ଦିଗପହଣ୍ଡି, ୨୭।୧୦ (ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ୍ ପକ୍ଷରୁ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜୋରଦାର କରାଯାଇଛି। କୋର୍ଟରେ ହାଜର ନ ହୋଇ ଦୀର୍ଘ ଦିନରୁ ଫେରାର୍ ଥିବା ଜଣେ ଜାମିନବିହୀନ ୱାରେଣ୍ଟିକୁ ଦିଗପହଣ୍ଡି ପୋଲିସ୍ ଗିରଫ କରି ମଙ୍ଗଳବାର ସନ୍ଧ୍ୟାରେ କୋର୍ଟଚାଲାଣ କରିଛି। କୋର୍ଟରେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ୍ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ରାଜନଗର ସାହିର ଅରୁଣ ସେଠୀ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଅରୁଣ ଦିଗପହଣ୍ଡି କୋର୍ଟରେ ନିୟମିତ ହାଜର ହେଉ ନ ଥିଲେ। ଏହାକୁ ଦୃଷ୍ଟିରେ ରଖି ମାଜିଷ୍ଟ୍ରେଟ୍ କେସ୍ ନଂ. ଜି.ଆର୍. ୩୨୫/୨୫ (ଏକ ହତ୍ୟା ଉଦ୍ୟମ ମାମଲା) ଅନୁଯାୟୀ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା (NBW) ଜାରି କରିଥିଲେ।
କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ଦିଗପହଣ୍ଡି ଥାନା ଏଏସ୍ଆଇ (ASI) ମନୋଜ ସିଂ କୋର୍ଟ ୱାରେଣ୍ଟ ବଳରେ ଅରୁଣ ସେଠୀଙ୍କୁ ଗିରଫ କରିଥିଲେ। ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରେ ବିଚାରପତି ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଫଳରେ ଅରୁଣଙ୍କୁ ଦିଗପହଣ୍ଡି ସବ୍-ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି।

