ମାଗଣା ଚାଉଳ ରାଜନୀତି

ଭାଲଚନ୍ଦ୍ର ଷଡ଼ଙ୍ଗୀ

 

ଦେଶରେ ଲୋକ ସଭା ଏବଂ ଓଡ଼ିଶା ସମେତ କିଛି ରାଜ୍ୟର ବିଧାନସଭା ନିର୍ବାଚନ ଯେତେ ଆଗକୁ ବଢ଼ୁଛି, ଲୋକଙ୍କୁ ଖାଦ୍ୟ ସୁରକ୍ଷା ବାବଦରେ ଦିଆଯାଉଥିବା ମାଗଣା ଚାଉଳକୁ ନେଇ ରାଜନୀତିି ସେତେ ଜୋରଦାର ହେବାରେ ଲାଗିଛି। ଦେଶର ଅଶୀ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ଆଗାମୀ ପାଞ୍ଚ ବର୍ଷ ପାଇଁ ମାସିକ ପାଞ୍ଚ କିଲୋ ଲେଖାଏଁ ଚାଉଳ ଦେଉଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟ ଭାଜପା ନେତାମାନେ ବିଭିନ୍ନ ନିର୍ବାଚନୀ ସଭାରେ ଦାବି କରୁଥିବା ବେଳେ ନିକଟରେ କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟର ଦଳ ପକ୍ଷରୁ ମଧ୍ୟ କ୍ଷମତାକୁ ଆସିଲେ ମାସିକ ପାଞ୍ଚ କିଲୋ ବଦଳରେ ଦଶ କିଲୋ ଚାଉଳ ଦିଆଯିବ ବୋଲି ଘୋଷଣା କରିବା ଦେଖାଯାଇଛି। ଖାଦ୍ୟ ସୁରକ୍ଷା ନାଁରେ ଦିଆଯାଉଥିବା ରାଶନ ଚାଉଳର ଶ୍ରେୟକୁ ନେଇ ଯେଉଁ ବାଦ ବିବାଦ ଚାଲିଛି, ସେହି ପରିପ୍ରେକ୍ଷୀରେ ପ୍ରସଙ୍ଗଟି ସମ୍ପର୍କରେ ସବିଶେଷ ଜାଣିବା ଜରୁରୀ ହୋଇପଡ଼ିଛି।
ଦେଶରେ ଖାଦ୍ୟ ନିରାପତ୍ତା ଓ ଦାରିଦ୍ର୍ୟକୁ ନେଇ ସରକାରଙ୍କ ସମସ୍ତ ବଡ଼ ବଡ଼ ଦାବି ସତ୍ତ୍ୱେ ବାସ୍ତବତା ହେଲା, ଭାରତ ବିଶ୍ୱର ସବୁଠାରୁ ବେଶି ଭୋକିଲାଙ୍କ ଦେଶ ହୋଇ ରହିଛି। ଏପରିକି ଆଫ୍ରିକା ମହାଦେଶର ଅନେକ କ୍ଷୁଧାର୍ତ୍ତ ଦେଶଠାରୁ ଆମେ ଏ କ୍ଷେତ୍ରରେ ପଛରେ ରହିଛେ। କେତେ ଗମ୍ଭୀର ସେ କଥା ବାରମ୍ବାର ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାର ଅଧ୍ୟୟନ ଓ ଗବେଷଣାରୁ ଉଜାଗର ହୋଇଛି। ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ(ଏଫ୍‌ଏଓ)ର ଖାଦ୍ୟ ନିରାପତ୍ତା ସୂଚକାଙ୍କରେ ଗତ କିଛିବର୍ଷ ହେଲା ଆମ ଦେଶ ଲଗାତର ଭାବେ ତଳେ ରହୁଛି। ୨୦୨୩ରେ ପ୍ରକାଶିତ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ବିଶ୍ୱର କ୍ଷୁଧାଗ୍ରସ୍ତ ବିଶ୍ୱର ୧୨୫ଟି ଦେଶ ମଧ୍ୟରେ ୧୧୧ ତମ ସ୍ଥାନରେ ରହିଛି। ୨୦୨୨ରେ ବିଶ୍ୱର ୧୨୧ କ୍ଷୁଧାଗ୍ରସ୍ତ ଦେଶ ମଧ୍ୟରେ ଭାରତ ୧୦୭ତମ ସ୍ଥାନରେ ରହିଥିଲା। ଉପଯୁକ୍ତ ଖାଦ୍ୟ ନ ପାଇବା କାରଣରୁ ବିଶ୍ୱର ସର୍ବାଧିକ ପୁଷ୍ଟିହୀନ ଶିଶୁ ଓ ରକ୍ତହୀନତାର ଶିକାର ମହିଳା ଭାରତରେ ରହିଛନ୍ତି।
ଦେଶରେ ସଂଖ୍ୟାଗରିଷ୍ଠ ଲୋକଙ୍କ ଖାଦ୍ୟ ସଙ୍କଟ ଦୂର କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି। ପୂର୍ବରୁ କିଲୋ ପିଛା ଚାଉଳ ଓ ଗହମକୁ ଯଥାକ୍ରମେ ୩ ଟଙ୍କା ଓ ୨ ଟଙ୍କା ନିଆଯାଉଥିବା ବେଳେ ବର୍ତ୍ତମାନ ତାକୁ ସମ୍ପୂର୍ଣ୍ଣ ମାଗଣା କରି ସରକାର ଲୋକଙ୍କ ଆର୍ଥିକ ଦୁରବସ୍ଥାକୁ ଏକରକମ ସ୍ବୀକାର କରିଥିବା ବେଳେ ବର୍ତ୍ତମାନ ମାଗଣା ରାଶନ ଯୋଗାଣର ମିଆଦକୁ ଆଉ ପାଞ୍ଚ ବର୍ଷକୁ ବୃଦ୍ଧି କରି ସରକାର ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହେବାର ନାହିଁ ବୋଲି ପରୋକ୍ଷରେ ସ୍ବୀକାର କରିଛନ୍ତି। ନିକଟରେ ଗରିବୀ ଉନ୍ମୁଳନ ନେଇ ଏକ ତ୍ରୁଟିପୂର୍ଣ୍ଣ ଆକଳନ ଜରିଆରେ ସରକାର ଦେଶରେ ୨୫ କୋଟି ଲୋକ ଗରିବୀରୁ ମୁକ୍ତ ହୋଇଛନ୍ତି ବୋଲି ଦାବି କରିପାରନ୍ତି। କିନ୍ତୁ ଏଠାରେ ପ୍ରଶ୍ନ ହେଲା, ଯଦି ସତରେ ଦେଶର ଏତେସଂଖ୍ୟକ ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି, ତାହେଲେ ୮୦ କୋଟିରୁ ଅଧିକ ଲୋକଙ୍କୁ ପ୍ରତି ମାସରେ ପାଞ୍ଚ କିଲୋ ସରକାରୀ ରାଶନ ଉପରେ ନିର୍ଭର କରିବାକୁ ପଡ଼ୁଛି କାହିଁକି ? ଦାରିଦ୍ର୍ୟ ଓ ଦରବୃଦ୍ଧି ଯୋଗୁ ଦେଶର ୭୭% ଲୋକ ନିଜ ରୋଜଗାରର ୭୦ ଭାଗ କେବଳ ଖାଦ୍ୟଶସ୍ୟ କିଣିବାରେ ଖର୍ଚ୍ଚ କରୁଛନ୍ତି। ଦେଶର କୋଟି କୋଟି ଲୋକ ଅନାହାର, ଅର୍ଦ୍ଧାହାର ଓ ପୁଷ୍ଟିହୀନତାରେ ଜିଇ ରହିବା ବାସ୍ତବରେ ଏକ ଜାତୀୟ ଲଜ୍ଜା। ମିଳିତ ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ ସମୟସୀମା ଅର୍ଥାତ୍‌ ୨୦୧୫ରୁ ନିଜ ଦେଶରୁ ଅନାହାରକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବାରେ ଏଯାଏ ବ୍ରାଜିଲ ସମେତ ବିଶ୍ୱର ୩୦ଟି ଦେଶ ସଫଳ ହୋଇଥିବା ବେଳେ ଆମେ ଯେ ଏଥିରେ ବିଫଳ ହୋଇଛୁ ଏଥିରେ ସନ୍ଦେହ ନାହିଁ।
ଦେଶର ଗ୍ରାମାଞ୍ଚଳର ୭୫% ଏବଂ ସହରାଞ୍ଚଳର ୫୦% ଲୋକଙ୍କୁ ପ୍ରତି ମାସରେ ଜଣକୁ ଯେଉଁ ୫ କିଲୋ ରାଶନ ବା ଖାଦ୍ୟଶସ୍ୟ ମିଳୁଛି, ସେନେଇ ପ୍ରଧାନମନ୍ତ୍ରୀ ଓ ଅନ୍ୟ ଭାଜପା ନେତାମାନେ ଯେଉଁ ଦାବି କରୁଛନ୍ତି, ତାହା ସତ୍ୟ ନୁହେଁ। ଯଦିଓ ପ୍ରଧାନମନ୍ତ୍ରୀ ଏହି ଯୋଜନାକୁ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ବୋଲି ନାମିତ କରି ତା’ର ଶ୍ରେୟ ନେବାକୁ ଚେଷ୍ଟା କରିଛନ୍ତି କିନ୍ତୁ ତାହା ୨୦୧୩ ମସିହାରେ ପ୍ରଣୀତ ଜାତୀୟ ଖାଦ୍ୟ ନିରାପତ୍ତା ଆଇନର ଅନ୍ତର୍ଗତ। ସେତେବେଳର ମନମୋହନ ସିଂଙ୍କ ଉପା ସରକାର ଦେଶର ଭୋକିଲା ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ ପୂର୍ବରୁ କଣ୍ଟ୍ରୋଲ ମାଧ୍ୟମରେ ଦିଆଯାଉଥିବା ରିହାତି ଖାଦ୍ୟଶସ୍ୟ ବ୍ୟବସ୍ଥାକୁ ସଂଶୋଧନ କରିବା ସହିତ ତାକୁ ଆଇନଗତ ମାନ୍ୟତା ପ୍ରଦାନ କରିଥିଲେ। ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦି ୭ ଅଗଷ୍ଟ ୨୦୧୩ରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଖାଦ୍ୟ ସୁରକ୍ଷା ବିଲ୍‌କୁ ଦୃଢ଼ ବିରୋଧ କରିଥିଲେ।
୨୦୧୩ ପୂର୍ବରୁ ପରିବାର ପିଛା ସରକାର ୩୫ କିଲୋ ଖାଦ୍ୟଶସ୍ୟ ରିହାତି ଦରରେ ଯୋଗାଇ ଦିଆଯାଉଥିବା ବେଳେ ଏହି ଆଇନ ଆସିବା ପରେ ବ୍ୟକ୍ତି ପିଛା ମାସିକ ମାତ୍ର ୫ କିଲୋ ଚାଉଳ ଓ ଗହମକୁ ଯଥାକ୍ରମେ ୩ ଟଙ୍କା ଓ ୨ ଟଙ୍କା ଦରରେ ଯୋଗାଇବାର ବ୍ୟବସ୍ଥା କରିଥିଲେ। ପରେ ଓଡ଼ିଶା ସମେତ ଅନେକ ରାଜ୍ୟ ସରକାର ଏହି ରାଶନ ଚାଉଳକୁ କେନ୍ଦ୍ରଠାରୁ ୩ ଟଙ୍କା ଦରରେ ଆଣି ନିଜସ୍ବ ସବ୍‌ସିଡି ଦେଇ ୧ ଟଙ୍କାରେ ହିତାଧିକାରୀମାନଙ୍କୁ ବିକ୍ରି କରୁଥିଲେ। ମୋଦି ସରକାର ମଧ୍ୟ ୨୦୦୦ ମସିହା ପର୍ଯ୍ୟନ୍ତ ଏହି ଦରରେ ହିଁ ଲୋକଙ୍କୁ ମାସିକ ପାଞ୍ଚ କିଲୋ ଚାଉଳ ଯୋଗାଉଥିଲେ। କୋଭିଡ ସମୟରେ ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କ ଖାଦ୍ୟ ସଙ୍କଟ ଭୟଙ୍କର ହେବା ଦେଖି ସରକାର ସାମୟିକ ଭାବେ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’କୁ ଆରମ୍ଭ କରି ଉପରୋକ୍ତ ପାଞ୍ଚ କିଲୋ ଚାଉଳ ସହିତ ଅତିରିକ୍ତ ୫ କିଲୋ ଚାଉଳକୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇଥିଲେ। କିନ୍ତୁ କୋଭିଡ ସରିବା ପରେ ସରକାର ସାମୟିକ ଭାବେ ଦେଉଥିବା ଅତିରିକ୍ତ ପାଞ୍ଚ କିଲୋ ଚାଉଳକୁ ବନ୍ଦ କରିବା ସହ ଖାଦ୍ୟ ସୁରକ୍ଷା ଯୋଜନାରେ ପୂର୍ବରୁ ଦିଆଯାଉଥିବା ଚାଉଳ ପାଇଁ ଆଉ କିଲୋ ପିଛା ତିନିଟଙ୍କା ନ ନେଇ ତାକୁ ମାଗଣାରେ ଦେଲେ। ଅତଏବ ଆଜି ଦେଶର ଗରିବ ଲୋକଙ୍କୁ ଯେଉଁ ଚାଉଳ ମିଳୁଛି, ତାହା କୌଣସି ସରକାରର ଦୟା ବା ଅନୁକମ୍ପାରୁ ନୁହେଁ ବରଂ ୨୦୧୩ରେ ସଂସଦରେ ଗୃହୀତ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ସରକାର ଯୋଗାଇବାକୁ ଆଇନଗତ ଭାବେ ବାଧ୍ୟ। ଏହାର ଉଲ୍ଲଂଘନ ହେଲେ, ଯେକୌଣସି ନାଗରିକ କୋର୍ଟର ଦ୍ୱାରସ୍ଥ ହୋଇ ନିଜର ଖାଦ୍ୟ ଅଧିକାରକୁ ପାଇପାରିବେ। ଏପରିକି ଭବିଷ୍ୟତରେ କୌଣସି ସରକାର ମାଗଣା