ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର ସାଧୁଲଭାଇ ଚାଓ୍ବଡା। ସେ ସ୍କ୍ରାପ୍ ବା ବିଭିନ୍ନ ଅଦରକାରୀ ଜିନିଷ ସଂଗ୍ରହ କରି ସେଥିରେ ସୋଲାର କାର୍ ନିର୍ମାଣ କରିଛନ୍ତି। ବଡ଼ କଥା ହେଉଛି ଚାଓ୍ବଡା ଗାଁରେ ରହି ଏହି ସଫଳତା ପାଇପାରିଛନ୍ତି। ସେ ସ୍କ୍ରାପ୍ ସଂଗ୍ରହ କରିବାରେ ମୋଟ ୨୫,୦୦୦- ୩୦,୦୦୦ ଟଙ୍କା ଖର୍ଚ୍ଚ କରିଛନ୍ତି। ସେ ସୋଲାର ପ୍ୟାନେଲ, ପୁରୁଣା ବିଦ୍ୟୁତ୍ ଚାଳିତ ବାଇକ୍ ପାର୍ଟସ୍, ଟାୟାରକୁ ନେଇ ଏହି କାର ନିର୍ମାଣ କରିଛନ୍ତି। ଏଥିରେ ୧୦୦ ଓ୍ବାଟ ବିଶିଷ୍ଟ ଦୁଇଟି ସୋଲାର ପ୍ୟାନେଲ ଲାଗିଛି। ସୋଲାର ବିଦ୍ୟୁତରେ ବ୍ୟାଟେରି ଦିନସାରା ଚାର୍ଜ ହୋଇପାରିବ। ଚାରି ବର୍ଷରେ ଥରେ କାର୍ର ବ୍ୟାଟେରି ପରିବର୍ତ୍ତନ କରିବାକୁ ହେବ। ଚାଓ୍ବଡାଙ୍କ ଦ୍ୱାରା ନିର୍ମିିତ ଏହି ସୋଲାର କାର୍ ଘଣ୍ଟାକୁ ୩୦ରୁ ୪୦ କି.ମି. ବେଗରେ ଯାଉଛି। ଏଥିରେ ଫିଟ ହୋଇଥିବା ବ୍ୟାଟେରି ଶୀଘ୍ର ଚାର୍ଜ ହେଉଛି ଏବଂ ଥରେ ଚାର୍ଜ ହେଲେ ଏହି କାର୍ ୬୦ କିଲୋମିଟର ଯାଏ ଯାଇପାରୁଛି। ଏଥିରେ ୩ ଜଣ ଆରାମରେ ବସି ଯିବାର ବ୍ୟବସ୍ଥା କରାଯାଇଛି।

