ଭଲ ମଣିଷ ପାଗଳ

ସରକାରୀ ବ୍ୟବସ୍ଥା ଭିତରେ ରହି ବ୍ୟବସ୍ଥାକୁ ବିରୋଧ କରି ଦାଣ୍ଠ୍‌ରେ ରହିବା ବହୁ କଷ୍ଟକର। କାରଣ ଆଜିର ସମୟରେ ବଡ଼ବଡ଼ିଆଙ୍କ ବିରୋଧରେ ମୁହଁ ଖୋଲିଲେ ପରିଣତି କେତେ ଭୟଙ୍କର ହୋଇଥାଏ ସେହି ବିଷୟରେ ସମସ୍ତେ ଜାଣନ୍ତି। ବିଶେଷକରି ପୋଲିସ ପ୍ରଶାସନକୁ ସମାଲୋଚନା କଲେ ଆପଣଙ୍କ ସ୍ଥିତି ଅସମ୍ଭାଳ ଓ ଭୟଙ୍କର ହୋଇଯିବ। ଓଡ଼ିଶା ସମେତ ଭାରତର ସବୁ ରାଜ୍ୟରେ ସମାନ ଅବସ୍ଥା। ଆମ ରାଜ୍ୟରେ ଦୁର୍ନୀତି ବିରୋଧରେ ସ୍ବର ଉଠାଇଥିବା ଜଣେ ଚାକିରିଆଙ୍କୁ ବ୍ୟବସ୍ଥା କିଭଳି ପାଗଳ ଆଖ୍ୟା ଦେଇଛି, ତାହା ଏବେ ହାସ୍ୟାସ୍ପଦ ମନେହେଉଛି।
ଗତ ସପ୍ତାହରେ ପୁରୀ ଜିଲା ଅବକାରୀ ବିଭାଗର ମୋବାଇଲ ସ୍କ୍ବାଡ୍‌ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଉଭୟ ପୁରୀ ପୋଲିସ ଓ ଜିଲା ଅବକାରୀ ଅଧୀକ୍ଷକଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ରାଜ୍ୟ ପ୍ରଶାସନ ଓ ଶାସନରେ ହଇଚଇ ସୃଷ୍ଟି ହୋଇଥିଲା। ସଞ୍ଜୟ ଅଭିଯୋଗ କରିଥିଲେ ଯେ, ଅବକାରୀ ବିଭାଗ ଚଢ଼ାଉ କରୁଛି। ମାତ୍ର ପୁରୀ ପୋଲିସ ନିଶା ବେପାରୀଙ୍କଠାରୁ ଅର୍ଥ ନେଇ ସେମାନଙ୍କୁ ଛାଡ଼ି ଦେଉଛି। ସଞ୍ଜୟଙ୍କ ଏହି ମତ ଯେ ସମ୍ପୂର୍ଣ୍ଣ ସତ୍ୟ, ସେ ସମ୍ପର୍କରେ କୌଣସି ସାଧାରଣ ନାଗରିକର ସନ୍ଦେହ ରହିବା ଉଚିତ ନୁହେଁ। ସଞ୍ଜୟ ଆହୁରି ମଧ୍ୟ କହିଥିଲେ, ନିଶା ବେପାରୀମାନେ ଅବକାରୀ ବିଭାଗକୁ ଡରୁ ନାହାନ୍ତି। ଅବକାରୀ ବିଭାଗରେ ପୋଲିସର ହସ୍ତକ୍ଷେପ ବଢ଼ୁଛି। ପୁରୀ ଅବକାରୀ ଅଧୀକ୍ଷକ ମଧ୍ୟ କୌଣସି କଥାକୁ ଗୁରୁତ୍ୱର ସହ ନେଉନାହାନ୍ତି କିମ୍ବା ପୋଲିସର ହସ୍ତକ୍ଷେପକୁ ବିରୋଧ କରୁନାହାନ୍ତି। ଏସବୁ ବିଷୟକୁ ନେଇ ସଞ୍ଜୟ ଅବକାରୀ କମିଶନରଙ୍କୁ ଚିଠି ଲେଖିଥିଲେ। ଘଟଣା ପ୍ରଘଟ ହେବା ପରେ ସଞ୍ଜୟଙ୍କୁ କିଭଳି ପାଗଳ ପ୍ରମାଣିତ କରିହେବ ସେଥିନେଇ ପୋଲିସ ସ୍ତରରେ ଯୋଜନା କରାଯାଇଥିବା ଘଟଣାପ୍ରବାହକୁ ଦେଖିଲେ ବୁଝିବା କଷ୍ଟକର ନୁହେଁ। ପୁରୀ ଅବକାରୀ ଅଧୀକ୍ଷକ ଏହି ଘଟଣା ଉପରେ ଯେଭଳି ମତ ରଖିଛନ୍ତି ତାହା ସାଧାରଣରେ ଗ୍ରହଣଯୋଗ୍ୟ ହୋଇ ନ ପାରେ। କାରଣ ନିଜ ପ୍ରତିକ୍ରିୟାରେ ଅବକାରୀ ଅଧୀକ୍ଷକ କହିଛନ୍ତି, ସଞ୍ଜୟ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଔଷଧ ଖାଉଥିବା ତାଙ୍କ ଭଉଣୀ ଓ ସ୍ତ୍ରୀ ପୂର୍ବରୁ ତାଙ୍କୁ କହିଥିଲେ। କିନ୍ତୁ ଅବକାରୀ ଅଧୀକ୍ଷକଙ୍କୁ ପଚାରିବାରୁ ସେ ସଞ୍ଜୟଙ୍କ ବାସ୍ତବ ମାନସିକ ସ୍ଥିତି ସମ୍ପର୍କରେ ଆଲୋକପାତ କରିପାରିବେ ନାହିଁ ବୋଲି କହିଛନ୍ତି। ଏଥିରୁ ବୁଝିବା କଷ୍ଟକର ନୁହେଁ ଯେ, ବିଭାଗୀୟ ଅଧିକାରୀ ଏବେ ଲାଗିପଡ଼ି ସଞ୍ଜୟଙ୍କୁ ମାନସିକ ରୋଗଗ୍ରସ୍ତ ପ୍ରମାଣିତ କରିପାରିଲେ ଚାକିରି ବଞ୍ଚାଇବେ। ତାଙ୍କର ଏହି ଉଦ୍ୟମ ସହିତ ପୁରୀ ଜିଲା ପୋଲିସର ସବୁ ଶକ୍ତି ନିଶ୍ଚିତ ଭାବେ ଲାଗିପଡ଼ିଥିବ। ଉଭୟ ବିଭାଗର ପ୍ରବଳ ଚାପରେ ବୋଧଗମ୍ୟ ମଣିଷ ମଧ୍ୟ ଭୟଭୀତ ହୋଇଯିବ। ସଞ୍ଜୟ ଜଣେ କନିଷ୍ଠ ସରକାରୀ କର୍ମଚାରୀ ହୋଇଥିବାରୁ ତାଙ୍କ ମାନସିକ ଭାରସାମ୍ୟକୁ ଦୋହଲାଇ ଦେବା ସକାଶେ ଏହିଭଳି ଚାପ ଯଥେଷ୍ଟରୁ କାହିଁ ଅଧିକ।
ଅନ୍ୟପକ୍ଷରେ ସଞ୍ଜୟ ପ୍ରଶ୍ନ କରିଛନ୍ତି, ସେ ଯଦି ପାଗଳ ବୋଲି ପୂର୍ବରୁ ଜଣାପଡ଼ିଥିଲା, ତେବେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ହୋଇ ନ ଥିଲା। ଅବକାରୀ ଅଧୀକ୍ଷକ ନିଜକୁ ବଞ୍ଚାଇବାକୁ ଯାଇ ତାଙ୍କୁ ପାଗଳ ଆଖ୍ୟା ଦେଇଛନ୍ତି ବୋଲି ସଞ୍ଜୟ ଯେଉଁ ଯୁକ୍ତି ବାଢ଼ିଥିଲେ, ତାହା ଅତ୍ୟନ୍ତ ବିଶ୍ୱାସଯୋଗ୍ୟ। ତେବେ ଅତି କୌତୂହଳର ବିଷୟ ଯେ, ଯେଉଁ ସଞ୍ଜୟ ଗତ ୪ ଦିନ ଧରି ନିଜ ବିଭାଗର ଉପରିସ୍ଥ ଅଫିସର ଓ ପୋଲିସ ବିଷୟରେ ବିଷୋଦ୍‌ଗାର କରୁଥିଲେ ଅଚାନକ ୭ ଜୁନ୍‌ରେ ମତ ପରିବର୍ତ୍ତନ କରିଦେଇଛନ୍ତି। ଏକ ଭିଡିଓ ଜାରି କରି ସେ କହିଛନ୍ତି, ତାଙ୍କୁ ୨୦୨୦ ଅକ୍ଟୋବରରେ କୋଭିଡ୍‌ ହୋଇଥିଲା। ସେଥିପାଇଁ ତାଙ୍କ ମାନସିକ ସ୍ବାସ୍ଥ୍ୟ ବିଗିଡ଼ିଯାଇଛି। ସେ ଆରୋଗ୍ୟ ହେବା ପାଇଁ ଯେଉଁ ଔଷଧ ଖାଉଥିଲେ ତାହା ମାସେ ହେବ ମିଳୁ ନ ଥିବାରୁ ମାନସିକ ସ୍ଥିତି ଆହୁରି ବିଗିଡ଼ିଯାଇଛି। ଜିଲା ଅବକାରୀ ଅଧୀକ୍ଷକ ଭଲ ଓ ପୁରୀ ପୋଲିସ ସବୁ କାର୍ଯ୍ୟରେ ସହଯୋଗ କରନ୍ତି ବୋଲି ସଞ୍ଜୟ କହିବା ପରେ ପୁରୀବାସୀ ହସିବା କଥା।
