ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି ମପାଯାଉଛି ତାହା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତର୍କ ସୃଷ୍ଟି କରିଛି। ଏହି ବିବାଦର ଗୁରୁତ୍ୱ ବଢ଼ିଛି, କାରଣ ତୁଳନାତ୍ମକ ଭାବେ କମ୍ ନାମାଙ୍କନ ଜିଡିପି ବୃଦ୍ଧି, ବେସରକାରୀ ନିବେଶ ଓ ନିଯୁକ୍ତିକୁ ନେଇ ରହିଥିବା ଚିନ୍ତା ଏବଂ ବିଭିନ୍ନ ମୂଲ୍ୟ ସୂଚକାଙ୍କ ଅନୁସାରେ ଏହି ୭.୮% ବୃଦ୍ଧି ଅଧିକ ଦେଖାଯାଉଛି। ଏହି ବିବାଦର ଗୁରୁତ୍ୱ ଆହୁରି ବଢ଼ିଛି, କାରଣ ନାମାଙ୍କନ ଜିଡିପି ୧୦.୩% ବଢ଼ିଥିବା ବେଳେ ବାସ୍ତବ ଜିଡିପି ୭.୮% ବୃଦ୍ଧିପାଇଛି। ଏଥିରୁ ପ୍ରାୟ ଜିଡିପି ପ୍ରାଇସ ଡିଫ୍ଲେଟର (ଜିଡିପିରେ ମୂଲ୍ୟ ପରିବର୍ତ୍ତନକୁ ମାପୁଥିବା ସୂଚକ) ୨.୫% ବୋଲି ସୂଚିତ ହେଉଛି। ଏହା ତ୍ରୁଟିପୂର୍ଣ୍ଣ ବୋଲି କେତେଜଣ କହୁଛନ୍ତି, କାରଣ ସେହି ସମୟରେ ପ୍ରାୟ ୩.୯% ଉପଭୋକ୍ତା ମୁଦ୍ରାସ୍ଫୀତି ଏବଂ ୯%ରୁ ଅଧିକ ଥିବା ପାଇକାରୀ ମୁଦ୍ରାସ୍ଫୀତି ଥିଲା। ଯଦିଓ ମୁଦ୍ରାସ୍ଫୀତି ଓ ଜିଡିପି ଡିଫ୍ଲେଟର ମୌଳିକ ଭାବେ ଭିନ୍ନ ମାପଦଣ୍ଡ, ତଥାପି ଏହି ପାର୍ଥକ୍ୟର ଯାଞ୍ଚ ଆବଶ୍ୟକ।
ସରକାର କହିଛନ୍ତି, ଜିଡିପି ଡିଫ୍ଲେଟର ୩୦୦ରୁ ଅଧିକ ବ୍ୟକ୍ତିଗତ ମୂଲ୍ୟ ଡିଫ୍ଲେଟରକୁ ନେଇ ଗଠିତ ହୋଇଛି। ଏଥିରେ ଉତ୍ପାଦକ-ମୂଲ୍ୟ (ପ୍ରଡ୍ୟୁସର ପ୍ରାଇସ) ତଥ୍ୟର ଅଧିକ ବ୍ୟବହାର ଓ ଡବଲ ଡିଫ୍ଲେସନ (ଉତ୍ପାଦନ ଓ ମଧ୍ୟବର୍ତ୍ତୀ ଉପଭୋଗକୁ ପୃଥକ୍ ଭାବେ ମୂଲ୍ୟ ପ୍ରଭାବରୁ ବାହାର କରିବା) ରହିଛି। ତେଣୁ ଏହା ମୁଦ୍ରାସ୍ଫୀତିଠାରୁ ଭିନ୍ନ। ସିଙ୍ଗଲ ଡିଫ୍ଲେସନରେ ସମୁଦାୟ ଉତ୍ପାଦନ କିମ୍ବା ମୂଲ୍ୟଯୋଗକୁ ଏକ ସମୁଦାୟ ମୂଲ୍ୟ ସୂଚକାଙ୍କ ଦ୍ୱାରା ସମନ୍ବୟ କରାଯାଏ। ଅନ୍ୟପକ୍ଷରେ, ଡବଲ ଡିଫ୍ଲେସନରେ ଉତ୍ପାଦନ ଓ ମଧ୍ୟବର୍ତ୍ତୀ ଉପଭୋଗ ଉଭୟକୁ ଉପଯୁକ୍ତ ମୂଲ୍ୟ ମାପଦଣ୍ଡ ବ୍ୟବହାର କରି ପୃଥକ ଭାବେ ସମନ୍ବୟ କରାଯାଏ। ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ ଅସାଧାରଣ ଭାବେ କମ୍ ଥିବା ଜିଡିପି ମୂଲ୍ୟ ଡିଫ୍ଲେଟର ନେଇ ଚିନ୍ତା ପ୍ରକାଶ କରିଥିଲେ ଏବଂ ଏହା ମପାଯାଇଥିବା ବାସ୍ତବ ବୃଦ୍ଧି ଉପରେ ପ୍ରଭାବ ପକାଇପାରେ ବୋଲି ସୂଚାଇଥିଲେ। ମୁଖ୍ୟ କଥା ହେଉଛି, କମ୍ ଡିଫ୍ଲେଟର ରହିବା ନିଶ୍ଚିତ ଭାବେ ଭୁଲ ନୁହେଁ। କିନ୍ତୁ ପ୍ରଶ୍ନ ହେଉଛି ଡିଫ୍ଲେଟର ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଘଟୁଥିବା ମୂଲ୍ୟ ପରିବର୍ତ୍ତନକୁ ଠିକ୍ ଭାବେ ପ୍ରତିଫଳିତ କରୁଛି କି ନାହିଁ ଏବଂ ଏହା ପଛରେ ଥିବା ତଥ୍ୟ କେତେ ସ୍ବଚ୍ଛ କି ନାହିଁ ତାହା ଯାଞ୍ଚ ଆବଶ୍ୟକ।
ଜାନୁଆରୀ ୨୦୧୫ରେ ସରକାର ୨୦୦୪-୦୫ ମୂଳ ବର୍ଷକୁ ବଦଳାଇ ୨୦୧୧-୧୨କୁ ମୂଳ ବର୍ଷ ଭାବେ ଗ୍ରହଣ କରି ନୂଆ ଜିଡିପି ସିରିଜ ପ୍ରଚଳନ କରିଥିଲେ। କେତେକ ସମୟରେ ଏପରି ଅଭିଯୋଗ କରାଯାଇଛି ଯେ, ଉପା ଶାସନ କାଳରେ ଅଧିକ ଜିଡିପି ମୂଲ୍ୟ ଡିଫ୍ଲେଟର ଯୋଗୁ ବାସ୍ତବ ଜିଡିପି ବୃଦ୍ଧି କମ୍ ଦେଖାଯାଇଥିଲା, ଯେତେବେଳେ ଏନ୍ଡିଏ ଶାସନ କାଳରେ କମ୍ ଡିଫ୍ଲେଟର ବ୍ୟବହାର ଯୋଗୁ ବାସ୍ତବ ବୃଦ୍ଧି ଅଧିକ ଦେଖାଯାଇଥିଲା। ତେଣୁ ବର୍ତ୍ତମାନର ତର୍କ ଏହି ପ୍ରଶ୍ନ ଉଠାଇବାକୁ ଯଥେଷ୍ଟ ଆଧାର ଦେଉଛି ଯେ ମୂଲ୍ୟ ଡିଫ୍ଲେଟରର ଗଠନ, ଏଥିରେ ସାମିଲ ହୋଇଥିବା ଉପାଦାନ, ସେମାନଙ୍କର ଗୁରୁତ୍ୱ ଏବଂ ନୂଆ ମୂଲ୍ୟ ସୂଚକାଙ୍କର ବ୍ୟବହାର ମପାଯାଇଥିବା ବାସ୍ତବ ବୃଦ୍ଧି ଉପରେ କେତେ ପ୍ରଭାବ ପକାଇଛି। ଯେତେବେଳେ ନାମାଙ୍କନ ଜିଡିପିର ସ୍ତର ତଳକୁ ସଂଶୋଧିତ ହେଉଥିବା ସମୟରେ ବାସ୍ତବ ଜିଡିପିର ସ୍ତରକୁ ବହୁ ପରିମାଣରେ ଉପରକୁ ସଂଶୋଧନ କରାଯାଉଛି, ସେତେବେଳେ ଏହି ଚିନ୍ତା ଆହୁରି ତୀବ୍ର ହୋଇଯାଏ।
ଅତୀତର ବର୍ଷଗୁଡ଼ିକୁ ଦେଖିଲେ ଏହି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ସଂଶୋଧିତ ଜାତୀୟ ହିସାବ ଅନୁଯାୟୀ, ୨୦୨୫-୨୬ରେ ନାମାଙ୍କନ ଜିଡିପି ୩୪୫.୪୭ ଲକ୍ଷ କୋଟି ଟଙ୍କା ରହିଛି, ଯେତେବେଳେ ପୁରୁଣା ୨୦୧୧-୧୨ ଶୃଙ୍ଖଳା ଅନୁସାରେ ପ୍ରଥମ ଅଗ୍ରିମ ଆକଳନରେ ଏହା ୩୫୭.୧ ଲକ୍ଷ କୋଟି ଟଙ୍କା ଥିଲା। ଅର୍ଥାତ୍ ସଂଶୋଧିତ ଆକଳନ ପ୍ରାୟ ୧୧.୬୩ ଲକ୍ଷ କୋଟି ଟଙ୍କା କିମ୍ବା ପ୍ରାୟ ୩.୩% ହ୍ରାସପାଇଛି। ୨୦୨୨-୨୩ରେ ଏହି ନିମ୍ନମୁଖୀ ସଂଶୋଧନ ୭.୭୨ ଲକ୍ଷ କୋଟି, ୨୦୨୩-୨୪ରେ ୧୧.୩୯ ଲକ୍ଷ କୋଟି ଟଙ୍କା, ୨୦୨୪-୨୫ରେ ୧୨.୬୧ ଲକ୍ଷ କୋଟି ଏବଂ ୨୦୨୫-୨୬ରେ ୧୧.୬୭ ଲକ୍ଷ କୋଟି ଟଙ୍କା ରହିଛି। ତେଣୁ ଗତ ୪ ବର୍ଷରେ ନାମାଙ୍କନ ଜିଡିପିର ନିମ୍ନମୁଖୀ ସଂଶୋଧନ ଏକ ଗୁରୁତ୍ୱପୂର୍ଣ୍ଣ ପରିସଂଖ୍ୟାନିକ ତଥ୍ୟ। କିନ୍ତୁ ଏହାକୁ ଜିଡିପିର ‘କ୍ଷତି’ ବୋଲି ବର୍ଣ୍ଣନା କରିବା ଠିକ୍ ହେବ ନାହିଁ। ତଥାପି ପ୍ରତ୍ୟେକ ବର୍ଷ ଅର୍ଥନୀତିର ଆନୁମାନିକ ନାମାଙ୍କନ ଆକାର ପ୍ରାୟ ୩୪% କମ୍ ହୋଇଯାଇଛି। ଏହା ଏକ ଯୁକ୍ତିସଙ୍ଗତ ପ୍ରଶ୍ନ ଉଠାଏ, ଯଦି ସଂଶୋଧନ ପରେ ଅର୍ଥନୀତିର ନାମାଙ୍କନ ଆକାର ଯଥେଷ୍ଟ ଛୋଟ ହୋଇଛି, ତେବେ ସେହି ସମୟରେ ଉଚ୍ଚ ବାସ୍ତବ ବୃଦ୍ଧି ହାରକୁ କିପରି ବୁଝିବା? ସରକାର ଏହି ଅଧିକ ବାସ୍ତବ ଜିଡିପି ବୃଦ୍ଧିକୁ ଉତ୍ସବମୁଖର ଭାବେ ପ୍ରଚାର କରିବା ଉଚିତ କି?
