ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼ ହୋଇଉଠେ, ସେଠି ସନ୍ତାନ ପ୍ରାପ୍ତିର ସୁଖକର ଅନୁଭବଠାରୁ ମୁହଁ ମୋଡ଼ିନେବା କେବେ ବି ସହଜ କଥା ନୁହେଁ। ତଥାପି ଦିନେ ଏଇ ମୁଲକରେ ରାଜା ଇନ୍ଦ୍ରଦ୍ୟୁମ୍ନ ନିଜ ବଂଶରେ କେହି ନ ରହନ୍ତୁ ବୋଲି ଏକ ବିଚିତ୍ର ବର ମାଗି ଈଶ୍ୱରଙ୍କୁ ତଟସ୍ଥ କରି ଦେଇଥିଲେ। ନିଜ ଜୀବଦ୍ଦଶାରେ ସକଳ ସାଧନାକୁ ପୁଞ୍ଜି କରି ସେ ଯେଉଁ ଶ୍ରୀମନ୍ଦିର ସ୍ଥାପନା କରିଥିଲେ, ତାହାକୁ ସର୍ବସାଧାରଣଙ୍କ ଆଧ୍ୟାତ୍ମିକ ଉତ୍ତରଣ ପାଇଁ ସମର୍ପିତ କରି ସେ ନିଜ ବଂଶନାଶର କାମନା କରିଥିଲେ। ଏ ପ୍ରକାର ପ୍ରାର୍ଥନା ମଧ୍ୟରେ ପ୍ରତିଧ୍ୱନିତ ହୋଇଥିଲା ନିଜ ବଂଶର ଉତ୍ତର ଦାୟାଦଙ୍କ ସମ୍ଭାବିତ ଅହଙ୍କାର ବିରୋଧରେ ଏକ ସମୁଚିତ ସମାଧାନ। ବଂଶରେ କେହି ରହିବେ ନା ମନ୍ଦିରକୁ ନିଜ ପୈତୃକ ସମ୍ପତ୍ତି କରି ବଡ଼ିମା ଦେଖାଇବେ! ନିଜ ପରିବାରର ପରିସରକୁ ସମଗ୍ର ବିଶ୍ୱ ଯାଏ ପରିବ୍ୟାପ୍ତ କରି ଜାଗତିକ କଲ୍ୟାଣର ଜୟଗାନ କରୁଥିବା ଇନ୍ଦ୍ରଦ୍ୟୁମ୍ନମାନେ କେବଳ ଏହିଭଳି ଆତ୍ମତ୍ୟାଗର ଦୃଷ୍ଟାନ୍ତ ଦେଖାଇପାରନ୍ତି।
ମାତ୍ର ସେକାଳର ଇନ୍ଦ୍ରଦ୍ୟୁମ୍ନଙ୍କ ପରି ତ ନୁହନ୍ତି ଏକାଳର ଇନ୍ଦ୍ରମଣିବାବୁ। ସେ କୌଣସି ମନ୍ଦିର ଗଢ଼ିଛନ୍ତି ନା ଐଶ୍ୱରୀୟ ବରପ୍ରାପ୍ତିର ସୁଯୋଗ ପାଇଛନ୍ତି! ତଥାପି କାହିଁକି ତାଙ୍କର ଏଇ ବିକଳ ପ୍ରାର୍ଥନା- ”ଯଦି ପର ଜନ୍ମ ବୋଲି କିଛି ଥାଏ, ତେବେ ସେଇ ଜନ୍ମରେ ମୋତେ ନିଃସନ୍ତାନ କର ପ୍ରଭୁ!“
ଇନ୍ଦ୍ରମଣି ରହନ୍ତି ଭୁବନେଶ୍ୱରରେ। ଏକା ଏକା ବିପତ୍ନୀକ ଜୀବନ ବିତାଉଥିବା ଏହି ଅଶୀତିପର ବୃଦ୍ଧ ତିନିପୁଅଙ୍କ ଜନକ, ତିନି ବୋହୂଙ୍କ ଶ୍ୱଶୁର ଓ ପାଞ୍ଚଜଣ ନାତିନାତୁଣୀଙ୍କ ଜେଜେବାପା। ରାଜଧାନୀର ସମ୍ଭ୍ରାନ୍ତ ଇଲାକାରେ ଏକ ସୁରମ୍ୟ ତ୍ରିତଳ ପ୍ରାସାଦର ମାଲିକ ସେ। ତିନିପୁଅଙ୍କ ମଧ୍ୟରୁ ଦୁଇଜଣ ଉଚ୍ଚ ପଦବୀରେ ଅଧିଷ୍ଠିତ ଥାଇ ନିଜ ସଂସାର ସହ ଦିଲ୍ଲୀ ଓ ବେଙ୍ଗାଲୁରୁରେ ଅବସ୍ଥାପିତ। କେବଳ ସାନପୁଅ ଓ ବୋହୂ ଦୁହେଁ ବୃତ୍ତି ଦାୟରେ ବାପା ନାମକ ବୋଝକୁ ମୁଣ୍ଡରେ ବୋହି ଭୁବନେଶ୍ୱରରେ ପଡ଼ିରହିଛନ୍ତି ସିନା, ବଦଳି ହୋଇ ଅନ୍ୟ ସହରକୁ ଚାଲିଯିବା ପାଇଁ ନିତିଦିନ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା । ଇନ୍ଦ୍ରମଣି ବୁଝନ୍ତି ପୁଅ ବୋହୂଙ୍କ ଅଶାନ୍ତିର ମୂଳ କାରଣ ସେ ନିଜେ। ଅନ୍ୟ ଦୁଇପୁଅ ନିଜ ନିଜର ସଂସାର ନେଇ ଚାଲିଯାଇଥିଲା ବେଳେ ବୁଢ଼ାବାପାର ଦାୟିତ୍ୱ ନେବାକୁ ସାନପୁଅ କ’ଣ ଏକା ଜନ୍ମ ହୋଇଥିଲା !! ସାନବୋହୂର ଏ ଯୁକ୍ତିକୁ ଶ୍ୱଶୁର ଗ୍ରହଣ କରୁଥିଲେ ବି ସେ କରନ୍ତେ ବା କ’ଣ!
ଦିନେ ଇନ୍ଦ୍ରମଣିଙ୍କ ସଂସାର ପୂରି ଉଠିଥିଲା। ପତ୍ନୀ, ପୁତ୍ର ଓ ପଦବୀକୁ ନେଇ ଆନନ୍ଦଉଲ୍ଲାସରେ ମୁଖରିତ ହୋଇ ଉଠିଥିଲା ଚାରିପାଖର ପୃଥିବୀ। ସୁଖର ବର୍ତ୍ତମାନ ମଧ୍ୟରୁ ଜନ୍ମ ନେଇଥିଲା ଯାବତୀୟ ସମୃଦ୍ଧିର ସ୍ବପ୍ନମୟ ଭବିଷ୍ୟତ। ପୁଅ ତିନିଙ୍କୁ ଦୃଷ୍ଟିରେ ରଖି ରାଜଧାନୀରେ ତିନି ମହଲା କୋଠାଘର। ସଭିଁଏ ସାଙ୍ଗରେ ରହିବେ। ନିଜ ନିଜର ସଂସାର ବାନ୍ଧି ମା’ବାପାଙ୍କ ବାର୍ଦ୍ଧକ୍ୟର ସାହାରା ବନିବେ। ନାତିନାତୁଣୀଙ୍କ କୋଳାହଳରେ ପଛକୁ ହଟିଯିବ ବାର୍ଦ୍ଧକ୍ୟର ଯାବତୀୟ ବିଡ଼ମ୍ବନା! ଅଥଚ କେତେ ଶୀଘ୍ର ଅପମୃତ୍ୟୁ ନ ଘଟିଲା ଏ ସବୁ ସୁନ୍ଦର ସ୍ବପ୍ନର!! ପୁଅ ତିନିହେଁ ପରସ୍ପରଠୁ ବିଚ୍ଛିନ୍ନ ହୋଇଗଲେ। ମା’ବାପା ବଞ୍ଚି  ଥାଉ ଥାଉ ବାପାଙ୍କ ଘରଟିକୁ ନିଜ ନିଜ ମଧ୍ୟରେ ବାଣ୍ଟି ନେଇଗଲେ ଓ ନିଜ ନିଜ ଭାଗକୁ ଭଡ଼ାରେ ଲଗାଇ ବଡ଼ ଦୁଇଭାଇ ଯିଏ ଯା’ ବାଟରେ ଚାଲିଗଲେ। ନିଜ ଆଖି ଆଗରେ ସଂଘଟିତ ସମ୍ପର୍କର ଏ ପ୍ରକାର ସଂଘାତକୁ ସହି ନ ପାରି ମାଆ ତାଙ୍କର ମୁହଁ ଫେରାଇ ଆରପାରିକୁ ଚାଲିଗଲା। ଆଜି ସେ ଏକା ଏକା। ପାଖରେ ଥିବା ଏକମାତ୍ର ନାତିଟିର ସଙ୍ଗଲାଭ କରିବା ମଧ୍ୟ ତାଙ୍କ ପାଇଁ ଅସହଜ। ପଢ଼ାପଢ଼ି ବ୍ୟାହତ ହେବ ବୋଲି ଜେଜେଙ୍କ ସହ ବେଶି ନ ମିଶିବା ପାଇଁ ତା’ ମାଆଙ୍କର କଠୋର କଟକଣା। ”ସଂସାର ସୁଖର ସ୍ବରୂପ ସବୁ ଯଦି ଏମିତି, ତେବେ ନିଃସନ୍ତାନ ହେବାଠୁ ବଳି ବଡ଼ ସୌଭାଗ୍ୟ ଆଉ କିଛି ନାହିଁ“- ଏହା ଥିଲା ଜଣେ ସମବୟସ୍କ ବନ୍ଧୁଙ୍କ ନିକଟରେ ଇନ୍ଦ୍ରମଣିଙ୍କ ଆବେଗପୂର୍ଣ୍ଣ ଉଚ୍ଚାରଣ।
ଇନ୍ଦ୍ରମଣିଙ୍କ ଜୀବନ କାହାଣୀଠାରୁ ସାମାନ୍ୟ ଭିନ୍ନ ଚନ୍ଦ୍ରମଣିଙ୍କ କାହାଣୀ। ଚନ୍ଦ୍ରମଣିଙ୍କର ଗୋଟିଏ ବୋଲି ପୁଅ, ଏକୋଇରବଳା ବିଶିକେଶନ। ବାର୍ଦ୍ଧକ୍ୟର ଏକମାତ୍ର ବାରାଣସୀ। ତାଙ୍କ ଜନ୍ମ ପରଠୁ ଏ ପର୍ଯ୍ୟନ୍ତ ଚନ୍ଦ୍ରମଣି ଦମ୍ପତିଙ୍କ ଜୀବନରେ ଏମିତି ଗୋଟିଏ ମୁହୂର୍ତ୍ତ ବି ବିତିନାହିଁ, ଯେତେବେଳେ ସେମାନଙ୍କ ହୃଦୟ ପୁଅର ମଙ୍ଗଳ କାମନା ନ କରିଛି। ମା’ବାପା ଦୁହଁଙ୍କ ପାଇଁ କେବଳ ପୁଅ ନୁହେଁ, ସେ ଭଲ ପାଇ ବିବାହ କରିଥିବା ତା’ ପତ୍ନୀ ବି ଥିଲା ନିଜ ଝିଅଠାରୁ ଅଧିକ ନିଜର। ଅଥଚ ସ୍ତ୍ରୀର ଇଚ୍ଛାକୁ ନିଜର ଦୀକ୍ଷା ମାନୁଥିବା ପତ୍ନୀପରାୟଣ ପୁଅ ପାଇଁ ଏବେ ମା’ବାପା ଦୁହେଁ ଅବାଞ୍ଛିତ ଅତିଥି।
ଯେତେ ଶୀଘ୍ର ବୁଢ଼ାବୁଢ଼ୀ ଦୁହିଁଙ୍କ ନିକଟରୁ ମୁକ୍ତି ମିଳିବ, ପୁଅବୋହୂ ଦୁହିଁଙ୍କ ପାଇଁ ସେତେ ମଙ୍ଗଳ!!
