ସରକାର

ଡ. ସୁବାସ ଚନ୍ଦ୍ର ପାତ୍ର

 

ନିକଟରେ ସୁପ୍ରିମକୋର୍ଟ ବାକ୍‌ ଓ ଅଭିବ୍ୟକ୍ତି ସ୍ବାଧୀନତା ବର୍ତ୍ତମାନ ସମୟରେ ସବୁଠୁ ବେଶି ଅପବ୍ୟବହୃତ ବୋଲି ମନ୍ତବ୍ୟ ଦେଇଛନ୍ତି। ଠିକ୍‌ ସେହିପରି ସରକାରୀ ବ୍ୟବସ୍ଥାରେ ‘ସରକାର’ ଶବ୍ଦଟି ସବୁଠୁ ବେଶି ଅପବ୍ୟବହୃତ ଏବଂ ସମୟକ୍ରମେ ଏହା ଅପାରଗତା, ଅବହେଳା, ଦୁର୍ନୀତି ଓ ଅହଂକାରର ସମାର୍ଥବୋଧକ ଶବ୍ଦରେ ପରିଣତି ହୋଇଛି।
ସରକାର ଏକ ମହାନ୍‌ ଅମୂର୍ତ୍ତ ଅନୁଷ୍ଠାନ। ଯେହେତୁ ଏହା ଅଦୃଶ୍ୟ ଏବଂ ମଣିଷଦ୍ୱାରା ଏହା ଗତିଶୀଳତା ଲାଭକରେ, ଏହା ପଛରେ ଥିବା ମଣିଷମାନେ ହିଁ ଏହାର ମହନୀୟତା ଅପହରଣ କରି ନେଇଛନ୍ତି । ଅବଶ୍ୟ ଏକ ସମୟରେ ସରକାରର ଅନ୍ୟନାମ ଥିଲା ବିଶ୍ୱାସ, ଭରସା, ନିର୍ଭରଶୀଳତା ଓ ଜନକଲ୍ୟାଣ । ଲୋକେ ସରକାରୀ ଅନୁଷ୍ଠାନକୁ ସମ୍ମାନର ସହ ଦେଖୁଥିଲେ । ପରିବହନ ହେଉ ଅବା ଶିକ୍ଷା ଅବା ସ୍ବାସ୍ଥ୍ୟ, ଘରୋଇ ବିକଳ୍ପ ଥିଲେ ବି ଲୋକେ ସରକାରୀ ବ୍ୟବସ୍ଥାକୁ ପ୍ରଥମ ପସନ୍ଦର ମାନ୍ୟତା ପ୍ରଦାନ କରୁଥିଲେ । ୮୦ ଦଶକ ପରେ ପରେ ସ୍ଥିତି ବଦଳିବାକୁ ଲାଗିଲା । ସରକାରୀ ଚକ୍ରାନ୍ତରେ ସରକାରୀ ପରିବହନ ଭୁଶୁଡ଼ି ପଡ଼ିଲା ।
ସରକାରୀ ବସଗୁଡ଼ିକ ଯାହା ଦିନେ ସ୍ବାଭିମାନ ଓ ଗୁଣବତ୍ତାର ପ୍ରତୀକ ଥିଲା, ଆସ୍ତେ ଆସ୍ତେ ସେଗୁଡ଼ିକ ଦୟନୀୟ ଦେଖାଯାଇ ଜନସାଧାରଣଙ୍କ ଥଟ୍ଟାର ସାମଗ୍ରୀ ପାଲଟିବା କ୍ରମରେ ଏହା ଏକ ବୀଭତ୍ସ ସନ୍ତକରେ ପରିଣତ ହେଲା। ଅର୍ଥାତ୍‌ ‘ସରକାର’ କହିଲେ ଲୋକେ ସରକାରୀ ବସକୁ ଉଦାହରଣ ହିସାବରେ ପରିବେଷଣ କଲେ ।
