ନୂଆଦିଲ୍ଲୀ,୯।୯: ଚାକିରିଆ କର୍ମଚାରୀ ଏବଂ ଇଏସଆଇସି (ESIC) ହିତାଧିକାରୀଙ୍କ ପାଇଁ ଏକ ଅତ୍ୟନ୍ତ ଜରୁରୀ ସୂଚନା ଆସିଛି। ଏବେ ସମସ୍ତ ଇଏସଆଇସି କାର୍ଡଧାରୀଙ୍କ ପାଇଁ ନିଜ ପରିଚୟ ପତ୍ରକୁ ଆଧାର ସହିତ ଲିଙ୍କ ଓ ଅଥେଣ୍ଟିକେଟ କରିବା ବାଧ୍ୟତାମୂଳକ କରାଯାଇଛି। ଏପରି ନ କଲେ ଭବିଷ୍ୟତରେ ସ୍ୱାସ୍ଥ୍ୟ ସୁବିଧା ଏବଂ ଅନ୍ୟାନ୍ୟ ଇଏସଆଇସି ସୁବିଧା ପାଇବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଖୁସିର କଥା ହେଉଛି, ଏଥିପାଇଁ ଆପଣଙ୍କୁ କୌଣସି ଅଫିସ ଦୌଡ଼ିବାକୁ ପଡ଼ିବ ନାହିଁ। ଆପଣ ଘରେ ବସି ନିଜ ମୋବାଇଲ କିମ୍ୱା କମ୍ପ୍ୟୁଟର ସାହାଯ୍ୟରେ କିଛି ମିନିଟ ମଧ୍ୟରେ ଏହି କାମ ସମ୍ପୂର୍ଣ୍ଣ କରିପାରିବେ।
ସାମାଜିକ ସୁରକ୍ଷା ସଂହିତା ୨୦୨୦ ର ଧାରା ୧୪୨ ଅଧୀନରେ ଇଏସଆଇସି ହିତାଧିକାରୀଙ୍କ ପାଇଁ ଆଧାର ଅଥେଣ୍ଟିକେସନ ଏବେ ବାଧ୍ୟତାମୂଳକ। ଆପଣଙ୍କ ଇଏସଆଇସି ପରିଚୟ କାର୍ଡ ସହିତ ଆଧାର କାର୍ଡ ସିଡିଂ କରନ୍ତୁ ଏବଂ ନିରବଚ୍ଛିନ୍ନ ଭାବରେ ଇଏସଆଇସି ସୁବିଧା ପାଆନ୍ତୁ।
ଅନଲାଇନ ଆଧାର ଲିଙ୍କ କରିବାର ସହଜ ଉପାୟ:
ପୋର୍ଟାଲକୁ ଯାଇ ଲଗଇନ କରନ୍ତୁ: ପ୍ରଥମେ ଇଏସଆଇସି (ESIC) ର ଅଫିସିଆଲ ପୋର୍ଟାଲକୁ ଯାଆନ୍ତୁ। ସେଠାରେ ‘Insured Person (IP)’ ସେକ୍ସନରେ ନିଜ ୟୁଜର୍ ଆଇଡି ଏବଂ ପାସୱାର୍ଡ ଦେଇ ଲଗଇନ କରନ୍ତୁ।
ଆଧାର ସିଡିଂ ବିକଳ୍ପ ଚୟନ କରନ୍ତୁ: ଲଗଇନ କରିବା ପରେ ସ୍କ୍ରିନ ଉପରେ Aadhaar Seeding for IP ବିକଳ୍ପ ଦେଖାଯିବ। ଏହା ଉପରେ କ୍ଲିକ କରନ୍ତୁ।
ହିତାଧିକାରୀ ବାଛନ୍ତୁ: ଆପଣଙ୍କ ସମ୍ମୁଖରେ ହିତାଧିକାରୀଙ୍କ ତାଲିକା ଖୋଲିବ। ଏଥିରେ ନିଜ ନାମ ଦେଖନ୍ତୁ ଏବଂ ତାହା ସାମ୍ନାରେ ଥିବା Click Here to Seed Aadhaar ବିକଳ୍ପ ଉପରେ କ୍ଲିକ କରନ୍ତୁ।
ଏହା ପରେ ର୍ନିଦ୍ଦିଷ୍ଟ ସ୍ଥାନରେ ନିଜର ଆଧାର ନମ୍ୱର ସତର୍କତାର ସହ ଦାଖଲ କରନ୍ତୁ ଏବଂ ଅଥେଣ୍ଟିକେସନ ପ୍ରକ୍ରିୟାକୁ ଆଗକୁ ବଢ଼ାନ୍ତୁ।
