ମାନବ ଅଧିକାର ଓ ବ୍ୟବସ୍ଥା

ସନ୍ଦୀପ କୁମାର ପଟ୍ଟନାୟକ

ଆଜି ବିଶ୍ୱ ମାନବ ଅଧିକାର ଦିବସ। ମିଳିତ ଜାତିସଂଘ ପକ୍ଷରୁ ୧୯୫୦ରୁ ପ୍ରତିବର୍ଷ ଡିସେମ୍ବର ୧୦ରେ ଆନ୍ତର୍ଜାତିକ ମାନବ ଅଧିକାର ଦିବସ ପାଳନ କରାଯାଉଛି। ୧୯୪୮ ଡିସେମ୍ବର ମାସର ଆଜିର ଦିନରେ ଜାତିସଂଘ ସାଧାରଣ ପରିଷଦ ସାର୍ବଜନୀନ ମାନବ ଅଧିକାର ଘୋଷଣାନାମା ପତ୍ରକୁ ଅନୁମୋଦନ କରିଥିଲା। ସେହି ସ୍ମୃତିରେ ପ୍ରତିବର୍ଷ ମାନବ ଅଧିକାର ପ୍ରତି ବିଶ୍ୱର ଧ୍ୟାନ ଆକର୍ଷଣ କରିବା ଉଦ୍ଦେଶ୍ୟରେ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଏ।
ଚଳିତ ବର୍ଷର ମାନବ ଅଧିକାର ଦିବସର ବିଷୟବସ୍ତୁ କୋଭିଡ୍‌-୧୯ ମହାମାରୀର ସମସ୍ୟା ସହିତ ଜଡ଼ିତ। ଏହି ମହାମାରୀରେ ଉପୁଜିଥିବା ବିଶ୍ୱସ୍ତରୀୟ ସଙ୍କଟକୁ ଆଧାର କରି ଆଗାମୀ ଦିନରେ କିପରି ପୁନରୁଦ୍ଧାର କରାଯାଇପାରିବ ଓ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରାଯିବ ତା’ ଉପରେ ଗୁରୁତ୍ୱ ଦିଆଯିବ। ଏଥିପାଇଁ ବିଶ୍ୱ ସ୍ତରରେ ସମନ୍ବୟ, ସହଯୋଗ ଏବଂ ଭାଇଚାରାର ଆବଶ୍ୟକତା ରହିଛି। ମିଳିତ ଜାତିସଂଘର ଡାକରା ହେଉଛି ‘ମାନବ ଅଧିକାର ପାଇଁ ଛିଡ଼ା ହେବା’ ।
ସମ୍ପ୍ରତି ବିଶ୍ୱର ବିଭିନ୍ନ ସ୍ଥାନରେ ମାନବାଧିକାରର ଖୋଲା ଉଲ୍ଲଂଘନ ହେଉଛି। କୋଟି କୋଟି ଶିଶୁ ଅବହେଳାର ଶିକାର ହେଉଛନ୍ତି। ମହିଳା ଓ ମାନବ ଚାଲାଣକାରୀଙ୍କ ନିର୍ଯାତନା ବଢ଼ି ବଢ଼ିି ଚାଲିଛି। ମାନବ ଜାତି ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ, ସାମାଜିକ ଓ ଅର୍ଥନୈତିକ ଅସମାନତା ଆଦି ଅନେକ ଆହ୍ବାନର ସମ୍ମୁଖୀନ ହେଉଛି। ତେଣୁ ଏନେଇ ସଚେତନତା ସୃଷ୍ଟି କରିବା ଆଜିର ଦିବସର ମୂଳ ଉଦ୍ଦେଶ୍ୟ। ଯଦି ଭାରତରେ ମାନବ ଅଧିକାର ବିଷୟରେ ଆଲୋଚନା କରାଯାଏ, ତେବେ ପ୍ରାୟତଃ ଦେଖାଯାଉଛି ଯେ ଆଜି ମଧ୍ୟ ଦଳିତ, ଆଦିବାସୀ, ମହିଳା, ସଂଖ୍ୟାଲଘୁ, ଭିନକ୍ଷମ, ତୃତୀୟଲିଙ୍ଗୀ ଇତ୍ୟାଦି ସେମାନଙ୍କର ମାନବ ଅଧିକାରକୁ ସୁରକ୍ଷିତ କରି ସମ୍ମାନର ସହିତ ବଞ୍ଚିବାରେ ସକ୍ଷମ ନୁହନ୍ତି।
