Posted inଖେଳ

ସମ୍ମାନ ରଖିଲା ଶତକୀୟ ଭାଗୀଦାରି

ଭୁବନେଶ୍ୱର,୧୪।୧୨(କ୍ରୀଡ଼ା ପ୍ରତିନିଧି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ରଣଜୀ ଟ୍ରଫି ସିଜନ ୨୦୨୨-୨୩ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ ବିକାଶ ଗ୍ରାଉଣ୍ଡରେ ବରୋଦା ବିପକ୍ଷ ମ୍ୟାଚ ଖେଳି ଓଡ଼ିଶା ଅଭିଯାନ ଆରମ୍ଭ କରିଛି। ଦ୍ୱିତୀୟ ଉଇକେଟରେ ଶାନ୍ତନୁ ମିଶ୍ର ଓ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଶତକୀୟ ଭାଗୀଦାରି ବଳରେ ଓଡ଼ିଶା ପ୍ରଥମ ଦିବସ ଖେଳ ଶେଷସୁଦ୍ଧା ୫ ଉଇକେଟ ହରାଇ ୨୧୪ ରନ ସଂଗ୍ରହ କରିଛି। ଅଭିଷେକ ରାଉତ ୩୩ ଓ ଉଇକେଟ କିପର ରାଜେଶ ଧୂପର ୬ ରନକରି ଅପରାଜିତ ରହିଛନ୍ତି।
ବରୋଦା ଅଧିନାୟକ ବିଷ୍ଣୁ ସୋଲାଙ୍କି ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଓଭରର ୫ମ ବଲ୍‌ରେ ଓପନର ଅନୁରାଗ ଷଡ଼ଙ୍ଗୀଙ୍କୁ କ୍ଲିନ୍‌ ବୋଲ୍ଡ କରି ବାମହାତୀ ଦ୍ରୁତ ବୋଲର ଲୁକମାନ ମେରିଓ୍ବାଲା ନିଜ ଅଧିନାୟକଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରିଥିଲେ। ମାତ୍ର ଏହାପରେ ଶାନ୍ତନୁ ଓ ଶୁଭ୍ରାଂଶୁ ସତର୍କତାର ସହ ଖେଳି ଇନିଂସ ସମ୍ଭାଳି ନେଇଥିଲେ। ଧିମା ହାରରେ ରନ ସଂଗ୍ରହ କରିଥିଲେ ହେଁ ପ୍ରଥମ ସେସନରେ ଦୁହେଁ ଆଉ କୌଣସି କ୍ଷତି ହେବାକୁ ଦେଇ ନ ଥିଲେ। ୨୭୫ ବଲ୍‌ରୁ ୧୦୬ ରନର ଭାଗୀଦାରି ପରେ ଶୁଭ୍ରାଂଶୁଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ କରି ବରୋଦାକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ବାମହାତୀ ଲେଗ୍‌ସ୍ପିନର ନିନାଦ ରଥଭା। ୧୪୩ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଶୁଭ୍ରାଂଶୁ ୭ ଚୌକା ସହାୟତାରେ ୫୨ ରନ କରିଥିଲେ। ଏହାର ୧୦ ଓଭର ପରେ ଆଉଟ ହୋଇଥିଲେ ଶାନ୍ତନୁ। ସେ ରଥଭାଙ୍କ ବଲ୍‌କୁ ଡିଫେଣ୍ଡ କରିବାକୁ ଯାଇ ଶାଶ୍ୱତ ରାଓ୍ବତଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ସେ ୧୬୩ଟି ବଲ୍‌ ଖେଳି ୬ ଚୌକା ସହିତ ୬୧ ରନ କରିଥିଲେ। ଏଠାରେ ଶାନ୍ତନୁ କ୍ୟାରିୟରର ୧୧ତମ ଏବଂ ଶୁଭ୍ରାଂଶୁ ୮ମ ଅର୍ଦ୍ଧଶତକ ହାସଲ କରିଥିଲେ। ଅଭିଜ୍ଞ ବିପ୍ଳବ ସାମନ୍ତରାୟ ଓ ପଦାର୍ପଣକାରୀ କାର୍ତ୍ତିକ ବିଶ୍ୱାଳ ୪ର୍ଥ ଉଇକେଟରେ ୫୧ ରନର ଭାଗୀଦାରି ଗଢ଼ି ଓଡ଼ିଶାକୁ ଏକ ସମ୍ମାନଜନକ ସ୍କୋର ଆଡ଼କୁ ନେଇ ଯାଇଥିଲେ। ତେବେ ଦୁହେଁ ଭଲ ଆରମ୍ଭ ପାଇଥିଲେ ହେଁ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ବିପ୍ଳବ ବ୍ୟକ୍ତିଗତ ୨୬ ରନ କରିଥିବାବେଳେ ଚା’ ବିରତି ପର ସେସନରେ ମେରିଓ୍ବାଲାଙ୍କ ବଲ୍‌ରେ ବୋଲ୍ଡ ହୋଇ ଯାଇଥିଲେ। ପ୍ରଥମ ରଣଜୀ ମ୍ୟାଚ ହୋଇଥିଲେ ହେଁ ଟେମ୍ପରାମେଣ୍ଟ ଦେଖାଇଥିଲେ କାର୍ତ୍ତିକ। ଅନ୍ୟ ବ୍ୟାଟରଙ୍କ ତୁଳନାରେ ଅପେକ୍ଷାକୃତ ଆକ୍ରମଣାତ୍ମକ ବ୍ୟାଟିଂକୁ ପସନ୍ଦ କରିଥିବା କାର୍ତ୍ତିକ ୫୩ ବଲ୍‌ରୁ ୩୧ (୫ ଚୌକା) ରନ କରିଥିବାବେଳେ ବାମହାତୀ ଲେଗ୍‌ସ୍ପିନର ଭାର୍ଗବ ଭଟ୍ଟଙ୍କ ବଲ୍‌ରେ ଜ୍ୟୋସ୍ନିଲ ସିଂଙ୍କୁ କ୍ୟାଚ ଦେଇଥିଲେ। ୧୮୦ ରନରେ ଓଡ଼ିଶାର ୫ମ ଉଇକେଟ ପଡ଼ିଥିଲା। ଅର୍ଥାତ୍‌ ପ୍ରଥମ ସେସନରେ ଗୋଟିଏ ଉଇକେଟ ହରାଇଥିଲେ ହେଁ ଓଡ଼ିଶା ବ୍ୟାଟର ପ୍ରଭାବୀ ରହିଥିବାବେଳେ ଦ୍ୱିତୀୟ ଓ ତୃତୀୟ ସେସନରେ ବରୋଦା ବୋଲର ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ଅଭିଷେକ ଓ ଧୂପର ଅସମାପ୍ତ ୬ଷ୍ଠ ଉଇକେଟରେ ୮୪ ବଲ୍‌ରୁ ୩୪ ରନ ଯୋଗକରି ଓଡ଼ିଶାର ବଡ଼ସ୍କୋର ସମ୍ଭାବନାକୁ ଉଜ୍ଜୀବିତ ରଖିଛନ୍ତି। ଅମ୍ପାୟର ଅଭିଜିତ ଦେଶମୁଖ ଓ ମହମ୍ମଦ ରାଫି ମ୍ୟାଚ ପରିଚାଳନା କରୁଛନ୍ତି।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୨୧୪/୫ (ଶାନ୍ତନୁ ମିଶ୍ର-୬୧, ଶୁଭ୍ରାଂଶୁ ସେନାପତି-୫୨, ଅଭିଷେକ ରାଉତ-୩୩*, କାର୍ତ୍ତିକ ବିଶ୍ୱାଳ-୩୧, ଲୁକମାନ ମେରିଓ୍ବାଲା-୨/୪୬, ନିନାଦ ରଥଭା-୨/୫୦, ଭାର୍ଗବ ଭଟ୍ଟ-୧/୫୧)।

କାର୍ତ୍ତିକଙ୍କ ରଣଜୀ ପଦାର୍ପଣ

ବିକାଶ ଗ୍ରାଉଣ୍ଡରେ ବରୋଦା ବିପକ୍ଷ ମ୍ୟାଚ ଖେଳି ରଣଜୀ ଟ୍ରଫି କ୍ୟାରିୟର ଆରମ୍ଭ କରିଛନ୍ତି ଓଡ଼ିଶାର କାର୍ତ୍ତିକ ବିଶ୍ୱାଳ। ଜଣେ ଡାହାଣହାତୀ ବ୍ୟାଟର ଓ ଅଫ୍‌ସ୍ପିନର ଭାବେ ପରିଚିତ କାର୍ତ୍ତିକ ନିଜ ଡେବ୍ୟୁ ମ୍ୟାଚରେ ୫୩ ବଲ୍‌ରୁ ୩୧ ରନର ସ୍ମରଣୀୟ ଇନିଂସ ଖେଳିଛନ୍ତି। ସମ୍ମୁଖୀନ ହୋଇଥିବା ପ୍ରଥମ ବଲ୍‌ରେ ସ୍ଲିପ୍‌ରେ ତାଙ୍କ କ୍ୟାଚ ମିସ୍‌ ହୋଇଥିବାବେଳେ ଆଉ ପ୍ରତିପକ୍ଷ ଦଳକୁ ବିଶେଷ ସୁଯୋଗ ଦେଇ ନ ଥିଲେ କାର୍ତ୍ତିକ। ସେ ଅଭିଜ୍ଞ ବିପ୍ଳବ ସାମନ୍ତରାୟଙ୍କ ସହ ୪ର୍ଥ ଉଇକେଟରେ ଅର୍ଦ୍ଧଶତକୀୟ ପାର୍ଟନରଶିପ୍‌ ଗଢ଼ି ଓଡ଼ିଶାକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ୧୯୮୮ ଜୁନ୍‌ ୩ରେ ଜନ୍ମିତ କାର୍ତ୍ତିକଙ୍କ ମା’ଙ୍କ ନାମ ମାଳତୀ ବିଶ୍ୱାଳ ଏବଂ ବାପା ରାଜକିଶୋର ବିଶ୍ୱାଳ। ସେ ନୟାପଲ୍ଲୀସ୍ଥିତ ଜାଗୃତି କ୍ରିକେଟ ଏକାଡେମୀ(ଏସ୍‌ଜିଓ)ରେ ରାଜ୍ୟର ପ୍ରତିଷ୍ଠିତ କୋଚ୍‌ କ୍ଷୀରୋଦ ବେହେରାଙ୍କଠାରୁ ପ୍ରଶିକ୍ଷଣପ୍ରାପ୍ତ। ସେ ୧୬, ୨୩ ଓ ୨୫ ବର୍ଷରୁ କମ୍‌ ବର୍ଗରେ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି, ସି.କେ. ନାଇଡ଼ୁ ଟ୍ରଫି ଆଦିରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିବା ପରେ ଏବେ ସିନିୟରରେ ରଣଜୀ ଡେବ୍ୟୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ବିଜୟ ହାସଲ କଲା ସନ୍‌ରାଇଜର୍ସ: ପ୍ରଥମ ଦଳ ଭାବେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫ ଦୌଡରୁ ବିଦା

ହାଇଦ୍ରାବାଦ, ୮।୫: ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ପ୍ରଥମ ଦଳ ହୋଇଛି ଯିଏ ଆଇପିଏଲ୍ ୨୦୨୪ ରୁ ବାଦ୍ ପଡିଛି। ପରବର୍ତ୍ତୀ ମ୍ୟାଚ୍ ଖେଳିବା ପୂର୍ବରୁ ଏହା...

୧୦ ଉଇକେଟରେ ଜିତିଲା ସନ୍‌ରାଇଜର୍ସ: ଟ୍ରାଭିସ ହେଡ୍‌ ଓ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ

ହାଇଦ୍ରାବାଦ, ୮।୫: ଟାର୍ଗେଟ ଥିଲା ୧୬୬ ରନ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଯେପରି ବ୍ୟାଟିଂ କରିଥିଲା ପିଚ୍‌ ସ୍ଲୋ ଥିବା ପ୍ରତୀୟମାନ ହେଉଥିଲା। ମାତ୍ର ସିଂହ...

ବିରାଟ କୋହଲିଙ୍କ ଯୋଗୁ ହାରିଯାଇଥିଲେ ବିଶ୍ୱକପ୍‌ ଫାଇନାଲ? ବହୁତ ବଡ଼ କଥା କହିଦେଲେ ସେହ୍ବାଗ…

ନୂଆଦିଲ୍ଲୀ,୮।୫: ଭାରତୀୟ ଟିମ୍‌ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଗୋଟିଏ ବି ମ୍ୟାଚ୍‌ ନ ହାରି ଫାଇନାଲରେ ପ୍ରବେଶ କରିଥିଲା। ହେଲେ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ହାରିବା...

କଳିଙ୍ଗ ଷ୍ଟାଡିୟମରେ ୧୨ରୁ ଫେଡେରେଶନ କପ୍‌: ଆକର୍ଷଣରେ ନୀରଜ ଚୋପ୍ରା, କିଶୋର ଜେନା

ଭୁବନେଶ୍ୱର, ୮।୫ (ତପନ ସ୍ବାଇଁ): କିଛି ଦିନର ବ୍ୟବଧାନ ପରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ତାରକା ଆଥ୍‌ଲେଟଙ୍କ ମହାମେଳା। ଚଳିତ ମାସ ୧୨ରୁ ୧୫...

ବଡ଼ ଅଡୁଆରେ ଫସିଛନ୍ତି ଯଶସ୍ବୀ, ଏବେ ଟି୨୦ ବିଶ୍ୱକପ୍‌ରେ କ’ଣ ହେବ?

ନୂଆଦିଲ୍ଲୀ,୮।୫: ଯଶସ୍ବୀ ଜୟସ୍ବାଲ ଗତ ଏକ ବର୍ଷ ମଧ୍ୟରେ ସମସ୍ତ ଫର୍ମାଟରେ ଜବରଦସ୍ତ ବ୍ୟାଟିଂ କରି ଚର୍ଚ୍ଚାରେ ରହିଛନ୍ତି। ହେଲେ ଆଇପିଏଲ୍‌ରେ ସେ ସେତେଟା ଭଲ...

VIDEO: ଆର୍‌ସିବିର ମଜା ଉଡାଇଲା ପଞ୍ଜାବ କିଙ୍ଗ୍ସ, ଧର୍ମଶାଳା ମ୍ୟାଚ୍‌କୁ ନେଇ ବଢ଼ିଲା ଉତ୍କଣ୍ଠା

ନୂଆଦିଲ୍ଲୀ,୮।୫: ଆଇପିଏଲ୍‌ ୨୦୨୪ର ଲିଗ୍‌ ପର୍ଯ୍ୟାୟ ଏବେ ଶେଷ ସୋପାନରେ। ଦୁଇ ସପ୍ତାହ ପରେ ଟୁର୍ନାମେଣ୍ଟର ପ୍ଲେ ଅଫ୍‌ ମୁକାବିଲା ଖେଳାଯିବ। ଏଯାବତ ଗୋଟିଏ ବି...

ଟି୨୦ ବିଶ୍ୱକପ୍‌କୁ ମାଗଣାରେ ଦେଖିପାରିବେ ଦର୍ଶକ, ଡିଜ୍‌ନୀ କଲା ବଡ଼ ଘୋଷଣା…

ନୂଆଦିଲ୍ଲୀ,୮।୫: ଆଗାମୀ ଟି୨୦ ବିଶ୍ୱକପ୍‌ ନେଇ ବଡ଼ ଘୋଷଣା କରିଛି ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର। ବ୍ୟବହାରକାରୀମାନେ ଏହି ମୋବାଇଲ ଆପ୍‌ରେ ମାଗଣାରେ ବିଶ୍ୱକପ୍‌କୁ ଉପଭୋଗ କରିପାରିବେ।...

ବଳାତ୍କାର ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୮।୫: ଭାରତୀୟ ମୂଳ କ୍ରିକେଟର ନିଖିଲ ଚୌଧୁରୀ ଅଷ୍ଟ୍ରେଲିଆରେ ଖେଳନ୍ତି ଏବଂ ବିଗ ବାସ ଲିଗ (ବିବିଏଲ)ରେ ଏକ ଜଣାଶୁଣା ନାମ। ୨୮ ବର୍ଷୀୟ ନିଖିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri