ପରିଚୟ ସଙ୍କଟ

ଚିତ୍ର ଚରିତ୍ର

ଅଧ୍ୟାପକ ନିରଞ୍ଜନ ପାଢ଼ୀ

ଆଧୁନିକତାର ଉଗ୍ର ଆବାହନ ମଧ୍ୟରେ ମଣିଷର ଶିକ୍ଷାଦୀକ୍ଷା ଯେମିତି ଏକ ପରିବର୍ତ୍ତିତ ରୂପ ନେଇ ତା’ ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରୁଛି, ସେମିତି ବି ସମପରିମାଣରେ ସୃଷ୍ଟି କରିଛି ପରିଚୟ ସଙ୍କଟ। ଆଧୁନିକ ଜୀବନ ଠୁଁ ଯୋଜନ ଯୋଜନ ଦୂରତ୍ୱରେ ଥିବା ଗାଁର ଅଶିକ୍ଷିତ ବା ଅଳ୍ପଶିକ୍ଷିତ ଚାଷୀଟିକୁ ତା’ର ପରିଚୟ ପଚାରିଲେ, ସେ ତା’ର ନାଁ, ବାପାଙ୍କ ନାଁ ବା ଅତି ବେଶିରେ ତା’ ମୁଲକର ନାଁ କହି ନିଜକୁ ପରିଚିତ କରାଇବ। ସହରର ବ୍ୟବସାୟୀଙ୍କୁ ତାଙ୍କ ପରିଚୟ ପଚାରିଲେ ସେ ନିଜ ବ୍ୟବସାୟକୁ ନେଇ ନିଜକୁ ଚିହ୍ନାଇବାକୁ ଚେଷ୍ଟା କରିବ। ଜଣେ ବିଦ୍ୟାର୍ଥୀ ନିଜକୁ ପରିଚିତ କରାଇବ ତା’ର ବିଦ୍ୟାଳୟ ବା ସେ ଛାତ୍ର ଥିବା ଶିକ୍ଷାନୁଷ୍ଠାନର ନାଁ ନେଇ। ସେମିତି ଜଣେ ବୃତ୍ତିଜୀବୀର ପରିଚୟ ସଂଯୁକ୍ତ ଥିବ ନିଜ ବୃତ୍ତି ସହ ଏମିତି ଭାବେ ଡାକ୍ତର, ଓକିଲ, ଶିକ୍ଷକ ବା ଅନ୍ୟ କୌଣସି ସଂସ୍ଥାର କର୍ମଚାରୀର ପରିଚୟ ବହନ କରି। ତେବେ ଏହିସବୁ ବୃତ୍ତିଠାରୁ ମଣିଷକୁ ବିଚ୍ୟୁତ କରି କେବଳ ନିରୋଳା ମଣିଷଟିର ପରିଚୟ ଖୋଜିଲେ ଖୋଜୁଥିବା ଲୋକଟିକୁ ଯେମିତି ନିରାଶ ହେବାକୁ ପଡ଼ିବ, ଠିକ୍‌ ସେମିତି ନିଜକୁ ନୀଚ ମନେକରିବ ନିଜର ପରିଚୟ ଦେଉଥିବା ଲୋକଟି। ମଣିଷତ୍ୱ ଯେ ମଣିଷର ମୌଳିକ ପରିଚୟ , ଏହା କାହା ମନକୁ ବି ଆସିବ ନାହିଁ।
ପଦବୀକୁ ନିଜ ପରିଚୟର ପୁଞ୍ଜି କରି ପଦବୀଧାରୀ ସମାଜରେ ଏକ ସ୍ବତନ୍ତ୍ର ମର୍ଯ୍ୟାଦାର ଅଧିକାରୀ ହୁଅନ୍ତି। ସାଧାରଣ ବୋଲାଉଥିବା ମଣିଷଟି ପଦବ୍ରଜରେ ଅତି ସନ୍ତର୍ପଣରେ ସଂସାରର ରାଜଦାଣ୍ଡରେ ବାଟ ଚାଲୁଥିବା ବେଳେ ପଦବୀଧାରୀ ତାଙ୍କ ପଦବୀର ଯାନରେ ପଥଚାରୀଟିକୁ ଅତିକ୍ରମି କାହିଁ କେତେ ଆଗକୁ ଚାଲିଯାନ୍ତି। ସାଧାରଣ ଲୋକେ ଭରଣା କରୁଥିବା ଟିକସରେ ପରିପୁଷ୍ଟ ପ୍ରତ୍ୟେକ ପଦବୀ ନିଜ ନିଜ ପରିସରରେ ଅନନ୍ୟ। କେଉଁଠି ଔଦ୍ଧତ୍ୟ ଅହଂକାରର ସମୁଦ୍ର ଗର୍ଜନ ତ ଅନ୍ୟ କେଉଁଠି ନିଥର ନିଶ୍ଚଳ ପଥରଟି ପରି ସମ୍ପୂର୍ଣ୍ଣ ଉଦାସୀନ। ନିଜ ନିଜର ପଦବୀକୁ ନେଇ ନିଜ ଅଲକ୍ଷ୍ୟରେ ଜନମାନସରେ ସୃଷ୍ଟି ହୋଇ ଯାଇଥାଏ ନିଜର ପରିଚୟ। କେଉଁଠି ପ୍ରବଳ ପ୍ରତାପୀ ଜଣେ ଅଫିସରର ପରିଚୟ ଯେଉଁଠି ଗର୍ଭିଣୀ ଗାଈ ବାଟ ଛାଡ଼ିଦେବା ଭଳି ପ୍ରଚଣ୍ଡ ପ୍ରଭାବ ଓ ପରାକ୍ରମ। ପୁଣି ଅନ୍ୟ କେଉଁଠି ଆପଣାର ଈର୍ଷଣୀୟ ସରଳତା ଓ ଦୃଷ୍ଟାନ୍ତନୀୟ ସାଧୁତାକୁ ନେଇ ଲୋକମୁଖରେ କିମ୍ବଦନ୍ତୀ ପୁରୁଷର ପ୍ରତିଛବି ଏମିତି ଉଜ୍ଜ୍ୱଳତା ବହନ କରିଥାଏ ଯେ ପଦବୀର ଅନ୍ତରାଳରେ କେବଳ ବ୍ୟକ୍ତି ପରିଚୟଟି ଅନ୍ୟମାନଙ୍କୁ ପ୍ରଗ୍‌ଳଭ କରେ ସେହି ବ୍ୟକ୍ତିଙ୍କ ଗୁଣ କୀର୍ତ୍ତନ କରିବାରେ।
ଏ ତ ଗଲା ପଦବୀରେ ଥିଲା ବେଳେ ପଦବୀ ମଧ୍ୟରେ ଲାଳିତ ହୋଇଥିବା ଭିନ୍ନ ଭିନ୍ନ ପରିଚୟର କଥା। ମାତ୍ର ପରିଚୟର ସଙ୍କଟ ଅତ୍ୟନ୍ତ ଉତ୍କଟ ହୁଏ ପଦବୀ ଚାଲିଗଲା ପରେ। ମଞ୍ଚ ଉପରେ ଅଭିନୟ ସାରି ଗ୍ରୀନରୁମ୍‌ରେ ମୁଖମଣ୍ଡଳର ପ୍ରଲେପ ଲିଭାଇ ଘରକୁ ଫେରିଆସିଲା ପରି ପଦବୀଧାରୀ ପଦବିଚ୍ୟୁତ ହେଲା ପରେ ଫେରିଆସନ୍ତି ସାଧାରଣ ଜୀବନକୁ। ପଦବୀ ସିନା ଅବସର ନେଇ ଚାଲିଯାଇଥାଏ, ମାତ୍ର ଜୀବନର ଅବସର ସମୟ ଉପନୀତ ହୋଇ ନ ଥାଏ। ସୁତରାଂ ବାଦ୍‌ଶାହୀ ଦରବାରର କୋଳାହଳରୁ ନିର୍ବାସିତ ହୋଇ ସେ ପାଦ ଥାପନ୍ତି ନିର୍ଜନ ନିକାଞ୍ଚନ ଦ୍ୱୀପର ଶୂନଶାନ୍‌ ପରିବେଶରେ। ପଦବୀର ଝଲମଲ ପୋଷାକ ପରିଧାନ କରି ଦପ୍ତରର ସିଂହାସନ ଉପରେ ବସି ନିଜକୁ ରାଜା ବୋଲାଉଥିବା ଲୋକଟି