ଏହା ସହିତ ନାମାଙ୍କନ ଜିଡିପି କମିବାର ପ୍ରଭାବ ବିତ୍ତୀୟ ନିଅଣ୍ଟ ଜିଡିପି ଅନୁପାତ ଏବଂ ଋଣ ଜିଡିପି ଅନୁପାତ ଭଳି ସୂଚକାଙ୍କ ଉପରେ ପଡ଼େ। ଏହାର ଉତ୍ତର କେବଳ ‘ମୂଳ ବର୍ଷ ବଦଳିଛି’ ବୋଲି ଦେଇହେବ ନାହିଁ। ଏପରି ବଡ଼ ସଂଶୋଧନ ପଛରେ ଥିବା ମୂଲ୍ୟଭିତ୍ତିକ କାରଣଗୁଡ଼ିକ ସମ୍ପର୍କରେ ଲୋକଙ୍କୁ ସ୍ବଚ୍ଛ ଓ ସ୍ପଷ୍ଟ ବ୍ୟାଖ୍ୟା ମିଳିବା ଆବଶ୍ୟକ। ଚିନ୍ତାଜନକ ପ୍ରଶ୍ନ ହେଉଛି, ନୂଆ ସିରିଜ ପ୍ରଚଳନ ପରେ ସେହି ଜିଡିପି ଆକଳନରେ କ’ଣ ପାଇଁ ଦ୍ରୁତ ହ୍ରାସ ପାଇଲା । ପୁରୁଣା ଶୃଙ୍ଖଳା ଅନୁସାରେ ୨୦୨୫ ଏପ୍ରିଲ-ଜୁନ୍ରେ ନାମାଙ୍କନ ଜିଡିପି ୮୬.୦୫ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଥିଲା। ୨୦୨୨-୨୩କୁ ମୂଳ ବର୍ଷ କରି ନୂଆ ସିରିଜ ପ୍ରଚଳନ ପରେ ଏହି ଆକଳନ ୮୦.୦୦ ଲକ୍ଷ କୋଟି ଟଙ୍କାକୁ ସଂଶୋଧିତ ହୋଇଛି। ଅର୍ଥାତ୍ ପୁରୁଣା ଶୃଙ୍ଖଳାର ମୂଳ ଆକଳନ ତୁଳନାରେ ଏହା ପ୍ରାୟ ୬.୦୫ ଲକ୍ଷ କୋଟି ଟଙ୍କା କିମ୍ବା ପ୍ରାୟ ୭% କମ୍। ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଏହି ବିଶାଳ ପାର୍ଥକ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ଅନ୍ୟମାନେ ଏହାକୁ ‘ମିସିଂ ଜିଡିପି’ ବୋଲି ବର୍ଣ୍ଣନା କରିଛନ୍ତି। କିନ୍ତୁ ମୌଳିକ ପ୍ରଶ୍ନ ହେଉଛି ଏହି ଆକଳନ ଏତେବଡ଼ ପରିମାଣରେ କାହିଁକି ତଳକୁ ସଂଶୋଧିତ ହେଲା? କେଉଁ କେଉଁ କ୍ଷେତ୍ର ଏହି ପରିବର୍ତ୍ତନ ପାଇଁ ଦାୟୀ?
ଆଉ ଏକ ବିରୋଧାଭାସ ସାମ୍ନାକୁ ଆସୁଛି। ପୁରୁଣା ୨୦୧୧-୧୨ ଶୃଙ୍ଖଳା ଅନୁସାରେ ୨୦୨୫ ଏପ୍ରିଲ-ଜୁନ୍ରେ ବାସ୍ତବ ଜିଡିପି ୪୭.୮୯ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଥିଲା। ନୂଆ ୨୦୨୨-୨୩ ଶୃଙ୍ଖଳା ଅନୁସାରେ ସମାନ ସମୟର ବାସ୍ତବ ଜିଡିପି ୭୫.୪୬ ଲକ୍ଷ କୋଟି ଟଙ୍କା ରହିଛି। ଏହି ପାର୍ଥକ୍ୟ ନିଶ୍ଚିତ ଭାବେ ଅତ୍ୟଧିକ। ତେବେ ଏହି ଦୁଇଟି ସ୍ଥିର ମୂଲ୍ୟର ଆକଳନକୁ ଏପରି ତୁଳନା କରିହେବ ନାହିଁ, କାରଣ ଏହା ଭିନ୍ନ ସିରିଜ ଉପରେ ପର୍ଯ୍ୟବସିତ। ତେଣୁ କେବଳ ଏହି ବଡ଼ ସଂଖ୍ୟାଗତ ପାର୍ଥକ୍ୟକୁ ଆଧାର କରି ନୂଆ ପଦ୍ଧତିକୁ ଭୁଲ ବୋଲି କହିବା ଠିକ୍ ହେବ ନାହିଁ। ବରଂ ଏହି ସଂଶୋଧନର ପରିମାଣ ଓ ଗଠନ ସମ୍ପର୍କରେ ଏକ ଯୁକ୍ତିସଙ୍ଗତ ପ୍ରଶ୍ନ ଉଠାଏ ଏବଂ ନୂଆ ଆକଳନ କିପରି ପ୍ରସ୍ତୁତ ହୋଇଛି ସେ ସମ୍ପର୍କରେ ଅଧିକ ସ୍ବଚ୍ଛତାର ଆବଶ୍ୟକତାକୁ ଦର୍ଶାଏ।
ଯେତେବେଳେ ଏକ ତୁଳନାମୂଳକ କମ୍ ଡିଫ୍ଲେଟର ମଧ୍ୟମ ନାମାଙ୍କନ ଜିଡିପି ବୃଦ୍ଧିକୁ ଉଚ୍ଚ ବାସ୍ତବ ଜିଡିପି ବୃଦ୍ଧିରେ ପରିଣତ କରେ ଏବଂ ସେହି ସମୟରେ ଅର୍ଥନୀତିର ନାମାଙ୍କନ ଆକାରରେ ବଡ଼ ପରିମାଣର ନିମ୍ନମୁଖୀ ସଂଶୋଧନ ହୁଏ, ସେତେବେଳେ ଡିଫ୍ଲେଟର ନିଶ୍ଚିତ ଭାବେ ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଯାଏ। ତେଣୁ ନାମାଙ୍କନ ଓ ବାସ୍ତବ ବୃଦ୍ଧି ମଧ୍ୟରେ ଥିବା ଏହି ଅସାଧାରଣ ପାର୍ଥକ୍ୟକୁ ନା ଅନ୍ଧ ଭାବେ ଗ୍ରହଣ କରାଯିବା ଉଚିତ, ନା ଏହାକୁ କୌଣସି ପ୍ରମାଣ ବିନା ହେରଫେର ବୋଲି ଅଭିହିତ କରାଯିବା ଉଚିତ। ଏହାର ନିରପେକ୍ଷ ଓ ସ୍ବାଧୀନ ଯାଞ୍ଚ ଆବଶ୍ୟକ। କିନ୍ତୁ ବର୍ତ୍ତମାନର ଆର୍ଥିକ ସ୍ଥିତି ଯଥା ଭୟଙ୍କର ବେକାରି, ବୈଷମ୍ୟ ବୃଦ୍ଧି, ଘରୋଇ ଋଣ ବୃଦ୍ଧି, ବାସ୍ତବ ମଜୁରି ସ୍ଥିର ବା ହ୍ରାସ ପାଇବା, ଘରୋଇ ନିବେଶ ହ୍ରାସ ପାଇବା, ଷ୍ଟକ୍ ମାର୍କେଟ ପତନ, ଟଙ୍କାର ମୂଲ୍ୟ ହ୍ରାସ, ତୁଳନାତ୍ମକ ଦାରିଦ୍ର୍ୟ ବୃଦ୍ଧି ଦର୍ଶାଉଛି ପରିସ୍ଥିତି ଗମ୍ଭୀର।
ଡ. ସନ୍ତୋଷ କୁମାର ମହାପାତ୍ର
ମୋ: ୯୪୩୭୨୦୮୭୬୨