ଅନ୍ୟାନ୍ୟ ସେବା ପ୍ରଦାନକାରୀ ଅନୁଷ୍ଠାନ ଯେପରି ସ୍କୁଲ, କଲେଜ, ହସ୍‌ପିଟାଲ ଧୀରେ ଧୀରେ ସରକାରୀ ବସର ପଦାଙ୍କ ଅନୁସରଣ କଲା । ଲୋକେ ଥଟ୍ଟା କରିବାକୁ ପାଦେ ଆଗେଇ ଯାଇ ସରକାରୀ ବସକୁ ସରକାରୀ ଘର ସହ ତୁଳନା କଲେ, ଯାହାର ବାହାର ରଙ୍ଗ କାଇମାଟିର ପ୍ରଲେପରେ ଈଷତ୍‌ ହଳଦିଆ, ଭିତର ଚୂନଧଉଳା, ସାମାନ୍ୟ ନୀଳବଡ଼ି ସହିତ।
ସରକାରଙ୍କ ଏହି ପ୍ରକାର ବାହ୍ୟଚିତ୍ର ପ୍ରଦର୍ଶିତ ହେଉଥିଲାବେଳେ, ସରକାରୀ ଅଫିସଗୁଡ଼ିକରେ ‘ସରକାର’ ଶବ୍ଦର ବ୍ୟାପକ ନକାରାତ୍ମକ ବ୍ୟବହାର ହେବାକୁ ଲାଗିଲା, ଯାହା ସ୍ଥଳବିଶେଷରେ ଏତେ ବେଦନାଦାୟକ ହେଲା ଯେ ଲୋକେ ସରକାର ବ୍ୟବସ୍ଥାଠୁ ମୁହଁ ଫେରାଇବାକୁ ଲାଗିଲେ । ପେନ୍‌ସନ ହେଉ ଅବା ରିଲିଫ ପାଣ୍ଠିରୁ ସାହାଯ୍ୟ ହେଉ ଅବା ଜରୁରୀ ସ୍ବାସ୍ଥ୍ୟଗତ କାରଣରୁ ବଦଳିର ପ୍ରାର୍ଥନା ହେଉ କୌଣସି ସରକାରୀ ଅଫିସ ଗଲେ ଉତ୍ତର ମିଳିଲା, ଆମେ ଆପଣଙ୍କ ଦରଖାସ୍ତ/ଫାଇଲ ‘ସରକାର’ଙ୍କ ପାଖକୁ ପଠେଇ ଦେଇଛୁ । ତା’ପରେ ଯଦି ପ୍ରଶ୍ନ କରାଯାଏ, କେତେଦିନ ଲାଗିବ କାମ ହେବାକୁ ବା ପ୍ରକୃତରେ ଏହି କାମ ବିଭାଗର, କେଉଁ ସ୍ତରରେ ସମ୍ପାଦିତ ହେବ? ସବୁବେଳେ ଏକ ରୁକ୍ଷ, ନିଷ୍ଠୁର ଉତ୍ତର ମିଳେ, ‘ଆମେ ଜାଣିନୁ; ସେ କଥା କହି ହେବନି । ’ ‘ସରକାର’ ଶବ୍ଦଟିକୁ ସରକାରୀ କର୍ମଚାରୀମାନେ ପରଦା ବା ଝାଡୁ ହିସାବରେ ବ୍ୟବହାର କଲେ। ଅର୍ଥାତ୍‌ ନିଜର ଅପାରଗତା, ଉଦାସୀନତା, ଅବହେଳାକୁ ଆଚ୍ଛାଦିତ କରିବାକୁ ସେମାନେ ‘ସରକାର ଜାଣନ୍ତି’, ‘ସରକାର ଯାହା କରିବେ’ ଇତ୍ୟାଦି କହି ଜନସାଧାରଣକୁ ଭଣ୍ଡାଇଲେ, ପୁଣି କେତେବେଳେ ‘ସରକାର’ ଶବ୍ଦଟିଏ ବ୍ୟବହାର କରି ନିଜ ଉପସ୍ଥିତିରୁ ଗୁହାରିକାରୀଙ୍କୁ ଝାଡୁମାରି ତଡ଼ିଦେବା ପରି ବ୍ୟବହାର କଲେ । ଅଥଚ ପଦସ୍ଥ ଅଫିସରମାନେ ‘ସରକାର’ ଶବ୍ଦଟିର ଏ ପ୍ରକାର ବ୍ୟବହାର ଜନସାଧାରଣଙ୍କୁ କି ପ୍ରକାର ହତାଶ କରୁଛି, ଯନ୍ତ୍ରଣା ଦେଉଛି, ବେଳେବେଳେ ମୃତ୍ୟୁର କାରଣ ପାଲଟୁଛି ତାହା ପରଖିବାକୁ କେବେ ଚେଷ୍ଟା କଲେ ନାହିଁ । ବରଂ କର୍ମଚାରୀମାନଙ୍କ ଆନ୍ଦୋଳନ ବା କିଛି ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ ବେଳେ ଚତୁରତାର ସହ ପରିସ୍ଥିତି କବଳରୁ ଖସିିଯିବା ପାଇଁ ସେମାନେ ମଧ୍ୟ ତଳିଆ କର୍ମଚାରୀ ପରି ‘ସରକାର’ ‘ସରକାର’ କହିବାକୁ ଲାଗିଲେ । ଏହି ‘ସରକାର’ ଶବ୍ଦଟିକୁ ନେଇ ଏତେ ବିଭ୍ରାନ୍ତି ସୃଷ୍ଟି ହେଲା ଯେ, ଓଡ଼ିଶା ହାଇକୋର୍ଟ ଏକ ମାମଲାର ବିଚାର କରି ସ୍ପଷ୍ଟୀକରଣ ଦେଲେ ଯେ ସର୍ବନିମ୍ନ କର୍ମଚାରୀ ପାଖରୁ ମୁଖ୍ୟସଚିବ ପର୍ଯ୍ୟନ୍ତ ସମସ୍ତେ କର୍ମଚାରୀ; ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ, ଯେଉଁମାନେ ଶେଷ ସିଦ୍ଧାନ୍ତ ନେଇ ପାରିବେ, ସେମାନେ ହେଲେ ସରକାର। ଅଥଚ ସବୁ ସରକାରୀ କର୍ମଚାରୀ ନିଜକୁ ସରକାର ବୋଲାଉଛନ୍ତି । ଏମାନଙ୍କ ଭିତରେ ଅର୍ଥବିଭାଗ ନିଜକୁ ‘ଅଧିକ ସରକାର’ ବୋଲି ଭାବେ ।
ଅନେକ ସମୟରେ ଦେଖାଯାଏ ଶିକ୍ଷା ବିଭାଗର ଜରୁରୀ ଖର୍ଚ୍ଚକୁ ଅର୍ଥ ବିଭାଗ ବିରୋଧ କରୁଥିଲାବେଳେ ଭୋଟବ୍ୟାଙ୍କ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଫାଲତୁ ଖର୍ଚ୍ଚପାଇଁ ସେହି ଅର୍ଥବିଭାଗ ସମ୍ବଳ ଠାବ ଅବା ସଂଗ୍ରହର ନୂତନ ଫର୍ମୁଲା ଅତି ତପତ୍ରତାର ସହ ପ୍ରକାଶ କରନ୍ତି। ସରକାର ଓ ସରକାରୀ ବ୍ୟବସ୍ଥାକୁ ନେଇ ଯାବତୀୟ ନକାରାତ୍ମକ ଟିପ୍ପଣୀ ସତ୍ତ୍ୱେ କର୍ମଚାରୀ ତଥା ଉଚ୍ଚ କର୍ତ୍ତୃପକ୍ଷଙ୍କ ବ୍ୟବହାରରେ କିଛି ପରିବର୍ତ୍ତନ ହୋଇନାହିଁ ।