ଆମ ସମାଜରେ ସାଧାରଣ ଲୋକମାନଙ୍କ ପାଖରେ ମାନବାଧିକାର ସମ୍ପର୍କରେ ସଚେତନତା ବିଶେଷ ଭାବେ ଦେଖାଯାଏ ନାହିଁ। ଏହାର ଏକ ପ୍ରତ୍ୟକ୍ଷ ଉଦାହରଣ ହେଉଛି ଆମ ଦେଶରେ ଥିବା ମହିଳାମାନଙ୍କ ଉପରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଯେପରିକି ଘରୋଇ ହିଂସା, ଶାରୀରିକ ଅତ୍ୟାଚାର ଏବଂ ମାନସିକ ଉତ୍ପୀଡ଼ନ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ଅନୁଯାୟୀ, ଭାରତରେ ପ୍ରତିଦିନ ହାରାହାରି ୮୮ ଜଣ ମହିଳାଙ୍କୁ ବଳାତ୍କାର କରାଯାଏ । ୨୦୧୯ରେ ବଳାତ୍କାରର ୩୨,୦୦୦ରୁ ଅଧିକ ଘଟଣା ହୋଇଥିଲା ଏବଂ ପୀଡ଼ିତମାନଙ୍କ ମଧ୍ୟରୁ ୧୫%ରୁ ଅଧିକ ଝିଅଙ୍କ ବୟସ ୧୮ ବର୍ଷରୁ କମ୍‌ ଥିଲା । ଆଦିବାସୀ ଏବଂ ଜଙ୍ଗଲବାସୀମାନଙ୍କର ପେସା ଆଇନ ଓ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ସେମାନଙ୍କର ଜଙ୍ଗଲ ଜମି ଓ ପାରମ୍ପରିକ ଅଧିକାରକୁ ସମ୍ପୂର୍ଣ୍ଣ ସ୍ବୀକୃତି ଦିଆଯାଇନାହିଁ। ତୃତୀୟଲିଙ୍ଗୀମାନେ ସମାଜରେ ବର୍ଜିତ ଓ ପରିହାସର ପାତ୍ର ହୋଇ ରହିଛନ୍ତି। ସେହିପରି ଭାରତ ସମ୍ବିଧାନର ଧାରା ୧୭ରେ ଛୁଆଁ ଅଛୁଆଁ ଭେଦଭାବକୁ ଦୂର କରିବା ଏକ ମୌଳିକ ଅଧିକାର ଭାବରେ ଗୃହୀତ ଏବଂ ଏହାକୁ ଦଣ୍ଡଯୋଗ୍ୟ ଅପରାଧ ଭାବେ ବିବେଚନା କରାଯାଇଛି, କିନ୍ତୁ ଆଜି ୭୦ ବର୍ଷ ପରେ ମଧ୍ୟ ଦଳିତମାନେ ଜାତି ବ୍ୟବସ୍ଥାରେ ଘୃଣ୍ୟ ଶିକାର ହେଉଛନ୍ତି।
ମାନବ ଅଧିକାର ଉଲ୍ଲଂଘନ ଦୃଷ୍ଟିରୁ ପୋଲିସ ହେପାଜତରେ ଅତ୍ୟାଚାର ବ୍ୟାପକ ଭାବେ ପ୍ରତିଫଳିତ ହୁଏ । ଆମ ରାଜ୍ୟରେ ବୀରମିତ୍ରପୁର ଓ ପୁରୀ ହାଜତ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହାକୁ ଗୁରୁତର ସହ ବିଚାର କରିବା କଥା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ସଂସଦରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ୨୦୧୯-୨୦୨୦ରେ ଭାରତରେ ହାଜତରେ ପ୍ରାୟ ପାଞ୍ଚ ଜଣ ବ୍ୟକ୍ତି ପ୍ରତିଦିନ ମୃତ୍ୟୁବରଣ କରିଥିଲେ । ଏପ୍ରିଲ ୧, ୨୦୧୯ରୁ ମାର୍ଚ୍ଚ ୩୧, ୨୦୨୦ ମଧ୍ୟରେ ପୋଲିସ ହେପାଜତ କିମ୍ବା ଜେଲରେ ହତ୍ୟା କରାଯାଇଥିବା ଲୋକଙ୍କ ମୋଟ ସଂଖ୍ୟା ୧,୬୯୭ ଥିଲା। ଏହା ମଧ୍ୟରୁ ୧,୫୮୪ ଜଣ ନ୍ୟାୟିକ ହେପାଜତରେ ଏବଂ ୧୧୩ ଜଣ ପୋଲିସ ହେପାଜତରେ ମୃତ୍ୟୁବରଣ କରିଥିଲେ। ଏହି ତଥ୍ୟର ବିଶ୍ୱସନୀୟତା ଉପରେ ମଧ୍ୟ ପ୍ରଶ୍ନ ଆସିଛି । ବରିଷ୍ଠ ଓକିଲ ଏବଂ ମାନବ ଅଧିକାର କର୍ମୀ କଲିନ୍‌ ଗୋନସାଲ୍‌ଭେସ୍‌ଙ୍କ ମତରେ ‘ଏହି ହାଜତ ମୃତ୍ୟୁ ପ୍ରକୃତ ମୃତ୍ୟୁର ଏକ ତୃତୀୟାଂଶ। ସେମାନେ (ପୋଲିସ) ଯାହା କରନ୍ତି ତାହା ହେଉଛି ଯେ, ଯେତେବେଳେ ଜଣେ ବ୍ୟକ୍ତି ମରିଯାଏ, ସେମାନେ ତାଙ୍କୁ ଡାକ୍ତରଖାନାକୁ ନେଇଯାଆନ୍ତି ଏବଂ ତା’ପରେ କାଗଜରେ ଦେଖାନ୍ତି ଯେ ସେ ଡାକ୍ତରଖାନା ଭିତରେ ମୃତ୍ୟୁବରଣ କଲେ। ସେମାନେ ରିପୋର୍ଟରେ ‘ଡାକ୍ତରଖାନାରେ ମୃତ୍ୟୁ’ ବୋଲି ଲେଖନ୍ତି । ଆଜି ମଧ୍ୟ ପୋଲିସ ଉତ୍ତରଦାୟିତ୍ୱର ସମସ୍ୟାକୁ ନେଇ ଗମ୍ଭୀର ପ୍ରଶ୍ନ ରହିଛି।
ସରକାରୀ ତଥ୍ୟରୁ ଜଣାପଡ଼େ ଯେ ସାରା ଦେଶରେ ମୋଟ ୧୩୫୦ଟି କାରାଗାର ଅଛି, ଯେଉଁଥିରେ ୪,୦୩,୭୩୯ଟି ବନ୍ଦୀଙ୍କୁ ରଖିବାର କ୍ଷମତା ରହିଛି। କିନ୍ତୁ ପ୍ରାୟ ସମସ୍ତ ଜେଲରେ ରଖିବା କ୍ଷମତାଠାରୁ ଅଧିକ ବନ୍ଦୀ ଥିବାରୁ ଭିଡ଼ ହୋଇଛି। ୨୦୧୮ ରିପୋର୍ଟ ଅନୁଯାୟୀ ସମସ୍ତ କାରାଗାରରେ ୪,୭୮,୦୦୦ ଜଣ ବନ୍ଦୀ ଅଛନ୍ତି।
ଏନ୍‌ସିଆର୍‌ବି ଏହାର ବାର୍ଷିକ ଜେଲ ପରିସଂଖ୍ୟାନ ଇଣ୍ଡିଆ ରିପୋର୍ଟ -୨୦୧୯ରେ ଦର୍ଶେଇଛି ଯେ, ଓଡ଼ିଶାର ସବ୍‌ଜେଲରେ ସର୍ବାଧିକ ଅନ୍ତେବାସୀ ରହିଛନ୍ତି। କିଶୋର ନ୍ୟାୟ (ଶିଶୁର ଯତ୍ନ ଏବଂ ସୁରକ୍ଷା) ଆଇନର ଠିକ୍‌ କାର୍ଯ୍ୟାନ୍ବୟନ ନ ହେବାରୁ ପିଲାମାନଙ୍କୁ ପ୍ରାୟତଃ ଥାନା ଏବଂ କାରାଗାରରେ ବେଆଇନ ଭାବେ ଗିରଫ କରାଯାଇ ଅତ୍ୟାଚାର କରାଯାଏ।
ଏକ ସ୍ବାଧୀନ ଓ ଗଣତାନ୍ତ୍ରିକ ରାଷ୍ଟ୍ରରେ ଭାରତ ଭଳି ଦେଶରେ ପ୍ରକୃତପକ୍ଷେ ଜନସାଧାରଣ ସାମାଜିକ, ଅର୍ଥନୈତିକ ଓ ଅତ୍ୟାଚାରରୁ ମୁକ୍ତ ବୋଲି କେହି କହିପାରିବେ ନାହିଁ! ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ସାମ୍ୟବାଦୀ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଇ. ଏମ୍‌. ଏସ୍‌. ନମୁଦ୍ରିପଦ ପୋଲିସ ସମ୍ବନ୍ଧରେ ଦେଇଥିବା ମନ୍ତବ୍ୟ ପ୍ରଣିଧାନଯୋଗ୍ୟ।
ତାଙ୍କ କହିବା ଅନୁଯାୟୀ ଥାନାରେ ଯେଉଁଦିନ ଅଭିଯୋଗ କରିବାକୁ ଯାଇଥିବା ଜଣେ ସାଧାରଣ ଜନତାକୁ ସେଠାକାର ପୋଲିସ ଅଧିକାରୀ ଏକ ଚଉକି ଦେଇ ବସିବା ପାଇଁ ଅନୁରୋଧ କରିବେ, ସେହି ଦିନ ହିଁ ପ୍ରକୃତପକ୍ଷେ ଗଣତନ୍ତ୍ର ଓ ସ୍ବାଧୀନତା ମିଳିଛି ବୋଲି ହୃଦବୋଧ ହେବ। ଯାହା ଦେଖାଯାଉଛି,ଆମ ଦେଶରେ ପୋଲିସର ସାଧାରଣ ଜନତାଙ୍କ ପ୍ରତି ଦୃଷ୍ଟିଭଙ୍ଗୀରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ ।
ପୋଲିସ ଅତ୍ୟାଚାରରେ ଅଧିକ କ୍ଷତିଗ୍ରସ୍ତ ହେଉଥିବା ଲୋକମାନେ ହେଉଛନ୍ତି ସାମାଜିକ ଓ ଅର୍ଥନୈତିକ ସ୍ତରରେ ଦୁର୍ବଳ ଥିବା ଜନତା।
ମାନବ ଅଧିକାର ସୁରକ୍ଷା ଆଇନ ଅଧୀନରେ ଜାତୀୟ ମାନବ ଅଧିକାର ଆୟୋଗ ପ୍ରତିଷ୍ଠା କରାଯାଇଥିଲା । ଆୟୋଗ ଏ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ନିଜସ୍ବ ମତ ସହିତ କିଛି ସାହସିକ ପଦକ୍ଷେପ ନେଇଛନ୍ତି ! କିନ୍ତୁ ତାହା ପୀଡ଼ିତମାନଙ୍କୁ ନ୍ୟାୟ ଦେବା ପାଇଁ ଆୟୋଗର ପ୍ରୟାସ ପର୍ଯ୍ୟାପ୍ତ ନୁହେଁ । ମାନବ ଅଧିକାର ସୁରକ୍ଷା ଆଇନ, ୧୯୯୩ ଅନୁଯାୟୀ ରାଜ୍ୟ ସରକାରମାନେ ତ୍ୱରିତ ବିଚାର ପାଇଁ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନାୟାଧିଶଙ୍କ ସମ୍ମତି ଆଧାରରେ ବିଜ୍ଞପ୍ତି ଜାରିକରି ରାଜ୍ୟର ପ୍ରତ୍ୟେକ ଜିଲାରେ ମାନବାଧିକାର ନ୍ୟାୟାଳୟ ପ୍ରତିଷ୍ଠା କରିବାର ଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ଏଭଳି ନ୍ୟାୟାଳୟରେ ସ୍ବତନ୍ତ୍ର ସରକାରୀ ଓକିଲ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା ହୋଇପାରିନାହିଁ। ମାନବ ଅଧିକାର କେବଳ ଏକ ସ୍ଲୋଗାନରେ ସୀମିତ ହେବା ଉଚିତ ନୁହେଁ, ଏହା ମଣିଷର ଏକ ସଂସ୍କାର ହେବା ଆବଶ୍ୟକ। ଲୋକନୀତିର ଏହା ଆଧାରଶିଳା ହେବା ବାଞ୍ଛନୀୟ ।
ଭୁବନେଶ୍ୱର, ମୋ-୦୯୯୩୮୦୬୩୨୭୫, ଇମେଲ: sandeepkumar.pattnaik@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri