ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର ପ୍ରଥମ ଦିବସ ପୂଜା ଆରମ୍ଭ ହୋଇଛି।
ପାରମ୍ପରିକ ରୀତିନୀତିରେ ମା’ଉଗ୍ରତାରାଙ୍କୁ ଅଗରୁ, ଚୁଆ, ଚନ୍ଦନ, କର୍ପୁର ମିଶ୍ରିତ ସୁଶୀତଳ ଜଳରେ ପ୍ରତ୍ୟୁଷରୁ ସ୍ନାନ ମାର୍ଜନା କାର୍ଯ୍ୟ ସମାପନ କରାଯାଇଥିଲା। ମା’ଙ୍କୁ ନୂତନ ବସ୍ତ୍ର ପରିଧାନ ପରେ ସୁଗନ୍ଧ ପୁଷ୍ପ ମାଲ୍ୟରେ ଶୈଳପୁତ୍ରୀ ବେଶରେ ମା’ଙ୍କୁ ସଜା ଯାଇଥିଲା। ମଙ୍ଗଳ ଆଳତୀ ପରେ ଦ୍ୱାର ଫିଟା ନୀତି ସମ୍ପନ୍ନ ହୋଇଥିଲା।
ସକାଳୁ ମା’ଙ୍କ ମଙ୍ଗଳ ଆଲତୀ ପରେ ବିଭିନ୍ନ ଫଳ ସମେତ ଶୁଖିଲା ଭୋଗ ଲାଗି କରାଯାଇଥିଲା। ଅନୁରୂପଭାବେ ମଧ୍ୟାନ୍ନ ଧୂପରେ କ୍ଷୀରି, ଖେଚୁଡ଼ି ଭୋଗ ଲାଗି କରାଯାଇ ଥିବା ପୂଜକ ମନୋରଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି।
ଚଣ୍ଡୀପାଠ ସମେତ ଅନ୍ୟାନ୍ୟ ଶ୍ଳୋକ, ହରିବୋଲ, ହୁଳହୁଳି ଓ ନାମ ସଂକୀର୍ତ୍ତନରେ ମା”ଙ୍କ ପୀଠରେ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ମା’ଙ୍କ ଏହି ଦୁର୍ଲ୍ଲଭ ବେଶକୁ ଦର୍ଶନ କଲେ ପରିବାରରେ ଶାନ୍ତି ଓ ସମୃଦ୍ଧି ପ୍ରତିଷ୍ଠା ହେଉଥିବାରୁ ଏହା ଦେଖିବାକୁ ରାଜ୍ୟ ତଥା ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।

