ସୃଜନଶୀଳତାର ସତେଜ ଅମ୍ଳଜାନ

ଦର୍ଶନ ଶାସ୍ତ୍ର କୁହେ, ସମୟ ଏକ ପ୍ରବାହ ଏବଂ ପୁସ୍ତକ ହେଉଛି ଏକମାତ୍ର ମାଧ୍ୟମ, ଯାହା ଏହି ପ୍ରବାହକୁ ଗୋଟିଏ ସ୍ଥାନରେ ସ୍ଥିର ରଖିପାରେ। ପୁସ୍ତକ ସର୍ବଦା ନୂତନ ପୁସ୍ତକଗୁଡ଼ିକୁ ଜନ୍ମ ଦେଇ ଆସିଛି ଏବଂ ଏହି ପରମ୍ପରା ଅତ୍ୟନ୍ତ ପ୍ରାଚୀନ। ସାମ୍ପ୍ରତିକ ଖବର ଅନୁଯାୟୀ, ରାମଚରିତମାନସ ଶୈଳୀରେ ଏବେ ସମ୍ବିଧାନ ମଧ୍ୟ ଗାନ କରାଯିବ। ବିଭିନ୍ନ ଦେଶର ପ୍ରାୟ ୧୪୨ ଜଣ ରଚୟିତା ସମ୍ବିଧାନକୁ ଦୋହା, ରୋଲା ଏବଂ ଛନ୍ଦରେ ସଜାଇଛନ୍ତି। ଏଭଳି କାବି୍ୟକ ପ୍ରୟାସ ପୂର୍ବରୁ ମଧ୍ୟ ହୋଇଛି। ୧୯୫୦-୭୩ ମଧ୍ୟରେ ବିହାରୀ ଲାଲ ହରିତ ‘ରାମଚରିତମାନସ’ ଶୈଳୀରେ ‘ଭୀମାୟଣ’ ମହାକାବ୍ୟ ରଚନା କରିଥିବାବେଳେ, ଆର.ଡି. ନିମେଶ ‘ଭୀମ କଥାମୃତମ’ ମାଧ୍ୟମରେ ସମ୍ବିଧାନକୁ କାବ୍ୟ ରୂପ ଦେବାକୁ ଚେଷ୍ଟା କରିଥିଲେ।
ନିକଟରେ ଭାରତୀୟ ପୋଲିସ ସେବାର ବରିଷ୍ଠ ଅଧିକାରୀ ସୁନୀଲ କୁମାର ଗୌତମ ଅନୁଚ୍ଛେଦଗୁଡ଼ିକୁ ପଦ୍ୟ ରୂପରେ ଉପସ୍ଥାପନ କରି ‘ସମ୍ବିଧାନ କାବ୍ୟ’ ଶୀର୍ଷକ ଏକ ଖଣ୍ଡକାବ୍ୟ ପ୍ରକାଶ କରିଛନ୍ତି। ଏହାର ଏକ ପଂକ୍ତି ହେଉଛି –
”ପ୍ରଜାତନ୍ତ୍ରର ମୁଖ୍ୟ ତନ୍ତ୍ର ଅଟେ ନିର୍ବାଚନ ଆୟୋଗ,
ଯାହା ସାହାଯ୍ୟରେ ସରକାର ବାଛନ୍ତି ସର୍ବଲୋକ।
ନିର୍ବାଚନ ଆୟୋଗକୁ ସମ୍ବିଧାନ ଦିଏ ସୁରକ୍ଷା,
ସ୍ବତନ୍ତ୍ର ନିର୍ବାଚନରେ ହିଁ ହୁଏ ପ୍ରଜାତନ୍ତ୍ରର ରକ୍ଷା।“
ଏଭଳି ପ୍ରୟାସ ମୂଳରେ ରହିଛି ପାଠକୀୟ ରୁଚିରେ ବିବିଧତା ଏବଂ ପୁସ୍ତକ ସଂଗ୍ରହର ସଂସ୍କୃତିକୁ ପ୍ରୋତ୍ସାହିତ କରିବା। ନିଶ୍ଚିତ ଭାବରେ ଏହି ଡିଜିଟାଲ ଯୁଗରେ ବିଶ୍ୱ ସାହିତ୍ୟର ବଡ଼ ବଡ଼ ଲାଇବ୍ରେରୀ ମୋବାଇଲ ଇଣ୍ଟରନେଟ ମାଧ୍ୟମରେ ଆଜିର ପିଢ଼ିର ମୁଠା ଭିତରକୁ ଚାଲିଆସିଛି। କୃତ୍ରିମ ବୁଦ୍ଧିମତ୍ତା ପୁସ୍ତକ ଅଧ୍ୟୟନ ଏବଂ ଲେଖନ ମାର୍ଗରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କିନ୍ତୁ ମୁଦ୍ରିତ ପୁସ୍ତକ କେବଳ ସୂଚନା ଦିଏ ନାହିଁ, ବରଂ ମାନବୀୟ ସମ୍ବେଦନା ବାଣ୍ଟିବାର ସୁଯୋଗ ମଧ୍ୟ ଦେଇଥାଏ। ଫରାସୀ ଦାର୍ଶନିକ ରେନେ ଦେକାର୍ତ୍ତ କହିଥିଲେ, ବହି ପଢ଼ିବା ଅର୍ଥ ବିଗତ ଶତାବ୍ଦୀର ସର୍ବଶ୍ରେଷ୍ଠ ବ୍ୟକ୍ତିମାନଙ୍କ ସହ କଥାବାର୍ତ୍ତା କରିବା।
ପୁସ୍ତକ ଏକ ଜୀବନ୍ତ ଶକ୍ତି। ଏହା ମଣିଷର ଅନ୍ତରାତ୍ମାର ସ୍ବର, ଯାହା ଶବ୍ଦରୂପୀ ଶରୀର ଧାରଣ କରି ସମଗ୍ର ବିଶ୍ୱକୁ ଆଲୋକିତ କରିଥାଏ। ଯୁଗ ଯୁଗର ସାଧନା, ସଭ୍ୟତାର ବିକାଶ ଓ ମାନବୀୟ ମୂଲ୍ୟବୋଧକୁ ନିଜ ଗର୍ଭରେ ସଞ୍ଚିତ କରି ରଖିଥାଏ।
ମାନବ ସଭ୍ୟତାର ବିକାଶ କ୍ରମକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ମଣିଷ ଯେତେବେଳେ ନିଜର ଆଦିମ ସତ୍ତାରୁ ମୁକ୍ତ ହୋଇ ଚିନ୍ତନଶୀଳ ହେବାକୁ ଆରମ୍ଭ କଲା, ସେତେବେଳେ ସେ ନିଜର ଅନୁଭୂତି, କଳ୍ପନା ଓ ଜ୍ଞାନକୁ ସାଇତି ରଖିବା ପାଇଁ ଏକ ମାଧ୍ୟମ ଖୋଜୁଥିଲା। ଏହି ଅନ୍ବେଷଣରୁ ହିଁ ଜନ୍ମ ନେଲା ପୁସ୍ତକ। ଏହା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ଏକ ଅଦୃଶ୍ୟ ସେତୁ । ଏହା ମାଧ୍ୟମରେ ଜଣେ ପାଠକ ଶହ ଶହ ବର୍ଷ ପୂର୍ବେ ଜୀବିତ ଥିବା ମନୀଷୀ, ଦାର୍ଶନିକ ବା ବୈଜ୍ଞାନିକଙ୍କ ଚିନ୍ତାଧାରା ସହ ସଂଯୁକ୍ତ ହୋଇପାରେ। ପୁସ୍ତକ କେବଳ କେତେକ ପୃଷ୍ଠାର ସମାହାର ବା ଅକ୍ଷରର ପଟୁଆର ନୁହେଁ। ଏହା ମାନବ ଚେତନାର ଏକ ସୁନ୍ଦର, ସୁବାସିତ ଓ ବିଶାଳ ବଗିଚା। ପୁସ୍ତକରୂପୀ ଏହି ବଗିଚା ସମାଜର ଜଟିଳତା, ଅଜ୍ଞାନତା ଓ ନୈରାଶ୍ୟ ଶୋଷଣ କରି ମନକୁ ଜ୍ଞାନ, ସଂସ୍କାର ଓ ସୃଜନଶୀଳତାର ସତେଜ ଅମ୍ଳଜାନ ପ୍ରଦାନ କରିଥାଏ। ଏହି ପବନ ମଣିଷର ସଂକୁଚିତ ଚିନ୍ତାଧାରାକୁ ମୁକ୍ତ କରି ଏକ ନୂତନ ଦୃଷ୍ଟିକୋଣ ଦେଇଥାଏ।
ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ କହିଛନ୍ତି, ବହିର ପୃଷ୍ଠାରେ ହିଁ ଯେ କୌଣସି ସମସ୍ୟାର ସମାଧାନ ଅଛି। ପିଲାମାନଙ୍କ ମଧ୍ୟରେ ବହି ପଢ଼ିବା ଏବଂ ଲେଖିବାର ପ୍ରତିଯୋଗିତା ଆରମ୍ଭ ହେବା ଉଚିତ। ପିଲାମାନଙ୍କ ରୁଚି ଅନୁଯାୟୀ ନିଜ ଚାରିପାଖରେ ପୁସ୍ତକ ପ୍ରେମର ଏକ ପରିବେଶ ସୃଷ୍ଟି କରିବା ଉଚିତ। ବହି ଶୈଶବକୁ ସଂଯମତ୍ତା, ସ୍ବପ୍ନ ଏବଂ ସହୃଦୟତା ପ୍ରଦାନ କରେ। ପାଠକର ସୁପ୍ତ ସମ୍ଭାବନାକୁ ଜାଗ୍ରତ କରି ଜଣେ ଗରିବ ପିଲାକୁ ଆବ୍ରାହମ ଲିଙ୍କନ କରିପାରେ। କୌଣସି ପୁସ୍ତକର ବାର୍ତ୍ତା ଜୀବନସାରା ବ୍ୟକ୍ତିତ୍ୱକୁ ପ୍ରଭାବିତ କରେ। ଆମ୍ବେଡକରଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ପିତାଙ୍କ ବନ୍ଧୁ ତଥା ଶିକ୍ଷକ କୃଷ୍ଣା ଜୀ ଅର୍ଜୁନ କେଲୁସ୍କର ତାଙ୍କୁ ‘ବୁଦ୍ଧଚରିତ’ ପୁସ୍ତକ ଉପହାର ଦେଇଥିଲେ। ସେହି ବାଳକ ଆମ୍ବେଡକର ପରବର୍ତ୍ତୀ ସମୟରେ ପୁସ୍ତକର ସବୁଠାରୁ ବଡ଼ ସଂଗ୍ରହକାରୀ ହୋଇଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଡ.ଆମ୍ବେଡକର ନିଜ ଜୀବନର ଶେଷ ପୁସ୍ତକ ‘ଦ ବୁଦ୍ଧ ଆଣ୍ଡ୍‌ ହିଜ୍‌ ଧମ୍ମ’ ସମ୍ପୂର୍ଣ୍ଣ କରିବା ପରେ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଜୀବନର ଶେଷ ସମୟରେ ମୁମ୍ବାଇସ୍ଥିତ ତାଙ୍କ ରାଜଗୃହରେ ୩୫ ହଜାର ବ୍ୟକ୍ତିଗତ ପୁସ୍ତକର ଅମୂଲ୍ୟ ରତ୍ନଭଣ୍ଡାର ଥିଲା। କହିବାର ତାତ୍ପର୍ଯ୍ୟ ହେଉଛି, ଶିଶୁର ରୁଚି ଚିହ୍ନି ତାକୁ ପୁସ୍ତକ ଯୋଗାଇ ଦେବା ହିଁ ପ୍ରକୃତ ପ୍ରୋତ୍ସାହନ।
