ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି ଆସିଥିବା ଅତିଥିମାନଙ୍କ ଭିତରୁ ଯେବେ କେହି କହିଦିଏ ‘ଏହି ପିଲାଟି ଭାରି ଭଲ ପିଲା, ମାଛିକୁ ମର କୁହେନାହିଁ’ ସେତେବେଳେ ମୁଁ ମୁରୁକି ହସେ। ମନେମନେ ଶପଥନିଏ ସାରା ଜୀବନ ଏମିତି ସୁନାପିଲା ହୋଇ ରହିବି। ଭେଟୁଥିବା ଚାରିପଟର ଲୋକଙ୍କ ମୁହଁରୁ ସବୁଦିନେ ମୋ ପାଇଁ ସୁନାପିଲା ବୋଲି ଶବ୍ଦଟିଏ ବାହାରୁଥିବ। ଆଉ ମୁଁ ସେହି ଶବ୍ଦର ମାୟାଜାଲରେ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ମୁଦ୍ରାରେ ଜୀବନ ବଞ୍ଚୁଥିବି।
ସତରେ ସୁନାପିଲା ହେବା ଭାରି ସହଜ। କେଡ଼େ ଆରାମ ଦାୟକ ସତେ! ସୁନାପିଲା ମାନେ ପିଲାଟିବେଳୁ ଆଈମାର କାହାଣୀ ଶୁଣୁ ଶୁଣୁ ନିଦରେ ଶୋଇଯାନ୍ତି। କାହାଣୀରେ କେଉଁ କଥାଟା ଯଦି ମନକୁ ନ ପାଏ, ପ୍ରଶ୍ନଟିଏ ଯଦି ଖୁଜୁରୁବୁଜୁରୁ ହୁଏ ମନରେ, ବଡ଼ ସହଜରେ ସେସବୁକୁ ଚାପି ରଖନ୍ତି ଛାତି ଭିତରେ। କାହାଣୀର ଖିଅ ଛିଡ଼ିଯିବ,କାଳେ ଶୁଣୁଥିବା ପିଲା ଭିତରୁ କେହି ବିରକ୍ତ ହେବେ, ଏହି ଭୟରେ ସେ ବହୁ ପ୍ରଶ୍ନକୁ ତକିଆ କରି ଶୋଇ ପଡ଼େ ନିଦରେ। କାରଣ ତାକୁ ପିଲାଟି ବେଳୁ ଶିଖାଯାଇଛି ‘ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଶ ନ ଯାଅ ଦନାଇ।’ ହେତୁ ହେଲା ଦିନଠୁ ବଡ଼ଙ୍କଠାରୁ ଶୁଣିଛି, ‘ହଲିଲା ପାଣିଜୁ ଗୋଡ଼ ବଢ଼େଇବା ମନା।’ ‘ସ୍ବର୍ଗକୁ ନିଶୁଣି ନାହିଁ,ବଡ଼ ଲୋକଙ୍କୁ ଉତ୍ତର ନାହିଁ’। ”ଧାଇଁବୁ ଯେତେ, ଦଉଡିବୁ ଯେତେ, କରମଯେତେ ଫଳିବ ସେତେ।“ ତେଣୁ ଭାଗ୍ୟରେ ତାର ଭାରି ବିଶ୍ୱାସ।
ଅଳ୍ପରେ ସେ ସନ୍ତୁଷ୍ଟ। ଦିଗ୍‌ବଳୟକୁ ଚାହିଁ ତା’ର ଆର ପାରିରେ କ’ଣ ଅଛି ବୋଲି ଥରୁଟିଏ ବି ସେ ଭାବିବାକୁ ଚେଷ୍ଟା କରିନି। ରାତିରେ ଘାସ ପଡିଆ ମଝିରେ ଏକୁଟିଆ ଖୋଲା ଆକାଶକୁ ଚାହିଁ ସେ କେବେ ଆଶ୍ଚର୍ଯ୍ୟ ହୋଇନି। ସମୁଦ୍ର କାହିଁକି ନୀଳ ଦିଶେ,ଏପ୍ରଶ୍ନ କେବେ ସେ ନିଜକୁ ପଚାରିନି। ଜୀବନ ଯାକ ପାଦ ଚିହ୍ନରେ ଅତି ନିରାପଦରେ ଚାଲିବାକୁ ସୁଖ ମଣିଛି। ଆତଟି ଉପରକୁ ଉଠି ନ ଯାଇ କ’ଣ ପାଇଁ ଖସିପଡ଼େ ମାଟିରେ,ଏ ପ୍ରଶ୍ନ କରିବାର ଦୁଃସାହସ କେବେ ବି କରିନି।