ପୁରୀ ପୋଲିସ ହୁଅନ୍ତୁ ବା ଦେଶର ଯେକୌଣସି ପ୍ରାନ୍ତର ଏହି ଆଇନଶୃଙ୍ଖଳା ରକ୍ଷାକାରୀ ବାହିନୀର ଚରିତ୍ର ବିଷୟରେ ଜନସାଧାରଣ ଭଲ ଭାବେ ଅବଗତ। ସମସ୍ତେ ଜାଣନ୍ତି, ଅନେକ ଢାବା ଓ ରେଷ୍ଟୁରାଣ୍ଟରେ ‘ପୋଲିସ ମିଲ୍‌’ ପ୍ରସ୍ତୁତ କରାଯାଇ ରଖାଯାଇଥାଏ। ପଚାଶଢ଼ା ପନିପରିବା, ପୁଣ୍ଟି, ଚର୍ବି ଏପରିକି ଅଇଁଠା ଓ ବଳିଥିବା ଖାଦ୍ୟକୁ ମିଶାଯାଇ ପ୍ରସ୍ତୁତ ହୋଇଥିବା ବିରିୟାନୀ ସେମାନଙ୍କୁ ଯୋଗାଇ ଦିଆଯାଏ। ସେଥିପାଇଁ ସାଧାରଣରେ କୁହାଯାଇଥାଏ ଯେ, ଥାନାରେ ବିରିୟାନୀ ଖାଅ ନାହିଁ। ପୋଲିସ ପ୍ରତି ଏଭଳି ଘୃଣାଭାବ ପାଇଁ ପୋଲିସ ନିଜେ ଦାୟୀ। ଏହା ସତ୍ୟ ଯେ ଉପରିସ୍ଥ ଅଧିକାରୀଙ୍କ ଆଶୀର୍ବାଦ ନ ଥିଲେ ତଳ ସ୍ତରର କର୍ମଚାରୀ ଉଦୁରମତ୍ତା ହୋଇ ବଟି ଆଦାୟଠାରୁ ଆରମ୍ଭକରି ଯାବତୀୟ ବେଆଇନ କାର୍ଯ୍ୟ କେବେ କରିପାରନ୍ତେ ନାହିଁ।
ଏବେ ଦୁର୍ନୀତି ପଦାରେ ପକାଇ ଦେଇଥିବାରୁ ପୁରୀ ପୋଲିସ ଓ ଅବକାରୀ ଅଧିକାରୀମାନେ ମାଡ଼ିବସି ସଞ୍ଜୟ ପଣ୍ଡାଙ୍କୁ ପାଗଳ କରିଦେବାକୁ ସବୁ ଖଞ୍ଜ କରିଛନ୍ତି। ୪ ଦିନ ତଳର ସଞ୍ଜୟଙ୍କ ମତ ଓ ଏବର ପ୍ରତିକ୍ରିୟାକୁ ମିଶ୍ରଣ କରି ଦେଖିଲେ ଜଣେ ଅତି ସାଧାରଣ ବ୍ୟକ୍ତି ଭଲ ଭାବେ ଜାଣିପାରିବେ ବ୍ୟବସ୍ଥା ଚାହିଁଲେ ସଚ୍ଚୋଟ କର୍ମଚାରୀଙ୍କୁ କିଭଳି ପାଗଳ କରିଦେଇପାରେ। ପରବର୍ତ୍ତୀ ସମୟରେ ବିଭାଗୀୟ ଚାପରେ ତାଙ୍କୁ ସମ୍ପୂର୍ଣ୍ଣ ପାଗଳ ବୋଲି ପ୍ରମାଣିତ କରିଦିଆଯାଇ ଚାକିରିରୁ ହୁଏତ ବିଦା ମଧ୍ୟ କରିଦିଆଯାଇପାରେ। ଆଜିର ସମୟରେ ସେହି ପରିଚିତ ଢଗ ‘ଖଜୁରି ଗଛର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ’ର ପ୍ରାସଙ୍ଗିକତା ସ୍ପଷ୍ଟ ବୁଝାପଡ଼ିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?