ଆସନଚ୍ୟୁତ ହେଲା ପରେ କିଛି ଉତ୍ପୀଡ଼କ ଅନୁଭବର ସାମ୍ନା କରେ। ସେ ଦେଖେ କାଲି ଯାଏ ତାକୁ ‘ବାବୁ’ ବା ‘ସାହେବ’ କହି ସଲାମ ଠୁଙ୍କୁଥିବା ଲୋକମାନେ ଆଜି ବାଟ ଭାଙ୍ଗି ଚାଲି ଯାଉଛନ୍ତି। ତା’ ମୁହଁରୁ ବାହାରୁଥିବା ପ୍ରତିଟି ଶବ୍ଦକୁ ନିଜ ପାଇଁ ଆଶା ବା ଆଶଙ୍କା ବିଚାରୁଥିବା ଲୋକେ ଆଜି ତା’ ଆଡ଼କୁ ଅବଜ୍ଞାର ନଜର ଫିଙ୍ଗୁଛନ୍ତି। ସେ ଆହତ ହୁଏ, ତାକୁ ଲାଗେ ସେ ଯେମିତି ପୂରା ଏକା ହୋଇଯାଇଛି। ସେଇ ଏକାକୀତ୍ୱ ମଧ୍ୟରେ ସେ ଅନୁଭବ କରେ ତା’ ମୃତ ପଦବୀର କଳାଭୂତଟି ତାକୁ ଦାନ୍ତ ଦେଖାଇ ଖତେଇ ହେଉଛି। କେମିତି ଅବ୍ୟକ୍ତ ଭାବେ ସେଇ ଭୟଙ୍କର ଭୂତଟି ତାକୁ ତା’ର ଅତୀତର ପରିଚୟ ମନେପକାଇ ଦିଏ। ସେ ନିଜ ଭିତରେ ଖୁବ୍‌ ଡରିଯାଏ।
ମାତ୍ର ଅନ୍ୟ ପକ୍ଷରେ ସବୁକାଳରେ ସଦାଚାରର ଫଳ ଅନାଚାରର ଫଳଠାରୁ ସ୍ବାଦିଷ୍ଟ ହେଲା ପରି ନିଜ ବୃତ୍ତି ଭିତରେ ବ୍ୟକ୍ତିତ୍ୱକୁ ବିକଶିତ କରିଥିବା ବୃ୍‌ତ୍ତିଧାରୀ ଅବସର ପରର ଜୀବନ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ବର୍ଗର ସନ୍ଧାନ ପାଏ। ପଦବୀର ଲମ୍ବା ପରିସର ମଧ୍ୟରେ ମାନବିକତାକୁ ହଜାଇ ଦେଇ ନ ଥିବାରୁ ପଦବିଚ୍ୟୁତ ହେଲା ପରେ ମଧ୍ୟ ପଦବୀର ଭୂତ ତାକୁ ଆଉ ହନ୍ତସନ୍ତ କରିପାରେନା। ବରଂ ପଦବୀର ସଦୁପଯୋଗ କରି ନିଜ ବ୍ୟକ୍ତିତ୍ୱକୁ ପ୍ରସାରିତ କରିଥିବା ହେତୁ କର୍ମକ୍ଷେତ୍ରରୁ ଅବସର ନେଇ ସାଧାରଣ ଜୀବନକୁ ଫେରି ଆସିଲା ପରେ ତା’ ମୁଣ୍ଡ ଉପରେ ଅଜାଡ଼ି ପଡ଼େ ସମାଜର ଶ୍ରଦ୍ଧା ଓ ସଦ୍ଦିଚ୍ଛା।