ସେ ସୁନାପିଲା। ସବୁଦିନେ କଥାମାନିବ। ଗହୀର ନିଦରୁ ଉଠିପଡ଼ି ପ୍ରାତଃ ଭ୍ରମଣରେ ଯିବ। ହାତରେ ଝୁଲା ଧରି ପରିବାର ପାଇଁ ପରିବା ବୋହି ଆଣିବ ଘରକୁ। ସଫା ଗାମୁଛାକୁ କେଡେ ବାଗରେ କଛା ମାରି ଠାକୁରଙ୍କ ପାଖରେ ଆଳତି କରିବ। ଉପର ପକେଟରେ ତୁଳସୀ ରଖି କାମକୁ ବାହାରି ଯିବ। ସେ ବାଟ ଚାଲୁଥିଲା ବେଳେ ମୁହଁ ଟେକି କାହାକୁ ଚାହିଁବନି। ସାରା ଜୀବନ ପତ୍ନୀର ପଣତ କାନିରେ ବାନ୍ଧି ହୋଇ ରହିବ। ପିଲାମାନଙ୍କୁ ପାଠ ପଢ଼େଇ ମଣିଷ କରିବ। ଚାକିରିରୁ ଅବସର ନେଇ କୋଠାଟିଏ ତୋଳି ବାକି ସମୟତକ କ୍ଲବରେ ତାସ ଖେଳି ବା ମଠରେ ମାଳା ଗଡେଇ ଆରାମରେ ବିତାଇଦେବ। ମଲାବେଳକୁ ଲୋକେ କୁହାକୁହି ହେବେ ”ଆହା! କେଡେ ସୁଧାର ଲୋକଟି ଥିଲା ସତରେ! ଜୀବନରେ ଥରୁଟିଏ ପାଇଁ ବି ତାର କାହା ସହ ଉଚ୍ଚବାଚ ହୋଇନି, ଅଜାତଶତ୍ରୁ।“
ସୁନାପିଲାମାନଙ୍କର ଭାରି ଆଦର ସବୁଦିନେ, ସବୁ ସମାଜରେ। କାରଣ ସୁନାପିଲାଟି କେବେ ବାଡ଼ ଡେଇଁ ଫୁଲ ତୋଳିନି। ପ୍ରେମ-ଚିଠି ଲେଖି ଧରା ପଡିନି। ‘ସାର! ଆପଣ ଭୁଲ ପଢ଼େଇଥିଲେ’ କହି ନାକଘସା ଖାଇନି। କଲେଜରେ ଗୁଣ୍ଡାପଶି ପିଲାଙ୍କୁ ମାରୁଥିଲା ବେଳେ ତା’ର ପ୍ରତିବାଦ କରିନି। ଆନ୍ଦୋଳନର ଆଗରେ ରହି ପୋଲିସର ଲାଠିମାଡ଼ ଖାଇନି। ଗାଁ ଟାଉଟର, କୁଜି ନେତାକୁ ଜବାବ ଦେଇ ନିରୀହ ଖଟିଖିଆ ମୂଲିଆ ପାଇଁ କଥା ଦି’ପଦ କହି ଥାନା ହାଜତରେ ଦୁଇ ରାତି କଟେଇ ଘରକୁ ଫେରି ସାହି ଲୋକଙ୍କର ଟାହିଟାପରା ସହିନି। ସଭିଙ୍କ ଆଖିରେ ସେ ସୁନାପିଲା। ସବୁ କାଳେ ସକାଳଠୁ ଗୋଧୂଳିଯାଏ ସେ ନିରାପଦରେ ଦିନଟି ବଞ୍ଚୁଥିବ। ସମସ୍ତଙ୍କର ଗେହ୍ଲାପୁଅ ହୋଇ ରହିଥିବ। ତା’ପାଇଁ ସଫଳତାର ଫୁଳମାଳ ସଜଡା ହୋଇ ରହିଥିବ ସଭାରେ। ମୋଟେ ଲଢେଇ କରିବାକୁ ପଡ଼ିବନି ତାକୁ କାହା ସହ। ଶ୍ରୀକୃଷ୍ଣ ଲଢୁଥିଲା ବେଳେ ଜରାସନ୍ଧ ସହ ସେ ତାର ସ୍ତ୍ରୀର ମୃଣାଳ ବାହୁ ବେଷ୍ଟନିରେ ସୁଖ ସ୍ବପ୍ନ ଦେଖିଥିବ ମଥୁରାର ସୁରକ୍ଷିତ ଦୁର୍ଗ ଭିତରର ତୁଳିତଳ୍ପ ଶେଯରେ। ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏ, ଧର୍ମପଦମାନଙ୍କ ପାଇଁ ସେ ସବୁଦିନ ଶୋକସଭା କରିବ। ଶହୀଦମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ତୁତି ଗାନ କରିବ।
‘ବୀର ଯୋଦ୍ଧା କରି ଗଢ଼ିତୋଳ ଆମକୁ’ ଏହି ପ୍ରାର୍ଥନା ପ୍ରତି ସକାଳ ସଞ୍ଜେ ଭଗବାନଙ୍କ ମୂର୍ତ୍ତି ଆଗରେ ଚିତ୍କାର କରି କହୁଥିବ। ତାର ବିରାଟ ସଫଳତାରେ ମୁଗ୍ଧ ପ୍ରଶଂସକ ଭିତରୁ କେହିଜଣେ ଜୀବନ କେମିତି ସଫଳତାର ସହ ବଞ୍ଚିହେବ ଓ ତାର ସଫଳତାର ସୂତ୍ର କ’ଣ ବୋଲି ପଚାରିଦିଏ ସେ ମୁରୁକି ହସି ଉତ୍ତର ଦେବ ‘ହାତେ ମାପି ଚାଖଣ୍ଡେ ଚାଲ’, କାରଣ ସେ ସୁନାପିଲା।

ନିମାଇଁ ପଟ୍ଟନାୟକ
ଅବସରପ୍ରାପ୍ତ ଅଧ୍ୟକ୍ଷ, ଚାନ୍ଦବାଲି ମହାବିଦ୍ୟାଳୟ, ଚାନ୍ଦବାଲି
ମୋ: ୯୪୩୭୨୯୭୯୦୧


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?