ଆଦର୍ଶ ଦୃଷ୍ଟିକୋଣରୁ ସରକାରଙ୍କ ବିକଳ୍ପ ନାହିଁ ।
ସରକାର ଯାହା କରିବେ କୌଣସି ଘରୋଇ ଉଦ୍ୟୋଗ ବା ସଂସ୍ଥା ତାହା କରିବ ନାହିଁ । ସରକାର ପ୍ରକୃତରେ ଏକ କଲ୍ୟାଣକାରୀ ଅନୁଷ୍ଠାନ ଯାହା ଲାଭକ୍ଷତି ଦେଖେ ନାହିଁ । ସରକାରୀ ବ୍ୟବସ୍ଥାକୁ ନେଇ ଜନମାନସରେ ସୃଷ୍ଟି ହୋଇଥିବା ଏହି ପ୍ରତିକୂଳାତ୍ମକ ଚିତ୍ରର ଛାଇରୁ ସରକାରଙ୍କୁ ବାହାରି ଆସିବାକୁ ପଡ଼ିବ । ସରକାର କହିଲେ ଯେଉଁ ଅପାରଗତା, ଅବହେଳା, ଭ୍ରଷ୍ଟାଚାର, ଅବିନ୍ୟସ୍ତ ଭାବର ଚିତ୍ର ମନକୁ ଆସୁଛି, ସେଥିରୁ ମୁକୁଳିବାର ବାଟ ବାହାର କରିବାକୁ ପଡ଼ିବ । ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇଁ ପ୍ରମାଣ କରିବାକୁ ପଡ଼ିବ, ସରକାରୀ ଅଫିସ ଭିତରେ ତଥା ବାହାରେ ସୁନ୍ଦର; ସରକାରୀ କର୍ମଚାରୀମାନେ ସ୍ବଚ୍ଛ, ନିଷ୍ଠାପର ତଥା ଦକ୍ଷ; ସରକାରୀ ନିଷ୍ପତ୍ତି ନିରପେକ୍ଷ, ଯୁକ୍ତିଯୁକ୍ତ ତଥା ଦ୍ରୁତ । ବାହ୍ୟରୂପ ଦୃଷ୍ଟିରୁ ରାଜଧାନୀସ୍ଥ ନୂତନ କୃଷିଭବନ ବା ପୋଲିସ କମିଶନରେଟ କୋଠା ଜନସାଧାରଣଙ୍କ ଯଥେଷ୍ଟ ପ୍ରଶଂସା ସାଉଁଟେ।
ଏବେ ବି ଅନେକ ସଚ୍ଚୋଟ, ନିଷ୍ଠାପର, ସାଧୁ କର୍ମଚାରୀ ଅଛନ୍ତି ଯେଉଁମାନଙ୍କୁ ଉତ୍ସାହିତ କରି ଆଗକୁ ଆଣିଲେ ସେମାନେ ସରକାରଙ୍କ ପାଇଁ ଜନସାଧାରଣଙ୍କ ମହଲରେ ‘ରାଷ୍ଟ୍ରଦୂତ’ ପାଲଟି ପାରିବେ । ଲୋକେ ସେମାନଙ୍କୁ ଦେଖି, ସେମାନଙ୍କ ସେବା ଲାଭ କରି ସରକାରଙ୍କୁ ତଉଲିବାକୁ ଲାଗିବେ ।
ନିକଟରେ ଜେଇ ମେନ୍‌ ବା ନିଟ୍‌ ପ୍ରବେଶିକା ପରୀକ୍ଷା ଦେବାପାଇଁ ମନୋନୀତ ଛାତ୍ରୀଛାତ୍ରମାନଙ୍କ ନିରାପଦ ପରିବହନ, ରହଣି, ଖାଦ୍ୟପେୟର ବ୍ୟବସ୍ଥା କରି ସରକାର ଯେଉଁ ଉତ୍ତମ ପଦକ୍ଷେପଟି ନେଲେ ସେହି ପ୍ରକାର ପଦକ୍ଷେପ ଏକ ବିରଳ ଉଦାହରଣ ହୋଇ ରହିଯିବା ଉଚିତ ନୁହେଁ । ବରଂ ଅନ୍ୟାନ୍ୟ ସେହିପ୍ରକାର ପଦକ୍ଷେପ ନେଇ ପ୍ରମାଣ କରିବାକୁ ପଡ଼ିବ ସରକାର ହିଁ ଜନସାଧାରଣଙ୍କ ଅନ୍ତିମ ସାହା, ଭରସା।
ଅପବ୍ୟବହୃତ ଅବସ୍ଥାରେ ‘ସରକାର’ ଶବ୍ଦ ଏକ ଯନ୍ତ୍ରଣା, ସମୟ କିଣିବା ପାଇଁ ଏକ ଆୟୁଧ ଏବଂ ପଳାୟନବାଦର ଏକ ନମୁନା। କିନ୍ତୁ ସରକାରଙ୍କୁ ସରକାର ଏକା ବଞ୍ଚେଇ ପାରିବେ ନାହିଁ । ଯେହେତୁ ସରକାର ମାନବଚାଳିତ, ସରକାରୀ କର୍ମଚାରୀ ତଥା ଜନ ସାଧାରଣ ଉଭୟଙ୍କ ଲୋକଚରିତ୍ର ନ ବଦଳି ଯାଏ ଏହା ସମ୍ଭବ ନୁହେଁ। ତେବେ ଜନସାଧାରଣ ସେମାନଙ୍କ ଅଧିକାର ବିଷୟରେ ସଚେତନ; ସେମାନେ ସମାଲୋଚନାପ୍ରବଣ କିନ୍ତୁ କର୍ତ୍ତବ୍ୟ ପରାୟଣ ନୁହନ୍ତି। ତେଣୁ ସରକାର ଅଧିକ ସକ୍ରିୟ ହୋଇ ପ୍ରଥମ ପାଦ ବଢ଼େଇ ଜନସାଧାରଣଙ୍କ ବିଶ୍ୱାସଭାଜନ ହେଲେ ହୁଏତ ସର୍ବସାଧାରଣ ମଧ୍ୟ ସେମାନଙ୍କ ବ୍ୟବହାର ତଥା ଚିନ୍ତନରେ ପରିବର୍ତ୍ତନ ଆଣିବେ। ନଚେତ ସାମୂହିକ ଜନତାଙ୍କୁ ଖାଲି ଅନୁତାପ କରିବାକୁ ପଡ଼ିବ କାରଣ ରାଜନୀତି ବିଜ୍ଞାନରେ କଥାଟିଏ ଅଛି ଲୋକେ ସେହି ସରକାର ପାଆନ୍ତି, ଯେଉଁଥି ପାଇଁ ସେମାନେ ଯୋଗ୍ୟ!
ପୂର୍ବତନ ଅଧ୍ୟକ୍ଷ, ଜେଲ୍‌ରୋଡ଼, ବାଲେଶ୍ୱର, ମୋ:୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଏକ ସମାନ୍ତରାଳ ଜିଏସ୍‌ଟି

ଆମ ଦେଶରେ ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ ଦୃଷ୍ଟିକୋଣରୁ କୃଷକମାନଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି। ରାଜନୈତିକ ଦଳ ଏମାନଙ୍କର ବିରୋଧୀ ମଧ୍ୟ ହେବାକୁ ଚାହାନ୍ତିନି। ଏମାନଙ୍କୁ...

ଏଇ ଭାରତରେ

ଗତ ୪ଶହ ବର୍ଷ ଧରି ମଧ୍ୟପ୍ରଦେଶର ରାଜଗଡ଼ ଜିଲା ସଙ୍କ୍‌ ଶ୍ୟାମ୍‌ ଜୀ ଗାଁରେ କୌଣସି ଶିଶୁଙ୍କ ଜନ୍ମ ହୋଇନି। ଭୋପାଳଠାରୁ ଏହି ଗାଁର ଦୂରତା...

ପୋଲିସବାବୁ ମୁହାଁମୁହିଁ

ସଂଘୀୟ ବ୍ୟବସ୍ଥାରେ ଏହା ଏକ ଭୟାନକ ପରିଣାମ ଆଣିବ ବୋଲି ଆମେ ମନେକରୁଛୁ । ବଲିଉଡ କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ଦୁଃଖଦ ମୃତ୍ୟୁ ଏବେ...

ମହାମାରୀର ମହାଗାଥା ଓ ମହାମନ୍ତ୍ର

ଅରୁଣ କୁମାର ପଣ୍ଡା କରୋନା ଭାଇରସର ମୁକାବିଲା ପାଇଁ ସମଗ୍ର ଦେଶରେ ସମ୍ପୂର୍ଣ୍ଣ ତାଲା ବନ୍ଦ (ଲକ୍‌ଡାଉନ୍‌) ଘୋଷଣା କରାଯାଇଛି। କୋଭିଡ୍‌-୧୯କୁ ବ୍ୟାପିବାରୁ ରୋକିବା ପାଇଁ...

କେନ୍ଦ୍ର ବଜେଟ ଓ ଗାଁ ଲୋକଙ୍କ ଆୟ ବୃଦ୍ଧି

ନଟବର ଖୁଣ୍ଟିଆ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୦-୨୧ ବଜେଟରେ ଗ୍ରାମାଞ୍ଚଳ ବିକାଶ ପ୍ରତି ଗୁରୁତ୍ୱ ଦେଇଛନ୍ତି। ୨୦୧୯ ଶେଷ ଭାଗରେ ରିପୋର୍ଟ ପ୍ରକାଶ ପାଇଲା...

ଆଜିର ଅର୍ଥନୀତି/ସୁଧ କମାଅ

ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ରେପୋ ରେଟ୍‌ (ଦରକାର ବେଳେ ଯେଉଁ ସୁଧହାରରେ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକ ରିଜର୍ଭ ବ୍ୟାଙ୍କଠାରୁ ଋଣ ନିଅନ୍ତି) ୩୫ ବେସିସ୍‌ ପଏଣ୍ଟ...

ବିବାହ ଓ ସନ୍ତାନ

ଡା. କାନ୍ତୀ ନାୟକ ପ୍ରଖ୍ୟାତ ବ୍ରିଟିଶ୍‌ ଦାର୍ଶନିକ ବଟ୍ରାଣ୍ଡ ରସେଲ୍‌ ବିବାହ ନାମକ ସାମାଜିକ ଅନୁଷ୍ଠାନର ତନ୍ନ ତନ୍ନ ଅନୁଶୀଳନ କରି କହିଥିଲେ ଯେ, ମୁଖ୍ୟତଃ...

ଶ୍ରୀଜୀଉଙ୍କ ମାଉସୀ ମା’

ପ୍ରଫୁଲ୍ଲ କୁମାର ସାହୁ ରଥ ଦ୍ରୁତଗତିରେ ଆଗେଇ ଚାଲିଛି ଅଯୋଧ୍ୟା ଅଭିମୁଖେ। ଗୁରୁ ବଶିଷ୍ଠଙ୍କ ସହସା ଡାକରା ପାଇ ମାତୁଳାଳୟରୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଭରତ ଓ...

Play 250+ Trending Games
Archives

Model This Week

Why Dharitri