Posted inଜାତୀୟ

ନଭଲଖାଙ୍କୁ ଗୃହବନ୍ଦୀ ଭୁଲ୍‌ ପରମ୍ପରା

ନୂଆଦିଲ୍ଲୀ,୩।୯(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଏଲ୍‌ଗାର ପରିଷଦ-ମାଓବାଦୀ ସମ୍ପର୍କ ମାମଲାରେ ୨୦୨୦ ଏପ୍ରିଲରେ ଗିରଫ ହୋଇ ଜେଲରେ ଥିବା ମାନବାଧିକାର କର୍ମୀ ଗୌତମ ନଭଲଖାଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ମୁମ୍ବାଇର ଏକ ଲାଇବ୍ରେରିସ୍ଥିତ ରୁମ୍‌ରେ ରହିବାକୁ ଅନୁମତି ଦିଆଯାଇଥିଲା। ନଭଲଖା ନିଜ ଗୃହବନ୍ଦୀ ସ୍ଥାନ ନଭି ମୁମ୍ବାଇକୁ ପରିବର୍ତ୍ତନ କରିବା ପାଇଁ ନିକଟରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜଷ୍ଟିସ୍‌ ଏମ୍‌.ଏମ୍‌. ସୁନ୍ଦରେଶ ଏବଂ ଜେ.ବି. ପାରଦିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ତାଙ୍କ ପିଟିଶନର ଶୁଣାଣି ବେଳେ କହିଛନ୍ତି, ନଭଲଖାଙ୍କୁ ଗୃହବନ୍ଦୀ କରି ରଖାଯିବା ‘ଭୁଲ୍‌ ପରମ୍ପରା’ ସୃଷ୍ଟି କରିପାରେ। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଓ ମାମଲା ଶୁଣାଣିର ସ୍ଥିତି ସମ୍ପର୍କରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଅଦାଲତଙ୍କୁ ଅବଗତ କରାଉ। ଏହି ମାମଲାରେ ପୂର୍ବରୁ ଏକ ବିସ୍ତୃତ ରାୟ ଦିଆଯାଇଛି, ଯାହାକୁ ନେଇ ଆମର ଆପତ୍ତି ରହିଛି। ମାମଲାର ଶୁଣାଣିଯୋଗ୍ୟତାକୁ ଗୁରୁତ୍ୱ ଦିଆ ନ ଯିବା ଦ୍ୱାରା ଏକ ଭୁଲ୍‌ ପରମ୍ପରା ସୃଷ୍ଟି ହୋଇପାରେ। ନଭଲଖାଙ୍କ ଆବେଦନରେ ୧୦୦ ପ୍ରତିଶତ ମେରିଟ୍‌ ଥାଇପାରେ। ଏହା ଉପରେ ଆମେ କିଛି କହୁନାହୁଁ। କିନ୍ତୁ ଏହାକୁ ସୁବିଧାଜନକ କରିବା ପାଇଁ ଏବଂ ଜଣେ ବ୍ୟକ୍ତିଙ୍କ ଲାଗି ଏପରି କରାଯିବା… ଠିକ୍‌ ହୋଇଥାଇପାରେ। ଆପଣ ୪ ସପ୍ତାହ ମଧ୍ୟରେ ଏକ ସତ୍ୟପାଠ ଦାଖଲ କରନ୍ତୁ, ଯହିଁରେ ଏହି ବ୍ୟକ୍ତିଙ୍କ ବର୍ତ୍ତମାନର ସ୍ବାସ୍ଥ୍ୟାବସ୍ଥା ଓ ଶୁଣାଣିର ସ୍ଥିତି ସମ୍ପର୍କରେ ଉଲ୍ଲେଖ କରିବେ ବୋଲି ଏନ୍‌ଆଇଏ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ (ଏଏସ୍‌ଜି) ଏସ୍‌.ଭି. ରାଜୁଙ୍କୁ ଖଣ୍ଡପୀଠ ମୌଖିକ ଟିପ୍ପଣୀ ଦେଇଛନ୍ତି।
