ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି। ଡଙ୍ଗା ସୁବିଧା ନାହିଁ କି ବିଜୁଳି ସୁବିଧା ନାହିଁ, ଏଭଳି ସ୍ଥିତିରେ ମାର୍ଶାଘାଇ ବ୍ଲକ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି।
ଏପରିକି ପିଲାମାନଙ୍କ ଅଙ୍ଗନୱାଡି ଏବଂ ସ୍କୁଲ ଯିବା ବନ୍ଦ ରହିଛି। ଲୋକେ ଥଣ୍ଡା ଜ୍ୱରରେ ପୀଡିତ ହୋଇଛନ୍ତି। ଔଷଧ ପାଇଁ ମାର୍ଶାଘାଇ ବଜାରକୁ ଯିବାକୁ ଲୋକେ ଆସି ପାରୁ ନାହାନ୍ତି। ଛାତିଏ ପାଣିରେ ପହଁରି ଗାଁ ଶିବ ମନ୍ଦିର ପାଖ କୂଳରେ ପହଞ୍ଚିଥିଲେ ଘୋଲ ଅଞ୍ଚଳର ରବୀନ୍ଦ୍ର ବସନ୍ତିଆ। ୱାର୍ଡସଭ୍ୟ ଚିତ୍ତରଞ୍ଜନ ବେହେରାଙ୍କ ସାଇକେଲ ନେଇ ମାର୍ଶାଘାଇ ବଜାରକୁ ଯାଇ ଓଷଧ କିଣିଥିଲେ। ମାର୍ଶାଘାଇ ଯଜ୍ଞ ପଡିଆ ପାର୍ଶ୍ୱରେ ବିଜୁଳି ଖୁଣ୍ଟ ସାହାଯ୍ୟରେ େ୧ଘାଲ ଅଞ୍ଚଳକୁ ବିଜୁଳି ଦିଆଯାଇଛି। ନଦୀରେ ବନ୍ୟା ଆସିଲେ ସୁରକ୍ଷା ଦୃଷ୍ଟିରୁ ବିଜୁଳି ସରବରାହ ବିଛିନ୍ନ କରାଯାଇଥାଏ।
ଅଞ୍ଚଳରେ ବିଜୁଳି ନ ଥିବାରୁ ମୋବାଇଲରୁ ଚାର୍ଜ ସରିଯାଇଛି, ତେଣୁ ଏକ ଦୋକାନରେ ଚାର୍ଜ କରି ସାରେ ପୁଣି ପାଣିରେ ପହଁରି ଘରକୁ ଫେରିଥିଲେ ରବୀନ୍ଦ୍ର। ବନ୍ୟା ଆସିଲେ ସମ୍ପୂର୍ଣ୍ଣ ପାଣିଘେରରେ ଏହି ୧୫ପରିବାର ରହିଯାଉଥିବା ନେଇ ବ୍ଲକ ପ୍ରଶାସନକୁ ଅବଗତ କରିବା ସହିତ ସେମାନଙ୍କ ପାଇଁ ଏକ ଡଙ୍ଗା ବ୍ୟବସ୍ଥା କରିବା ପାଇଁ ସୂଚନା ଦେଇଥିଲି ବୋଲି ମଣିକୁଣ୍ଡା ସରପଞ୍ଚଙ୍କ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ପ୍ରତାପ ରାଉତ କହିଛନ୍ତି l
ଏ ସମ୍ପର୍କରେ ମାର୍ଶାଘାଇ ବିଡ଼ିଓ ତୃପ୍ତି ମହାନ୍ତିଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ବାଲିକଷୋଟି ଗ୍ରାମଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଲୁଣାନଦୀ ଏବଂ ମାର୍ଶାଘାଇ ଜଳସମ୍ପଦ ଅଫିସ ପର୍ଯ୍ୟନ୍ତ ସଂଯୋଗ କରୁଥିବା କେନାଲର ତ୍ରିକୋଣଭୂମି ଅଞ୍ଚଳରେ କାହିଁ କେଉଁ କାଳରୁ ବସନ୍ତିଆ ପରିବାର ରହି ଆସୁଛନ୍ତି l
ଭିଟାମାଟି ଛାଡ଼ି କିଛି ପରିବାର ଗାଁ ଭିତରେ ଏବଂ କିଛି ମାର୍ଶାଘାଇରେ ଘର କରି ରହିଲେଣି। ଅନ୍ୟତ୍ର ଜମି କିଣି ଘର କରି ରହିବାକୁ ଅସମର୍ଥ ଥିବା ପ୍ରାୟ ୧୫ପରିବାରର ୬୫ସଦସ୍ୟ ନିଜ ଭାଗ୍ୟକୁ ଆଦରି ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ୱାର୍ଡସଭ୍ୟ ବେହେରା କହିଛନ୍ତି। ନଦୀର ଜଳସ୍ତର ଗୁରୁବାର ୨୨.୫ଫୁଟ ରହିଛି ଯାହା ବିପଦସଙ୍କେତ ଉପରେ ରହିଛି। ବନ୍ୟା ସମ୍ପୂର୍ଣ୍ଣ ରୂପେ ଛାଡ଼ିବା ପର୍ଯ୍ୟନ୍ତ ଘୋଲ ଅଞ୍ଚଳକୁ ତୁରନ୍ତ ଏକ ଦେଶୀ ଡଙ୍ଗା ପ୍ରଶାସନ ଯୋଗାଇଦେବାକୁ ଦାବି ହେଉଛି। ସୂଚନାଯୋଗ୍ୟ ଯେ, ଗତ ୫ଦିନ ତଳେ ମହାନଦୀରେ ବନ୍ୟାଜଳ ଆସିବା ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି।

