କାନ୍ଦୁଛି ଗଜରାଜ

ବିମଳ ପ୍ରସନ୍ନ ଦାସ

ମନୁଷ୍ୟକୃତ ଏକାଧିକ କାରଣ ହେତୁ ଏବେ ହାତୀ ବଂଶ ବିଲୋପ ଅଭିମୁଖୀ। ହାତୀ ଓ ମଣିଷ ମଧ୍ୟରେ ଲଢ଼େଇ ଜାରି ରହିଥିବାବେଳେ ଉଭୟଙ୍କ ଜୀବନ ଯାଉଛି। କେତେ ଗଁା ଗଣ୍ଡାର ଘରଦ୍ୱାର ହାତୀ ଭାଙ୍ଗୁଛି ତ, ମଣିଷ ମଧ୍ୟ ହାତୀମାନଙ୍କର ପଥରୋଧ କରିବା ସହିତ ତାକୁ ଶିକାର କରି ତାରି ଦାନ୍ତକାଟି ନେଇ ବେପାର କରୁଥିବାର କାହାଣୀ ଗଣମାଧ୍ୟମରେ ପ୍ରାୟ ନିତିଦିନର ଖବର। ଅତି ନିର୍ମମ ଭାବରେ ରେଳ ରାସ୍ତାରେ ହାତୀପଲ ମୃତ୍ୟୁବରଣ କରୁଛନ୍ତି। ଏ ପରିପ୍ରେକ୍ଷୀରେ ହାତୀ ସୁରକ୍ଷା ଏକ ଜରୁରୀ ଆହ୍ବାନ ହୋଇଛି।
ହାତୀକୁ ଐତିହ୍ୟ ପ୍ରାଣୀଭାବରେ ଘୋଷଣା କରାଯାଇଛି। ସୁତରାଂ ଏମାନଙ୍କ ସୁରକ୍ଷା ଉପରେ ସରକାର ଗୁରୁତ୍ୱ ଦେବା ସ୍ବାଭାବିକ। ହାତୀ କରିଡର ପୁନରୁଦ୍ଧାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ତଥାପି ଅନେକ କ୍ଷେତ୍ରରେ ହାତୀ ତଥା ମଣିଷଙ୍କ ମୃତ୍ୟୁ ହେଉଛି। ଆମ ରାଜ୍ୟରେ ହାତୀ ସଂରକ୍ଷଣ କେବଳ ସଭାସମିତିରେ ଭାଷଣରେ ସୀମିତ ରହୁଛି। ଏଥିପାଇଁ ସାମାଜିକ ଗଣମାଧ୍ୟାମରେ ସମାଲୋଚନାର ଶିକାର ହେଉଛନ୍ତି ସରକାର ଓ ରାଜ୍ୟ। ବନ୍ୟପ୍ରାଣୀ ସୁରକ୍ଷାକର୍ମୀ ଓ ପରିବେଶବିଦ୍‌ମାନେ ଗଭୀର ଅସନ୍ତୋଷ କରି ସରକାରଙ୍କୁ କଠୋର ସମାଲୋଚନା କରୁଛନ୍ତି। ହାତୀକୁ ଲୁହାକଡ଼ିରେ ବାନ୍ଧି ରଖାଯାଉଛି କାରଣ ସେ ମଣିଷ ମାରିଛି। ୨୦୨୧ରେ ଚନ୍ଦକାରେ ‘ନନ୍ଦନ’, ‘ଯଶୋଦା’ ଓ ‘ଶଙ୍କର’, କପିଳାସରେ ‘ରାଜେଶ’ ଓ ଶିମିଳିପାଳରେ ‘ମହେନ୍ଦ୍ର’ ଓ ‘ଶୋଭା’ ବନ୍ଦୀ ଜୀବନ କଟାଉଛନ୍ତି। ଅବଶ୍ୟ ବର୍ତ୍ତମାନ ଏମାନଙ୍କ ମଧ୍ୟରୁ ‘ଯଶୋଦା’ ଓ ‘ଶୋଭା’ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଦନ୍ତାହାତୀ ‘ନନ୍ଦନ’କୁ ୧୦(ଦଶ) ବର୍ଷକାଳ ନନ୍ଦନକାନନରେ ବନ୍ଧା ହୋଇ ରଖାଯାଇଥିଲା। ଦୀର୍ଘବର୍ଷ ଧରି ବନ୍ଧା ହୋଇ ରହିବାରୁ ହାତୀମାନଙ୍କର ସ୍ବାସ୍ଥ୍ୟରେ ଅବନତି ଘଟିବା ସ୍ବାଭାବିକ। କପିଳାସରେ ଲୁହାତାରବାଡ଼ ମଧ୍ୟରେ ହାତୀ ବନ୍ଦୀ ଜୀବନ କଟାଉଛି। ଏହିପରି ବନ୍ଦୀଜୀବନ କଟାଉଥିବା ହାତୀ ଆବଶ୍ୟକ ପରିମାଣ ଖାଦ୍ୟ ପାଏନା। ଯେହେତୁ ତା’ର ଦେହରୁ ଝାଳ ବାହାରେ ନାହିଁ, ତେଣୁ ସେ ପାଣିରେ ବୁଡ଼ିକରି ଗାଧାଏ। ମାତ୍ର ପାଇପ ପାଣି ଛିଞ୍ଚତ୍ ଦେଇ ତାକୁ ଗାଧୋଇ ଦେଲେ ତାହା ତା’ର ସୁସ୍ଥତା ପ୍ରତି