ଶୁଣାଣି ଆରମ୍ଭ ହେବା ମାତ୍ରେ ଖଣ୍ଡପୀଠଙ୍କୁ ରାଜୁ କହିଥିଲେ, ଜଣେ ବ୍ୟକ୍ତିଙ୍କୁ ଏକ ଅସାଧାରଣ ନିର୍ଦ୍ଦେଶନାମା ବଳରେ ଗୃହବନ୍ଦୀ ରଖିବା ନେଇ ସମ୍ଭବତଃ ଏହା ପ୍ରଥମ ରାୟ। ସେ ଅସୁସ୍ଥ ଥିବା ଦର୍ଶାଇ ବ୍ୟକ୍ତିଗତ ସ୍ବାଧୀନତାର ସୁବିଧା ହାସଲ କରିଛନ୍ତି। ତାଙ୍କ ସହ ଜଣେ ମହିଳା ରହିବେ ବୋଲି ସେ ପୂର୍ବରୁ କହିଥିଲେ। କିନ୍ତୁ ମହିଳା ଜଣକ ତାଙ୍କ ସହ ଅଧିକାଂଶ ସମୟରେ ରହୁନାହାନ୍ତି। ତେଣୁ ତାଙ୍କୁ ଗୃହବନ୍ଦୀ ରଖିବା ସମ୍ପର୍କିତ ରାୟ ଆବଶ୍ୟକ ନ ଥିଲା। ରାଜୁ ଆହୁରି କହିଥିଲେ, ନଭଲଖା ନିଜ ପୋଲିସ ସୁରକ୍ଷା ବାବଦକୁ ୧ କୋଟି ଟଙ୍କା ସରକାରଙ୍କୁ ପଇଠ କରିବାର ଅଛି। ଅନୂ୍ୟନ ୨୦ ଲକ୍ଷ ଟଙ୍କା ପଇଠ କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଉ। ଅନ୍ୟପକ୍ଷେ ନଭଲଖାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ନିତ୍ୟା ରାମକ୍ରିଷ୍ଣନ୍‌ କହିଥିଲେ, ଆକ୍ଟିଭିଷ୍ଟ ଅସୁସ୍ଥ ଥିବା ବିଷୟ ଏନ୍‌ଆଇଏର ନିଜସ୍ବ ଡାକ୍ତରୀ ପରୀକ୍ଷାରୁ ସ୍ପଷ୍ଟ ହୋଇସାରିଛି। ସୁପ୍ରିମକୋର୍ଟ ଗତ ଏପ୍ରିଲରେ ଆକ୍ଟିଭିଷ୍ଟଙ୍କ ସ୍ଥାନ ପରିବର୍ତ୍ତନ ସମ୍ପର୍କିତ ଆବେଦନ ଉପରେ ଜବାବ ଦାଖଲ ପାଇଁ ଏନ୍‌ଆଇଏକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ଆତଙ୍କବାଦ ନିରୋଧୀ ସଂଘୀୟ ସଂସ୍ଥା ଅଦ୍ୟାବଧି ନିଜ ଜବାବ ଦାଖଲ କରିନାହିଁ। ଖଣ୍ଡପୀଠ ୮ ସପ୍ତାହ ପାଇଁ ଶୁଣାଣି ସ୍ଥଗିତ ରଖିବାକୁ ସହମତି ପ୍ରକାଶ କରିଥିବାବେଳେ ବମ୍ବେ ହାଇକୋର୍ଟ ନଭଲଖାଙ୍କ ଜାମିନ ଆବେଦନର ବିଚାର କରୁଛନ୍ତି ବୋଲି ରାମକ୍ରିଷ୍ଣନ୍‌ ଖଣ୍ଡପୀଠଙ୍କୁ ଅବଗତ କରାଇଛନ୍ତି।
