ଗୁଡ଼ାରି,୨୭।୧୦(ପ୍ରମୋଦ କୁମାର ପତି) : ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଗୁଡ଼ାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC) ପରିସରରେ ଥିବା ‘ମା’ ଗୃହ’ରେ ବ୍ଲକର ବିଭିନ୍ନ ଗ୍ରାମରୁ ୨୦ ଜଣ ଗର୍ଭବତୀ ମହିଳାଙ୍କୁ ଆଣି ସୁରକ୍ଷିତ ଭାବେ ରଖାଯାଇଛି। ଏହି କ୍ରମରେ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ଗୁଡ଼ାରି ଥାନା ଅଧିକାରୀ (IIC) ବିଶ୍ୱବନ୍ଦିନୀ ବାଗ ମେଡିକାଲ ପରିସରରେ ଥିବା ‘ମା’ ଗୃହ’ ଏବଂ ଅନ୍ୟ ସ୍ୱତନ୍ତ୍ର ପ୍ରକୋଷ୍ଠଗୁଡ଼ିକୁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଥାନା ଅଧିକାରୀ ଶ୍ରୀମତୀ ବାଗ ସେଠାରେ ରହୁଥିବା ଗର୍ଭବତୀ ମହିଳା ଏବଂ ସେମାନଙ୍କ ସହ ଆସିଥିବା ପରିବାର ଲୋକଙ୍କ ସହ ନିଜେ ସିଧାସଳଖ କଥା ହୋଇଥିଲେ। ଲଗାଣ ବର୍ଷା ଓ ସାମ୍ଭାବ୍ୟ ଥଣ୍ଡାରୁ ବର୍ତ୍ତିବା ପାଇଁ ସତର୍କ ରହିବାକୁ ସେ ମହିଳାମାନଙ୍କୁ ସଚେତନ କରିଥିଲେ। ଏଥିସହ ମେଡିକାଲ ପରିସରରେ ଥିବା ୫ ଜଣ ନବଜାତ ଶିଶୁ ଓ ସେମାନଙ୍କ ମା’ଙ୍କର ସ୍ୱତନ୍ତ୍ର ଯତ୍ନ ନେବାକୁ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ। ଜରୁରୀକାଳୀନ ପରିସ୍ଥିତି କିମ୍ବା କୌଣସି ଅସୁବିଧା ହେଲେ ତୁରନ୍ତ ଯୋଗାଯୋଗ କରିବା ପାଇଁ ସେ ନିଜର ଫୋନ୍ ନମ୍ବର ମଧ୍ୟ ସମ୍ପର୍କୀୟମାନଙ୍କୁ ଯୋଗାଇ ଦେଇଛନ୍ତି।
ଏହି ଗସ୍ତ ସମୟରେ ମେଡିକାଲ ଇନ୍ଚାର୍ଜ ଡାକ୍ତର ସ୍ୱାଗତ ସ୍ୱାଇଁ ଉପସ୍ଥିତ ଥିଲେ। ଗର୍ଭବତୀ ମହିଳାମାନଙ୍କୁ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ଏବଂ ସେମାନଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ଇନ୍ଚାର୍ଜ ଡାକ୍ତର ସୂଚନା ଦେଇଛନ୍ତି।