ଆପଣଙ୍କ ଆଧାର ସହିତ ସଂଯୋଗ ଥିବା ପଞ୍ଜୀକୃତ ମୋବାଇଲ ନମ୍ୱରକୁ ଏକ ୱାନ-ଟାଇମ ପାସୱାର୍ଡ (OTP) ପଠାଯିବ। ଏହି ଓଟିପି କୁ ପୋର୍ଟାଲ୍ରେ ଦାଖଲ କରି ସବମିଟ କରନ୍ତୁ।
ଓଟିପି ସବମିଟ ହେବା ମାତ୍ରେ ଆପଣଙ୍କ ଅଥେଣ୍ଟିକେସନ ସମ୍ପୂର୍ଣ୍ଣ ହୋଇଯିବ ଏବଂ ଇଏସଆଇସି କାର୍ଡ ସହିତ ଆଧାର ସଫଳତାର ସହ ଲିଙ୍କ ହୋଇଯିବ। ଠିକ ସମୟରେ ଏହି ପ୍ରକ୍ରିୟା ସାରି ନିଅନ୍ତୁ, ଯାହା ଦ୍ୱାରା ଯେକୌଣସି ଜରୁରୀ ପରିସ୍ଥିତିରେ ବିନା ବାଧାରେ ମାଗଣା ଚିକିତ୍ସା ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ମିଳିପାରିବ।
ଇଏସଆଇ କାର୍ଡ କ’ଣ ଏବଂ ଏହାର ଫାଇଦା?
ଇଏସଆଇ କାର୍ଡ ହେଉଛି କର୍ମଚାରୀ ରାଜ୍ୟ ବୀମା ନିଗମ (ESIC) ଦ୍ୱାରା ପ୍ରଦାନ କରାଯାଉଥିବା ଏକ ପରିଚୟ ପତ୍ର। ଆପଣ ଇଏସଆଇ ଯୋଜନା ଅଧୀନରେ ପଞ୍ଜୀକୃତ ହୋଇଛନ୍ତି ବୋଲି ଏହା ପ୍ରମାଣ କରେ। ଏହାଦ୍ୱାରା ଆପଣଙ୍କର ଏବଂ ଆପଣଙ୍କ ପରିବାରର ଇଏସଆଇସି ଡାକ୍ତରଖାନା ତଥା ଡିସପେନ୍ସାରୀରେ ଓପିଡି (OPD) ଏବଂ ଭର୍ତ୍ତି ହେବା ସମୟରେ ସମସ୍ତ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ହୋଇଥାଏ। ଡାକ୍ତରଙ୍କ ପରାମର୍ଶ କ୍ରମେ ମିଳୁଥିବା ସମସ୍ତ ଔଷଧ, ଏକ୍ସ-ରେ, ରକ୍ତ ପରୀକ୍ଷା ଏବଂ ଅଲଟ୍ରାସାଉଣ୍ଡ ସମ୍ପୂର୍ଣ୍ଣ ମାଗଣା ଅଟେ। କର୍ମଚାରୀଙ୍କ ସହିତ ତାଙ୍କ ପତ୍ନୀ, ପତି, ସନ୍ତାନ ଏବଂ ଆଶ୍ରିତ ପିତାମାତାଙ୍କ ଚିକିତ୍ସା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଗୁରୁତର ରୋଗ କିମ୍ୱା ବେଡ ରେଷ୍ଟ ମିଳିଲେ ଚିକିତ୍ସା ସମୟରେ କିଛି ମାସ ପର୍ଯ୍ୟନ୍ତ ଦରମାର ୭୦% ପର୍ଯ୍ୟନ୍ତ ଅଂଶ ପ୍ରଦାନ କରାଯାଏ। ଗର୍ଭବତୀ ମହିଳା କର୍ମଚାରୀଙ୍କୁ ପ୍ରସବ ସମୟରେ ୬ ମାସ ପର୍ଯ୍ୟନ୍ତ ପ୍ରାୟ ସମ୍ପୂର୍ଣ୍ଣ ଦରମା ଦିଆଯାଇଥାଏ। ଡ୍ୟୁଟି ସମୟରେ ଆଘାତ ଲାଗିଲେ କିମ୍ୱା ଅକ୍ଷମତା ଆସିଲେ ହାରାହାରି ଦରମାର ୯୦% ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିଥାଏ।