ରାଶନକୁ ବନ୍ଦ କରିବାକୁ ହେଲେ ସଂସଦରେ ସେଥିପାଇଁ ବିଲ୍‌ ଆଣି ବର୍ତ୍ତମାନର ଖାଦ୍ୟ ସୁରକ୍ଷା ଆଇନକୁ ରଦ୍ଦ କରିବାକୁ ପଡ଼ିବ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୋଷଣ ଅଭିଯାନ ସହିତ ଜଡ଼ିତ ଅଧିକାଂଶ ସଂସ୍ଥାର ଆକଳନ ଅନୁଯାୟୀ ଜଣେ ବୟସ୍କ ବ୍ୟକ୍ତିର ଉପଯୁକ୍ତ ପୋଷଣ ପାଇଁ ମାସିକ ୧୨-୧୪ କିଲୋ ଖାଦ୍ୟଶସ୍ୟ, ଦେଢ଼ କିଲୋ ଡାଲି ଏବଂ ୮୦୦ ଗ୍ରାମ୍‌ ଖାଦ୍ୟ ତେଲ ଆବଶ୍ୟକ ପଡ଼ିଥାଏ। ୧୯୯୬ରେ ଅନୁଷ୍ଠିତ ବିଶ୍ୱ ଖାଦ୍ୟ ସମ୍ମେଳନରେ ”ଏକ ସୁସ୍ଥ ତଥା ସକ୍ରିୟ ଜୀବନ ଅତିବାହିତ କରିବାକୁ ଆବଶ୍ୟକ ଯଥେଷ୍ଟ, ନିରାପଦ, ପୌଷ୍ଟିକ ଖାଦ୍ୟ“ ଖାଦ୍ୟ ଭାବେ ସଂଜ୍ଞାୟିତ କରାଯାଇଛି। କିନ୍ତୁ ବର୍ତ୍ତମାନର ଆଇନରେ ଖାଦ୍ୟ ସୁରକ୍ଷା ନାଁରେ ବ୍ୟକ୍ତି ପିଛା ମାସିକ କେବଳ ୫ କିଲୋ ( ଅର୍ଥାତ୍‌ ଦୈନିକ ୧୬୭ ଗ୍ରାମ୍‌ରୁ କମ୍‌ ) ଖାଦ୍ୟଶସ୍ୟ ଦେଇ ସରକାର କେବଳ କିଛି ମାତ୍ରାରେ ଲୋକଙ୍କ ଖାଦ୍ୟଶସ୍ୟର ସୁରକ୍ଷା ହିଁ କରୁଛନ୍ତି ବୋଲି କହିବା ଠିକ୍‌ ହେବ। ଏପରିକି କୋଭିଡ ସମୟରେ ସରକାର ଚାଉଳ ସହ ଯେଉଁ ଚଣା ବା ଡାଲି ଦେଉଥିଲେ ତାକୁ ବି ବନ୍ଦ କରିଦେଇଛନ୍ତି। ଦେଶର ଗରିବ ଲୋକ ମାସିକ ୫ କିଲୋ ଚାଉଳ ପାଇ କୌଣସିମତେ ତ ବଞ୍ଚିଯାଉଛନ୍ତି କିନ୍ତୁ ସେମାନଙ୍କ ପୁଷ୍ଟିହୀନତା କିମ୍ବା ରକ୍ତହୀନତା ଦୂର ହୋଇପାରୁନି।
ସବୁଠାରୁ ଗୁରୁତର ବିଷୟ ହେଲା, ବର୍ତ୍ତମାନର ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ହିତାଧିକାରୀ ବା ଲାଭାର୍ଥୀଙ୍କ ଯେଉଁ ତାଲିକାଟି ତିଆରି ହୋଇଛି, ତାହା ୨୦୧୧ର ଜନଗଣନା ଆଧାରରେ ହୋଇଛି। ସରକାର ଯେହେତୁ ବିଭିନ୍ନ ଆଳ ଦେଖାଇ ୨୦୨୧ର ଜନଗଣନାକୁ କରୁନାହାନ୍ତି, ତାରି ଫଳରେ ଏକ ବଡ଼ ସଂଖ୍ୟକ ଗରିବ ଲୋକ ଏହି ମାଗଣା ରାଶନ ପାଇବାରୁ ବଞ୍ଚିତ ହୋଇଛନ୍ତି। ବିଭିନ୍ନ ସଂସ୍ଥାର ଆକଳନ ଅନୁଯାୟୀ ଏହି ସଂଖ୍ୟା କମ୍‌ ସେ କମ୍‌ ଦଶ କୋଟି ହେବ। ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ମିଳୁଥିବା ମାଗଣା ରାଶନ ଯୋଜନା କେବଳ ଭୋଟ ସଂଗ୍ରହର ମାଧ୍ୟମ ନ ହେଉ। ରାଜନୈତିକ ଦଳଗୁଡ଼ିକ ଏହାର ପରିସର ଓ ପରିମାଣକୁ ବୃଦ୍ଧି କରି ଦେଶର ପ୍ରତ୍ୟେକ ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବା ଦିଗରେ ପଦକ୍ଷେପ ନିଅନ୍ତୁ।
ମୋ – ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