ପୁଅବୋହୂଙ୍କ ଏପରି ଆଚରଣରେ ଅତିଷ୍ଠ ହୋଇ ଦିନେ ଚରମ ଅଭିମାନରେ ଘର ଛାଡ଼ି ଚାଲିଗଲେ ଚନ୍ଦ୍ରମଣି। ତାଙ୍କର ସହଗାମୀ ହେବାକୁ ରାଜି ହୋଇ ନ ଥିବା ପତ୍ନୀଙ୍କୁ ପରିତ୍ୟାଗ କରି ସେ ପଳାଇଗଲେ ସିନା, ମାତ୍ର ଗୋଟିଏ ପୁତ୍ର ଜନ୍ମ ଦେଇଥିବା ଜଣେ ଅସ୍ବଚ୍ଛଳ ପିତାଙ୍କର ଆଉ ଦ୍ୱିତୀୟ ଆଶ୍ରୟ କାହିଁ ଯେ! ସୁତରାଂ ନିଜ ଅଭାଗିନୀ ପତ୍ନୀଙ୍କ ଅସହାୟତା ଉପଲବ୍‌ଧି କରି ସେ ଲେଉଟି ଆସିଲେ ତିନିଦିନ ପରେ । କେହି ତାଙ୍କୁ ସଂଖୋଳିଲେ ନାହିଁ କି ତାଙ୍କ ଫେରି ଆସିବାରେ ଖୁସି ହେଲେନାହିଁ। କେବଳ ବୃଦ୍ଧା ପତ୍ନୀଙ୍କ ଆଖିର ଲୁହ ମଧ୍ୟରେ ସେ ଦେଖୁଥିଲେ ନିମ୍ନତମ ସଂସ୍କାରଠୁ ଦୂରେଇ ଯାଇଥିବା ସଂସାରର ବିଚିତ୍ର ସ୍ବାର୍ଥପରତାକୁ। ଚିହ୍ନୁଥିଲେ ରଙ୍ଗ ବଦଳାଇ ଦେଇଥିବା ନିଜ କୁଳାଙ୍ଗାର ପୁଅଟିକୁ । ଅଥଚ ଏ ଘଟଣାର କିଛିଦିନ ପରେ ଦିନେ ବୋହୂଙ୍କ ପାଳିତ କୁକୁରଟି କୁଆଡ଼େ ଚାଲିଗଲା ଯେ ପୁଅବୋହୂଙ୍କ ଦୁନିଆ ଅନ୍ଧାରରେ ଡୁବିଗଲା ଯେମିତି। ଘରେ ରନ୍ଧାବଢ଼ା ଖିଆପିଆ ବନ୍ଦ ହୋଇଗଲା। ଅବଶ୍ୟ ଦୁଇଦିନ ପରେ ଶ୍ୱାନପ୍ରବରଙ୍କ ଅଚାନକ ପ୍ରତ୍ୟାବର୍ତ୍ତନରେ ପୁଣି ହସିଉଠିଲା ପୁଅବୋହୂଙ୍କ ସଂସାର। ପରମ ଆବେଗରେ କୁକୁରଟିକୁ ଛାତିରେ ଜାକି ବୋହୂରାଣୀ ଚୁମା ଦେଉଥିବା ପରି ଅପୂର୍ବ ଦୃଶ୍ୟ ଅବଲୋକନ କରି ଚନ୍ଦ୍ରମଣି ସ୍ବଗତୋକ୍ତି କରୁଥିଲେ ଏ ଜନ୍ମ ତ ନିଷ୍ଫଳ ହୋଇଗଲା। ପରଜନ୍ମ ବୋଲି ଯଦି କିଛି ଥାଏ ଏମିତି କୁକୁରଟିଏ ହୋଇ ସଂସାରକୁ ଆସନ୍ତି ହେଲେ।
ଇନ୍ଦ୍ରମଣି ଓ ଚନ୍ଦ୍ରମଣିମାନଙ୍କ ସଂଖ୍ୟା ଏ ସଂସାରରେ କେତେ କେଜାଣି ଦୈନିକ ଖବରକାଗଜ ଉପରେ ଆଖି ବୁଲାଇଲେ ଅବା ଟିଭି ସମାଚାର ଉପରେ ନଜର ଦେଲେ ଏମିତି କେତେ କେତେ ହତଭାଗ୍ୟ ବୁଢ଼ାବୁଢ଼ୀଙ୍କ କଥା ଅବ୍ୟକ୍ତ ଯନ୍ତ୍ରଣାରେ ହୃଦୟକୁ ମନ୍ଥି ପକାଉଛି। ନିମ୍ନତମ ମାନବୀୟ ସଂସ୍କାର ସଂସ୍କୃତିକୁ ନିର୍ବାସନରେ ପଠାଇ ଏକ ପିତୃମାତୃବିହୀନ ପୃଥିବୀକୁ ସ୍ବର୍ଗର ନନ୍ଦନକାନନ ମନେକରୁଥିବା ସନ୍ତାନମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏମାନେ ନିଜ ପାଇଁ ବଞ୍ଚନ୍ତି, ନିଜ ପତ୍ନୀପୁତ୍ରଙ୍କୁ ଆପଣା ପରିବାର ମନେକରି ନିଜ ଜନ୍ମଦାତା ଜନ୍ମଦାତ୍ରୀଙ୍କୁ ବୋଝ ବୋଲି ଭାବନ୍ତି ଓ ସେମାନଙ୍କଠୁ ମୁକ୍ତି ପାଇବାକୁ ବହୁବିଧ ଉପାୟ ଆବିଷ୍କାର କରନ୍ତି। ବିଡ଼ମ୍ବନାର ବିଷୟ ଯେ, ସ୍ବାର୍ଥର ସଂକୀର୍ଣ୍ଣ ସଡ଼କରେ ଆଗକୁ ମାଡ଼ିଯାଉଥିବା ବେଳେ ଏମାନେ ଭୁଲି ଯାଇଥାନ୍ତି ସେଇ ଆପ୍ରବାଣୀଟିକୁ-‘ତୋ ବେଳକାଳ ଆସୁଛି’।
ଭୁଲି ଗଲେ ଚଳିବ ନାହିଁ ଯେ ଉଦ୍ଦାମ ଯୌବନକୁ ନେଇ ଉଦ୍ଦଣ୍ଡ ହୋଇ ଯାଉଥିବା ଯୁବକଟି ଦିନେ ବୁଢ଼ା ହେବ। ଆଜି ସେ ଯେମିତି ନିଜ ବୃଦ୍ଧ ମାତାପିତାଙ୍କୁ ବୋଝ ମନେକରି ସେମାନଙ୍କଠୁ ମୁକ୍ତି ଚାହୁଁଛି, କାଲି ତା’ ଯୁବା ପୁଅଟି ମଧ୍ୟ ସେଇ ରାସ୍ତାରେ ଯିବ, ବରଂ ଆଧୁନିକ ଜୀବନର ପ୍ରବାହ ମଧ୍ୟରେ ଅଧିକ ଉଗ୍ରତାର ସହ। ସେତେବେଳ କିନ୍ତୁ ଆଉ କିଛି କରିବାର ନ ଥିବ। ନେଡିଗୁଡ଼ କହୁଣୀକୁ ବହିଯାଇଥିବ। ଏବେ ଯେମିତି ଅବହେଳିତ ଓ ଅସହାୟ ବାର୍ଦ୍ଧକ୍ୟର ଗୁରୁଭାର ବହନ କରି ନ ପାରି ତା’ ବୁଢ଼ା ବାପା ଈଶ୍ୱରଙ୍କ ନିକଟରେ ଫେରାଦ ହେଉଛନ୍ତି ସେତେବେଳେ ତାକୁ ହିଁ ସେଇ ଇତିହାସର ପୁନରାବୃତ୍ତି କରିବାକୁ ପଡ଼ିବ। ଏକାନ୍ତରେ ଈଶ୍ୱରଙ୍କୁ ଦୁଃଖ ଜଣାଇ କହିବାକୁ ପଡ଼ିବ-ସନ୍ତାନ ସୁଖ ବହୁତ ହୋଇଗଲା ପ୍ରଭୁ! ପରଜନ୍ମ ବୋଲି ଯଦି କିଛି ଥାଏ, ତେବେ ସେଇ ଜନ୍ମରେ ନିଃସନ୍ତାନ କର ଭଗବାନ!

ଅଧ୍ୟାପକ ନିରଞ୍ଜନ ପାଢ଼ୀ
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫,

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?