ମାନସିକ ଶାନ୍ତି ଏବଂ ବୌଦ୍ଧିକ ବିକାଶର ପ୍ରକୃତ ସମାଧାନ ଆଜି ବି ସେହି ଧଳା କାଗଜ ଓ କଳା ଅକ୍ଷରର ପୃଷ୍ଠା ମଧ୍ୟରେ ହିଁ ଲୁଚି ରହିଛି। ଆଜିର ବ୍ୟସ୍ତବହୁଳ ଓ କୋଳାହଳପୂର୍ଣ୍ଣ ଜୀବନରେ ଏକ ସୁନ୍ଦର ବଗିଚା ଯେପରି ପ୍ରଶାନ୍ତିର କେନ୍ଦ୍ର ପାଲଟିଥାଏ, ପୁସ୍ତକ ମଧ୍ୟ ମଣିଷ ପାଇଁ ଠିକ ସେହିପରି ଶାନ୍ତ ଆଶ୍ରୟସ୍ଥଳ। ଦୁନିଆର ସବୁ ଦୁଃଖ-କଷ୍ଟ ଓ ମାନସିକ ଚାପକୁ ଭୁଲି ଜଣେ ପାଠକ ଯେତେବେଳେ ପୁସ୍ତକର ଦୁନିଆରେ ହଜିଯାଏ, ସେତେବେଳେ ସେ ନିଜକୁ ସବୁଠାରୁ ସୁରକ୍ଷିତ ଓ ଆନନ୍ଦିତ ମନେକରେ।
ଜଣେ ଲେଖକ ନିଜର ଜୀବନର ସମସ୍ତ ଅନୁଭୂତି, ସଂଘର୍ଷ ଏବଂ ସଫଳତାକୁ ବହି ମଧ୍ୟରେ ସାଇତି ରଖିଥାଏ। ଯେତେବେଳେ ଜଣେ ସେହି ବହିଟି ପଢ଼େ, ସେତେବେଳେ ସେ ଅନ୍ୟର ଅଭିଜ୍ଞତାରୁ ନିଜ ଜୀବନ ସମସ୍ୟାର ସମାଧାନ ଖୋଜି ପାଏ। ଇତିହାସ ହେଉ ବା ବିଜ୍ଞାନ, ସାହିତ୍ୟ ହେଉ ବା ଦର୍ଶନ ପ୍ରତ୍ୟେକ ବହି ପୃଷ୍ଠାରେ ମାନବ ସମାଜର ଉନ୍ନତି ପାଇଁ କିଛି ନା କିଛି ସୂତ୍ର ଅବଶ୍ୟ ରହିଛି। ପୁସ୍ତକ ଚିନ୍ତାଧାରାରେ ପରିବର୍ତ୍ତନ ଆଣେ। ଆଧୁନିକ ଜୀବନର ଚାପ ଓ ଅବସାଦରୁ ମୁକ୍ତି ପାଇଁ ପୁସ୍ତକ ପଠନ ଏକ ଉତ୍କୃଷ୍ଟ ମାଧ୍ୟମ। ଏହା ମାନସିକ ଏକାଗ୍ରତା ବୃଦ୍ଧି କରିବା ସହ ସମସ୍ୟାକୁ ଧୈର୍ଯ୍ୟର ସହ ମୁକାବିଲା କରିବାକୁ ଶକ୍ତି ଦିଏ। ପୁସ୍ତକ ହେଉଛି ଏପରି ଏକ ବଗିଚା, ଯାହାକୁ ପକେଟରେ ଧରି ବୁଲିହୁଏ। ମହାପୁରୁଷଙ୍କଠାରୁ ଆରମ୍ଭ କରି ଆଜିର ସଫଳ ବ୍ୟକ୍ତିତ୍ୱ ପର୍ଯ୍ୟନ୍ତ ସମସ୍ତଙ୍କ ସଫଳତା ପଛରେ ରହିଛି ସେହି ବହି ପୃଷ୍ଠାରୁ ମିଳିଥିବା ସମାଧାନର ସୂତ୍ର।
ନୟାଗଡ଼, ମୋ: ୯୪୩୭୬୪୨୯୪୭

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?