁହେଁ ଯେ, ମନକୁ ଯେତେବେଳେ ଯାହା ଆସିବ, ତାହା ବୈଜ୍ଞାନିକ ପ୍ରମାଣ ସୁନିଶ୍ଚିତ ନ କରି ଲୋକଙ୍କ ଉପରେ ବ୍ୟବହାର କରିଦେବା। ଆମେ ଜାଣିଛେ ନୂଆ ଔଷଧ ବଜାରକୁ ଅଣାଯିବା ପୂର୍ବରୁ ତାହା ପଶୁଙ୍କଠାରେ ବ୍ୟବହାର କରାଯାଇ ଫଳାଫଳକୁ ଅନିଷା କରାଯାଏ। ବୈଷୟିକ ଭାଷାରେ ତାହାକୁ ଗିନି ପିଗ୍‌ କୁଆଯାଏ। ଆଜି ଭାରତୀୟଙ୍କୁ ଗିନି ପିଗ୍‌ କରାଯାଇ ବିଭିନ୍ନ ପରୀକ୍ଷଣମାନ କରାଯାଉଛି। ଏବେ ଭାରତରେ ବୃହତ୍‌ ବିଦେଶୀ ଔଷଧ ନିର୍ମାତାମାନଙ୍କୁ ସବୁ ପ୍ରକାର ଅନୁମତି ଦିଆଯାଉଛି। ଶିଶୁଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ବିଭିନ୍ନ ରୋଗ ସକାଶେ ପ୍ରସ୍ତୁତ କରାଯାଉଥିବା ଔଷଧ କେଉଁ ପ୍ରକାର ଶାରୀରିକ ପ୍ରତିକ୍ରିୟା ସୃଷ୍ଟି କରୁଛି, ତାହା ଦେଖିବା ପରେ ସେହିସବୁ ଔଷଧ ଅନ୍ୟ ଦେଶର ବଜାରକୁ ଛଡ଼ାଯାଉଛି। ପୂର୍ବରୁ ଫିଲିପାଇନ୍ସ ଓ ଆଫ୍ରିକାର କେତୋଟି ଦେଶରେ ଏହିଭଳି ଔଷଧ ମଣିଷଙ୍କ ଉପରେ ପରୀକ୍ଷଣ କରାଯାଉଥିଲା। ସେହିସବୁ ଦେଶର ସରକାର ନିଜ ଦେଶର ନାଗରିକଙ୍କୁ ସ୍ବାସ୍ଥ୍ୟ ବିପଦରୁ ରକ୍ଷା କରିବା ପାଇଁ ଏଭଳି ପରୀକ୍ଷା ଉପରେ ଆଇନଗତ ପ୍ରତିବନ୍ଧକ କରାଇସାରିଲେଣି। ଭାରତ ସରକାର ଏ ପର୍ଯ୍ୟନ୍ତ ସେଭଳି ପ୍ରତିବନ୍ଧକ ଲଗାଉନାହାନ୍ତି। ଏହି ପରିପ୍ରେକ୍ଷୀରେ ୨୦% ଇଥାନଲ ପେଟ୍ରୋଲ ମିଶ୍ରଣକୁ ବାଧ୍ୟତାମୂଳକ କରାଯାଇଥିବାରୁ ଚାଳକମାନଙ୍କ ମଧ୍ୟରେ କ୍ରମାଗତ ବ୍ୟାପକ ଅସନ୍ତୋଷ ଦେଖାଦେଇଥିବାରୁ ଏହି ପଦକ୍ଷେପକୁ କଡ଼ା ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି। ଏହି ସମୟରେ ଇଥାନଲକୁ ଏକ ମୁଖ୍ୟ ସ୍ରୋତର ଘରୋଇ ରନ୍ଧନ ଶକ୍ତି ଭାବରେ ବ୍ୟବହାର ଲାଗି କରାଯାଉଥିବା ଚିନ୍ତନ ଆଗକୁ ବିଷମ ସ୍ଥିତି ସୃଷ୍ଟି କରିପାରେ। ବହୁଳ ଭାବେ ବ୍ୟବହୃତ ହେଉଥିବା ଏଲ୍‌ପିଜି ସିଲିଣ୍ଡର ବଦଳରେ ଲୋକଙ୍କୁ ଅଧିକ ସବ୍‌ସିଡିପ୍ରାପ୍ତ କରାଇ ଏକ ନୂତନ ବ୍ୟବସ୍ଥାକୁ ପ୍ରବେଶ କରାଯିବାର ଲକ୍ଷ୍ୟ ରଖାଯାଉଛି। ଏମିତି ଦେଖିଲେ ସାଧାରଣ ଭାରତୀୟ ଲୋଭ ସମ୍ବରଣ ନ କରି ଅଧିକାଂଶ ସମୟରେ ସରକାରୀ ନିଷ୍ପତ୍ତିରେ ‘ହଁ’ ଭରି ଦିଅନ୍ତି। ତେଣୁ ଇ୨୦ ପେଟ୍ରୋଲ ଅଭିଜ୍ଞତାରୁ ସୃଷ୍ଟି ହୋଇଥିବା ଗ୍ରାହକଙ୍କ ପ୍ରବଳ ଦ୍ୱିଧାବୋଧକୁ ଦୂର କରିସାରିବା ପରେ ଯାଇ ସରକାରଙ୍କୁ ରୋଷେଇ ଘରେ ପଶିବାକୁ ସୁଯୋଗ ଦିଆଯିବା ଦରକାର।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?