୪ର୍ଥରୁ ୬ଷ୍ଠକୁ ଖସିଲା

ନିକଟରେ ଏପ୍ରିଲ ୨୦୨୬ରେ ପ୍ରକାଶିତ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ବିଶ୍ୱ ଅର୍ଥନୈତିକ ଆଉଟ୍‌ଲୁକ୍‌ ରିପୋର୍ଟ ଅନୁସାରେ ଭାରତ ଭଲ ଅଭିବୃଦ୍ଧି ହାସଲ କରିବା ସତ୍ତ୍ୱେ ଜାପାନ ଏବଂ ବ୍ରିଟେନଠାରୁ…

ଏନ୍‌ଇଇଟି ବାତିଲ

ମେଡିକାଲ, ଇଞ୍ଜିନିୟରିଂ ଭଳି ଅତି ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ଅନିୟମିତତା ଦେଖାଦେବା ଦେଶର ଶିକ୍ଷା ବ୍ୟବସ୍ଥା ଓ ପରିଚାଳନା ସହିତ ଶିକ୍ଷା ମନ୍ତ୍ରଣାଳୟର ଅପାରଗତାକୁ ବାରମ୍ବାର…

ଭୂଗର୍ଭ ଜଳ ସମସ୍ୟା

ଜୀବଜଗତ ବଞ୍ଚିବା ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କଥାରେ ଅଛି ‘ଜଳ ବହୁଳେ ସୃଷ୍ଟି ନାଶ ଏବଂ ଜଳ ବିହୁନେ ସୃଷ୍ଟି ନାଶ’। ଜଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri