ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା ପୂର୍ବାହ୍ନରେ ନିଜ ଘରେ ରୋଷେଇ କରୁଥିବା ସମୟରେ ହଠାତ୍ ରନ୍ଧନ ଗ୍ୟାସ ଲିକ ହୋଇ ନିଆଁ ଲାଗି ଯାଇଥିଲା। ନିଆଁର ପ୍ରକୋପ ହଠାତ୍ ବଢ଼ିଯିବାରୁ ସେ ଭୟଭୀତ ହୋଇ ତତକ୍ଷଣାତ୍ ଘରୁ ବାହାରକୁ ଚାଲିଆସିଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଜୁନାଗଡ଼ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି କ୍ରମାଗତ ପ୍ରୟାସ କରି ନିଆଁକୁ ଆୟତ୍ତ କରିବା ସହ ଜଳୁଥିବା ଗ୍ୟାସ ସିଲିଣ୍ଡରକୁ ବାହାରକୁ ଆଣି ନିଆଁ ଲିଭାଇବାରେ ସଫଳ ହୋଇଥିଲେ।
ତେବେ ଏହି ଦୁର୍ଘଟଣାରେ ନିଆଁ ଲାଗି ମହିଳାଙ୍କ ଘରର ଛାତ ପୋଡ଼ିଯିବା ସହିତ ଘରେ ଥିବା ସମସ୍ତ ଆସବାବପତ୍ର, ୫ ହଜାର ନଗଦ ଟଙ୍କା, ପିନ୍ଧା କପଡ଼ା ଏବଂ ମୂଲ୍ୟବାନ କାଗଜପତ୍ର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି।
ସୂଚନାଯୋଗ୍ୟ ଯେ, ହୀରାଙ୍କ ସ୍ୱାମୀଙ୍କର ପୂର୍ବରୁ ମୃତ୍ୟୁ ହୋଇସାରିଥିବା ବେଳେ ସେ ଘରେ ଏକାକୀ ରହୁଥିଲେ। ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯାଚିବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି।

