ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଛନ୍ତି। ଏହି ଘଟଣାଟି ଦିଭେଗାର୍ (Diveagar) ସମୁଦ୍ରକୂଳରେ ଘଟିଛି। ରିପୋର୍ଟ ଅନୁଯାୟୀ, ପୁଣେ ଜିଲାର ଆଲାଣ୍ଡି ସ୍ଥିତ ଏକ ଘରୋଇ କୋଚିଂ କ୍ଲାସ ଦ୍ୱାରା ଆୟୋଜିତ ପିକନିକରେ ଏହି ଦଳ ସାମିଲ ହୋଇଥିଲେ। ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ଯେ, ପାଣିର ଗଭୀରତା ଏବଂ ଲହରୀର ପ୍ରଖରତାକୁ ଠିକ ଭାବେ ଅନୁମାନ କରିନପାରିବା କାରଣରୁ ଏହି ଦୁର୍ଘଟଣା ଘଟିଛି।
ଦିଭେଗାର୍ ହେଉଛି ରାୟଗଡ଼ର ଶ୍ରୀବର୍ଦ୍ଧନ ତାଲୁକାରେ ଅବସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ। ଘଟଣା ବିଷୟରେ ଜଣାପଡ଼ିବା ମାତ୍ରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକମାନଙ୍କ ସହିତ ‘ମହାକାଳୀ ୱାଟର ସ୍ପୋର୍ଟସ’ର କର୍ମଚାରୀମାନେ ମଧ୍ୟ ସାମିଲ ହୋଇଥିଲେ। କଠିନ ପ୍ରୟାସ ପରେ, ସମୁଦ୍ରରୁ ସମସ୍ତ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଆଗାମୀ ପ୍ରକ୍ରିୟା ପାଇଁ ସମସ୍ତ ମୃତଦେହକୁ ବୋର୍ଲି ପଞ୍ଚାଟନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି, ଯେଉଁଠାରେ ଆବଶ୍ୟକୀୟ ଆନୁଷ୍ଠାନିକ କାର୍ଯ୍ୟ ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଉଛି। ପିକନିକ ପାଇଁ ଯାଇଥିବା ଏହି ଦଳ ପୁଣେର ଆଲାଣ୍ଡିରୁ ଦିଭେଗର (Diveagar) ଆସିଥିଲେ। ଦୁର୍ଘଟଣା ବିଷୟରେ ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ବହୁ ଲୋକଙ୍କ ଭିଡ଼ ଜମିଥିଲା। ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକ ଓ ସ୍ତବ୍ଧତାର ବାତାବରଣ ସୃଷ୍ଟି କରିଛି।
ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ତଥା ଭାଜପା ନେତା ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘ରାୟଗଡ଼ ଜିଲାର ଦିଭେଗରକୁ ପିକନିକ ପାଇଁ ଯାଇଥିବା ଆଲାଣ୍ଡିର ଆଠ ଜଣ ଛାତ୍ରଙ୍କ ସଲିଳ ସମାଧି ହୋଇ ମୃତ୍ୟୁ ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଓ ହୃଦୟବିଦାରକ ଅଟେ। ଏହି ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଛାତ୍ରଙ୍କୁ ମୁଁ ମୋର ହୃଦୟଭରା ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେମାନଙ୍କ ପରିବାର ଉପରେ ଯେଉଁ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି, ତାହା ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ। ଏହି କଠିନ ସମୟରେ ମୁଁ ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହିତ ରହିଛି। ଏହି ଅସହ୍ୟ ଦୁଃଖକୁ ସହ୍ୟ କରିବା ପାଇଁ ପରିବାରବର୍ଗଙ୍କୁ ଶକ୍ତି ପ୍ରଦାନ କରିବାକୁ ଏବଂ ଦିବଂଗତ ଛାତ୍ରମାନଙ୍କ ଆତ୍ମାର ଶାନ୍ତି ପାଇଁ ମୁଁ ସର୍ବଶକ୍ତିମାନ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି।’