ବିପଦର ଆଶଙ୍କା ସୃଷ୍ଟି କରିବା ଅନିବାର୍ଯ୍ୟ। ଏପରି ବିରକ୍ତି ଭିତରେ ହାତୀ ମଧ୍ୟ ତା’ର ମାହୁନ୍ତକୁ ଆକ୍ରମଣ କରିଥିବାର ଘଟଣା ଗଣମାଧ୍ୟମରେ ଦେଖିବାକୁ ମିଳେ। ଏ ସବୁର ସମାଧାନ ପାଇଁ ଚନ୍ଦକା ଅଭୟାରଣ୍ୟରେ ଦଶ ଏକର ଅଞ୍ଚଳକୁ ତାରବାଡ଼ରେ ଆବଦ୍ଧ କରି ଏହିପରି ହାତୀମାନଙ୍କୁ ଛାଡ଼ିବା ପାଇଁ କୁହାଯାଇଥିଲେ ମଧ୍ୟ ଏଯାବତ କୌଣସି ପଦକ୍ଷେପ ନିଆଯାଇନାହିଁ। ପରିତାପର ବିଷୟ ଏଣେ ହାତୀମୃତ୍ୟୁ ଅବାରିତ। ୫ବର୍ଷରେ ମଲେଣି ୪୦୯ ହାତୀ ବୋଲି ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ। ହାତୀ ମୃତ୍ୟୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦାବି କରିଥିଲେ।
ଗୋଟିଏ ଛୋଟ ପ୍ରବନ୍ଧର କଳେବର ମଧ୍ୟରେ କେତେ ବା ତଥ୍ୟ ଦେଇହେବ। ନିକଟ ଅତୀତରେ ଆଠଗଡ ବନଖଣ୍ଡ ଅଧୀନ ବଡ଼ମ୍ବା ବନାଞ୍ଚଳରେ ଚଳିତ ବର୍ଷ ଜୁନ ପ୍ରଥମ ସପ୍ତାହରେ ଖାରଡ ଓ ଜେନାପାଳ ଗ୍ରାମ ନିକଟରେ ଦୁଇ ହାତୀଙ୍କର ଗଳିତ ମୃତଦେହକୁ କ୍ରାଇମବ୍ରାଞ୍ଚ ଏସ.ଟି.ଏଫ୍‌. ମାଟିତଳୁ ଉଦ୍ଧାର କରିଥିଲେ। ସେହିପରି ଗତ ଅଗଷ୍ଟ ପ୍ରଥମ ସପ୍ତାହରେ ଏସ.ଟି.ଏଫ୍‌. ନରସିଂହପୁର ପଶ୍ଚିମପଟ ବନାଞ୍ଚଳରୁ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର କରିଥିଲା। ଏହି ହାତୀମାନଙ୍କୁ ଶିକାରୀମାନେ ମାରି ତାଙ୍କ ଦାନ୍ତ କାଟି ନେଉଥିବା ଜଣାପଡ଼ିଛି। ବିଡ଼ମ୍ବନା ଯେ ଆଠଗଡ଼ ଡି.ଏଫ.ଓ.ଙ୍କ ନିକଟରେ କୌଣସି ଖବର ନ ଥିଲା। ବିନା ପୋଷ୍ଟମର୍ଟମରେ ବନ କର୍ମଚାରୀମାନେ ଏହି ହାତୀଗୁଡ଼ିକୁ ପୋତି ଦେଇଥିଲେ। ସେହିପରି ନରସିଂହପୁର ପୂର୍ବ ବନାଞ୍ଚଳ ଜୟପୁର ସେକ୍‌ସନରେ ଏକ ଗୁଳିବିଦ୍ଧ ଦନ୍ତାହାତୀ ୧୦ଦିନ ଛଟପଟ ହୋଇ ମୃତ୍ୟୁବରଣ କଲା। ହାତୀ ସୁରକ୍ଷା ପାଇଁ ପ୍ରାୟ ବର୍ଷକୁ ଦେଢ଼କୋଟି ଟଙ୍କା ଖର୍ଚ୍ଚ ହେଉଛି। ପାଟ୍ରୋଲିଂ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏଥିପାଇଁ ସ୍ବତନ୍ତ୍ର ବନ କର୍ମଚାରୀ ନିୟୋଜିତ ଅଛନ୍ତି। ହାତୀ କରିଡର ଚିହ୍ନିତ ହୋଇଛି। ଏତେ ସବୁ ବ୍ୟବସ୍ଥା ସତ୍ତ୍ୱେ ବନବିଭାଗ ହାତୀମୃତ୍ୟୁ ରୋକିବାକୁ ବିଫଳ ହୋଇଛି କାହିଁକି ତାହା ହିଁ ଆଜିର ପ୍ରଶ୍ନ। ଏଥିରୁ ସ୍ପଷ୍ଟ ହୁଏ ଯେ ବନ କର୍ମଚାରୀ ଓ ଶିକାରୀମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ନିର୍ବିବାଦରେ ଚାଲିଛି। ହାତୀ ଶିକାରକୁ ପ୍ରତିହତ କରିବା ପାଇଁ ସରକାର ୨୦୦୮ରୁ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ଗଠନ କରିଥିଲେ। ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନ ଥିବା ଅତ୍ୟନ୍ତ ଦୁଃଖଦ ବିଡ଼ମ୍ବନା। ଇତି ମଧ୍ୟରେ ସୁକିନ୍ଦା ଜଙ୍ଗଲରେ ଗୋଟିଏ ମାଈ ହାତୀର ଗଳିତ ଶବ ଠାବ କରାଯାଇଛି।
ରାଜ୍ୟରେ ଗତ ୫ (ପାଞ୍ଚବର୍ଷ) ହେଲା ହାତୀ ଗଣନା ହୋଇନାହିଁ। ବର୍ତ୍ତମାନ କେତେ ହାତୀ ଜୀବିତ ଓ କେତେ ମୃତ, ଏ ତଥ୍ୟ ସରକାରଙ୍କ ପାଖରେ ହୁଏତ ନ ଥିବ। ଖାଦ୍ୟ ଅନ୍ବେଷଣରେ ହାତୀମାନେ ମଧ୍ୟ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ବନାଞ୍ଚଳକୁ ଚାଲି ଯାଉଥିବାରୁ ରାଜ୍ୟରେ ହାତୀ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇ ଚାଲିଛି। ବିଭିନ୍ନ ଉଦ୍ଦେଶ୍ୟରେ ଜଙ୍ଗଲ କଟା ଯାଉଥିବାରୁ ହାତୀମାନେ ଗ୍ରାମାଭିମୁଖୀ – ଏପରି କି ସହରାଭିମୁଖୀ ହେବାକୁ ବାଧ୍ୟ ହେଉଛନ୍ତି। ଗତ ଦୁଇ ତିନି ବର୍ଷ ଧରି ଚନ୍ଦକା ଅଭୟାରଣ୍ୟରୁ ହାତୀ ରାଜଧାନୀ ଭିତରେ ଏପରି କି ଇନ୍ଦ୍ରଧନୁ ମାର୍କେଟରେ ଆସି ରାତିରେ ବୁଲୁଥିବାର ଦେଖାଯାଉଛି। ସରକାରଙ୍କ ବନ ସଂରକ୍ଷଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କେବଳ ବିଫଳ ହେଉଛି। ଏପରି ସଙ୍ଗିନ ପରିସ୍ଥିତିରେ କୌଣସି ଉଚ୍ଚପଦସ୍ଥ ଜଙ୍ଗଲ କର୍ମଚାରୀ ଦଣ୍ଡିତ ହେବାର ନଜିର ନାହିଁ। ନିଲମ୍ବିତ ହେଉଛନ୍ତି ଫରେଷ୍ଟର ଓ ଫରେଷ୍ଟ ଗାର୍ଡ। ସୁତରାଂ ସେମାନେ ମଧ୍ୟ ଚାକିରି ବଞ୍ଚାଇବା ପାଇଁ ହାତୀମୃତ୍ୟୁ ଘଟଣା ଗୁପ୍ତ ରଖୁଛନ୍ତି। ଏ ପରିସ୍ଥିତି ଲାଗି ରହିଲେ ହୁଏତ ଓଡ଼ିଶା ହାତୀଶୂନ୍ୟ ହୋଇଯିବ।
ସ୍ନାନ ପୂର୍ଣ୍ଣିମାଠାରୁ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବିଶ୍ୱବିଦିତ। ଏଥିରେ ଗଜପତିଙ୍କ ଭୂମିକା (ଛେରା ପହଁରା) ଏକ ଉଚ୍ଚ ପରମ୍ପରା, ମାତ୍ର ଆଜି ଗଜପତିଙ୍କ ରାଜ୍ୟ ଗଜଶୂନ୍ୟ ହେବାକୁ ଯାଉଛି। ପ୍ରଭୁ ଶ୍ରୀଜଗନ୍ନାଥ ହିଁ ଭରସା। ସେ ହିଁ ତାଙ୍କ ମହିମାରକ୍ଷା କରନ୍ତୁ। ସୁତରାଂ ହେ ନୀଳଶଇଳ ତୁମର ସେ ଗଜରାଜ କାନ୍ଦୁଛି। ତାକୁ ସଂକଟରୁ ଉଦ୍ଧାର କରି ବିଲୁପ୍ତମୁଖୀ ହସ୍ତୀବଂଶକୁ ରକ୍ଷା କର ହେ ମହାବାହୁ!
ମୋ :୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?