ସୂଚନା ଥାଉ କି, ୨୦୨୨ ନଭେମ୍ବର ୧୦ରେ ସୁପ୍ରିମକୋର୍ଟ ସେତେବେଳେ ନଭି ମୁମ୍ବାଇର ତଲୋଜା ଜେଲରେ ଥିବା ନଭଲଖାଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ଗୃହବନ୍ଦୀ ରଖିବାକୁ ଅନୁମତି ଦେଇଥିଲେ। ଏଥିସହ ପୋଲିସ ସୁରକ୍ଷା ବାବଦକୁ ସରକାରଙ୍କ ନିକଟରେ ୨.୪ ଲକ୍ଷ ଟଙ୍କା ଜମା ଦେବାକୁ ନଭଲଖାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ଅଦାଲତ କହିଥିଲେ, ୨୦୨୦ ଏପ୍ରିଲ ୧୪ରୁ ହାଜତରେ ଥିବା ନଭଲଖାଙ୍କ ମେଡିକାଲ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିବାର କୌଣସି କାରଣ ନାହିଁ। ଭୀମା-କୋରେଗାଓଁ ମାମଲାକୁ ଛାଡ଼ିଦେଲେ ତାଙ୍କର କୌଣସି ଆପରାଧିକ ପୃଷ୍ଠଭୂମି ନାହିଁ। ଏପରି କି ଭାରତ ସରକାର ମଧ୍ୟ ମାଓବାଦୀଙ୍କ ସହ ଆଲୋଚନା ପାଇଁ ତାଙ୍କୁ ମଧ୍ୟସ୍ଥ ନିଯୁକ୍ତ କରିଥିଲେ। ତେଣୁ ସେ ୨.୪ ଲକ୍ଷ ଟଙ୍କା ସୁରକ୍ଷା ଖର୍ଚ୍ଚ ଜମାକଲେ ତାଙ୍କୁ ୨୪ ଘଣ୍ଟା ଭିତରେ ମୁମ୍ବାଇରେ ମାସକ ପାଇଁ ଗୃହବନ୍ଦୀ ରଖାଯାଉ ବୋଲି କହିଥିଲେ। ଏହା ପରେ ଅଦାଲତ ତାଙ୍କ ଗୃହବନ୍ଦୀ ଅବଧିକୁ ଅନେକ ଥର ବଢ଼ାଇସାରିଛନ୍ତି।

ଗୌତମ ନଭଲଖାଙ୍କ ପରିଚୟ

ମଧ୍ୟପ୍ରଦେଶର ଗ୍ବାଲିଅରରେ ଜନ୍ମିତ ଗୌତମ ନଭଲଖା ଏକାଧାରରେ ଜଣେ ଭାରତୀୟ ମାନବ ଅଧିକାର କର୍ମୀ, ସାମ୍ବାଦିକ ଓ ରାଜନୈତିକ ବନ୍ଦୀ। କଶ୍ମୀରରେ ସାମରିକ ଓ ସରକାରୀ ବର୍ବରତାର ଜଣେ ଦୃଢ଼ ସମାଲୋଚକ ଭାବେ ପରିଚିତ ଏହି ୭୦ ବର୍ଷୀୟ ବୁଦ୍ଧିଜୀବୀ ବାମପନ୍ଥୀ କଠୋରବାଦ ଉପରେ ଲେଖାଲେଖି କରନ୍ତି। ସେ ନୂଆଦିଲ୍ଲୀସ୍ଥିତ ପିପୁଲ୍ସ ୟୁନିୟନ ଫର୍‌ ଡେମୋକ୍ରାଟିକ୍‌ ରାଇଟ୍ସ (ପିୟୁଡିଆର୍‌) ସମ୍ପାଦକ ଦାୟିତ୍ୱ ତୁଲାଇଛନ୍ତି। ଏହାବାଦ୍‌ ନଭଲଖା ଦୀର୍ଘ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଇକୋନୋମିକ୍‌ ଆଣ୍ଡ୍‌ ପଲିଟିକାଲ୍‌ ଓ୍ବିକ୍‌ଲିର ଜଣେ ଏଡିଟୋରିଆଲ୍‌ କନ୍‌ସଲ୍ଟାଣ୍ଟ ଭାବେ କାର୍ଯ୍ୟ କରିଛନ୍ତି। ନୂଆଦିଲ୍ଲୀ ବାସିନ୍ଦା ନଭଲଖାଙ୍କ ପୁସ୍ତକ ‘ଡେଜ୍‌ ଆଣ୍ଡ୍‌ ନାଇଟ୍ସ ଇନ୍‌ ଦି ହାଟଲ୍ୟାଣ୍ଡ୍‌ ଅଫ୍‌ ରେବେଲିୟନ୍‌’ ବେଶ୍‌ ପାଠକୀୟ ଆଦୃତି ଲାଭ କରିଥିଲା।