ଏଇ ଅଳ୍ପଦିନ ତଳେ ଏକ ବନ୍ଧୁଙ୍କ ପୁଅ ବିବାହ ଆସରରେ ତାଙ୍କର ଜଣେ ଦୂର ସମ୍ପର୍କୀୟ ତଥା ଦୁଇବର୍ଷ ତଳୁ ଏକ ଉଚ୍ଚ ପ୍ରଶାସନିକ ପଦବୀରୁ ଅବସର ନେଇଥିବା ଜଣେ ଭଦ୍ରବ୍ୟକ୍ତିଙ୍କ ଶ୍ରୀମୁଖରୁ ଶୁଣିବାକୁ ମିଳିଥିଲା ପରିଚୟ ସଙ୍କଟର ଭିନ୍ନ ଏକ ପ୍ରତିବେଦନ। ନିଜ ହୃତ ଅତୀତର ସ୍ମୃତି ରୋମନ୍ଥନ କରି ସେ କହୁଥିଲେ, ପୁଅ ବାହାଘର କେତେ ଜାକଜମକରେ ହୁଏ, ତାହା ମୋ ପୁଅ ବାହାଘର ଦେଖିଥିବା ଲୋକେ କହିବେ। ପ୍ରସେସନରେ ଲମ୍ବା ଧାଡ଼ିରେ ପଚିଶଖଣ୍ଡ କାର୍‌ ବିବାହ ମଣ୍ଡପକୁ ଯିବା ଆମ ସହରର ଲୋକେ ଆଗରୁ କେବେ ଦେଖି ନ ଥିଲେ। ତାଙ୍କ ବଡ଼ କଥାର ବଡ଼ିମାରୁ ଜଣାପଡୁଥିଲା ସେ ଆକ୍ରାନ୍ତ ହୋଇଥିବା ଭୟଙ୍କର ପରିଚୟ ସଙ୍କଟ ଭଳି ଏକ ଗୁରୁତର ବ୍ୟାଧିର ଯନ୍ତ୍ରଣା। ନିଜ ପଦବୀର ପତିଆରା ନେଇ ପର ତେଲରେ ନିଜ ଦୀପ ଜାଳିବାର ସାମର୍ଥ୍ୟକୁ ଯେ ଏକ ଗର୍ବର କଥା କୁହାଯାଇ ପାରେ, ଏଭଳି ନିର୍ଲଜ୍ଜତା ପ୍ରକୃତରେ ଏକ ଯନ୍ତ୍ରଣା ନୁହେଁ ତ ଆଉ କ’ଣ !
ବୃତ୍ତିଜୀବୀମାନଙ୍କ ପଦବୀର ପତିଆରା ନୁହେଁ, ରାଜନେତାମାନଙ୍କ ଅତୀତ ଦିନର ସ୍ମୃତି ରୋମନ୍ଥନ ମଧ୍ୟରେ ବି ପ୍ରତିଫଳିତ ହୋଇଥାଏ ଉକତ୍ଟ ପରିଚୟ ସଙ୍କଟ। ସଭା ସମିତିରେ ବେଳ ଅବେଳରେ ତାଙ୍କ ସହ ଭେଟ ହୋଇଗଲେ ସେ ଏକ ବିଚିତ୍ର ଅଭିଯୋଗ ବାଢ଼ୁଥିଲେ ଯେ, ଆଜିକାଲି ଲୋକମାନଙ୍କର ପୂର୍ବତନ ମନ୍ତ୍ରୀମାନଙ୍କ ପାଇଁ ସମ୍ମାନ ନାହିଁ। କେବଳ ସେ ଏକା ନୁହନ୍ତି, ମୁଣ୍ଡ ଉପରୁ ମୁକୁଟ ଚାଲିଗଲା ପରେ ‘ପ୍ରାକ୍ତନ’ ‘ପୂର୍ବତନ’ ବା ‘ଭୂତପୂର୍ବ’ ଆଦି ବିଶେଷଣ ଲଗାଇ ଆମ ଦେଶର ନେତାମାନେ ଯେଉଁ ଆନନ୍ଦ ପାଆନ୍ତି ସେଭଳି ବୋଧହୁଏ ପାଆନ୍ତି ନାହିଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ତାହା ହୋଇ ନ ଥିଲେ ଏକ ସାଧାରଣ ରେଷ୍ଟୁରାଣ୍ଟରେ ମାମୁଲି ପ୍ଲାଷ୍ଟିକ ଷ୍ଟୁଲ୍‌ ଉପରେ ବସି ସର୍ବଜନ ସମ୍ମୁଖରେ ଅତି ଆନନ୍ଦରେ କଫି ପିଉ ନ ଥାନ୍ତେ ସେ । ଅଥଚ ଏଠାରେ ତ ଆମର ବହୁ ପୂର୍ବତନମାନେ ଏମିତି ପରିଚୟ ସଙ୍କଟରେ ଆକ୍ରାନ୍ତ ଥାଆନ୍ତି ଯେ ତାଙ୍କ ଠାଣି, ଚାହାଣି ଓ ଚଳଣିରେ ତାହା ଫୁଟି ଉଠି ସେମାନଙ୍କୁ ବେଶ୍‌ ଲୋକହସା କରାଇଥାଏ। ଅବଶ୍ୟ ଏମାନଙ୍କ ମଧ୍ୟରୁ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଭଳି କିଛି ବିରଳ ବ୍ୟତିକ୍ରମମାନଙ୍କ ନିର୍ଲିପ୍ତ ସରଳତା ଜନସ୍ମୃତିର ସିନ୍ଦୁକରେ ଏକ ସାଇତା ସମ୍ପଦ ହୋଇ ରହିଥିବ ଚିରକାଳ ପାଇଁ।
ବର୍ଷ ବର୍ଷ ଧରି ରଙ୍ଗମଞ୍ଚରେ ଅଭିନୟ କରି ଶେଷରେ ନାଟ୍ୟ ଜଗତରୁ ଅବସର ନିଅନ୍ତି ଦୁଇଜଣ ଅଭିନେତା । ଅଭିନୟ କାଳର ଉପଲବ୍ଧ ଉଲ୍ଲସିତ ଦର୍ଶକଙ୍କ ତାଳିମାଡ଼କୁ ସ୍ମୃତିରେ ସାଇତି ରଖି ବାକି ଜୀବନ ବଞ୍ଚୁଥିବା ବେଳେ ଅଚାନକ ସେ ଦୁହିଁଙ୍କର ଭେଟ ହୁଏ କେଇଜଣ ନାଟ୍ୟପ୍ରେମୀ ମୁଗ୍ଧ ଦର୍ଶକଙ୍କ ସହ । ଦୁହଁିଙ୍କ ମଧ୍ୟରୁ ଜଣଙ୍କ ଉପରେ ଅଜାଡ଼ି ପଡ଼େ ଦୁନିଆଯାକର ପ୍ରଶଂସା। ନିଜର ଯାଦୁକରୀ ଅଭିନୟ ଦ୍ୱାରା ସେ କେମିତି ହଜାର ହଜାର ଦର୍ଶକଙ୍କୁ ହସାଇ କନ୍ଦାଇ ସମ୍ମୋହିତ କରିଥିଲେ, ତାଙ୍କରି ଆଗରେ ସେହି ସ୍ମୃତିଚାରଣ ହୁଏ। ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି କୃତଜ୍ଞ ଦର୍ଶକମାନେ ଫେରିଗଲା ପରେ ଆବେଗର ଅଶ୍ଳେଷରେ ସେଇ ସଫଳ ଅଭିନେତାଙ୍କ ଆଖିରୁ ଆନନ୍ଦର ଅଶ୍ରୁ ଦୁଇଟୋପା ନିଗିଡି ପଡ଼େ। ଜୀବନଟା ସାର୍ଥକ ଓ ସମ୍ପୂର୍ଣ୍ଣ ମନେ ହୁଏ।
ତାଙ୍କ ସତୀର୍ଥ ଅନ୍ୟ ଅଭିନେତାଙ୍କ ପ୍ରତି ସମ୍ପୂର୍ଣ୍ଣ ନିଃସ୍ପୃହ ଥିଲେ ସେଇ ନାଟ୍ୟପ୍ରେମୀ ଯୁବକଗଣ। ତାଙ୍କ ଅତୀତର ଅଭିନୟ ପାଇଁ ସାବାସି ନ ଥିଲା କି ନିଜ ନିଜର ମୁଗ୍ଧ ଅନୁଭବ ସପକ୍ଷରେ କିଛି ମନ୍ତବ୍ୟ ନ ଥିଲା। ଦ୍ୱିତୀୟ ଅଭିନେତା ଈର୍ଷାରେ ଜଳି ଉଠିଲେ। ସେ ନିଜ ମୁହଁରେ ନିଜେ ବଖାଣି ବସିଲେ ତାଙ୍କ ଅତୀତ ଅଭିନୟର ପରାକାଷ୍ଠା। ନିଜର କୃତି ଓ କୃତିତ୍ୱକୁ ଯେତେବେଳେ ଅନ୍ୟମାନେ ଆଡ ଆଖିରେ ଚାହାନ୍ତି ନାହିଁ, ସେତେବେଳେ ଏମିତି ନିଜ ଢୋଲ ନିଜେ ପିଟିବାରେ ହିଁ ଆନନ୍ଦ ପାଇଥାଏ ମଣିଷ। ତା’ କଥା ଅନ୍ୟ କେହି ନ କହିଲେ ନିଜ ମୁହଁରେ ନିଜ କଥା କହି ସେ ନିଜର ଗୁରୁତ୍ୱ ଜାହିର କରେ। ଅନ୍ୟ କାନମାନଙ୍କ ପାଇଁ ତାହା ଯେତେ ଶ୍ରୁତିକଟୁ ବୋଧ ହେଲେ ବି ନିଜ କାନ ଯୋଡିକ ପାଇଁ ଏହା ଯେମିତି ପାଲଟିଯାଏ ଶୁ୍ରତିମଧୁର ସଙ୍ଗୀତ। ମାତ୍ର ତା’ର ପ୍ରତିପକ୍ଷ ସେଇ ସାର୍ଥକ ଅଭିନେତା! ଯାହାଙ୍କ କଥା ଅନ୍ୟମାନେ କହନ୍ତି, ଜନଜଗତ ଶୁଣନ୍ତି ଓ ବିମୋହିତ ହୁଅନ୍ତି ଅନିର୍ବଚନୀୟ ମୁଗ୍ଧ ଅନୁଭବରେ। ଅଭିନେତାର ଅଭିନୟ ପରି ପଦବୀଧାରୀଙ୍କ ପଦବୀ। ସେ ମନ୍ତ୍ରୀ ହୁଅନ୍ତୁ କି ହାକିମ, ଡାକ୍ତର ହୁଅନ୍ତୁ କି ଶିକ୍ଷକ, ପଦବୀଟି ଆଜିକୁ ଅଛି, କାଲିକି ନାହିଁ। ଅତଏବ ଯାହା ଭୋଗ କରିବାର ଅବଧି ଅତ୍ୟନ୍ତ ସୀମିତ, ତାହାକୁ ନେଇ ଗର୍ବରେ ଫାଟି ପଡିବା ପରିବର୍ତ୍ତେ ତାହାର ଅର୍ଥପୂର୍ଣ୍ଣ ବିନିଯୋଗ କରି କାହାର କିଛି କାମରେ ଆସିଲେ ତାହା ହୁଅନ୍ତା ଲୋକଙ୍କ ହୃଦୟରେ ବସା ବାନ୍ଧିବାର ଏକ ପ୍ରାଥମିକ ପୁଞ୍ଜି। ପଦବୀରୁ ଅବସର ନେଇ ସଂସାରରୁ ଅବସର ନେଲା ପର୍ଯ୍ୟନ୍ତ ଏହି ପୁଞ୍ଜି ଏତେ ବଢ଼ି ଯାଇଥାନ୍ତା ଯେ, ଯେତେ ଖର୍ଚ୍ଚ କଲେ ବି ତାହା ଆଦୌ ସରି ଯାଉ ନ ଥାନ୍ତା। ସଂସାର ଛାଡ଼ିଲା ପରେ ବି ଜନମାନସରେ ଏହା ପ୍ରତିଧ୍ୱନିତ ହୁଅନ୍ତା ବାରମ୍ବାର, ଠିକ୍‌ ନବକୃଷ୍ଣ ଚୌଧୁରୀ ଓ ଅବଦୁଲ କଲାମଙ୍କ ଜୟଗାନ ପରି।
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିଆଣି,ଭୁବନେଶ୍ୱର, ମୋ:୯୭୭୬୭୭୭୧୫୦


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?