ଇଣ୍ଟରନ୍ୟାଶନାଲ ପିପୁଲ୍ସ ଟ୍ରାଇବାଲ ଅନ୍‌ ହ୍ୟୁମାନ୍‌ ରାଇଟ୍ସ ଆଣ୍ଡ୍‌ ଜଷ୍ଟିସ୍‌ ଇନ୍‌ କଶ୍ମୀରର ସଂଯୋଜକ ମଧ୍ୟ ରହିଆସିଛନ୍ତି। କଶ୍ମୀରରୁ ସେନା ପ୍ରତ୍ୟାହାର ଉପରେ ଗଣଭୋଟ କରାଇବା ନେଇ ସୁପ୍ରିମକୋର୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଯୁକ୍ତିର ନଭଲଖା ଜଣେ ସମର୍ଥକ। ନିକଟ ଅତୀତରେ ସେ ଛତିଶଗଡ଼ର ମାଓବାଦୀ ପ୍ରଭାବିତ ଅଞ୍ଚଳ ଉପରେ ମନୋନିବେଶ କରିଥିଲେ। ବିରୋଧୀ ଓ ଆକ୍ଟିଭିଷ୍ଟମାନଙ୍କୁ ଆଇନର କାଠଗଡ଼ାରେ ଛିଡ଼ା କରାଇବା ପାଇଁ ସରକାରଙ୍କ ଦ୍ୱାରା ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ)ର ଦୁରୁପଯୋଗ କରାଯାଉଥିବାରୁ ସେ ଏହାର ନିନ୍ଦା କରିଥାଆନ୍ତି।
ନଭଲଖାଙ୍କୁ ଶ୍ରୀନଗର ଏୟାରପୋର୍ଟରେ ପ୍ରବେଶ ଅନୁମତି ଦିଆ ନ ଯିବାରୁ ସେ ବାଧ୍ୟହୋଇ ଦିଲ୍ଲୀ ଫେରିଥିଲେ। ଉପତ୍ୟକାରେ ତାଙ୍କ ଉପସ୍ଥିତି ଶାନ୍ତି ଓ ଆଇନଶୃଙ୍ଖଳା ଭଙ୍ଗ କରିପାରେ ବୋଲି ଜମ୍ମୁ-କଶ୍ମୀର ସରକାର ମନେକରି ସିଆର୍‌ପିସି ୧୪୪ ଧାରା ବଳରେ ପ୍ରବେଶ ଉପରେ କଟକଣା ଜାରି କରିଥିଲେ। ସରକାରଙ୍କ ଏହି ପଦକ୍ଷେପକୁ ବିଭିନ୍ନ ରାଜନୈତିକ ଦଳ, ଅଧିକାର ସଙ୍ଗଠନ ଓ ନାଗରିକ ସମାଜ ପକ୍ଷରୁ ବିରୋଧ କରାଯାଇଥିଲା।
ନଭଲଖା ସର୍ବାଧିକ ଚର୍ଚ୍ଚାକୁ ଆସିଥିଲେ ୨୦୧୮ର ଭୀମା-କୋରେଗାଓଁ ହିଂସା ପରେ। ଏଲ୍‌ଗାର ପରିଷଦ-ମାଓବାଦୀ ଲିଙ୍କ୍‌ ମାମଲାରେ ୨୦୨୦ ଏପ୍ରିଲ ୮ରେ ସୁପ୍ରିମକୋର୍ଟ ୟୁଏପିଏ ବଳରେ ନଭଲଖା ଓ ଆନନ୍ଦ ତେଲତୁମ୍ବଡେଙ୍କ ଅଗ୍ରିମ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଏପ୍ରିଲ ୧୪ରେ ଉଭୟଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ନିକଟରେ ଆମତ୍ସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କାରଣ ଏହା ପୂର୍ବରୁ ନଭଲଖା ଓ ଗୁଲାମ ନବୀ ଫାଇ ସରକାରଙ୍କ ବିରୋଧରେ ବୁଦ୍ଧିଜୀବୀମାନଙ୍କୁ ଅନେକ ଥର ଏକତ୍ରିତ କରିଥିବା ଏନ୍‌ଆଇଏ ଚାର୍ଜଶିଟ୍‌ରେ ଦର୍ଶାଇଥିଲା। ପରେ ସୁପ୍ରିମକୋର୍ଟ ତାଙ୍କୁ ଗୃହବନ୍ଦୀ କରିବାକୁ ଅନୁମତି ଦେଇଥିଲେ। ଏହା ହେଉଛି ନଭଲଖାଙ୍କ ବିରୋଧରେ ପ୍ରଥମ ଆପରାଧିକ ମାମଲା।

ଏଲ୍‌ଗାର ପରିଷଦ ମାମଲା କ’ଣ

୨୦୧୭ ଡିସେମ୍ବର ୩୧ ମହାରାଷ୍ଟ୍ରର ପୁଣେ ନିକଟ ଶନିବାରଓ୍ବାଡାରେ ଭୀମା-କୋରେଗାଓଁ ଯୁଦ୍ଧର ୨୦୦ ବର୍ଷ ପୂର୍ତ୍ତି ପାଳନର ଅବ୍ୟବହିତ ପୂର୍ବରୁ ‘ଏଲ୍‌ଗାର ପରିଷଦ’ ନାମରେ ଏକ ସାନ୍ଧ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ପ୍ରାୟ ୩୫,୦୦୦ ଲୋକ ସାମିଲ ହୋଇଥିଲେ। ଏହାର ଦିନକ ପରେ ଅର୍ଥାତ୍‌ ୨୦୧୮ ଜାନୁୟାରୀ ୧ରେ ଭୀମା-କୋରେଗାଓଁରେ ହିଂସା ଦେଖିବାକୁ ମିଳିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଥିଲେ। ନିଷିଦ୍ଧ ଘୋଷିତ ମାଓବାଦୀ ସଙ୍ଗଠନଗୁଡ଼ିକ ପକ୍ଷରୁ ଆୟୋଜିତ ଏଲ୍‌ଗାର ପରିଷଦରେ ଯୋଗଦେଇଥିବା ବକ୍ତାମାନଙ୍କ ମନ୍ତବ୍ୟକୁ ପୋଲିସ ଏଫ୍‌ଆଇଆର୍‌ରେ ଦାୟୀ କରିଥିଲା। ଏହି ମାମଲାରେ ଗୌତମ ନଭଲଖାଙ୍କ ସମେତ କେତେଜଣ ହାଇପ୍ରୋଫାଇଲ ଆକ୍ଟିଭିଷ୍ଟ, କବି, ଲେଖକ ଓ ଆଇନଜୀବୀଙ୍କୁ ଗିରଫ କରାଯାଇଥିବାରୁ ଏହା ସର୍ବାଧିକ ଚର୍ଚ୍ଚିତ ହୋଇଥିଲା। ୟୁଏପିଏ ବଳରେ ଗିରଫ ହୋଇଥିବା ଅନ୍ୟ ୧୫ ଅଭିଯୁକ୍ତଙ୍କ ମଧ୍ୟରେ ସୁରେନ୍ଦ୍ର ଗାଡ୍‌ଲିଙ୍ଗ୍‌, ରୋନା ଓ୍ବିଲ୍‌ସନ, ମହେଶ ରାଉତ, ସୁଧୀର ଧଓ୍ବାଲେ, ଶୋମା ସେନ ଓ ଷ୍ଟାନ୍‌ ସ୍ବାମୀ ରହିଥିଲେ। ଅସୁସ୍ଥ ଥିବା ପାଦ୍ରୀ ତଥା ଆଦିବାସୀ ଅଧିକାର କର୍ମର ଷ୍ଟାନ୍‌ ସ୍ବାମୀ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଜେଲରେ ରହିବା ପରେ ମୁମ୍ବାଇର ହୋଲି ଫାମିଲି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?